ଏବେ ନବବସନ୍ତ ସମୟ। କିନ୍ତୁ, ଅନେକ ଅଭିଯୋଗ କରନ୍ତି ସମ୍ପ୍ରତି ବସନ୍ତଋତୁ ଅସଲ ବସନ୍ତଋତୁ ଭଳି ଅନୁଭୂତ ହେଉନାହିଁ। ଋତୁମାନଙ୍କ ମଧ୍ୟରେ ରାଜା ବୋଲି ପରିଗଣିତ ପୁରୁଣା ଦିନର ସେ ‘ନାହିଁ ଶୀତ-ନାହିଁ ଗ୍ରୀଷ୍ମ’ ଭଳି ବସନ୍ତଋତୁ ପ୍ରଦୂଷିତ ଓ ପରିବର୍ତ୍ତିତ ଜଳବାୟୁ ଯୋଗୁଁ ଲୁପ୍ତ ହୋଇଗଲାଣି। ଏ ତ ଗଲା ମାନବୀୟ ଅନୁଭୂତି। କିନ୍ତୁ, ସଚରାଚର ପ୍ରକୃତିରେ ବାସନ୍ତିକ ରାଜୁତି ପୂର୍ବବତ୍ ଅକ୍ଷୁଣ୍ଣ ରହିଛି। ପୁରୁଣା ପତ୍ର ଝଡ଼ି ନୂଆ କଅଁଳୁଛି, ଫୁଲ ଫୁଟୁଛି ଏବଂ ଚାରିଆଡ଼ ଶୋଭାବନ ଦିଶୁଛି। ଋତୁରାଜଙ୍କ ପ୍ରକୃତି ଗସ୍ତ କଦାପି ବାତିଲ୍ ହେଉନାହିଁ। ବସନ୍ତ ଓ ପ୍ରକୃତି ଆଧାରିତ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...
ଆମ୍ବ ବଉଳରେ ଚଣା ଦିଶିଲେ ଏବଂ କେଉଁ ଦୂରନ୍ତ ତରୁଶାଖାରୁ କୋଇଲିର କୁହୁତାନ ଶୁଭିଲେ ସାଧାରଣ ଲୋକଙ୍କର ଚେତା ପଶେ- ବସନ୍ତଋତୁ ଆସିଲାଣି। ବସନ୍ତଦୂତ କୋଇଲି ଗୀତ ଗାଇବାର ବହୁ ଆଗରୁ ବସନ୍ତଋତୁର ଆଗମନ ହୋଇସାରିଥାଏ। ଠିକ୍ କେଉଁଦିନ ସେ ଆସେ ତାହା ହୁଏତ କହିହେବ ନାହିଁ; ମାତ୍ର ସେ ଆସିବାକୁ ସଜବାଜ ହେଲାଣି ବୋଲି ପ୍ରକୃତିର ହାବଭାବରୁ ଆଭାସ ମିଳିସାରିଥାଏ। ଏ ଗହନ ରହସ୍ୟ ସାଧାରଣ ଲୋକେ ନୁହନ୍ତି, ସମ୍ଭବତଃ କେବଳ ପ୍ରକୃତିପ୍ରେମୀ ହିଁ ହୃଦୟଙ୍ଗମ କରିପାରନ୍ତି।
ଆଉ ଗୋଟାଏ ନିତିଦିନିଆ କଥା ବି ଠିକ୍ ଏମିତି। କାଉ ରାବିଲେ ରାତିପାହେ ଏକଥା ସଭିଙ୍କୁ ମାଲୁମ୍ ହେଲେ ବି ଜାଣିବାଶୁଣିବା ଲୋକେ କହନ୍ତି- ରାତି ପାହିଆସିଲାଣି ବୋଲି କାକ ଆଗରୁ ଡାକ ଦେଇସାରିଥାଏ କୁକ୍କୁଟ। କିନ୍ତୁ, ପକ୍ଷୀ ବିଶାରଦମାନଙ୍କ ମତରେ- ଉଷା ଆଗମନ ସମ୍ବନ୍ଧରେ ସବା ଆଗ ସୂଚନା ଦିଏ କଜ୍ଜ୍ବଳପାତି। କ୍ଷୀଣ ହୋଇଥିବାରୁ ତା’ର ରବ କାହାରି କର୍ଣ୍ଣପାତ ହୋଇ ନ ଥାଏ। ତା’ଛଡ଼ା ପେଚା ଗନ୍ତବ୍ୟ ବାହୁଡ଼ାରୁ ବି ରାତିପାହି ଆସୁଛି ବୋଲି ଆଭାସ ମିଳିଥାଏ।
