ଜଳବାୟୁ ପରିବର୍ତ୍ତନ ସହ ଲଢ଼େଇ କଥା ଆସିଲେ ଆମେ ତେଲ, ଗ୍ୟାସ୍, କୋଇଲା ଆଦି ଜୈବିକ ଇନ୍ଧନ ବ୍ୟବହାର ହ୍ରାସ ଉପରେ ଗୁରୁତ୍ବ ଦେଉ। ତେବେ ଭାରତର କେତେକ ବିଚକ୍ଷଣ ଯୁବ ଉଦ୍ୟୋଗୀ ପୋଷାକ ଶିଳ୍ପ ଦ୍ବାରା ହେଉଥିବା ପ୍ରଦୂଷଣ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ସେମାନେ ପୁନଃପ୍ରକ୍ରିୟାକୃତ ପ୍ଲାଷ୍ଟିକ୍ ଆବର୍ଜନା ସମେତ କଦଳୀପଟୁକା ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ପରିବେଶ ଅନୁକୂଳ ଫ୍ୟାସନ୍ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ସେଭଳି କେତେକ ଷ୍ଟାର୍ଟଅପ୍ ବିଷୟରେ ଜାଣିବା।
ଆମ ଦେଶର କେତେକ ଯୁବ ଉଦ୍ୟୋଗୀ ପୋଷାକ ଶିଳ୍ପରୁ ଜାତ ପ୍ରଦୂଷଣ ଦୂର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ସେମାନେ ପୁନଃପ୍ରକ୍ରିୟାକୃତ ପ୍ଲାଷ୍ଟିକ୍ ସମେତ କଦଳୀପଟୁକା ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ପରିବେଶ ଅନୁକୂଳ ଫ୍ୟାସନ୍ ସାମଗ୍ରୀ ନିର୍ମାଣ କରୁଛନ୍ତି
ଇକୋ ଲାଇନ୍: ଏହି କମ୍ପାନି ତୁଳା ସହିତ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ ସୂତା ମିଶାଇ ସୁଲଭ ପୋଷାକ ପ୍ରସ୍ତୁତ କରୁଛି। କପଡ଼ା ରଙ୍ଗ କରିବା ପାଇଁ ଏହି କମ୍ପାନି ‘ଡୋପ୍ ଡାଇ’ ନାମକ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରେ ଯେଉଁଥିରେ ଟୋପାଏ ବି ପାଣି ବ୍ୟବହାର କରାଯାଏନାହିଁ। ଉଲ୍ଲେଖଯୋଗ୍ୟ ଯେ ପୋଷାକ ଶିଳ୍ପରେ ବର୍ଷକୁ ପ୍ରାୟ ୨୪୦ କୋଟି ଗ୍ୟାଲନ୍ ପାଣି ବ୍ୟବହାର କରାଯାଇଥାଏ। ଗୋୟା ସ୍ବିମ୍ କମ୍ପାନି: ପରିବେଶ କର୍ମୀ ରିୟା ମଜୁମ୍ଦାର ଏହି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତ୍ରୀ। ତାଙ୍କ କମ୍ପାନି ପୁନଃପ୍ରକ୍ରିୟାକୃତ ପ୍ଲାଷ୍ଟିକ୍ ବୋତଲ ଏବଂ ସମୁଦ୍ରରୁ ସଂଗୃହୀତ ଶିଳ୍ପ ଆବର୍ଜନା ସାହାଯ୍ୟରେ ସନ୍ତରଣ ପୋଷାକ ପ୍ରସ୍ତୁତ କରେ। ଫ୍ୟାସନ୍ ଟ୍ରେଣ୍ଡ୍କୁ ଦୃଷ୍ଟିରେ ରଖି ଗୋୟା ସ୍ବିମ୍ କମ୍ପାନି ଚିତ୍ତାକର୍ଷକ ପୋଷାକ ବଜାରକୁ ଛାଡୁଛି, ଯାହାକୁ ଯେକୌଣସି ଦେଶର ଲୋକ କିଣିପାରିବେ।
ମାୟୁ: ଏହା ଏକ ବିଳାସମୟ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍। ଏହି ଷ୍ଟାର୍ଟଅପ୍ ମାଛ କାତି ବ୍ୟବହାର କରି ବ୍ୟାଗ୍ ପ୍ରସ୍ତୁତ କରିଥାଏ। ଚମଡ଼ା ଶିଳ୍ପରୁ ଏହା ସାଲ୍ମନ ଓ ଵଲଫିସ୍ ଭଳି ମାଛର କାତି ସଂଗ୍ରହ କରିଥାଏ ଏବଂ ସେଥିରୁ ବ୍ୟୟବହୁଳ ବ୍ୟାଗ୍ ଉତ୍ପାଦନ କରିଥାଏ। ‘ମାୟୁ’ ସପୁରି ବର୍ଜ୍ୟ ସାହାଯ୍ୟରେ ମଧ୍ୟ ଏହାର ଉତ୍ପାଦ ପ୍ରସ୍ତୁତ କରୁଛି।
ମାଲଵା କେଲା ରେସା ଉଗ୍ୟୋଗ: ଉତ୍ତରପ୍ରଦେଶର ରବି ପ୍ରସାଦ ଆବର୍ଜନାକୁ ନେଇ ଏହି ହସ୍ତଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି। ଏଠାରେ କଦଳୀପଟୁକାରୁ ଜୋତା, ଟୋପି, ବ୍ୟାଗ୍ ସମେତ ସାନିଟାରି ନାପ୍କିନ୍ ଉତ୍ପାଦନ କରୁଛି। ଏଠାରୁ ଅନ୍ୟ ଏକ କମ୍ପାନିକୁ କଦଳୀପାଟୁକାର ତନ୍ତୁ ରପ୍ତାନି କରାଯାଉଛି, ଯାହା ସାହାଯ୍ୟରେ ଜୈବ ବିଘଟନକ୍ଷମ ପୋଷାକପତ୍ର ତିଆରି ହେଉଛି।