ଆକର୍ଷଣୀୟ ଦାଢ଼ି ରଖିବା କେବଳ ଏକ ଫ୍ୟାସନ୍ ନୁହେଁ, ବରଂ ପୁରୁଷତ୍ବର ପ୍ରତୀକ ଭାବେ ବିବେଚନା କରାଯାଏ। ସାରା ବିଶ୍ୱରେ ଦାଢ଼ି ରଖିବା ଶୈଳୀ ସମୟ ଅନୁସାରେ ବଦଳୁଥାଏ। ଖାସ୍ କରି ସେଲିବ୍ରିଟିମାନଙ୍କ ଦାଢ଼ି ଶୈଳୀକୁ ସେମାନଙ୍କ ପ୍ରଶଂସକଙ୍କ ଅନୁକରଣ ଦ୍ବାରା ଟ୍ରେଣ୍ଡ୍ ସୃଷ୍ଟି ହୋଇଥାଏ। ତେବେ ଭାରତୀୟ ସଂସ୍କୃତିରେ ଦାଢ଼ି ରଖିବାର ପରମ୍ପରା ବେଶ୍ ପ୍ରାଚୀନ। ଏଥର ଦାଢ଼ିକୁ ନେଇ ‘ପ୍ରଥମ ପ୍ରସଙ୍ଗ’।
ଉପସ୍ଥାପନା: ପ୍ରଜ୍ଞା ନିବେଦିତା ନାୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତା ଅମିତାଭ ବଚ୍ଚନ, କ୍ରିକେଟର୍ ବିରାଟ କୋହଲି- ଦେଶର ଏ ତିନି ଜଣ ସଫଳ ତଥା ଲୋକପ୍ରିୟ ବ୍ୟକ୍ତିତ୍ବଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ରହିଛି। ତିନି ଜଣ ଯାକ ଦାଢ଼ି ରଖିଛନ୍ତି ଏବଂ ଏହା ସେମାନଙ୍କ ଚେହେରା ଓ ବ୍ୟକ୍ତିତ୍ବକୁ ପରିମାର୍ଜିତ କରୁଛି। କେବଳ ସେତିକି ନୁହେଁ, ଏ ତାଲିକା ବହୁତ ଲମ୍ବା। ଗୃହମନ୍ତ୍ରୀ ଅମିତ ଶାହ, ଅଭିନେତା ରଣବୀର ସିଂ, ଅଲ୍ଲୁ ଅର୍ଜୁନ୍ ଓ ୟଶ୍, କ୍ରିକେଟର ୟଶପ୍ରୀତ୍ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ମହମ୍ମଦ ସାମି ଆହୁରି ଅନେକ ପରିଚିତ ବ୍ୟକ୍ତି ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି। ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ ବି ଏହି କ୍ରମରେ ଆସନ୍ତି। ଗତ କିଛି ବର୍ଷ ହେବ ଭାରତୀୟ ଯୁବପିଢ଼ିଙ୍କ ଭିତରେ ଦାଢ଼ି ରଖିବା ଆଗ୍ରହ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି।
ବିଭିନ୍ନ ପ୍ରକାର ଶୈଳୀର ଦାଢ଼ି ଏବେ ଫ୍ୟାସନ୍ ଟ୍ରେଣ୍ଡ୍ରେ ରହିଛି। ରାଜନୀତି, ଖେଳ ଓ ସିନେମାର ଲୋକପ୍ରିୟ ସେଲିବ୍ରିଟିଙ୍କ ଅନୁକରଣରେ ଦାଢ଼ି ରଖି ନିଜକୁ ଆକର୍ଷଣୀୟ ଦେଖାଇବାର ଧାରା ଏବେ ଖୁବ୍ ଲୋକପ୍ରିୟ। ମୁଖ୍ୟତଃ ଦକ୍ଷିଣ ଭାରତୀୟ ସିନେମାରେ ନାୟକମାନଙ୍କ ଦାଢ଼ିରଖା ଶୈଳୀ ଯୁବପିଢ଼ିଙ୍କ ମନ ମୋହିଛି। କିଛି ବର୍ଷ ତଳେ ‘କେଜିଏଫ୍’ ସିନେମାରେ ନାୟକ ୟଶ୍ ତାଙ୍କ ଦାଢ଼ି ପାଇଁ ଷ୍ଟାଇଲ୍ ଆଇକନ୍ ପାଲଟି ଯାଇଥିଲେ। ତାଙ୍କ ଭଳି ଦାଢ଼ି ରଖିବା ସହିତ ‘କେଜିଏଫ୍ ୩’ ଆସିବାଯାଏ ପ୍ରତୀକ୍ଷା କରି ଦାଢ଼ି ନକାଟିବାକୁ କିଛି ଯୁବକ ପଣ କରିଥିବାର ନଜିର ମଧ୍ୟ ରହିଛି।
ବର୍ତ୍ତମାନ ଚାହିଦାରେ ଥିବା ଦାଢ଼ି ଷ୍ଟାଇଲ୍ ଭିତରେ ରହିଛି ଆଙ୍କର୍ ବିଅର୍ଡ। ଏହା ଯୁବକମାନଙ୍କର ପ୍ରଥମ ପସନ୍ଦ। ଏଥି ସହ କ୍ରିକେଟର୍ ବିରାଟ କୋହଲିଙ୍କ ଦାଢ଼ି ଷ୍ଟାଇଲ୍ ଥିକ୍ ଷ୍ଟବ୍ଲ ବି ବେଶ୍ ଲୋକପ୍ରିୟ। ଏହାସହିତ ଲଙ୍ଗ୍ ଫୁଲ୍ ବିଅର୍ଡ୍, ସର୍ଟ ବିଅର୍ଡ, ସର୍ଟ ଫୁଲ୍ ବିଅର୍ଡ, ଟ୍ରିମ୍ଡ ବିଅର୍ଡ, ବଲ୍ବୋ ବିଅର୍ଡ ଇତ୍ୟାଦି ମଧ୍ୟ ଟ୍ରେଣ୍ଡ୍ରେ ରହିଛି। ବିଗ୍ ବି ଅମିତାଭ ବଚ୍ଚନଙ୍କ ଦାଢ଼ି ଏକ ଟ୍ରେଣ୍ଡ୍ ସେଟ୍ କରିଛି କହିଲେ ଭୁଲ୍ ହେବନାହିଁ। କାରଣ ଆଜି ବି ବିଗ୍ ବି’ଙ୍କ ଦାଢ଼ିଶୈଳୀକୁ ଅନେକେ ଅନୁକରଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଦାଢ଼ିର ଟ୍ରେଣ୍ଡ୍ କିଛି କମ୍ ନାହିଁ। ଓଲିଉଡ୍ ଷ୍ଟାର୍ମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଓ ଅର୍ଦ୍ଧେନ୍ଦୁ ଦାଢ଼ି ଶୈଳୀକୁ ସେମାନଙ୍କ ପ୍ରଶଂସକ ଅନୁସରଣ କରିବା ସହ ଯୁବପିଢ଼ି ବି ବେଶ୍ ପସନ୍ଦ କରୁଛନ୍ତି। ଯଦିଓ ଏମାନେ ଆରମ୍ଭରୁ ଦାଢ଼ି ରଖୁନଥିଲେ, ଗତ କିଛି ବର୍ଷ ହେବ ଦାଢ଼ି ରଖିବା ଆରମ୍ଭ କରିଛନ୍ତି।
ଭୁବନେଶ୍ବରରେ ଥିବା ‘ଦି ହେୟାର୍ ହ୍ୟାକର୍’ର ସେଲୁନ୍ର ପ୍ରତିଷ୍ଠାତା ଜିତୁ ଠାକୁର କହନ୍ତି,‘‘ବର୍ତ୍ତମାନ ବଜାରରେ ଫେଡେଡ୍ ବିଅର୍ଡ ଷ୍ଟାଇଲ୍ ଟ୍ରେଣ୍ଡ୍ରେ ରହିଛି। ଯୁବପିଢ଼ି ଏହି ଷ୍ଟାଇଲ୍କୁ ଅଧିକ ଭାବେ ଆପଣାଉଛନ୍ତି। ଏହାସହିତ ଭି-ସେପ୍ ଷ୍ଟାଇଲ୍, ଟ୍ରାଙ୍ଗଲ୍ ବିଅର୍ଡ ଷ୍ଟାଇଲ୍ର ବି ଲୋକପ୍ରିୟତା ରହିଛି। ଦାଢ଼ିର ଶୈଳୀ ଅନୁସାରେ ନିଶ ଓ ହେୟାର୍ ଷ୍ଟାଇଲ୍ କରୁଛନ୍ତି ଯୁବପିଢ଼ି। ଦାଢ଼ି ଓ ନିଶ ସାଇଜ୍ କରିବା ପରେ ଆମେ ବିଅର୍ଡ ଜେଲ୍, ସିରମ୍ ଆଦି ଦେଇଥାଉ। ତେବେ ଆଗରୁ ନିଶ ରଖିବା ଟ୍ରେଣ୍ଡ୍ ଥିଲା। ହେଲେ ଏବେ ନାହିଁ କହିଲେ ଚଳେ। ୨୦୨୩ ଯାଏ ଲୋକମାନେ ବେଶି ନିଶ ରଖୁଥିଲେ। ଏବେ ବେଶି ଫେଡେଡ୍ ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି।’’ ତେବେ ଦାଢ଼ି ରଖିବା କିଛି ନୂଆ କଥା ନୁହେଁ। ଭାରତରେ ଏହା ବହୁ ପ୍ରାଚୀନ କାଳରୁ ରହି ଆସିଛି। ଭାରତରେ ଦାଢ଼ି ସଂସ୍କୃତିର ଏକ ସମୃଦ୍ଧ ଇତିହାସ ବି ରହିଛି, ଯାହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ଗୋଟିଏ ପକ୍ଷରେ ଦାଢ଼ି ଆଧ୍ୟାତ୍ମିକତା, ଜ୍ଞାନ ଓ ପୁରୁଷତ୍ୱର ପ୍ରତୀକ ହୋଇଥିବା ବେଳେ ସାମାଜିକ ବର୍ଗ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଏବଂ ସାଂସ୍କୃତିକ ପରିଚୟକୁ ଦମନ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଛି। ପୁଣି ଧର୍ମଧାରା ସହିତ ଏହା ଯୋଡ଼ା ହୋଇଛି, ବିଶେଷକରି ଶିଖ ଓ ଇସ୍ଲାମ୍ ସମ୍ପ୍ରଦାୟରେ ଦାଢ଼ି ରଖିବା ପ୍ରଥା ରହିଛି।
ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତରେ ଦାଢ଼ି
ଇତିହାସ କହେ, ଭାରତରେ ଦାଢ଼ି ସଂସ୍କୃତି ବୈଦିକ ଯୁଗରୁ ଆରମ୍ଭ। ଖ୍ରୀଷ୍ଟପୂର୍ବ ୧୫୦୦ରୁ ୫୦୦ ମଧ୍ୟରେ ଏହାର ପ୍ରଚଳନ ଥିବାର ପ୍ରମାଣ ରହିଛି। ପ୍ରାଚୀନ ଭାରତରେ ଦାଢ଼ି ରଖିବା ଆଧ୍ୟାତ୍ମିକତା, ଜ୍ଞାନ ଓ ପୁରୁଷତ୍ୱର ପ୍ରତୀକ ଭାବରେ ବିବେଚିତ ହେଉଥିଲା। ବେଦ, ପ୍ରାଚୀନ ହିନ୍ଦୁ ଧର୍ମଗ୍ରନ୍ଥ, ରୀତିନୀତି ଓ ଆଧ୍ୟାତ୍ମବାଦରେ ଦାଢ଼ି ରଖିବା ସଂପର୍କରେ ବର୍ଣ୍ଣନା ରହିଛି। ପରବର୍ତ୍ତୀ ସମୟରେ ମହାକାବ୍ୟିକ ଯୁଗ (ଖ୍ରୀଷ୍ଟପୂର୍ବ ୫୦୦ରୁ ଖ୍ରୀଷ୍ଟାବ୍ଦ ୫୦୦)ରେ ଏହି ଧାରା ଅତୁଟ ରହିଥିଲା। ମହାକାବ୍ୟ ରାମାୟଣ ଓ ମହାଭାରତରେ ରାକ୍ଷସ ଓ ଦେବତାମାନଙ୍କୁ ପ୍ରାୟତଃ ଶ୍ମଶ୍ରୁଧାରୀ ଭାବେ ଚିତ୍ରିତ କରାଯାଇଛି, ଯାହା ସେମାନଙ୍କର ଶକ୍ତି, ସାହସ ଓ ଜ୍ଞାନର ପ୍ରତୀକ ଥିଲା। ପୁଣି ମଧ୍ୟଯୁଗୀୟ ଭାରତରେ ଖ୍ରୀଷ୍ଟାବ୍ଦ ୧୫୨୬ରୁ ୧୭୫୬ ମଧ୍ୟରେ ମୋଗଲ ଓ ଇସଲାମୀୟ ଶାସନ ସମୟରେ, ଦାଢ଼ି ରଖିବା ରାଜକୀୟତା, ଆଭିଜାତ୍ୟ ଓ ଧର୍ମ ବିଶ୍ୱାସର ପ୍ରତୀକ ହୋଇଗଲା। ମୋଗଲ ସମ୍ରାଟ ଓ ସମ୍ଭ୍ରାନ୍ତମାନେ ଲମ୍ବା ଦାଢ଼ି ରଖୁଥିଲେ, ଯାହାକୁ ପ୍ରାୟତଃ ଅତର ଓ ସୁଗନ୍ଧ ତୈଳ ସହିତ ରଙ୍ଗ ମାଖି ଆକର୍ଷଣୀୟ କରାଯାଉଥିଲା। ପରମ୍ପରା କ୍ରମେ ରାଜପୁତମାନେ ନିଶଦାଢ଼ି ରଖୁଥିଲେ। ନିଶ ଓ ଦାଢ଼ି ରଖିବା ରାଜାଙ୍କ ପୁରୁଷତ୍ବ ତଥା ବୀରତ୍ବର ପ୍ରତୀକ ଥିଲା। ଯେଉଁ ରାଜାଙ୍କର ଯେତେ ଗହନ ଓ ବଡ଼ ଦାଢ଼ିନିଶ ଥିଲା ସେ ରାଜ୍ୟର ରାଜା ସେତେ ପରାକ୍ରମୀ ବୋଲି ବିଚାର କରାଯାଉଥିଲା। ଏହି କ୍ରମରେ ମୋଗଲ ସମ୍ରାଟ୍ ଔରଙ୍ଗଜେବ୍, ଆଲ୍ଲାଉଦ୍ଦିନ ଖିଲିଜି, ଆକ୍ବର୍, ଛତ୍ରପତି ଶିବାଜୀ, ଶାହଜାହାନ୍, ରାଜା ରଣେନ୍ଦ୍ର ପ୍ରତାପ ସିଂ, ବୀର ବିକ୍ରମ ସିଂ ଆଦି ରାଜାଙ୍କ ଦାଢ଼ି ଓ ନିଶ ବେଶ୍ ଆଖିଦୃଶିଆ ଥିଲା।
ସ୍ବାଧୀନତା ପୂର୍ବରୁ ଦାଢ଼ି
ବ୍ରିଟିସ୍ ଉପନିବେଶବାଦ କାଳରେ ୧୮୫୪ ମସିହା ପାଖାପାଖି ସମୟ ଅର୍ଥାତ୍ କ୍ରିମିଆ ଯୁଦ୍ଧ ସମୟରେ ସୈନିକମାନଙ୍କର ଦାଢ଼ି ନ କାଟିବା ଏକ ସାଧାରଣ ପ୍ରଥା ହୋଇଯାଇଥିଲା।
୧୮୬୦ ଦଶକ ସୁଦ୍ଧା ସମସ୍ତ ବ୍ରିଟିସ୍ ସଶସ୍ତ୍ର ବାହିନୀ ପାଇଁ ଦାଢ଼ି ବାଧ୍ୟତାମୂଳକ କରାଯାଇଥିଲା। ସେନା ପକ୍ଷରୁ ଜାରି ନିୟମାବଳୀରେ ଉଲ୍ଲେଖ ଥିଲା: “ମଥାର କେଶ ଛୋଟ ରଖାଯିବ। ତଣ୍ଟି ଓ ତଳ ଓଠ କ୍ଷୌର କରାଯିବ, କିନ୍ତୁ ଉପର ଓଠ ନୁହେଁ...”। ଏହି ନିୟମ ୧୯୧୬ ପର୍ଯ୍ୟନ୍ତ ବଳବତ୍ତର ରହିଲା। ପୁଣି ପରବର୍ତ୍ତୀ ସମୟରେ ଏହି ନିୟମ ପ୍ରତ୍ୟାହାର କରାଯାଇଥିଲା। ସୈନିକମାନଙ୍କୁ ପୁଣିଥରେ କ୍ଲିନ୍-ସେଭ୍ କରିବାକୁ ଅନୁମତି ଦିଆଯାଇଥିଲା, କାରଣ ମୁହଁର କେଶ ଗ୍ୟାସ୍ ମାସ୍କ ସିଲ୍ ପାଇଁ ବାଧା ସୃଷ୍ଟି କରୁଥିଲା। ଏହି ଆଦେଶରେ ଜେନେରାଲ୍ ସାର୍ ନେଭିଲ୍ ମ୍ୟାକ୍ରେଡି ସ୍ୱାକ୍ଷର କରିଥିଲେ, କାରଣ ସେ ନିଶ ରଖିବାକୁ ଘୃଣା କରୁଥିଲେ ଏବଂ ନିଜ ମୁହଁକୁ କ୍ଲିନ୍-ସେଭ୍ ରଖିବାକୁ ଭଲ ପାଉଥିଲେ।
ଭାରତୀୟ ସେନାରେ ଦାଢ଼ି
ଭାରତୀୟ ସଶସ୍ତ୍ର ବାହିନୀ ନିଜର ଅଟଳ ଶୃଙ୍ଖଳା ଓ ଉତ୍କର୍ଷତା ତଥା ସାଜସଜ୍ଜା ପ୍ରତି ପ୍ରତିବଦ୍ଧତା ପାଇଁ ବେଶ୍ ପରିଚିତ। ଭାରତୀୟ ସେନାରେ କେଶ, ଦାଢ଼ି ଓ ନିଶ ପାଇଁ ଥିବା ନିୟମାବଳି ସାଂସ୍କୃତିକ ତଥା ଧାର୍ମିକ ବିବିଧତାକୁ ସମ୍ମାନ ଦେବା ସହିତ ସମାନତାକୁ ମଧ୍ୟ ଉଚିତ ନ୍ୟାୟ ଦେଇଥାଏ। ଏହି ନିର୍ଦ୍ଦେଶାବଳି ଭାରତୀୟ ସେନା, ନୌସେନା ଓ ବାୟୁସେନା ପାଇଁ ଭିନ୍ନ। ସେନାରେ ସାଧାରଣତଃ ଦାଢ଼ି ରଖିବା ଅନୁମତି ନାହିଁ। ତେବେ ନିଶ ରଖିବାକୁ ଅନୁମତି ଅଛି। ତେବେ ସାମରିକ ବାହିନୀରେ ହିନ୍ଦୁ, ମୁସଲିମ୍, ଶିଖ୍ ଧର୍ମାବଲମ୍ବୀଙ୍କ ପାଇଁ ସେମାନଙ୍କ ଧର୍ମକୁ ସମ୍ମାନ ଜଣାଇ ନିର୍ଦ୍ଦିଷ୍ଟ ଭାବେ ଦାଢ଼ି ରଖିବାର ନିୟମ ରହିଛି। ଭାରତୀୟ ନୌସେନାର କର୍ମଚାରୀ ଓ କୋଷ୍ଟଗାର୍ଡମାନେ ନିଶ ସହିତ ଦାଢ଼ି ରଖିପାରିବେ। କିନ୍ତୁ, ସେଥିପାଇଁ ଉକ୍ତ ଜାହାଜର କମାଣ୍ଡିଂ ଅଫିସର୍ଙ୍କ ଅନୁମତି ଲୋଡ଼ା। କେବଳ ସ୍ବତନ୍ତ୍ର ବାହିନୀମାନଙ୍କ ପାଇଁ ଦାଢ଼ି ରଖିବାର କୌଣସି ପ୍ରତିବନ୍ଧକ ନାହିଁ। ସେମାେନ କୌଣସି ନୀତିନିୟମ ବିନା ଦାଢ଼ି ରଖିପାରିବେ। କିନ୍ତୁ ଦାଢ଼ି ସେମାନଙ୍କ ମିସନ୍ କିମ୍ବା ଅପରେସନ୍ ଅନୁଯାୟୀ ହୋଇଥିବା ଆବଶ୍ୟକ। ସର୍ବସାଧାରଣରେ ପରିଚୟ ଲୁଚାଇବା ଏବଂ ସାଧାରଣ ନାଗରିକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ସ୍ୱତନ୍ତ୍ର ବାହିନୀକୁ ଏହି ଅନୁମତି ପ୍ରଦାନ କରାଯାଇଛି।
ଏ ପ୍ରସଙ୍ଗରେ ନୌସେନା ଭେଟେରାନ୍ ଶଚିକାନ୍ତ ନାଥ କହନ୍ତି, ‘‘ଭାରତୀୟ ସେନାବାହିନୀରେ କେବଳ ଶିଖ୍ମାନଙ୍କ ପାଇଁ ଉଭୟ କେଶ ଓ ଦାଢ଼ି ଓ ନିଶ ରଖିବାର ଅନୁମତି ରହିଛି। ତାକୁ ସେମାନେ ଖୋଲା ରଖିପାରିବେ ନାହିଁ। କେଶ ଖୋଲା ନରଖି ପଗଡ଼ି ବା ଟୋପି ଦ୍ବାରା ଆବୃତ୍ତ କରିବା ଏବଂ ଏକପ୍ରକାର ଅଠା ଓ ଜାଲି ଦ୍ବାରା ଦାଢ଼ିକୁ ବାନ୍ଧି ରଖିବାର ନିୟମ ରହିଛି। ବାୟୁସେନାରେ କେବଳ ୧ ମାସ ପାଇଁ ଦାଢ଼ି ରଖିହେବ, ନୌସେନାରେ କେବଳ ଦାଢ଼ି ଓ ନିଶ ସ୍ଥାୟୀଭାବେ ରଖିବା ଅନୁମତି ରହିଛି। କିନ୍ତୁ, ତାହା ସିକ୍ୟୁରିଟି କମିଟ୍ମେଣ୍ଟ୍ ନିୟମ ଅନୁସାରେ ହେବ। ସ୍ଥଳସେନାରେ ନିଶ ରଖିବା ସହିତ ନିଶ ବଢ଼ାଇବା ପାଇଁ ଅନୁମତି ରହିଥାଏ। ଏଥିପାଇଁ କେବଳ ସ୍ଥଳ ସେନାରେ ସୈନିକମାନଙ୍କୁ କିଛି ପାରିତୋଷିକ ମିଳିଥାଏ।’’
ପୁରାଣରେ ଦେବତାମାନଙ୍କ ନିଶ ଓ ଦାଢ଼ି ନାହିଁ
ଆମ ଭାରତୀୟ ପୁରାଣ ଶାସ୍ତ୍ରରେ ଭଗବାନ ଓ ଦେବତାମାନଙ୍କର ସୌମ୍ୟକାନ୍ତ ଚେହେରା ଥିବା ଆମେ ଜାଣିଛେ ଏବଂ ବିଭିନ୍ନ ଫଟୋଚିତ୍ରରେ ଦେଖିଛେ। ଏସବୁ ସତ ନା ପୁରାଣକାର ଓ ଚିତ୍ରକରଙ୍କ ମନର କଳ୍ପନା? ଏହା ଆଜି ବି ଏ ଲେଖକ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ଓ କୌତୂହଳର ବିଷୟ ହୋଇ ରହିଛି। ଆମେ ଜାଣୁ ବ୍ରହ୍ମା, ମହାଦେବ, କାର୍ତ୍ତିକ ଓ ଯମଙ୍କ ବ୍ୟତୀତ ଅନ୍ୟ ଦେବତାମାନଙ୍କ ନିଶଦାଢ଼ି ନାହିଁ, ହେଲେ ମୁନିଋଷି ଓ ରାକ୍ଷସମାନଙ୍କର ଅଛି। ତେବେ ଏଇଠି ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ, ହୁଏତ ଆପଣମାନଙ୍କୁ ବି ବେଳେ ବେଳେ କରୁଥିବ ଯେ, ରାମ ବନବାସ ଯାଇଥିଲେ ହେଲେ ତାଙ୍କର ଖାଲି ଜଟା ହେଲା କିନ୍ତୁ ଦାଢ଼ି କି ନିଶ ହେଲାନି... କେମିତି, ଏହା ପଛର ରହସ୍ୟ କ’ଣ ହୋଇପାରେ? ଏହା କ’ଣ ଖାଲି ମନର ଭ୍ରମ? ଦେବତାମାନଙ୍କର କ’ଣ ଦାଢ଼ିନିଶ ଉଠେନି କେବେ?
ମହାକୁମ୍ଭର ଲୋକପ୍ରିୟ ଦାଢ଼ି ବାବା
ଚଳିତବର୍ଷ ମହାକୁମ୍ଭରେ ଦାଢ଼ିୱାଲେ ବାବା ବେଶ୍ ଭାଇରାଲ୍ ହୋଇଛନ୍ତି। ଦୀର୍ଘ ୪୦ ବର୍ଷ ଧରି କେଶ, ନିଶ ଓ ଦାଢ଼ି ନକାଟି ପାଖାପାଖି ସାଢ଼େ ୧୧ଫୁଟ୍ର ଦାଢ଼ି ରଖିଥିବାରୁ ସବୁ ବର୍ଗର ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ବୃଦ୍ଧବାବା। ସେମିତି ଆଇଆଇଟି ବାବା, ଛବିୱାଲେ ବାବା, ଆତ୍ମା ପ୍ରେମ୍ ଗିରି ମହାରାଜଙ୍କ ପରି ଅନେକ ଦୀର୍ଘ ଦାଢ଼ି ରଖିଥିବା ସାଧୁସନ୍ନ୍ୟାସୀ କୁମ୍ଭମେଳାରେ ନଜର ଆସିଥିଲେ।
ମୁଁ କାହିଁକି ଦାଢ଼ି ରଖିଲି
ଓଡ଼ିଶାର ବହୁ ପ୍ରସିଦ୍ଧ ତଥା ପରିଚିତ ବ୍ୟକ୍ତିତ୍ବ ନିଜର ଦାଢ଼ି ପାଇଁ ବେଶ୍ ପରିଚିତ। ସେମାନଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋପବନ୍ଧୁ ଦାଶ, ଭକ୍ତକବି ମଧୁସୂଦନ ରାଓ, ହାସ୍ୟକବି ଫତୁରାନନ୍ଦ ଅନ୍ୟତମ। ଆସନ୍ତୁ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା କେତେ ଜଣ ଓଡ଼ିଆଙ୍କୁ ପଚାରି ବୁଝିବା ସେମାନେ କାହିଁକି ଦାଢ଼ି ରଖିବାକୁ ପସନ୍ଦ କରନ୍ତି।
ପୁରସ୍କାର ଫଟୋରୁ ଦାଢ଼ି ରଖିବାକୁ ପଡ଼ିଲା
୧୯୮୬ ମସିହାରେ ଯେତେବେେଳ ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲି ସେେତବେଳେ ୩ ମାସ ଆଗରୁ ମୋ ଦେହ ଖରାପ ଥିଲା, ମୁଁ ଛୁଟିରେ ଥିଲି ଏବଂ ସେଥିପାଇଁ ମୁଁ ଦାଢ଼ି କାଟୁ ନଥିଲି। ଏଣୁ ସ୍ବାଭାବିକ ଭାବେ ପୁରସ୍କାର ପାଇଲା ବେେଳ େମା ଦାଢ଼ି ବଢ଼ିଯାଇଥିଲା। ଏହା ପରେ ‘ସମ୍ବାଦ’ରେ ପ୍ରଥମେ ମୋର ସାକ୍ଷାତ୍କାର ସହ ଦାଢ଼ି ରଖା ଫଟୋ ବାହାରିଥିଲା। ଏମିତିକି କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ଫଟୋରେ ମଧ୍ୟ ମୋର ଦାଢ଼ି ରଖା ଫଟୋ ସାଇତା ହୋଇ ରହିଲା। ଏହା ହିଁ ହେଉଛି ମୋ ଦାଢ଼ି ରଖିବାର ମୂଳ ସୂତ୍ର। ଦାଢ଼ି ନକାଟିବାର ମଧ୍ୟ ଏକ କାହାଣୀ ଅଛି। ଏହି ଫଟୋକୁ ଯେତେବେଳେ ମୁଁ ମୋ ଫେସ୍ବୁକ୍ ପ୍ରୋଫାଇଲ୍ରେ ଲଗାଇଲି ଏବଂ ପରେ ବଦଳାଇଲି। ଲୋେକ ମୋତେ କହିଲେ କି ଏଇଟା ଆପଣଙ୍କ ସିଗ୍ନେଚର୍ ଫଟୋ, କାହିଁକି ଫଟୋ ବଦଳାଇଲେ? ଏଣୁ ସେହି ଫଟୋ ଅନୁସାରେ ମୁଁ ଦାଢ଼ି ରଖିବା ଆରମ୍ଭ କଲି। ଆଉ କାଟି ନଥିଲି। ମୋ ଫ୍ୟାନ୍ ଓ ପରିବାର, ବନ୍ଧୁବାନ୍ଧବ ସମସ୍ତେ ମୋ ଦାଢ଼ିକୁ ପସନ୍ଦ ବି କରନ୍ତି। କିନ୍ତୁ ଦାଢ଼ିର କିଛି ଗୁପ୍ତ କାହାଣୀ ଅଛି, ହେଲେ ମୁଁ ଏବେ କହିବାକୁ ଚାହେଁନି, ଆଜି ପାଇଁ ଏତିକି...।