ତା’ହେଲେ ସେ ବାସନ୍ତିକ ଆଭାସ କେବେ ଅନୁଭୂତ ହୁଏ? ଯେତେବେଳେ ଭୋର୍ ବେଳାର ଶୀତୁଆ ପବନ ଆଉ ଦେହରେ ପଶି ହାଡ଼ରେ ବାଜିଲା ଭଳି ଲାଗେନାହିଁ; ମନେହୁଏ ଶୀତୁଆ ପବନରେ ଟିକିଏ ଉଷ୍ଣତା ମିଶିଯାଇଛି। ଠିକ୍ ଯେମିତି ଗାଧୋଇବା ପାଇଁ କରାଯାଇଥିବା ଗରମପାଣିରେ ଥଣ୍ଡାପାଣି ମିଶାଇ ଦେହ ସହିଲା ଭଳି ଉଷୁମକଲା ବେଳେ ଦୈବାତ୍ ଅଧିକ ପାଣି ମିଶିଯିବାରୁ ପାଣି ଶୀତଳ ହୋଇଆସେ, କିନ୍ତୁ ଉଷ୍ଣତା କମି ନ ଥାଏ। ବାସନ୍ତିକ ଭୋର୍ ବେଳା ଅବିକଳ ସେମିତି ଲାଗେ। ଏଥିପାଇଁ ଦାୟୀ ସୂର୍ଯ୍ୟଙ୍କ ଅବସ୍ଥିତି। ସତ କହିବାକୁ ଗଲେ ସୂର୍ଯ୍ୟ ହିଁ ଋତୁଚକ୍ର ନିୟନ୍ତ୍ରଣ କରନ୍ତି। ସୂର୍ଯ୍ୟଙ୍କ ସଦା ପରିବର୍ତ୍ତନଶୀଳ ଅବସ୍ଥିତି ଯୋଗୁଁ ଧରାପୃଷ୍ଠରୁ ଗୋଟିଏ ଋତୁ ବିଦାୟ ନିଏ; ଆଉ ଗୋଟିଏ ଋତୁ ପ୍ରବେଶ କରେ। ଋତୁଚକ୍ରରେ ଥାଆନ୍ତି ଛଅଟି ଋତୁ। ବର୍ଷକ ବାର ମାସ ହିସାବରେ ପୃଥିବୀରେ ପ୍ରତିଋତୁର ଅବସ୍ଥାନ ଅବଧି ଦୁଇମାସ। ଏହା ସତ ହେଲେ ବି ଭୂଗୋଳ କହେ ଭାରତ ଗୋଟାଏ ଗ୍ରୀଷ୍ମପ୍ରଧାନ ଦେଶ। ଏଠାରେ ମୁଖ୍ୟତଃ ଗ୍ରୀଷ୍ମ, ବର୍ଷା ଓ ଶୀତ- ଏଇ ତିନିଟି ଋତୁ ସ୍ପଷ୍ଟ ଅନୁଭୂତ ହୁଏ। ବାକି ତିନିଋତୁ- ଶରତ୍, ହେମନ୍ତ ଓ ବସନ୍ତ ଉପରୋକ୍ତ ମୁଖ୍ୟ ତିନିଋତୁର ସନ୍ଧିସ୍ଥଳରେ ଥିବାରୁ ଅଳ୍ପେବହୁତେ ପୁଣି ସ୍ବଳ୍ପ ଦିନ ପାଇଁ ଅନୁଭୂତ ହୁଏ।
/filters:format(webp)/sambad/media/media_files/2026/02/22/dgjdgjgj-2026-02-22-01-22-25.jpg)
ଏଇଠି ଗୋଟିଏ ବିଷୟ ଜାଣି ରଖିବା ଉଚିତ। ପୃଥିବୀରେ ଥରେ ଯାହା ଘଟେ ତାହା ଅବିକଳ ପୁନର୍ବାର ଘଟେ ନାହିଁ। ଉଦାହରଣ ସ୍ବରୂପ, ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସେ। କିନ୍ତୁ, ଗତବର୍ଷ ଯେଉଁ ଗ୍ରୀଷ୍ମଋତୁ ଆସିଥିଲା, ଏବର୍ଷ ଆସିଥିବା ଗ୍ରୀଷ୍ମଋତୁ ଠିକ୍ ସେହି ଗ୍ରୀଷ୍ମଋତୁ ନୁହେଁ। ଆସନ୍ତା ବର୍ଷ ଯେଉଁ ଗ୍ରୀଷ୍ମଋତୁ ଆସିବ ତାହା ମଧ୍ୟ ଏଥର ଗ୍ରୀଷ୍ମଋତୁ ଭଳି ହେବନାହିଁ। ଏକାଭଳି ପ୍ରତୀୟମାନ ହେଉଥିଲେ ବି ସେମାନଙ୍କ ଭିତରେ ଅନେକ ବୈଶିଷ୍ଟ୍ୟଗତ ତାରତମ୍ୟ ଥାଏ। କେବଳ ଗ୍ରୀଷ୍ମ ନୁହେଁ ସବୁ ଋତୁ କ୍ଷେତ୍ରରେ ଏମିତି ଘଟେ। ଅନେକ ବର୍ଷ ହେବ ଲୋକେ କହିଆସୁଛନ୍ତି- ଏବେ ଆଉ ବସନ୍ତଋତୁ ନାହିଁ, ଆଗରୁ ଥିଲା। ଏଇନେ ଶୀତ ଯାଉ ନ ଯାଉଣୁ ଗ୍ରୀଷ୍ମ ଆସି ହାଜର। ଏଇଟା ନିରୋଳା ମନୁଷ୍ୟର ଧାରଣା। କିନ୍ତୁ, ମନୁଷ୍ୟର ପାରିପାର୍ଶ୍ବିକ ପ୍ରକୃତିରେ ବାସନ୍ତିକ ବୈଚିତ୍ର୍ୟ ଯଥାରୀତି ରହିଛି।
ହୁଏତ ବସନ୍ତାଗମନୀ ସୂଚନା ଅରଣ୍ୟରେ ଥିବା କାହିଁ କେତେ ଜଣା ଅଥବା ଅଜଣା ତରୁଲତାରୁ ମିଳୁଥାଇପାରେ। ଜନପଦରେ ଥିବା ଅନ୍ୟତମ ଚିରପରିଚିତ ବୃକ୍ଷ ପଣସ ଉପରେ ନଜର ପକାଇଲେ ବାସନ୍ତାଗମନ ଆଭାସ ମିଳିଯାଏ। ଇଂରାଜୀ ମାସ ଜାନୁଆରି ମଧ୍ୟ ଭାଗ ଆଡ଼କୁ ପଣସ ଗଛରୁ ବାହାରେ ପୁଷ୍ପମଞ୍ଜରି। ଅବଶ୍ୟ ତାହା ପଣସକଷି ବୋଲି ଲୋକେ ଜାଣନ୍ତି। ସେଇଥିରୁ ଜାଣିହୁଏ ବସନ୍ତଋତୁ ଆଉ ବେଶି ଦୂରରେ ନାହିଁ। ବସନ୍ତକାଳରେ ତ ଅନେକ ଫୁଲ ଫୁଟେ। ବୋଧହୁଏ ସବା ଆଗ ଫୁଟେ ଗେଙ୍ଗୁଟି। ରାସ୍ତାକଡ଼ରେ ବର୍ଷସାରା ଅରମା ହୋଇ ବଢ଼ିଥିବା ଏହି ସ୍ବଳ୍ପୋଚ୍ଚ ପୁଷ୍ପଗୁଳ୍ମ ଶୀର୍ଷରେ ଜାନୁଆରି ଶେଷ ସପ୍ତାହ ବେଳକୁ ବାହାରେ କୋରକ ବା କଢ଼ିଯୁକ୍ତ ସ୍ତବକ ଓ ଫୁଟି ଫୁଟିଯାଏ ଲମ୍ବା କେଶରଯୁକ୍ତ ପୁଷ୍ପଗୁଚ୍ଛ। ବର୍ଣ୍ଣ ଶ୍ବେତ ହେଲେ ବି ତା’ ପାଖୁଡ଼ା ମୂଳରୁ ଈଷତ୍ ଗୋଲାପୀ ରଙ୍ଗର କେତୋଟି ଗାର ପଡ଼ିଥାଏ। ପୁଣି ଆଉ ଗୋଟାଏ ପ୍ରଜାତିର ଏହି ଫୁଲ ଈଷତ୍ ଶାଗୁଆ-ଧବଳ ହୋଇ ଫୁଟିଥାଏ।
