ଗତ ସପ୍ତାହରେ ଦେଶର ଜଣାଶୁଣା ୟୁଟ୍ୟୁବର୍ ସମୟ ରାଇନାଙ୍କ ଲୋକପ୍ରିୟ କମେଡି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ରେ ଜଣେ ପ୍ରତିଯୋଗୀଙ୍କ ପ୍ରତି ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ (ବିଅର୍ ବାଇସେପ୍ସ)ଙ୍କ ମନ୍ତବ୍ୟ ସାରା ଦେଶରେ ଝଡ଼ ସୃଷ୍ଟି କରିଛି। ରଣବୀର ଯାହା କହିଥିଲେ, ତାହା ଏତେ ଘୃଣ୍ୟ ଯେ ମୁଁ ଏଠାରେ ପ୍ରକାଶ କରିପାରିବି ନାହିଁ। କାର୍ଯ୍ୟକ୍ରମର ଭିଡିଓ ପ୍ରସାରିତ ହେଲା ପରେ ସେହି ଅନୁଚିତ, ଅଶାଳୀନ ଏବଂ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଥିବା ନିର୍ଦ୍ଦିଷ୍ଟ କ୍ଲିପ୍ଟି ଭାଇରାଲ୍ ହୋଇଯାଇଥିଲା। ଖୁବ୍ କମ୍ ସମୟ ମଧ୍ୟରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ଆସିବା ସହିତ ଏହାକୁ ପ୍ରବଳ ନିନ୍ଦା କରାଯାଇଥିଲା। ଅପରାଧିକ ମାମଲା ରୁଜୁ ହେବା ସହ ପୁଲିସ ଆହ୍ଲାବାଦିଆ ଓ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା। ଆହ୍ଲାବାଦିଆ ଓ ଏଥିସହ ଜଡ଼ିତ ସମସ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ସେମାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ଏମିତିକି ଏହା ସଂସଦରେ ଆଲୋଚନାର ପ୍ରସଙ୍ଗ ପାଲଟିଥିଲା।
ରଣବୀରଙ୍କୁ ଗିରଫ କରାଯିବ କି, ନାହିଁ କିମ୍ବା ଫଉଜଦାରୀ ମାମଲାରେ ଦଣ୍ଡ ମିଳିବା ଉଚିତ କି ନୁହେଁ, ତାହା ଆଇନଗତ ତର୍ଜମାର ବ୍ୟାପାର। କିନ୍ତୁ ଉକ୍ତ ଭିଡିଓରେ ନିର୍ଲଜ୍ଜଙ୍କ ପରି ହସି ହସି ଆହ୍ଲାବାଦିଆ କହୁଥିବା କଥା ଯେ ଅତ୍ୟନ୍ତ ନୀଚମାନର ଏବଂ ଏପରି ବିଷୟ ଓ ଏପରି ଶବ୍ଦ ଦର୍ଶକଙ୍କ ସମ୍ମୁଖରେ ଆଲୋଚିତ ହେବା କୌଣସିକ୍ରମେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। କେବଳ ହାସ୍ୟରୋଳ ସୃଷ୍ଟି କରିବା ପାଇଁ ଅଥବା ଉଦ୍ଦେଶ୍ୟମୂଳକ ଭାବରେ ହେଉ କିମ୍ବା ଅଜାଣତରେ ହୋଇଥାଉ, ଏପରି ଶସ୍ତା ଚିନ୍ତାଧାରା ଆଦୌ ସହଣୀୟ ନୁହେଁ।
