୧. କୌଣସି ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ଏବଂ ବିଶ୍ବାସର ଅଭାବ ତଥା ସାମ୍ପ୍ରଦାୟିକ ଅସହିଷ୍ଣୁତା, ଘୃଣା ଏବଂ ହିଂସାର ଉଦ୍ରେକ ହେବା ମୂଳରେ ଯେଉଁ କାରଣଗୁଡ଼ିକ ରହିଥାଏ, ସେଥିରୁ ଗୋଟିଏ ମୁଖ୍ୟ କାରଣ ହେଲା ସାର୍ବଜନିକ ସାଧାରଣ ଶିକ୍ଷାର ଅଭାବ। ଏକଥା ଅନସ୍ବୀକାର୍ଯ୍ୟ ଯେ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଆଧିପତ୍ୟ, ନିର୍ଦ୍ଦୟତା ଏବଂ ଉତ୍ପୀଡ଼ନର ଇତିହାସ ସେମାନଙ୍କର ପରସ୍ପର ପ୍ରତି ବର୍ତ୍ତମାନର ଦୃଷ୍ଟିଭଙ୍ଗୀକୁ ଗଭୀର ଭାବେ ପ୍ରଭାବିତ କରିଥାଏ; ତେବେ ଅନ୍ୟ ସମ୍ପ୍ରଦାୟ ପ୍ରତି ଲୋକମାନଙ୍କର ଦୃଷ୍ଟିଭଙ୍ଗୀ କିପରି ହେବ ଏବଂ ସେମାନଙ୍କର ବ୍ୟକ୍ତିଗତ ତଥା ସାମୂହିକ ଆଚରଣ କିପରି ହେବ, ତାହା ଅନେକାଂଶରେ ସେମାନଙ୍କର ଶିକ୍ଷାଦୀକ୍ଷା ଉପରେ ନିର୍ଭର କରିବ। ଆମେ ଯେଉଁ ଶିକ୍ଷା କଥା କହୁଛୁ ତାହା କୌଣସି ବୈଷୟିକ ଶିକ୍ଷା ବା କଲେଜ-ବିଶ୍ବବିଦ୍ୟାଳୟ ଶିକ୍ଷା ନୁହଁ; ଏହା ହେଲା ପିଲାମାନଙ୍କୁ କୈଶୋରାବସ୍ଥାରେ ସ୍କୁଲମାନଙ୍କରେ ଦିଆଯାଉଥିବା ଶିକ୍ଷା। ଏହି ଶିକ୍ଷା ଶିଶୁଟିର ଭାଷା ଏବଂ ସଂଖ୍ୟାଜ୍ଞାନ ତଥା ଯୁକ୍ତିସଙ୍ଗତ ଚିନ୍ତନ ଏବଂ ବିଶ୍ଳେଷଣ କରିବାର ମୌଳିକ ଦକ୍ଷତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ତା’ର ବ୍ୟକ୍ତିତ୍ବ ଗଠନ ଏବଂ ସମାଜୀକରଣ ପ୍ରକ୍ରିୟାର ଅଂଶବିଶେଷ ମଧ୍ୟ। ଏ ପ୍ରକାର ଶିକ୍ଷା ପାଇଥିବା ଶିଶୁଟିଏ ଅନ୍ୟମାନଙ୍କୁ ସହଜରେ ଗ୍ରହଣ କରି ନେଇପାରେ ଏବଂ ସେମାନଙ୍କର ସମସ୍ୟା ଓ ଉତ୍କଣ୍ଠାଗୁଡ଼ିକୁ ବୁଝିପାରେ, ଫଳରେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ତା’ର ଆଚରଣରେ ସହିଷ୍ଣୁତା ଏବଂ ସୌହାର୍ଦ୍ଦ୍ୟ ପ୍ରକାଶ ପାଏ। ଆହୁରି ମଧ୍ୟ ଗୋଟିଏ ପରିସ୍ଥିତିକୁ ଯୁକ୍ତିସଙ୍ଗତ ରୂପେ ବିଶ୍ଳେଷଣ କରି ବୁଝିପାରିବାର କ୍ଷମତା ହାସଲ କରିପାରିଥିବାରୁ ଏ ପ୍ରକାର ଶିକ୍ଷାଲାଭ କରିଥିବା ବ୍ୟକ୍ତିମାନେ କୌଣସି କୁସଂସ୍କାର, ମତବାଦ ବା ଅପପ୍ରଚାର ଦ୍ବାରା ସହଜରେ ପ୍ରଭାବିତ ହୁଅନ୍ତି ନାହିଁ; ଫଳରେ ସେମାନଙ୍କର ସାମାଜିକ ବ୍ୟବହାର ଗୋଷ୍ଠୀ ମାନସିକତା ଦ୍ବାରା ପରିଚାଳିତ ନ ହୋଇ ନିଜର ବୁଦ୍ଧି ବିବେକ ଦ୍ବାରା ନିୟନ୍ତ୍ରିତ ହୋଇଥାଏ।
୨. ଅନ୍ୟ ପକ୍ଷରେ ସ୍କୁଲରେ ଦିଆଯାଉଥିବା ଏହି ମୌଳିକ ଶିକ୍ଷାରୁ ଯେଉଁମାନେ ବଞ୍ଚିତ ହୋଇଥା’ନ୍ତି, ସେମାନଙ୍କର ଏହି ଯୌକ୍ତିକ ଚିନ୍ତନର କ୍ଷମତା ଯଥେଷ୍ଟ ବିକଶିତ ହୋଇନଥାଏ। ତେଣୁ ସେମାନେ ବିନା ପ୍ରଶ୍ନରେ ବା ପ୍ରତିବାଦରେ ଅନ୍ୟର ମତକୁ ଗ୍ରହଣ କରିନିଅନ୍ତି ଏବଂ ସହଜରେ ନିଜର ମତପୋଷଣ, ଆଚରଣ ଓ ବ୍ୟବହାରରେ ଅନ୍ୟ ଦ୍ବାରା ପରିଚାଳିତ ହୋଇପଡ଼ନ୍ତି। ଏହାର ସୁଯୋଗ ନେଇ ଧର୍ମଯାଜକ ଏବଂ ରାଜନେତାମାନେ ସମ୍ପ୍ରଦାୟର ସ୍ବାର୍ଥ, ସ୍ବାଧିକାର ଏବଂ ସ୍ବାଭିମାନ ସୁରକ୍ଷା ଆଳରେ ସେମାନଙ୍କୁ ସହଜରେ ପ୍ରଭାବିତ କରିଥା’ନ୍ତି ଏବଂ ନିଜର ସ୍ବାର୍ଥୀ ଯୋଜନା ଅନୁସାରେ ପରିଚାଳିତ କରିଥା’ନ୍ତି। ଏହାଦ୍ବାରା ସାମ୍ପ୍ରଦାୟିକ ଧ୍ରୁବୀକରଣ ବଳବତ୍ତର ହୋଇଥାଏ।
୩. ଦେଶରେ ବିଭିନ୍ନ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ଧାର୍ମିକ ଶିକ୍ଷାନୁଷ୍ଠାନମାନ ରହିଥିବା ଧ୍ରୁବୀକରଣ ଦୃଷ୍ଟିରୁ ଆହୁରି ମଧ୍ୟ ଭୟଙ୍କର। ଏହି ଅନୁଷ୍ଠାନମାନଙ୍କରେ ଯୋଗ ଦେଉଥିବା ଛାତ୍ରମାନଙ୍କୁ ସାଧାରଣ ସ୍କୁଲମାନଙ୍କରେ ଅନୁସୃତ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷାଦାନ ନ କରି ଧର୍ମଗ୍ରନ୍ଥ ଏବଂ ଶାସ୍ତ୍ରୀୟ ଭାଷାରେ ରଚିତ ପ୍ରାଚୀନ ଗ୍ରନ୍ଥମାନ ଅଧ୍ୟୟନ କରାଯାଇଥାଏ। ଧର୍ମଗ୍ରନ୍ଥ ବା ଶାସ୍ତ୍ରୀୟ ଭାଷା ପଠନ ବିରୋଧରେ ଆମର କିଛି କହିବାର ନାହିଁ, ତେବେ ଚିନ୍ତାର ବିଷୟ ଏହି ଯେ କୈଶୋରାବସ୍ଥାରେ ଛାତ୍ରମାନଙ୍କର ବିଶ୍ଳେଷଣାତ୍ମକ ମନୋଦୃଷ୍ଟି ଓ ଯୌକ୍ତିକ ଚିନ୍ତନର