ପୁଣି ସେତେବେଳକୁ ଆମ ଦେଶଜ ଓ ବିଦେଶୀମାନେ ଆଣି ରୋପଣ କରିଥିବା ଅନେକ ଗଛରୁ ପତ୍ର ଝଡ଼ିବା ଆରମ୍ଭ ହୋଇଥାଏ। ମୁଖ୍ୟତଃ ବଟ, ଅଶ୍ବତ୍ଥ, ଦେବଦାରୁ, ଚମ୍ପା, କାଠଚମ୍ପା, କଦମ୍ବ, ବିଲାତି ଚାକୁଣ୍ଡା, ନିମ, ମାହାଳ, ଶିମୁଳି, ନାଗେଶ୍ବର, ବେଲ ଏମିତି ଅନେକ ବୃକ୍ଷ ପତ୍ରଝଡ଼ା ଦିଅନ୍ତି। ଦିବାନିଶି ଅବିରତ ଝଡୁଥିବା ଏହି ପତ୍ରସମୂହ କେତେବେଳେ ଗୋଟିଏଯୋଡ଼ିଏ ହୋଇ ତଳେ ପଡ଼ନ୍ତି। ପୁଣି କେତେବେଳେ ଚୋରା ମଳୟ ଦଲକା ବାଜିଗଲେ ଡକାହକା ହୋଇ ପକ୍ଷୀଝାଙ୍କ ଉଡ଼ିଗଲା ପରି ହୁ’କିନା ଝରିପଡ଼ନ୍ତି। ସତେ ଯେମିତି ସେ ପତ୍ରଯୂଥ କୁଆଡ଼େ ବୁଲି ବାହାରିଗଲେ! କିନ୍ତୁ, କେତେକ ୟୁରୋପୀୟ ଓ ପାଶ୍ଚାତ୍ୟ ଦେଶରେ ଶରତ୍କାଳରୁ ଗଛ ପତ୍ରଝଡ଼ା ଦିଏ। ଏହାର କାରଣ ସମ୍ପୂର୍ଣ୍ଣ ଭିନ୍ନ। ବିଶ୍ବର ସେ ପ୍ରାନ୍ତରେ ଶୀତ ଅତି ପ୍ରବଳ ଏବଂ ଦୀର୍ଘମାସ ଧରି ତୁଷାରପାତ ହୁଏ, ଖରା ପ୍ରାୟ ହୁଏନାହିଁ ବା ଯେତିକି ହୁଏ ସେଥିରେ ତେଜ ନ ଥାଏ। ନିଜ ପାଇଁ ସଦ୍ୟ ଆହାର ଜୁଟୁ ନ ଥିବା ବେଳେ ଅଯଥା ବୋଝ ନ ବୋହିବା ପାଇଁ ସେଠାକାର ଗଛବୃଚ୍ଛ ପତ୍ରଝଡ଼ାଇ ଦିଅନ୍ତି। ପୁନଶ୍ଚ ବସନ୍ତାଗମନ ବେଳକୁ ସେମାନେ ପତ୍ର କଅଁଳାନ୍ତି।
ଯାଏ ପୁରୁଣା ଆସେ ନୂଆ
ତରୁଲତାରୁ ପତ୍ର ଝଡ଼େ ବା କାହିଁକି? ସେ ତରୁ ହେଉ କି ଲତା, ସେଥିରେ ଧରୁଥିବା ପତ୍ରସବୁ ପ୍ରକୃତରେ କ’ଣ? ଏହାର ଉତ୍ତର ଅଛି ଉଦ୍ଭିଦ ବିଜ୍ଞାନରେ। ପତ୍ର ଖାଲି ପତ୍ର ନୁହେଁ, ଗୋଟାଏ ଯନ୍ତ୍ର। ଉଦ୍ଭିଦ ପାଇଁ ପତ୍ର ପ୍ରସ୍ତୁତ କରେ ଭୋଜନ। ଇଂରାଜୀରେ କ୍ଲୋରୋଫିଲ୍ କୁହାଯାଉଥିବା ପତ୍ରସ୍ଥ ସବୁଜ ବର୍ଣ୍ଣକଣା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ବୃକ୍ଷଲତା ନିମନ୍ତେ ବ୍ୟଞ୍ଜନ ରନ୍ଧନକରେ। ବିଜ୍ଞାନରେ ଏ ପ୍ରକ୍ରିୟାର ନାଁ ଆଲୋକସଂଶ୍ଳେଷଣ ବା ଫଟୋସିନ୍ଥେସିସ୍। ବର୍ଷାଋତୁ ଶେଷରେ ଆସେ ଶୀତଋତୁ। ଶୀତଋତୁରେ ଦିନ ଛୋଟ, ତହିଁରେ ପୁଣି ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ମିଳେନାହିଁ। ଖରା