କୋଭିଡ୍‌-୧୯ ରୋଗ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ। ଫୁସ୍‌ଫୁସ୍‌ ଜରିଆରେ ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗକୁ ଅମ୍ଳଜାନ୍‌ ଯୋଗାଣ ହୋଇଥାଏ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇ ଅମ୍ଳଜାନ୍‌ ଗ୍ରହଣ କ୍ଷମତା ହ୍ରାସ ପାଇଥାଏ। ଫଳରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାନ୍ତି। ବର୍ତ୍ତମାନ ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ରୋଗୀଙ୍କ ମୃତ୍ୟୁ ସମ୍ଭାବନା ୫୦/୬୦ପ୍ରତିଶତ ରହିଥାଏ। ଫୁସ୍‌ଫୁସ୍‌ ଅକାମୀ ହେବା ଦ୍ବାରା ଶରୀରକୁ ଅମ୍ଳଜାନ୍‌ ଯାଇପାରେ ନାହିଁ। ଏଣୁ ରୋଗୀଙ୍କ ମୃତ୍ୟୁ ଘଟିଥାଏ। ଫୁସ୍‌ଫୁସ୍‌ ଅକାମୀ ହେବା ପରେ କୃତ୍ରିମ ଉପାୟରେ ଶରୀରକୁ ଅମ୍ଳଜାନ୍‌ ଯୋଗାଣ କରାଯାଇଥାଏ। ଏଥିପାଇଁ ରୋଗୀଙ୍କୁ ଏକ୍‌ମୋ (ଏକ୍ସଟ୍ରା କର୍ପୋରିଆଲ୍‌ ମେମ୍ବ୍ରେନ୍‌ ଅକ୍ସିଜେନେସନ୍‌) ଚିକିତ୍ସା ଆବଶ୍ୟକ ପଡ଼ିଥାଏ। ଏହି ଚିକିତ୍ସା ଦ୍ବାରା ରୋଗୀଙ୍କ ଜୀବନ ରକ୍ଷା ପାଇଥାଏ।

Advertisment

ଜୀବନ ରକ୍ଷାକାରୀ ମେସିନ୍‌
ଏହା ହେଉଛି ଏକ ଜୀବନରକ୍ଷାକାରୀ ମେସିନ୍‌। ଏକ୍‌ମୋ ମେସିନ୍‌ ଅସ୍ଥାୟୀ ଭାବେ ଶରୀର ବାହାରେ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ କୃତ୍ରିମ ଫୁସ୍‌ଫୁସ୍‌ ଓ ହୃତପିଣ୍ଡର କାମ କରିଥାଏ। ଏହି ମେସିନ୍‌ର ୩ଟି ଉପାଦାନ ରହିଛି। ପ୍ରଥମ ହେଲା ଶରୀରରୁ ପମ୍ପିଂ ଜରିଆରେ ରକ୍ତ ବାହାରକୁ ଆସିଥାଏ, ଦ୍ବିତୀୟରେ ସେହି ରକ୍ତକୁ ଏକ୍‌ମୋ ମେସିନ୍‌କୁ ପଠାଯାଇଥାଏ। ମେସିନ୍‌ଟି ଦୁଇଟି ଭାଗରେ ବିଭକ୍ତ ହୋଇଥାଏ। ଗୋଟିଏ ଭାଗରେ ରକ୍ତ ସଂଗ୍ରହ ପାଇଁ ଚାମ୍ବର ରହିଥାଏ ଓ ଦ୍ବିତୀୟ ଭାଗରେ ଅମ୍ଳଜାନ୍‌ ଚାମ୍ବର ରହିଥାଏ। ଏକ ଝିଲ୍ଲି(ମେମ୍ବ୍ରେନ୍‌) ଦ୍ବାରା ଏହି ଉଭୟ ଚାମ୍ବର୍‌କୁ ଅଲଗା କରାଯାଇଥାଏ। ଏଣୁ ଏହାକୁ ମେମ୍ବ୍ରେନ୍‌ ଅକ୍ସିଜେନେଟର୍‌ ବୋଲି କୁହାଯାଏ। ଝିଲ୍ଲିରେ ଥିବା ଲାଲ ରକ୍ତ କୋଷିକା ଅମ୍ଳଜାନ୍‌ ସଂଗ୍ରହ କରିଥାଏ ଏବଂ ଅଙ୍ଗାରକାମ୍ଳକୁ ବାହାରକୁ ଛାଡ଼ିଥାଏ। ଫୁସ୍‌ଫୁସ୍‌ ଭଳି ଏହା କାମ କରିଥାଏ। ଏହାପରେ ତୃତୀୟ ପର୍ଯ୍ୟାୟରେ ଅମ୍ଳଜାନ୍‌ ଓ ରକ୍ତକୁ ପମ୍ପିଂ ଜରିଆରେ ଶରୀରକୁ ପଠାଯାଇଥାଏ। ଯାହାକି ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗକୁ ଯାଇଥାଏ।