-ରାଜେନ୍ଦ୍ର କିଶୋର ପଣ୍ଡା, ବିଶିଷ୍ଟ କବି
ଦାଢ଼ି ମୋର ଟ୍ରେଡ୍ମାର୍କ
ମେଗା ସିରିଏଲ୍ ‘କହୁଥିଲେ ସରିବନି’ରୁ ମୁଁ ନିୟମିତ ଦାଢ଼ି ରଖିବା ଆରମ୍ଭ କରିଥିଲି। କାରଣ ସେେତେବେଳେ ମୋର ଲଣ୍ଡିତ ମସ୍ତକ ଆଉ ଦାଢ଼ି ଗୋଟେ ଟ୍ରେଣ୍ଡ ସେଟ୍ କରିଥିଲା। ଏହା ବୀରେନ୍ ମିଶ୍ରର ଟ୍ରେଡ୍ମାର୍କ ପାଲଟିଗଲା। କିନ୍ତୁ ବେଳେବେଳେ ପରିସ୍ଥିତି ଅନୁସାରେ କାଟିବାକୁ ପଡ଼ିଛି, ଯେମିତିକି ମୋ ପତ୍ନୀ ଚାଲିଗଲା ବେଳେ କଟିବାକୁ ପଡ଼ିଥିଲା ଏବଂ ବାପାଙ୍କ ଦେହାନ୍ତ ବେଳେ ମଧ୍ୟ କାଟିବାକୁ ପଡ଼ିଥିଲା। ତା’ପରେ ପୁଣିଥରେ ମୁଁ ଦାଢ଼ି ରଖିଥିଲି ଏବଂ ଏଯାଏ ରଖିଛି। ଏମିତିକି ନିକଟରେ ଗୋଟିଏ ସିରିଏଲ୍ରେ ବାବାଜି ଚରିତ୍ର ପାଇଁ ଦାଢ଼ି କାଟିବାକୁ କୁହାଯାଇଥିଲା। ହେଲେ ମୁଁ ରାଜି ହୋଇ ନଥିଲି। ପରେ ସେମାନେ ମୋ ଦାଢ଼ି ଉପରେ ହିଁ ହ୍ବିକ୍ ଲଗାଇବାକୁ ବାଧ୍ୟ ହୋଇଥିଲେ। ତେବେ ଜୀବନରେ ଦାଢ଼ି ରଖିବାକୁ ନେଇ କେବେ କାହା ରୋଷର ସାମ୍ନା କରିବାକୁ ପଡ଼ିନି। ଓଲଟା ସମର୍ଥନ ପାଇଛି।
-ବୀରେନ୍ ମିଶ୍ର, ବରିଷ୍ଠ ଅଭିନେତା
ଦାଢ଼ି ପୂର୍ବସୂରୀମାନଙ୍କ ପ୍ରତିଜ୍ଞାକୁ ମନେ ପକାଇଦିଏ
ପୂର୍ବସୂରୀମାନଙ୍କ ପ୍ରତିଜ୍ଞାକୁ ଧରି ରଖିବା ପାଇଁ ତଥା ତାଙ୍କର ଗୁଣକୁ ମନେପକାଇବା ପାଇଁ ଅନେକ କିଛି ଉପାଦେୟ କଥା ରହିଛି। ମୁନିଋଷିମାନେ ସେହି ଧାରାରେ ରହିଆସିଥିଲେ। ଶିଖ୍ମାନଙ୍କ ଦାଢ଼ି, ଚୁଟି, କଢ଼ା, ପଗଡ଼ି ଓ କଙ୍ଗି ଇତ୍ୟାଦି ତାଙ୍କ ଧର୍ମୀୟ ପରମ୍ପରାର ପ୍ରତୀକ ହୋଇ ରହିଆସିଛି। ଅନ୍ତଃଦୃଷ୍ଟିକୋଣରେ ଦେଖିଲେ ଅନ୍ତଃବାସ୍ତବତାକୁ ଆଧାର କରି ପ୍ରକୃତି ସହ ଏସବୁ ଆମକୁ ଯୋଡ଼ିଥାଏ। ଏଣୁ ଦୃଷ୍ଟି ନୁହେଁ ଦ୍ରଷ୍ଟା ହେଉଛି ବଡ଼। ଏପଟେ କଳାକାରଟିଏ ପାଖରେ ଏତେ ସମୟ ନଥାଏ ଦାଢ଼ି କାଟି ନିଜକୁ ସଜାଇବାକୁ। ସେ ୧୦୦ ବର୍ଷ ପୂର୍ବ ଓ ୧୦୦ ବର୍ଷ ପରର ଭବିଷ୍ୟତକୁ ଦେଖି କାମ କରେ ଏବଂ ଜଣେ କଳାକାର ସମାଜକୁ ସୂକ୍ଷ୍ମ ଦୃଷ୍ଟିକୋଣରେ ଦେଖେ। ସେହି କ୍ରମରେ ମୁଁ ମଧ୍ୟ ଦାଢ଼ି ରଖିଛି ମୋ ପୂର୍ବସୂରୀମାନଙ୍କ ପ୍ରତିଜ୍ଞାକୁ ଆଗକୁ ନେବାପାଇଁ। ଏମିତିରେ ବି ଦାଢ଼ି ମୋ ପରିଚୟ, ସଉକ ଓ ଅର୍ନ୍ତଶକ୍ତି ମଧ୍ୟ। ପ୍ରଥମେ ପ୍ରଥମେ ଦାଢ଼ିକୁ ନେଇ ଅନେକେ ମୋତେ ରୋକୁଥିଲେ, ହେଲେ ପରେ ସମସ୍ତେ ଭଲ ପାଇଲେ। ଏଣୁ ଦାଢ଼ି ମୋ ପରିଚୟର ଏକ ଅଂଶ।
-ଅଦ୍ବୈତ ଗଡ଼ନାୟକ, ବିଶିଷ୍ଟ ସ୍ଥାପତ୍ୟଶିଳ୍ପୀ
ଦାଢ଼ି ହିଁ ମୋ ପରିଚୟର ଗୋଟେ ଅଂଶ
ଦାଢ଼ି ଉଠିଲା ପରେ କଦବା କ୍ବଚିତ୍ ମୁଁ କାଟୁଥିଲି। ହେଲେ ପାଠ ପଢ଼ିଲାବେଳେ ଜାଣିଲି ଦାଢ଼ି କାଟିବାରେ ମୋର କିଛି ଟଙ୍କା ଖର୍ଚ୍ଚ ହେଇଯାଉଛି। ଏଣୁ ଖର୍ଚ୍ଚ କାଟ କରିବା ପାଇଁ ମୁଁ ଦାଢ଼ି କାଟିବା ବନ୍ଦ କଲି, ଯାହାକି ଖାଣ୍ଟି ସତ କଥା। ଅନେକ ବାର ଲୋକଙ୍କ ଦାଢ଼ି କାହିଁ କାଟୁନ, ଦାଢ଼ି କାଇଁ ରଖିଛ ଇତ୍ୟାଦି ପ୍ରଶ୍ନର ସମ୍ମୁଖୀନ ହେଇଛି ଏବଂ ଦାଢ଼ି ପ୍ରିୟ ମଣିଷମାନଙ୍କ ଠାରୁ ଦାଢ଼ି ରଖିବାର ସାହସ ବି ପାଇଛି। ସବୁଠୁ ବଡ଼ କଥା ବାହାଘର ପରେ ମୋ ପତ୍ନୀ ମୋ ଦାଢ଼ିକୁ ସ୍ବୀକାର କରିଛନ୍ତି। ତେବେ ମୁଁ ଭାବେ, ଦାଢ଼ି ଈଶ୍ବର ଯଦି ଦେଇଛନ୍ତି, ତା’ହେଲେ କିଛି କାରଣ ପାଇଁ ଦେଇଛନ୍ତି। ତାହାକୁ କାଟିବା କାହିଁକି? ଦାଢ଼ି ଅନେକ ଆକ୍ରମଣରୁ, ଧୂଳିଧୂଳାରୁ ବି ମତେ ବଞ୍ଚଉଛି। ସବୁଠୁ ବଡ଼ କଥା ହେଲା ଅନ୍ୟମାନଙ୍କ ପରି ମୁଁ ଦାଢ଼ି ପିନ୍ଧେନି। ଅର୍ଥାତ୍ ଦାଢ଼ିକୁ ଯେମିତି ଲୋକେ ସଜାନ୍ତି, ରଂଗ ବୋଳନ୍ତି ଅନ୍ତତଃ ମୁଁ ସେମିତି କରେନି। କାରଣ ଦାଢ଼ି ପ୍ରକୃତି ଓ ଈଶ୍ବରଦତ୍ତ। ଏଣୁ ଦାଢ଼ି, ଈଶ୍ବର ଓ ପ୍ରକୃତିକୁ ମୋର ନମସ୍କାର।’’
-ବିଜୟ ମଲ୍ଲ, ଗୀତିକାର
ଦାଢ଼ି ରଖିବାକୁ ମୋତେ ଭଲ ଲାଗେ
ଦାଢ଼ି ଉଠିଲା ଦିନରୁ ମୁଁ ତାକୁ କାଟିବାକୁ ଭଲ ପାଇନି। କାରଣ ଦାଢ଼ି ରଖିବାକୁ ମୋତେ ଖୁବ୍ ଭଲ ଲାଗେ। ଘରେ ବାପା, ମାଆ କି ପରିବାରର ଅନ୍ୟ ସଦସ୍ୟ ଏପରିକି ମୋ ସ୍ତ୍ରୀ ମଧ୍ୟ ଦାଢ଼ି ରଖିବାକୁ ନେଇ କୌଣସି ବିରୋଧ କରିନାହାନ୍ତି। ମୋ ଦାଢ଼ି କିମ୍ବା ମୋ ଦେହରେ ଏଯାଏ କେବେ ଖୁର ବାଜିନି, ଖାଲି ଯାହା କଇଁଚି ବାଜିଛି। ଏଣୁ ଦାଢ଼ି ଏକପ୍ରକାର ମୋ ପରିଚୟ କହିଲେ ଚଳେ। ଦାଢ଼ି ରଖିଲେ ମୋତେ ଖୁବ୍ ଶାନ୍ତି ଲାଗେ।
- ହର ବାରିକ, ନାଟ୍ୟକାର