ସ୍ବଳ୍ପତା ହେତୁ ଆଲୋକସଂଶ୍ଳେଷଣ କମ୍ ହୁଏ ଓ ଗଛବୃଚ୍ଛ ଏକରକମ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥାଆନ୍ତି। ତା’ଛଡ଼ା ବର୍ଷତମାମ ରୋଷେଇବାସ କରି ପତ୍ର ସବୁ ଅକାମିକା ହୋଇ ଯାଇଥାଆନ୍ତି। ତେଣୁ ସେ ସବୁ ଝଡ଼ି ନୂଆ ପତ୍ର ଓ ଡାଳ ପାଇଁ ଗଛଲତାରେ କୁଆଁ ଓ କିଶଳୟ କଅଁଳେ।
ଏଇଟା ବି ଆଗ ଅପେକ୍ଷା ଆହୁରି ବିଚିତ୍ର ବୋଲି ମନେହୁଏ। ବିନା ବର୍ଷାପାଣିରେ ଗଛରେ ନୂଆପତ୍ର ବା କିଶଳୟ ବାହାରେ କେମିତି? ବର୍ଷାକାଳରେ ବୃକ୍ଷଲତା ସବୁ ଯଥେଷ୍ଟ ଆହାର ପାଆନ୍ତି। ଆବଶ୍ୟକମତେ ଖାଆନ୍ତି, ବାକି ସମୟ ଅସମୟ ପାଇଁ ଚେରରେ ସାଇତି ରଖିଥାଆନ୍ତି। ସେହି ସଞ୍ଚିତ ଆହାର ହିଁ ବସନ୍ତକାଳରେ ସେମାନଙ୍କ ପାଇଁ ନୂଆ ପତ୍ର, ନୂଆ ଶାଖା ପ୍ରଶାଖା ପ୍ରକାଶିବାରେ ସହାୟକ ହୁଏ। ଏ ତ ଗଲା ତରୁଲତାଙ୍କ କଥା, ବସନ୍ତ କାଳରେ ପଶୁପକ୍ଷୀ, କୀଟପତଙ୍ଗ ଏପରିକି ମନୁଷ୍ୟ ମନରେ ମଧ୍ୟ ନବ ଭାବନା, ନବ ଉନ୍ମାଦନା ଜାତହୁଏ। ସେହି କାରଣରୁ ହିଁ ବସନ୍ତ ଖାଲି ଋତୁ ନୁହେଁ ଜୀବନର ନୂତନ ସୂଚନା ଏବଂ ନବୋନ୍ମେଷ ବେଳା।
ଫୁଲ ଫୁଟେ ବାସ ଚହଟେ
ବସନ୍ତରେ ପୁଷ୍ପିତ ତରୁ ଓ ଗୁଳ୍ମାଦି ଉପରେ ସତେ ଅବା ଅନେକ କିସମ ରଙ୍ଗ ବିଚ୍ଛୁରିତ ହୋଇଥାଏ। ଏ ସମୟରେ ଅଧିକ ହଳଦିଆ, ନାରଙ୍ଗୀ ଓ ଲାଲ୍ ବର୍ଣ୍ଣ ଫୁଲ ଫୁଟେ। ପଥପାର୍ଶ୍ବ ଅଥବା କେଉଁ ଦୂରନ୍ତ ନିର୍ଜନ କ୍ଷେତରେ ଦଣ୍ଡାୟମାନ ପଳାଶ ବୃକ୍ଷଶାଖାରେ ଅଗ୍ନି ଜଳାଏ ନାରଙ୍ଗୀ ଫୁଲ ପେନ୍ଥା। ଲାଲ୍ ଟହ ଟହ ଦିଶେ ଫୁଙ୍ଗଳା ଶିମିଳି ତରୁ। ଅଧିକାଂଶ ତରୁଲତାଙ୍କର ବଂଶ ବିସ୍ତାର ସମୟ ହେଉଛି ବସନ୍ତକାଳ। ଫୁଲ ଖାଲି ବାସନ୍ତିକ ସୌନ୍ଦର୍ଯ୍ୟ ନୁହେଁ, ପୁଷ୍ପିତ ତରୁଲତାଙ୍କ ପ୍ରଜନନ େକ୍ଷତ୍ରରେ ବି ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନିର୍ବାହ କରେ। କାରଣ, ଉଦ୍ଭିଦ ବିଜ୍ଞାନ ଦୃଷ୍ଟିରେ ଦେଖିଲେ ଫୁଲ ହିଁ ଉଦ୍ଭିଦର ଯୌନାଙ୍ଗ। ଏବଂ ଏତେ ସବୁ ଫୁଲ ଫୁଟିବା ଅନ୍ତରାଳେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ କେତେକ ହର୍ମୋନ୍। ସେଗୁଡ଼ିକ ମଧ୍ୟରେ ପ୍ରଧାନ ହେଉଛି ଫ୍ଲୋରିଜେନ୍, ଜିବରେଲିନ୍, ଅକ୍ସିନ୍ସ୍ ଓ ଏଥାଇଲିନ୍।
ଫ୍ଲୋରିଜେନ୍ ହେଉଛି ଫୁଲ ଫୁଟା ପ୍ରକ୍ରିୟା ତ୍ବରାନ୍ବିତ କରୁଥିବା ହର୍ମୋଜାତୀୟ ପ୍ରୋଟିନ୍ ବା ପୁଷ୍ଟିସାର। ଏହା ଗଛ ପତ୍ରରୁ ଉତ୍ପତ୍ତି ହୋଇ ଡାଳ ଅଗକୁ ପ୍ରବାହିତ ହୋଇଥାଏ। ସେଠାକୁ ଯାଇ ତାହା କଢ଼ ଉତ୍ପନ୍ନ ପ୍ରକ୍ରିୟା ଚଳାଏ। ଏହି ହର୍ମୋନ୍ ଆଲୋକ ଓ ଉତ୍ତାପଦ୍ବାରା ନିୟନ୍ତ୍ରିତ।
ଦୀର୍ଘଦିନ ଶୀତ ଦ୍ବାରା ପ୍ରପୀଡ଼ିତ ଜଡ଼ବତ୍ ଉଦ୍ଭିଦରେ ଫୁଲଫୁଟା ପ୍ରକ୍ରିୟା ନିମନ୍ତେ ସାହାଯ୍ୟକରେ ଜିବରେଲିନ୍। ଏହା ବୃନ୍ତ ଓ କଢ଼ ବୃଦ୍ଧିରେ ବି ସହାୟକ ହୁଏ। ସେହିପରି, ଅକ୍ସିନ୍ସ୍ ହର୍ମୋନ୍ କୋଷିକା ସମ୍ପ୍ରସାରଣ ଓ ଫୁଲ ଆକୃତି ଉନ୍ନତ କରିବାରେ ସହାୟକ ହୁଏ। ଏଥିଲାଇନ୍ ହେଉଛି ଗୋଟାଏ ବାଷ୍ପୀୟ ହର୍ମୋନ୍। ଫୁଲ ସୁରଭି କ୍ଷେତ୍ରରେ ଏହାର ବିଶେଷ ତାତ୍ପର୍ଯ୍ୟ ରହିଛି। ସେଥିପାଇଁ ବାସନ୍ତିକ ଫୁଲରେ ରଙ୍ଗ ଯେମିତି, ସୁରଭି ବି ତହୁଁ ବଳି ପ୍ରୀତିକର।
ବଦଳେ କାକଳି ବଦଳେ ବର୍ଣ୍ଣ
ବସନ୍ତ କାଳରେ ସଭିଙ୍କୁ ମଧୁର ଲାଗେ କୋକିଳର ପଞ୍ଚମ ତାନ ‘କୁହୁ’। ଅନେକ ହୁଏ ତ କର୍ଣ୍ଣପାତ କରି ନ ଥାଇ ପାରନ୍ତି, କୋଇଲି ସବୁଦିନ ଥାଏ ଓ ରାବୁଥାଏ ବି। କିନ୍ତୁ, ସେ କୁଜନ ସମ୍ପୂର୍ଣ୍ଣ ଭିନ୍ନ ଶୁଭେ। କେବଳ କୋଇଲି ନୁହେଁ, ବସନ୍ତକାଳରେ ଆହୁରି କେତେ ଜାତି ବିହଙ୍ଗମଙ୍କ କଣ୍ଠସ୍ବର ବଦଳିଥାଏ। ବର୍ଷସାରା ବଡ଼ ବିଚିତ୍ର କୁଜନ କରୁଥିବା ପକ୍ଷୀମାନେ ବି ବସନ୍ତଋତୁରେ ସୁଲଳିତ ସ୍ବରରେ ରବ ଦିଅନ୍ତି। ବୋଧହୁଏ ସବା ଆଗେ ବଦଳିଥାଏ ଡାମରାକାଉର କଣ୍ଠସ୍ବର। ଶୀତଋତୁର ଶେଷଦିନ ସବୁ ବସନ୍ତଋତୁରେ ମିଶୁଥିବା ବେଳେ ଡାମରାକାଉ ଟିକିଏ ଭିନ୍ନ ସ୍ବରରେ ରାବେ। ଆଉ ସେତିକିବେଳେ ଥରେ ଅଧେ ବହିଯାଏ େଚାରା ମଳୟ। ଡାମରା ଭଳି ଆଉ ସବୁ ପକ୍ଷୀଙ୍କ କଣ୍ଠସ୍ବର ବି ବଦଳେ। ବସନ୍ତଋତୁ ବେଶ୍ କିଛି ଦିନ ଅଗ୍ରସର ହେଲେ ବିଚିତ୍ର ଧରଣର ଉଚ୍ଚକଣ୍ଠରେ ରାବଦିଏ ମୁଛୁଆ ହଳଦିବସନ୍ତ ନାମରେ ଗୋଟାଏ ଈଷତ୍ବାଦାମୀକଣ୍ଠୀ ଶାଗୁଆ ପକ୍ଷୀ। ଏହି ସମୟରେ ପକ୍ଷୀମାନେ ସାଥୀ ସନ୍ଧାନ କରନ୍ତି। ତେଣୁ ସାଥୀଙ୍କୁ ଆକୃଷ୍ଟ କରିବା ଲାଗି ସେମାନଙ୍କ କାଳଳି ଭିନ୍ନ ହୋଇଥାଏ। ବସନ୍ତକାଳରେ ସବୁ ପକ୍ଷୀଙ୍କଠାରୁ ଅଧିକ ଉଚ୍ଚକଣ୍ଠରେ ରାବେ କୋଇଲି। କେବଳ ପୁରୁଷ-କୋଇଲି ହିଁ ପଞ୍ଚମ ତାନରେ ରାବେ। ନାରୀ-କୋଇଲିର ରଙ୍ଗ କଳା ନୁହେଁ ଏବଂ ସେ କେବେ ରାବେ ନାହିଁ, ଯଦି ବା କେତେବେଳେ କ୍ଷଣିକ ପାଇଁ ରାବେ ତା’ର କଣ୍ଠସ୍ବର ସମ୍ପୂର୍ଣ୍ଣ ଭିନ୍ନ ଶୁଭେ। ପକ୍ଷୀଙ୍କର ବାସନ୍ତିକ ଭିନ୍ନ ରବ ସେମାନଙ୍କ ନିବାସ ଅଞ୍ଚଳ ଉପରେ ଦାବି ସାବ୍ୟସ୍ତ କରିବା ଓ ତାହାକୁ ସୁରକ୍ଷିତ ରଖିବାରେ ବି ସହାୟକ ହୁଏ।
ନିଜ ସାଥୀ ନିଜ ନୀଡ଼
ବସନ୍ତୁଋତୁ ପ୍ରବେଶିବା ସହ ବିହଙ୍ଗମଙ୍କ ଆଚାରବ୍ୟବହାର ବି ବଦଳେ। ପ୍ରଜନନ ତାତ୍ପର୍ଯ୍ୟ ବହନ କରୁଥିବାରୁ ବସନ୍ତକାଳରେ ବିହଙ୍ଗମଙ୍କ କଣ୍ଠସ୍ବର ତ ବଦଳେ। ତତ୍ସହିତ କେତେକ ପକ୍ଷୀଙ୍କର ବର୍ଣ୍ଣ ବି ଅପେକ୍ଷାକୃତ ଅଧିକ ଉଜ୍ଜ୍ବଳ ଦିଶେ। ସେମାନେ ବସବାସ ନିମନ୍ତେ ଅଞ୍ଚଳ ଚିହ୍ନଟ କରନ୍ତି, ନୀଡ଼ ରଚନ୍ତି ଓ ଶାବକ ଲାଳନ କରନ୍ତି। ସେମିତି, ଝାଙ୍କରେ ରହୁଥିବା କେତେକ ତରୁଣ ପକ୍ଷୀ ନିଜସ୍ବ ପରିବାର ଗଢ଼ିବା ଲାଗି ପରିବାରରୁ ଅଲଗା ହୋଇଯାଆନ୍ତି। ସେମାନେ ପ୍ରଥମକରି ଜୀବନସାଥୀ ଖୋଜି ନୀଡ଼ ରଚନ୍ତି। ଶାବକ ଜନ୍ମ କରାଇ ନୂଆ ଝାଙ୍କ ଗଢ଼ନ୍ତି। ବସନ୍ତକାଳରେ ଭ୍ରମର, ପ୍ରଜାପତି ଭଳି କୀଟପତଙ୍ଗ ଓ ପୋକଜୋକ ସଂଖ୍ୟା ବୃଦ୍ଧିପାଉଥିବାରୁ ପକ୍ଷୀମାନେ ସେଥିରୁ ଅଧିକ ଖାଆନ୍ତି। ତା’ର କାରଣ, ଅଣ୍ଡାପାରିବା ସମୟ ହୋଇଥିବାରୁ ସେମାନଙ୍କର ଅଧିକ କ୍ୟାଲ୍ସିୟମ୍ ଲୋଡ଼ା ହୋଇଥାଏ। ଏତାଦୃଶ ଖାଦ୍ୟ ପରିବର୍ତ୍ତନ ସୁସ୍ଥ ଶାବକ ଜନ୍ମ କରାଇବାରେ ବି ସହାୟକ ହୁଏ। ଆଦ୍ୟ ବସନ୍ତରେ ଶାହାଡ଼ା ଗଛରେ ସୋଲାଭଜା ପରି ଫାଟି ଦିଶୁଥାଏ ହଳଦି ଗୁରୁଗୁରୁ କୋଳି। ପୁଣି ବିଦେଶାନୀତ ଗନ୍ଧଗୋହିରିଆ ଗୁଳ୍ମରେ ବି କଳା ରଙ୍ଗର ଟିକି ଟିକି କୋଳି ପାଚିଥାଏ। ଗୋବରା ପରି କେତେକ ପକ୍ଷୀ ଏ ସବୁ କୋଳି ଖାଆନ୍ତି।
ତଥାପି ରାଜେନ୍ଦ୍ରାସନେ
ପଢ଼ାପଢ଼ି କଲେ ମନେହୁଏ ଭାରତ ସମେତ ସସଗ୍ର ବିଶ୍ବ ଭାଷା ସାହିତ୍ୟରେ ବସନ୍ତକାଳୀନ ବର୍ଣ୍ଣନା ବାସ୍ତବ ବସନ୍ତକାଳୀନ ଦୃଶ୍ୟରାଜି ଅପେକ୍ଷା ଅଧିକ ମହନୀୟ। ସମ୍ଭବତଃ ତାହା ପଠନ କରି କାଳକ୍ରମେ ଜନମାନସରେ ଧାରଣା ଜନ୍ମିଛି ଯେ ଆମ ରାଜ୍ୟରେ ‘ଋତୁରାଜ ବସନ୍ତ’ ଆଉ ପୂର୍ବ ଭଳି ବିଜେ କରୁନାହାନ୍ତି। ମଳୟ ପବନ ବି ବହୁନାହିଁ; ବହୁଛି ଝାଞ୍ଜି। ମାତ୍ର, ଜଳବାୟୁ ବିଜ୍ଞାନ କହେ- ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ ବସନ୍ତଋତୁରେ ବି ତାପମାତ୍ରା ୩୨ ଡିଗ୍ରିରୁ ଅଧିକ ରହିବା ସ୍ବାଭାବିକ। ସେ ଯାହାହେଉ, ଯୌବନ ପରି ବସନ୍ତଋତୁ ବି କ୍ଷଣସ୍ଥାୟୀ। ଦୁଇମାସର ବସନ୍ତଋତୁରେ ପୂର୍ଣ୍ଣାଙ୍ଗ ବା ନିଖୁଣ ବାସନ୍ତିକ ଦିବସଟିଏ ଭୋଗ କରିବା ବଡ଼ ଭାଗ୍ୟର କଥା। ପରିବେଶ ନଷ୍ଟ ଓ ଜଳବାୟୁ ପରିବର୍ତ୍ତନ ଆଳରେ ଲୋକେ ଯାହା ଭାବନ୍ତୁ ପଛେ, ପ୍ରକୃତି ତା’ ନିଜସ୍ବ ରୀତିରେ ଚାଲିଛି। ଉଦାସ ଶୀତ ପରେ ଅଳସ ବସନ୍ତ ଆସୁଛି। କ୍ଷଣିକ ପାଇଁ ହେଲେ ବି ମୃଦୁ ମଳୟ ମନ ମୋହୁଛି। ଏବେ ବି ପ୍ରକୃତି ବସନ୍ତଋତୁକୁ ରାଜେନ୍ଦ୍ରାସନେ ବସାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/22/fshfshhfsxvbbvxbv-2026-02-22-01-21-59.jpg)