କେଉଁ ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ଆବଶ୍ୟକ?
ଓପନ୍‌ ହାର୍ଟ ସର୍ଜରି ପାଇଁ ଏହି ମେସିନ୍‌ ଆବଶ୍ୟକ ପଡ଼ିଥାଏ। ଓପନ୍‌ ହାର୍ଟ ସର୍ଜରି ଅର୍ଥ ଅସ୍ତ୍ରୋପଚାର ଜରିଆରେ ହୃଦୟର ଚାମ୍ବର୍‌କୁ ଖୋଲି ମେସିନ୍‌ ଜରିଆରେ ରକ୍ତ ସଞ୍ଚାଳନ କରିବା। ଅସ୍ତ୍ରୋପଚାର ସମୟରେ ଏହି ଚାମ୍ବର୍‌ କାର୍ଯ୍ୟକ୍ଷମ ନଥିବା ବେଳେ ସେଠାରେ ରକ୍ତ ମଧ୍ୟ ନଥାଏ। ଦ୍ବିତୀୟରେ ଯଦି ରୋଗୀଙ୍କ ଫୁସ୍‌ଫୁସ୍‌ ଓ ହୃତ୍ପି‌ଣ୍ଡ ପ୍ରତିରୋପଣ କରାଯାଏ। ତୃତୀୟରେ ଯଦି କୌଣସି ରୋଗ (କୋଭିଡ୍‌-୧୯, ନିମୋନିଆ, ଇନ୍‌ଫ୍ଲୁଏଞ୍ଜା) ପାଇଁ ଫୁସ୍‌ଫୁସ୍‌ କାର୍ଯ୍ୟକ୍ଷମ କରୁ ନଥିବ, କିନ୍ତୁ ଚିକିତ୍ସା ପରେ ତାହା ସ୍ବାଭାବିକ ହେବା ଆଶା ରହିଥିଲେ ଏକ୍‌ମୋ ମେସିନ୍‌ ବ୍ୟବହାର କରାଯାଏ।

ଶରୀରରେ ଏହା କିପରି ପ୍ରୟୋଗ କରାଯାଏ?
ଓପନ୍‌ ହାର୍ଟ ସର୍ଜରୀ ପାଇଁ ଛାତିକୁ ଅସ୍ତ୍ରୋପଚାର କରି କାଟିବା ପରେ ହୃତ୍ପି‌ଣ୍ଡର ଡାହାଣ ପଟ ଚାମ୍ବର୍‌ ଖୋଲାଯାଏ। ମେସିନ୍‌କୁ ରକ୍ତ ଆଣିବା ପାଇଁ ହୃତ୍ପି‌ଣ୍ଡର ଡାହାଣ ପାର୍ଶ୍ବ ଉପର ପଟେ ଥିବା ଚାମ୍ବର୍‌ର ଦୁଇଟି ବଡ଼ ଶିରାରେ ଟ୍ୟୁବ୍‌ ଖଞ୍ଜା ଯାଇଥାଏ। ଅନ୍ୟ ଏକ ଟ୍ୟୁବ୍‌ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଂଚାଳନ କରୁଥିବା ମୋଟା ଧମନୀରେ ଲଗାଯାଇଥାଏ। ଏହି ସମୟରେ ହୃତପିଣ୍ଡ କି ଫୁସ୍‌ଫୁସ୍‌ କାର୍ଯ୍ୟକ୍ଷମ କରି ନଥାଏ। କିନ୍ତୁ କେତେକ କ୍ଷେତ୍ରରେ ଶିରା ଓ ଧମନୀକୁ ଚିହ୍ନଟ କରି ସେଥିରେ ପତଳା ଟ୍ୟୁବ୍‌ ପୂରାଇ ଅଲ୍‌ଟ୍ରାସାଉଣ୍ଡ୍‌ ଜରିଆରେ ଅସ୍ତ୍ରୋପଚାର କରାଯାଇଥାଏ।