ହୁଏତ କେହି କେହି ଯୁକ୍ତି ବାଢ଼ିପାରନ୍ତି, ନିଜ ମତକୁ ନିଜ ଢଙ୍ଗରେ ଉପସ୍ଥାପିତ କରିବାର ସ୍ୱାଧୀନତା ସମସ୍ତଙ୍କର ଅଛି; ଯେଉଁମାନେ ଦେଖିବାକୁ ଚାହାନ୍ତି ନାହିଁ, ସେମାନେ ନଦେଖନ୍ତୁ! ଏହା ଅଜାଣତରେ ହୋଇଥିବା ଏକ ଭୁଲ୍, ଉଦ୍ଦେଶ୍ୟମୂଳକ ନୁହେଁ। କିନ୍ତୁ ଆହ୍ଲାବାଦିଆଙ୍କ କ୍ଷେତ୍ରରେ ଏହା କୌଣସିମତେ ପ୍ରଯୁଜ୍ୟ ନୁହେଁ। ଇନ୍ଷ୍ଟାଗ୍ରାମ୍ରେ ୮୦ ଲକ୍ଷ ଦର୍ଶକ, ଫେସ୍ବୁକ୍ରେ ୧୩ ଲକ୍ଷ, ୟୁଟ୍ୟୁବ୍ରେ ପାଖାପାଖି ଦୁଇକୋଟି, ଏକ୍ସ(ଟୁଇଟର୍)ରେ ୬ ଲକ୍ଷ ଲୋକ ତାଙ୍କୁ ଅନୁସରଣ କରୁଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ପୋଡ୍କାଷ୍ଟକୁ ଅତିଥି ଭାବରେ ଆସୁଛନ୍ତି; ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ କାମ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଚିନ୍ତାର ବିଷୟ ହେଲା, ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀ ତାଙ୍କର ଅନ୍ଧ ପ୍ରଶଂସକ, ପୁଣି ଅନେକଙ୍କ ଲାଗି ଆଦର୍ଶ ପାଲଟିଛନ୍ତି। ଆଉ ଆମ ଯୁବପିଢ଼ି ନିଜର ପ୍ରିୟ ବ୍ୟକ୍ତିତ୍ବଙ୍କ ଦ୍ବାରା ଖୁବ୍ ସହଜରେ ପ୍ରଭାବିତ ହୋଇଯାଆନ୍ତି ଏବଂ ଅନ୍ଧ ଆବେଗର ବଶବର୍ତ୍ତୀ ହୋଇ ଶାରୀରିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ବି ହୁଅନ୍ତି।
ମୋେତ ସେତେବେଳେ ବୟସ ୮ କି ୯ ବର୍ଷ। ମୁଁ ଶାହରୁଖ୍ ଖାନ୍ଙ୍କର ବଡ଼ ପ୍ରଶଂସକ ଥିଲି। ତାଙ୍କର ‘କୁଛ୍ କୁଛ୍ ହୋତା ହୈ’ ଚଳଚ୍ଚିତ୍ର ଦେଖିବାପରେ ଫ୍ରେଣ୍ଡ୍ସିପ୍ ବ୍ୟାଣ୍ଡ୍ କିଣିବା କଥା ଏବେ ବି ମୋର ମନେଅଛି। ଥରେ ମୋର ଜଣେ ମାଉସୀପୁଅ ଭାଇ କହିଲା,‘‘ଚାଲ ପରୀକ୍ଷା କରିବା କିଏ ଶାହରୁଖ୍ର ବଡ଼ ଫ୍ୟାନ୍!’’ ମୁଁ ଉତ୍ତର ଦେଲି, ‘‘ମୁଁ।’’ ସିଏ କିନ୍ତୁ କହିଲା,‘‘ମୁଁ ସବୁଠୁ ବଡ଼ ଫ୍ୟାନ୍।’’ ତା’ପରେ ସେ ପୁଣି କହିଲା, ‘‘ଯଦି ତୁ ଏତେ ବଡ଼ ଫ୍ୟାନ୍, ତା’ହେଲେ ତୋ ବୁଢ଼ାଆଙ୍ଗୁଠି କାଟିଦେଇପାରିବୁ?’’ ମୁଁ ସଙ୍ଗେ ସଙ୍ଗେ ଗୋଟେ ବ୍ଲେଡ୍ ଆଣି ମୋ ଆଙ୍ଗୁଠି କାଟିଦେଲି, କେବଳ ପ୍ରମାଣ କରିବା ପାଇଁ ଯେ ମୁଁ ଶାହରୁଖ୍ଙ୍କର ସବୁଠାରୁ ବଡ଼ ଫ୍ୟାନ୍। ତା’ପରେ ଏଇ ଘଟଣା ପାଇଁ ମା’ଠୁ ଶୁଣିଥିବା ଗାଳି କେବେ ଭୁଲିପାରିବିନି। ବୟସ ବଢ଼ିବା ପରେ ମୋର ସେ ପିଲାଳିଆମି ଚାଲି ଯାଇଥିଲା। କିନ୍ତୁ ଏମିତି ଅନେକ ଘଟଣା ମୋର ମନେଅଛି, ଯେଉଁଠି ତାରକାମାନଙ୍କ ଦ୍ବାରା ଆମେ ଖୁବ୍ ଶୀଘ୍ର ପ୍ରଭାବିତ ହୋଇଯାଉ।
