ଏକ୍ମୋ' ହେଉଛି ଏକ୍ସଟ୍ରା କର୍ପୋରିଆଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ମେସିନ୍। ଏହାର ଅର୍ଥ ହେଲା ଆମ ଶରୀରର ରକ୍ତକୁ ବାହାରକୁ ଆଣି ତାହା ପରିଷ୍କାର କରିବାପରେ ପୁଣିଥରେ ଅମ୍ଳଜାନ୍ ସହିତ ଶରୀର ଭିତରକୁ ଛାଡ଼ିବା। ଅତି ସହଜ ଭାଷାରେ କହିବାକୁ ଗଲେ ଏହା ହେଉଛି ଏକ କୃତ୍ରିମ ଫୁସ୍ଫୁସ୍।
ଫୁସ୍ଫୁସ୍ ଦେଇ ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗକୁ ଅମ୍ଳଜାନ୍ ଯୋଗାଣ ହୋଇଥାଏ। ଠିକ୍ ସେହିପରି ଫୁସ୍ଫୁସ୍ ଦେଇ ଅଙ୍ଗାରକାମ୍ଳ ଶ୍ବାସକ୍ରିୟାରେ ଶରୀରରୁ ବାହାରକୁ ବାହାରିଥାଏ। ଫୁସ୍ଫୁସ୍ ସମ୍ପୂର୍ଣ୍ଣ ଅକାମୀ ହୋଇଗଲେ ଅମ୍ଳଜାନ୍ ଗ୍ରହଣ କରିବାର କ୍ଷମତା ହ୍ରାସ ପାଇଥାଏ। ଫୁସ୍ଫୁସ୍ ଦେଇ ଧମନୀ ଭିତରୁ ଅମ୍ଳଜାନ୍ ଓ ରକ୍ତ ଯାଇପାରେନାହିଁ। ନିମୋନିଆ ହୋଇ ଫୁସ୍ଫୁସ୍ ଅକାମୀ ହେଲେ ମଧ୍ୟ ଶରୀର ଭିତରକୁ ଅମ୍ଳଜାନ୍ ଯାଇପାରେ ନାହିଁ କି ଅଙ୍ଗାରକାମ୍ଳ ବାହାରି ପାରେନାହିଁ। ଆମ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ୍ ଦରକାର। ଗୁରୁତ୍ବପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟରେ ହାର୍ଟ, ବ୍ରେନ୍, କିଡ୍ନି, ଲିଭର୍କୁ ସବୁ ବେଳେ ଅମ୍ଳଜାନ୍ ଦରକାର ପଡ଼ିଥାଏ। ଫୁସ୍ଫୁସ୍ ଅକାମୀ ହୋଇପଡ଼ିଲେ ଏହି ଅଙ୍ଗକୁ ଅମ୍ଳଜାନ୍ ଯାଇପାରେ ନାହିଁ। ଫଳରେ ରୋଗୀଙ୍କ ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ(ମଲ୍ଟି ଅର୍ଗାନ୍ ଫେଲ୍) ଅକାମୀ ହେବାର ଆଶଙ୍କା ରହିଥାଏ।
ଫୁସ୍ଫୁସ୍ ସଂକ୍ରମିତ ହେଲେ ତାକୁ ବିଶ୍ରାମ ଦେଇ ଔଷଧ ପ୍ରୟୋଗ କରିବା ଆବଶ୍ୟକ। ଏଥିପାଇଁ ଆମେ ଏକ୍ମୋ ମେସିନ୍ ଜରିଆରେ ରକ୍ତ ପରିଷ୍କାର କରି ପୁଣିଥରେ ଶରୀର ଭିତରକୁ ପ୍ରବେଶ କରାଇ ପାରିବା। ଫଳରେ ଶରୀରର ପ୍ରତ୍ୟେକ ଆଭ୍ୟନ୍ତରୀଣ ଅଙ୍ଗକୁ ସ୍ବାଭାବିକ ଭାବେ ଅମ୍ଳଜାନ ଯାଇ ପାଇବ ଏବଂ ଏଗୁଡ଼ିକ ସ୍ବାଭାବିକ ଭାବେ କାମ କରିବ। ଏହାଦ୍ବାରା କୌଣସି ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହେବନାହିଁ। ଚିକିତ୍ସା ପରେ ଫୁସ୍ଫୁସ୍ ଧୀରେଧୀରେ ସଂକ୍ରମଣରୁ ଆରୋଗ୍ୟଲାଭ କରି ପୁଣିଥରେ କାମ କରିବା ଆରମ୍ଭ କରିଥାଏ।
