ସମୟ ଥିଲା ଯୁବପିଢ଼ିର ନାରୀ ପାଶ୍ଚାତ୍ୟ ଶୈଳୀର ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ। ଏବେ କିନ୍ତୁ ବଦଳୁଛି ଚିନ୍ତାଧାରା। ବିଶେଷ ଅବସରରେ ଶାଢ଼ି ପିନ୍ଧିବାକୁ ସେମାନେ ପସନ୍ଦ କରୁଛନ୍ତି। ବିଭିନ୍ନ ଅବସରରେ ସେଲିବ୍ରିଟିମାନେ ବି ଶାଢ଼ି ପରିଧାନ କରିବା ଦେଖିବାକୁ ମିଳୁଛି। ବଦଳୁଥିବା ଫ୍ୟାସନ୍‌ ଟ୍ରେଣ୍ଡ୍‌ ସହ ତାଳ ଦେଇ ବଜାରରେ ନୂଆ ଡିଜାଇନ୍‌ ଓ ନୂଆ ଫେବ୍ରିକ୍‌ର ଶାଢ଼ି ଉପଲବ୍ଧ ‌େହଲାଣି। ଟସର, ଉଲେନ୍‌, କଟନ୍‌ ଓ ସିଲ୍କ୍‌ ଆଦି ମେଟେରିଆଲ୍‌ରେ ତ ଶାଢ଼ି ପ୍ରସ୍ତୁତ ହୁଏ, ଏବେ କିନ୍ତୁ ବାଉଁଶ ତନ୍ତୁରୁ ତିଆରି ସୂତା ଶାଢ଼ି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଛି। 

Advertisment

ବାଉଁଶ ଶାଢ଼ିର ପରମ୍ପରା ଓଡ଼ିଶାରେ ନଥିଲେ ବି ପଡ଼ୋଶୀ  ଛତିଶଗଡ଼ରେ ଏହା ପ୍ରସ୍ତୁତ ହୋଇଥାଏ। ସେହିପରି ଆସାମ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ମଧ୍ୟ ଏହା ବୁଣାଯାଏ। ବାଉଁଶ ଶାଢ଼ିଗୁଡ଼ିକ ଖୁବ୍‌ ନରମ, କୋମଳ ଓ ହାଲୁକା। ଏହାର ଅନ୍ୟ ଏକ ବି‌େଶଷତ୍ବ ହେଲା, ଏହା ମଧ୍ୟ ଦେଇ ପବନ ଚଳାଚଳ କରିପାରେ। ବାଉଁଶ ଶାଢ଼ିର ଅନ୍ୟ ସୁବିଧାଗୁଡ଼ିକ ହେଲା, ଏହା ଆର୍ଦ୍ରତା ଶୋଷଣ କରିବା ସହିତ ତାପମାତ୍ରା ଅଧିକ ଥିଲେ ବି ହଠାତ୍‌ ଗରମ ହୁଏନାହିଁ।

ଶୁଖିଲା ବାଉଁଶକୁ ପ୍ରଥମେ ତନ୍ତୁରେ ପରିଣତ କରାଯାଇ ସେଥିରୁ ସୂତା ପ୍ରସ୍ତୁତ କରାଯାଏ। ଏଥିପାଇଁ ବାଉଁଶରୁ ମଣ୍ଡ ତିଆରି ହୁଏ। ଏଞ୍ଜାଇମ୍‌ ବ୍ୟବହାର କରି ଏକ ଯାନ୍ତ୍ରିକ-ଜୀବାଣୁ ପ୍ରୟୋଗ ପ୍ରକ୍ରିୟା ମାଧ୍ୟମରେ ବାଉଁଶକୁ ବିଘଟିତ କରାଯାଏ। ଏହି ମଣ୍ଡରୁ ତନ୍ତୁ ଆହରଣ କରାଯାଇ ସେଥିରୁ ସୂତା ପ୍ରସ୍ତୁତ କରାଯାଏ। ଏହି ସୂତା ରେଶମ ପରି ନରମ ଓ ମସୃଣ ହୋଇଥାଏ। ବାଉଁଶ ଏକ ଦ୍ରୁତ ନବୀକରଣଯୋଗ୍ୟ ସମ୍ବଳ। ତେଣୁ ଏହା ଶୀଘ୍ର ବଢ଼ିଥାଏ ଏବଂ ଏହି ଗଛର ସୁରକ୍ଷା ସକାଶେ କୀଟନାଶକ ପ୍ରୟୋଗର ଆବଶ୍ୟକତା ନଥାଏ। ତେଣୁ ଅନ୍ୟ ଲୁଗା ତୁଳନାରେ ବାଉଁଶ ବସ୍ତ୍ର ଅଧିକ ପରିବେଶ ଅନୁକୂଳ। ଏହାର ସ୍ଥାୟୀତ୍ବ ବି ଅଧିକ। ପୁଣି ବାଉଁଶ ଲୁଗା ପ୍ରାକୃତିକ ଭାବେ ଅତିବାଇ‌ଗଣୀ ରଶ୍ମିରୁ ସୁରକ୍ଷା ପ୍ରଦାନ କରେ। ତେବେ, ବାଉଁଶ ଲୁଗାକୁ ୧୦୦% କଟନ୍‌ ବୋଲି କୁହାଯାଇ ପାରିବ ନାହିଁ। ସେହିପରି ଲୁଗାକୁ ୧୦୦% ବାଉଁଶ ବୋଲି କହିବା ମଧ୍ୟ ଠିକ୍ ନୁହେଁ। ଏହାକୁ ଭିସ୍କୋଜ୍‌ ରେୟନ୍‌ କୁହାଯାଇଥାଏ। 
 ବାଉଁଶ ତନ୍ତୁ ପ୍ରାକୃତିକ ରୂପେ ଜୀବାଣୁ ଓ ଫିମ୍ପିରୋଧକ, ଯାହାଫଳରେ ଏଥିରୁ ଗନ୍ଧ ବାହାରେ ନାହିଁ ଏବଂ ଲୁଗା ବେଶୀ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହି ଲୁଗା ଅଧିକ ଆଲର୍ଜି ହେଉଥିବା ଲୋକମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଦୁଇ ହଜାରରୁ ଆରମ୍ଭ ହୋଇ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।