ବାସ୍ତୁ ଏକ ଶିଳ୍ପକଳା ବା ଏକ ବିଜ୍ଞାନ ହେଲେ ମଧ୍ୟ, ଏହାସହିତ ପୌରାଣିକ ଉପାଖ୍ୟାନ ଯୋଡ଼ିହୋଇଛି। ତାହା ଅନୁସାରେ, ଭଗବାନ ବିଷ୍ଣୁଙ୍କର ଗୋଟିଏ ନାଆଁ- ‘ମଧୁକୈଟଭାରି’। ଅର୍ଥାତ୍, ସେ ମଧୁ ଓ କୈଟଭ ନାମକ ଦୁଇ ଦୈତ୍ୟଙ୍କର ବିନାଶକାରୀ। ମଧୁ ନାମକ ଦୈତ୍ୟକୁ ବିନାଶ କରିଥିବାରୁ ତାଙ୍କର ଆଉ ଗୋଟିଏ ନାଆଁ ମଧ୍ୟ ମଧୁସୂଦନ।
ପୌରାଣିକ ଉପାଖ୍ୟାନ ଅନୁସାରେ, ମଧୁ ଓ କୈଟଭ ବିଷ୍ଣୁଙ୍କ ଦ୍ୱାରା ନିହତ ହେବାପରେ, ସେହି ଦୁଇ ଦୈତ୍ୟଙ୍କର ମେଦଦ୍ୱାରା ପୃଥିବୀ ପୁଷ୍ଟ ବା ଗଠିତ ହୋଇଥିଲା। ତେଣୁ, ପୃଥିବୀର ନାମ ‘ମେଦିନୀ’ ହୋଇଛି। ଭଗବାନ ବିଷ୍ଣୁ ସେହି ମେଦ ଦ୍ୱାରା ମେଦିନୀ ସ୍ଥାପନ କରିବା ପରେ ଦେଖିଲେ, ତାହା ସ୍ଥିର ନରହି ଅଗାଧ ଜଳରେ ଭାସୁଛି। ତେଣୁ ପୃଥିବୀକୁ ସ୍ଥିର ବା ଅଚଳ ରଖିବାପାଇଁ ସେ ନିଜର ଶରୀରରୁ ଆଠଗୋଟି ଲୋମ ଉପାଡ଼ି ସେଥିରେ ଆଠ ଦିଗ ଓ କୋଣରେ ଆଠଟି ପର୍ବତ ସୃଷ୍ଟି କଲେ। ସେହି ଆଠ ଦିଗ ଓ କୋଣ ହେଉଛି- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏବଂ ଐଶାନ୍ୟ, ଅଗ୍ନି, ନୈଋତ ଓ ବାୟୁ। ଏହି ଆଠଟି ପର୍ବତ ପୃଥିବୀକୁ ସମ୍ଭାଳି ରଖିଲେ ଏବଂ ‘ଅଷ୍ଟକୁଳାଚଳ’ ରୂପେ ପରିଚିତ ହେଲେ। ‘ଅଷ୍ଟକୁଳାଚଳ’ର ବ୍ୟୁତ୍ପତ୍ତି ହେଉଛି- ଅଷ୍ଟକୁଳ+ଅଚଳ; ‘ଅଷ୍ଟକୁଳ’ ହେଉଛି- ଆଠଟି ଦିଗ ଓ କୋଣ ଏବଂ ‘ଅଚଳ’ ହେଉଛି- ପର୍ବତ। ଭଗବାନ ବିଷ୍ଣୁଙ୍କ ଶରୀରର ଆଠଟି ଲୋମରୁ ସୃଷ୍ଟ ଏହି ଅଷ୍ଟକୁଳାଚଳର ନାମ- ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ, ଋକ୍ଷ, ବିନ୍ଧ୍ୟ, ପାରିଯାତ୍ର ଓ ହିମାଳୟ।
କିନ୍ତୁ ଏହା ସତ୍ତ୍ୱେ ଦେଖାଗଲା, ଯେ ପୃଥିବୀ ତଥାପି ସଂପୂର୍ଣ୍ଣ ସ୍ଥିର ଓ ଅବିଚଳ ରହୁନାହିଁ। ତେଣୁ ଭଗବାନ ବିଷ୍ଣୁ ଯୋଗ ବଳରେ ଅଷ୍ଟଚଣ୍ଡୀ ସୃଷ୍ଟି କଲେ। ସେହି ଅଷ୍ଟଚଣ୍ଡୀ ଅଷ୍ଟକୁଳାଚଳକୁ ଦୃଢ଼ ଭାବରେ ଧରି ରଖିଲେ। ଫଳରେ ସେହି ଅଷ୍ଟ ପର୍ବତ ସହିତ ମେଦିନୀ ବା ପୃଥିବୀ ମଧ୍ୟ ସ୍ଥିର ରହିଲା। ଏହି ଦୃଷ୍ଟିରୁ, କୌଣସି ସ୍ଥାନରେ ଗୃହାରମ୍ଭ କରିବା ସମୟରେ, ପୃଥିବୀକୁ ସ୍ଥିର ବା ନିଶ୍ଚଳ କରି ରଖିଥିବା ଅଷ୍ଟଦିଗ ଓ ଅଷ୍ଟକୋଣର ଅଧିକାରିଣୀ ଅଷ୍ଟଚଣ୍ଡୀଙ୍କୁ ପୂଜା କରାଯିବାର ବିଧି ରହିଛି। ଏହାର ମଧ୍ୟ ବୈଜ୍ଞାନିକ ଦିଗ ଅଛି।
ଇଂ. ଅଜୟ ମହାପାତ୍ର
(ମୋ: ୯୪୩୭୧୭୯୦୨୫)