ଏହି ଏକ୍ମୋ ମେସିନ୍ର ମୂଲ୍ୟ ପ୍ରାୟ ୩୦ରୁ ୩୫ଲକ୍ଷ ଟଙ୍କା ପଡ଼ିଥାଏ। ମେସିନ୍ ବ୍ୟବହାର ସମୟରେ ଯାହା କିଟ୍ ଆବଶ୍ୟକ ପଡ଼େ ତାହା ୩/୪ଲକ୍ଷ ଟଙ୍କା ପଡ଼ିଥାଏ। ଏହି ମେସିନ୍ ପରିଚାଳନା କରିବା ପାଇଁ ଅଭିଜ୍ଞ ଡାକ୍ତରଙ୍କ ଆବଶ୍ୟକ ପଡ଼ିଥାଏ। ଓଡ଼ିଶାରେ ଏହି ମେସିନ୍ର ସେଭଳି କିଛି ସୁବିଧା ନାହିଁ। ଏବେ କଟକ ଏସ୍ସିବି ମେଡିକାଲ ପାଇଁ ୬ଟି ମେସିନ୍ କ୍ରୟ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ଓଡ଼ିଶାରେ କିଛି ଯୁବ ଡାକ୍ତର ଅଛନ୍ତି ଯେଉଁମାନେ କି ଏହି ମେସିନ୍ର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ନେଇଛନ୍ତି। କିଛି ଘରୋଇ ଡାକ୍ତରଖାନାରେ ସେମାନେ ଅଛନ୍ତି। ସେମାନଙ୍କ ସହାୟତା ନିଆଗଲେ ସଫଳ ଚିକିତ୍ସା କ୍ଷେତ୍ରରେ ଶତପ୍ରତିଶତ ସୁଫଳ ମିଳିବ। ଗୋଟିଏ ମେସିନ୍ରେ ଜଣେ ରୋଗୀଙ୍କର ହିଁ ଚିକିତ୍ସା ସମ୍ଭବ। ଏହା କେବଳ କୋଭିଡ୍ ରୋଗୀଙ୍କ ପାଇଁ ନୁହେଁ, ଯେ କୌଣସି ରୋଗୀଙ୍କ ଫୁସ୍ଫୁସ୍ ଅକାମୀ ହେଲେ ଏହି ମେସିନ୍ ବ୍ୟବହାର କରି ଜୀବନ ରକ୍ଷା କରାଯାଇପାରିବ।
ବର୍ତ୍ତମାନ ଅଧିକାଂଶ କୋଭିଡ୍ ପଜିଟିଭ୍ ରୋଗୀଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇ ଅକାମୀ ହୋଇପଡ଼ୁଛି। ହଠାତ୍ ଅମ୍ଳଜାନ୍ସ୍ତର ଖସିଯାଉଛି। ଏଣୁ ଏହି ମେସିନ୍ର ଆବଶ୍ୟକତା ଢେର୍ ମାତ୍ରାରେ ବଢ଼ିଯାଇଛି। ରୋଗୀଙ୍କ ପାଇଁ ଏହି ମେସିନ୍ ଫୁସ୍ଫୁସ୍ ଭଳି କାମ କରିବ। ଓଡ଼ିଶାର କୌଣସି ସରକାରୀ ମେଡିକାଲ୍ କଲେଜରେ ଏହି ମେସିନ୍ ନଥିଲା। ଏବେ କଟକ ଏସ୍ସିବି ମେଡିକାଲ୍ ପାଇଁ ଏକ୍ମୋ ମେସିନ୍ କ୍ରୟ କରିବାକୁ ସରାକର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହି ମେସିନ୍ ବର୍ତ୍ତମାନ ନିହାତି ଆବଶ୍ୟକ। ଏହାର ଦାମ୍ ମଧ୍ୟ ସେତେଟା ଅଧିକ ନୁହଁ। କେବଳ ମେସିନ୍ କିଣି ଦେଲେ ହେବ ନାହିଁ। ଏଥିପାଇଁ ଅଭିଜ୍ଞ ଡାକ୍ତର ଓ ଟିମ୍ ନିୟୋଜିତ କରାଯିବା ଦରକାର।
ବରିଷ୍ଠ ଛାତିରୋଗ ବିଶେଷଜ୍ଞ, ବ୍ରହ୍ମପୁର
ପୂର୍ବତନ ସର୍ବଭାରତୀୟ ଛାତିରୋଗ ବିଶେଷଜ୍ଞ ସଭାପତି