ଏହି ମେସିନ୍‌ କିଏ ପରିଚାଳନା କରନ୍ତି?
ହୃଦ୍‌ରୋଗ ନିଶ୍ଚେତକଙ୍କ ଅଧୀନରେ ଏହି ମେସିନ୍‌ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ପରିଚାଳିତ ହୋଇଥାଏ। ସେମାନେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ପ୍ରଶିକ୍ଷଣ ନେଇଥାନ୍ତି। ଏଥିପାଇଁ ସେମାନଙ୍କୁ ୨ବର୍ଷ ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ।

ରୋଗୀଙ୍କ ପାଇଁ କ'ଣ ବିପଦ ରହିଛି ?
ଶରୀରରୁ ରକ୍ତ ବାହାର କରି ତାହା ବିଶୋଧନ ପରେ ପୁଣିଥରେ ଅମ୍ଳଜାନ୍‌ ସହିତ ଶରୀରକୁ ପ୍ରବେଶ କରାଯାଇଥାଏ। ଏହି ସମୟରେ ରକ୍ତ ଜମାଟ ବାନ୍ଧିବାର ଭୟ ରହିଥାଏ। ରକ୍ତ ଜମାଟ ବାନ୍ଧି ଶରୀରକୁ ପ୍ରବେଶ କଲେ ତାହା ରକ୍ତ ସଂଚାଳନରେ ବାଧା ହୋଇଥାଏ। ଏହା ଦ୍ବାରା ବ୍ରେନ୍‌ଷ୍ଟ୍ରୋକ୍‌ ନହେଲେ ପାରାଲିସିସ୍‌ ହେବାର ଭୟ ରହିଛି। ଏଣୁ ରକ୍ତ ଜମାଟ ନବାନ୍ଧିବା ପାଇଁ ଔଷଧ ଦିଆଯାଇଥାଏ। ସେହିପରି ରକ୍ତ ସଂକ୍ରମିତ ହୋଇ ସେପ୍‌ଟିସେମିଆ ହେବାର ଭୟ ରହିଥାଏ। ଏହି ଚିକିତ୍ସା ପଦ୍ଧତିକୁ ପ୍ରତିଦିନ ନିରୀକ୍ଷଣ କରିବାକୁ ପଡ଼ିଥାଏ। ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ଅମ୍ଳଜାନ୍‌ସ୍ତର ଯାଞ୍ଚ ଓ କିଡ୍‌ନି ଏବଂ ଲିଭର୍‌ର ପରୀକ୍ଷା ମଧ୍ୟ କରାଯାଇଥାଏ।

କେତେବେଳେ ଏହି ଚିକିତ୍ସା ସରିଥାଏ?
ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ ଏକ୍ସରେ’ ନହେଲେ ସିଟି ସ୍କାନ୍‌ କରାଯାଇଥାଏ। ସଂକ୍ରମିତ ହୋଇଥିବା ଫୁସ୍‌ଫୁସ୍‌ ସଂକ୍ରମଣରୁ ମୁକ୍ତ ଜଣାପଡ଼ିବା ପରେ ଶ୍ବାସକ୍ରିୟାକୁ ଅନୁଧ୍ୟାନ କରାଯାଇଥାଏ। ସବୁକିଛି ସ୍ବାଭାବିକ ରହିଲେ ଧୀରେ ଧୀରେ ମେସିନ୍‌କୁ ରକ୍ତ ପଠାଇବା କମାଇ ଦିଆଯାଇଥାଏ। ଏହାପରେ ହୃତ୍‌ପିଣ୍ଡ ତା'ର କାମ ଆରମ୍ଭ କରିଥାଏ। ଏହି ସମୟରେ ଅମ୍ଳଜାନ୍‌ସ୍ତର ନିହାତି ଯାଞ୍ଚ କରିବା ଆବଶ୍ୟକ। ଇକୋ ଦ୍ବାରା ହୃତ୍‌ପିଣ୍ଡର ପରୀକ୍ଷା କରାଯାଇଥାଏ। ସମସ୍ତ ପରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ୍‌ମୋ ଚିକିତ୍ସାକୁ ବନ୍ଦ କରାଯାଇଥାଏ।