ଆଜି ବି ଆମେ ଦେଖୁ, ସ୍କୁଲ୍ କାନ୍ଥରେ ଗାନ୍ଧୀ, ଗୋପବନ୍ଧୁ କିମ୍ବା ମଧୁବାବୁଙ୍କ ଭଳି ମହାନ୍ ବ୍ୟକ୍ତିଙ୍କ ଚିତ୍ର ଅଙ୍କାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି, ନିଜର ଅବଦାନ ପାଇଁ ମହାନ୍ ସାଜିଥିବା ବ୍ୟକ୍ତିତ୍ବଙ୍କ ଚିତ୍ର ଦେଖି, ସେମାନଙ୍କ ବିଷୟରେ ଜାଣି ପିଲାମାନେ ପ୍ରଭାବିତ ହୁଅନ୍ତୁ, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ। ସେମାନଙ୍କ ଭଳି କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଓ ଦୃଢ଼ ମନୋବଳ ଦ୍ୱାରା ପିଲାମାନେ ବି ସେମାନଙ୍କ ପରି ହୋଇପାରିବେ, ଏ ବିଶ୍ୱାସ ତାଙ୍କ ଭିତରେ ଜାତ ହେଉ।
କିନ୍ତୁ ଡିଜିଟାଲ୍ ବିପ୍ଳବ ଓ ଇଣ୍ଟରନେଟ୍ର ମାତ୍ରାଧିକ ବ୍ୟବହାର ଫଳରେ ଆମ ଯୁବପିଢ଼ି ସ୍କୁଲ କାନ୍ଥର ମାର୍ଗଦର୍ଶୀ ଚିତ୍ରଗୁଡ଼ିକୁ ଛାଡ଼ି ସୋସିଆଲ୍ ମିଡିଆ ରିଲ୍ସ୍ ଓ ଡିଜିଟାଲ୍ କଣ୍ଟେଣ୍ଟ୍ ଦେଖିବାରେ ମାତିଛନ୍ତି। ଫଳରେ ରଣବୀର ଆହ୍ଲାବାଦିଆଙ୍କ ପରି ୟୁଟ୍ୟୁବର୍ମାନେ ପାଲଟିଛନ୍ତି ନୂଆପିଢ଼ିର ନୂଆ ଆଦର୍ଶ।
ପ୍ରଭାବ ଓ ପ୍ରସିଦ୍ଧି ସହ ସାମାଜିକ ଦାୟିତ୍ୱବୋଧ ରହିବା ନିହାତି ଜରୁରି। ଆଜିର ଯୁବସମାଜ ପାଇଁ ଆଦର୍ଶ ସାଜିବା ଆଦୌ ସହଜ ନୁହେଁ, ଏଥିପାଇଁ ଜଣଙ୍କୁ ନିଜର ଆଚରଣ ଓ ଉଚ୍ଚାରଣକୁ ସତର୍କ ଭାବେ ପରିଚାଳନା କରିବାକୁ ପଡ଼ିବ। ଆପଣଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଅଛି ବୋଲି ମନକୁ ଯାହା ଆସିବ ତାହା କହିବା ଆଦୌ ସ୍ପୃହଣୀୟ ନୁହେଁ। ଏହା ରଣବୀରଙ୍କ ଭଳି ତାରକାଙ୍କ ପାଇଁ ଏକ ବଡ଼ ଆହ୍ୱାନ। ସେହିପରି ଯୁବସମାଜ ପାଇଁ ଉପଯୁକ୍ତ ଆଦର୍ଶ ଚୟନ କରିବା ମଧ୍ୟ ତା’ଠାରୁ ବଡ଼ ଆହ୍ୱାନ। ଜଣେ ତାରକା କିପରି ନିମିଷକରେ ସବୁ ବିଶ୍ୱାସ ହରାଇଦିଏ, ଆହ୍ଲାବାଦିଆ ତା’ର ସଦ୍ୟତମ ଉଦାହରଣ।
ଏବେ ଆମେ ଏମିତି ଏକ ସମୟରେ ପହଞ୍ଚିଛେ, ଯେଉଁଠି ଆମର ପ୍ରତ୍ୟେକ ଗତିବିଧି ଡିଜିଟାଲ୍ ପ୍ରକ୍ରିୟାରେ କେଉଁଠି ନା କେଉଁଠି ପ୍ରତିଫଳିତ ହେଉଛି। ଯୁବସମାଜ ଭାବିବା ଉଚିତ; ମୁଁ ଯାହାକୁ ଆଦର୍ଶ ଭାବୁଛି, ସତରେ ସେ ଅନୁକରଣଯୋଗ୍ୟ ନା ସୋସିଆଲ୍ ମିଡିଆର ଅନୁଗ୍ରହରେ ଏକ ମିଛ ଭେଳିକି ମାତ୍ର!
ତନୟା ପଟ୍ଟନାୟକ
ସଂପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/16/ifzsFcIG1QfOYw6xEUda.jpg)