ରାଖୀ ପୂର୍ଣ୍ଣିମାକୁ ଭାଇ ପାଖକୁ ରାଖୀଟିଏ ପଠାନ୍ତୁ। ଉପହାର ଆକାରରେ ଚକୋଲେଟ୍ ସହ ଗଛଟିଏ ବି ଦିଅନ୍ତୁ। ଗଛଟି ଉପହାର ଆକାରରେ ମୁକସାକ୍ଷୀ ହେବ ନାହିଁ, ସାଜିବ ଭାଇ-ଉଭଣୀଙ୍କ ସମ୍ପର୍କର ଜୀବନ୍ତ ସାକ୍ଷୀ। ଏହା ସହ ରାଖୀଟି ପିନ୍ଧା ସରିଲେ, ମାଟି ଦେଖି ପୋତିଦିଅନ୍ତୁ, ରାଖୀରେ ଖଞ୍ଜାଯାଇଥିବା ବୀଜରେ ନୂଆ ଗଛଟିଏ ଉଠିବ। ଏହା ବି ସମ୍ପର୍କର ଖିଅକୁ ମଜଭୁତ କରିବ। ଖାଲି ରାଖୀ ପୂର୍ଣ୍ଣିମା କାହିଁକି, ବିଭିନ୍ନ ପର୍ବପର୍ବାଣିରେ ସୁନ୍ଦର ଭାବରେ ସଜ୍ଜିତ ଗଛଟିଏ ପ୍ରିୟଜନଙ୍କୁ ଉପହାର ଦେଇ ଦେଖନ୍ତୁ। ଧୀରେଧୀରେ ବଢ଼ୁଥିବା ଗଛଟି ସମ୍ପର୍କକୁ ଆହୁରି ମଧୁମୟ କରିବ। ପ୍ରତିଟି ଲୋକକୁ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣର ମହତ୍ତ୍ବ ବୁଝାଇବା ଉଦ୍ଦେଶ୍ୟରେ ଏଭଳି ଏକ ବିଚାରଧାରାକୁ ସାମନାକୁ ଆଣିଛନ୍ତି ‘ବକୁଳ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ସୁଜିତ ମହାପାତ୍ର। ସଂସ୍କୃତି ସହ ବୃକ୍ଷରୋପଣକୁ ଯୋଡ଼ି ସେ ମଣିଷକୁ ଗଛ ସହ ଭାବଗତ ସ୍ତରରେ ସଂଯୁକ୍ତ କରିବା ଉଦ୍ୟମ ଜାରି ରଖିଛନ୍ତି।
ଶ୍ରୀ ମହାପାତ୍ର କହନ୍ତି, ‘‘ବକୁଳ ଫାଉଣ୍ଡେସନ୍ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳକୁ ମହାବାତ୍ୟାକୁ ୯ ବର୍ଷ ବିତି ସାରିଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଲୋକମାନେ ସେତେଟା ସଚେତନ ନଥିଲେ। କୌଣସି ଅନ୍ତର୍ଜାତୀୟ ଏନ୍ଜିଓ ବା ସରକାର ହିଁ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ସମସ୍ତଙ୍କର ଧାରଣା ଥିଲା। କିନ୍ତୁ ଆମେ ଆମ ଫାଉଣ୍ଡେସନ୍ ଜରିଆରେ ପରିବେଶ ସୁରକ୍ଷା ଦିଗରେ ପ୍ରତିଟି ନାଗରିକଙ୍କ ବ୍ୟକ୍ତିଗତ ଯୋଗଦାନ ଉପରେ ଅଧିକ ଗୁରୁତ୍ବ ଦେଇଥିଲୁ। ଏଣୁ ‘ଫୁଲତୋଡ଼ା ବଦଳରେ ଗଛଟିଏ’, ‘ମୋ ଗଛ’ ଭଳି ବିଭିନ୍ନ ଅଭିଯାନ ଆରମ୍ଭ କରିଥିଲୁ। ଜନ୍ମ ଦିନ ପାର୍ଟିରେ ଉପହାର ହିସାବରେ ହେଉ ବା କାହାର ଦେହାନ୍ତରେ ସ୍ମୃତିଚିହ୍ନ ହିସାବରେ ଗଛ ପ୍ରଦାନ ଧାରା ଆମେ ଆରମ୍ଭ କରିଥିଲୁ। ଏହି ଅଭିଯାନର ଫଳସ୍ବରୂପ ଭୁବନେଶ୍ବରରେ ଗଢ଼ିଉଠିଛି ‘ସ୍ମୃତିବନ’। ଯେଉଁଠାରେ ଲୋକମାନେ ନିଜ ପ୍ରିୟଲୋକଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିରେ ଗଛଟିଏ ଲଗାଇ ଯାଉଛନ୍ତି। ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ସିଡ୍ବଲ୍ ଓ ଭିନ୍ନଭିନ୍ନ ଗଛକୁ ଉପହାର ଭଳି ପ୍ୟାକେଜିଂ କରି ଯୋଗାଇ ଦିଅାଯାଉଛି। ଫଳରେ ଲୋକମାନେ ଫୁଲତୋଡ଼ା ଉପହାର ରୂପରେ ଦେବା ଭଳି ଗଛକୁ ବି ଉପହାର ଭଳି ଦେଇପାରୁଛନ୍ତି।’’
ସୁଜିତଙ୍କ କହିବା କଥା, ୨୦ ବର୍ଷ ତଳେ କେହି ଜନ୍ମଦିନରେ କେକ୍ କାଟୁ ନଥିଲେ। ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଏବେ ଅଧିକାଂଶ କେକ୍ କାଟୁଛନ୍ତି। ଅର୍ଥାତ୍ ମଣିଷ ଯାହା ନୂଆ ଦେଖେ, ତାହା କରିବାକୁ ଭଲପାଏ। ଏଣୁ ଆମ ସ୍ବେଚ୍ଛାସେବୀମାନେ ମଝିରେ ମଝିରେ ସହରର ବିଭିନ୍ନ କାଫେ, ରେସ୍ତୋରାଁ ବା ଖଟିକୁ ଯାଇ ‘ଅଦୃଶ୍ୟ ନାଟକ’ କରନ୍ତି। କାହା ଜନ୍ମଦିନ ନଥାଇ ମଧ୍ୟ, ଗଛଟିଏ ସୁନ୍ଦର ଭାବେ ପ୍ୟାକେଜିଂ କରି ନେଇ ଜନ୍ମଦିନର ଶୁଭକାମନା ଜଣାଇ ତାହାକୁ ଉପହାର ଦିଅନ୍ତି। ଆଖପାଖର ଲୋକେ ଏହାକୁ ଦେଖନ୍ତି। ସେମାନେ ଏହାଦ୍ବାରା ପ୍ରଭାବିତ ହୋଇ ଅନୁସରଣ କରନ୍ତି। ଏଥିଯୋଗୁଁ ଗଛ ଉପହାରରେ ଦେବା ଧାରା ଏବେ ବଢ଼ିବାରେ ଲାଗିଛି। ଅନ୍ୟପଟେ ସୁଜିତ କହନ୍ତି, ‘‘ଆମେ ବୃକ୍ଷରୋପଣ (ପ୍ଲାଣ୍ଟେସନ) ନୁହେଁ, ବୃକ୍ଷ ପ୍ରତିପୋଷଣ (ପ୍ୟାରେଣ୍ଟିଂ)କୁ ପ୍ରୋତ୍ସାହିତ କରିଥାଉ। ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଲେ ଗଛ ଲଗା ସରିଲେ, ଦାୟିତ୍ବ ସରିଯାଏ। କିନ୍ତୁ ଆମେ ବୃକ୍ଷ ପ୍ରତିପୋଷଣ କଥା କହୁ, ଫଳରେ ଗଛକୁ ଲଗାଇବା ପରେ ଅସଲ ଦାୟିତ୍ବ ଆରମ୍ଭ ହୁଏ।’’