କ୍ଷମତା ବିକଶିତ ହେବାର ଯେଉଁ ଆବଶ୍ୟକତା ରହିଛି, ଏ ପ୍ରକାର ଶିକ୍ଷା ସେଥିରେ ବିଶେଷ ସହାୟକ ହୁଏ ନାହିଁ। ଏହି ଛାତ୍ରମାନେ ଧାର୍ମିକ ମତବାଦ ଏବଂ ଉକ୍ତ ଶାସ୍ତ୍ରୀୟ ପୁସ୍ତକମାନଙ୍କରେ ଥିବା ସିଦ୍ଧାନ୍ତ ଓ ଉପସ୍ଥାପନାଗୁଡ଼ିକୁ ଧ୍ରୁବ ଏବଂ ଅକାଟ୍ୟ ସତ୍ୟ ରୂେପ ଗ୍ରହଣ କରିନିଅନ୍ତି ଏବଂ ତାଙ୍କର ବିଶ୍ବଦୃଷ୍ଟି ଏଗୁଡ଼ିକ ଦ୍ବାରା ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଧାରିତ ଏବଂ ସୀମିତ ହୋଇଥାଏ।
୪. ଧାର୍ମିକ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଥମରୁ ଛାତ୍ରମାନେ ଗୋଟିଏ ସମ୍ପୂର୍ଣ୍ଣ ଭିନ୍ନ ପାଠ୍ୟକ୍ରମ ଭିନ୍ନ ଭାଷାରେ ଏବଂ ଭିନ୍ନ ପ୍ରଣାଳୀରେ ଅଧ୍ୟୟନ କରନ୍ତି। ଏହି ଶିକ୍ଷାଦାନ ଗୋଟିଏ ସମ୍ପୂର୍ଣ୍ଣ ଭିନ୍ନ ପରିବେଶରେ ହୁଏ। ବାସ୍ତବରେ ଶିଶୁଟି ତା’ର ସମବୟସୀମାନଙ୍କ ଠାରୁ ସ୍ବତଃ ଅଲଗା ହୋଇଥାଏ। କେବଳ ବେଶଭୂଷା ଏବଂ ଆଦବ କାଇଦାରେ ନୁହେଁ, ଏହି ପାର୍ଥକ୍ୟ ତା’ର ଜୀବନାଦର୍ଶ ଏବଂ ଭାବାବେଗରେ ମଧ୍ୟ ପରିଲକ୍ଷିତ ହୁଏ। ଏହି ଶିଶୁମାନେ ଗଣିତ, ବିଜ୍ଞାନ ଏବଂ ଆଧୁନିକ ଭାଷାରେ ଦକ୍ଷତା ଅର୍ଜନ କରିନଥିବାରୁ କୌଣସି ବୃତ୍ତିଗତ ବା ଉଚ୍ଚଶିକ୍ଷା ଲାଭ କରିବାରେ ସଫଳ ହୁଅନ୍ତି ନାହିଁ। ଅନ୍ୟପକ୍ଷରେ, ସାଧାରଣ ସ୍କୁଲରେ ପଢୁଥିବା ଶିଶୁମାନେ ଦ୍ବାଦଶ ଶ୍ରେଣୀ ଯାଏଁ ଆଧୁନିକ ଶିକ୍ଷାଦାନ ପ୍ରଣାଳୀରେ ଗୋଟିଏ ସମାନ ପ୍ରକାରର ପାଠ୍ୟକ୍ରମ ଦେଇ ଗତି କରନ୍ତି ଯାହା ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଉଚ୍ଚଶିକ୍ଷା ଲାଭ କରିବାର ବାଟ ଖୋଲିଦିଏ। ତାହାଛଡ଼ା ପାଠ୍ୟକ୍ରମ ଏବଂ ପରିବେଶର ସମାନତା ପାଇଁ ସେମାନଙ୍କ ଠାରେ ଗୋଟିଏ ପ୍ରକାରର ବୁଦ୍ଧିମତ୍ତା, ଚିନ୍ତନ ପ୍ରଣାଳୀ, ଭାବପ୍ରକାଶର ଶୈଳୀ ଏବଂ ମନୋଦୃଷ୍ଟି ବିକଶିତ ହୁଏ। ସେମାନେ ସୁବିଧାରେ ପରସ୍ପର ସହିତ କଥାବର୍ତ୍ତା ଏବଂ ଭାବ ବିନିମୟ କରିପାରନ୍ତି, ଅନ୍ୟର ସମସ୍ୟାକୁ ବୁଝିପାରନ୍ତି ଏବଂ ପରସ୍ପରର ଆନନ୍ଦ ଏବଂ ଦୁଃଖକୁ ବାଣ୍ଟି ପାରନ୍ତି। ବସ୍ତୁତଃ ସେମାନେ ଗୋଟିଏ ବୃହତ୍ତର ସମାଜର ସଦସ୍ୟ ବନିଯା’ନ୍ତି। ଏହାଛଡ଼ା ଯୋଗ୍ୟ ଶିକ୍ଷକମାନଙ୍କର ତତ୍ତ୍ବାବଧାନରେ ଗୋଟିଏ ସାମୂହିକ ପରିବେଶରେ ଦୀର୍ଘକାଳ ଧରି ଚଳପ୍ରଚଳ ହୋଇ ଏହି ଛାତ୍ରମାନଙ୍କର ସୁନ୍ଦର ସମାଜୀକରଣ ହୁଏ ଏବଂ ତାଙ୍କର ପ୍ରାୟ ସମାନ ପ୍ରକାରର ନୈତିକ ଏବଂ ସାମାଜିକ ଚେତନା ଜାଗ୍ରତ ହୁଏ। ଧାର୍ମିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଆବଦ୍ଧ ଛାତ୍ରମାନେ କେବଳ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି ନାହିଁ, ସେମାନେ ସ୍କୁଲ ଶିକ୍ଷାର ଏହିସବୁ ସୁଫଳ ମଧ୍ୟ ପାଇପାରନ୍ତି ନାହିଁ।
୫. ତେଣୁ ସେମାନେ ପରବର୍ତ୍ତୀ କାଳରେ ତର୍କଶୀଳ, ଉନ୍ମୁକ୍ତମନା ଏବଂ ଉଦାରପନ୍ଥୀ ବ୍ୟକ୍ତିତ୍ବର ଅଧିକାରୀ ନ ହୋଇ, ଗୋଟିଏ ଗୋଟିଏ ଅସହିଷ୍ଣୁ, କଠୋରପନ୍ଥୀ ଏବଂ ଏକ-ଦିଗଦର୍ଶୀ ମଣିଷରେ ପରିଣତ ହୋଇଥା’ନ୍ତି। ଆହୁରି ମଧ୍ୟ ଯେଉଁ ଧର୍ମମାନଙ୍କରେ ନିଜ ଧର୍ମର େଶ୍ରଷ୍ଠତା ଏବଂ ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁତା ଏବଂ ଦ୍ବେଷର ଅଭିବ୍ୟକ୍ତି ରହିଥାଏ, ସେ ପ୍ରକାର ଧାର୍ମିକ ଶିକ୍ଷାନୁଷ୍ଠାନରେ ଶିକ୍ଷିିତ ଛାତ୍ରମାନେ ସେହି ଧର୍ମର ସେନାନୀ ରୂପେ ବାହାରି ପଡ଼ନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ସ୍ବାଭାବିକ ରୂପେ ପ୍ରତିକ୍ରିୟାଶୀଳ ହେବାରୁ ସମାଜରେ ସାମ୍ପ୍ରଦାୟିକ ଧ୍ରୁବୀକରଣ ବୃଦ୍ଧି ପାଇବା ନିଶ୍ଚିତ। ଧର୍ମାନ୍ଧ ଯୁବଗୋଷ୍ଠୀ ଆକ୍ରମଣାତ୍ମକ ହୋଇ ବିଶୃଙ୍ଖଳା, ହିଂସା ଏବଂ ସାମାଜିକ ଅସ୍ଥିରତା ସୃଷ୍ଟି କରିବା ଏହାର ସ୍ବାଭାବିକ ପରିଣାମ।
୬. ବିଭିନ୍ନ ସରକାରୀ ଯୋଜନା ଏବଂ ଶିକ୍ଷା ଅଧିକାର ଆଇନର ରୂପାୟନ ଫଳରେ ଦେଶରେ ଶିକ୍ଷାର ବହୁଳ ପ୍ରସାର ହୋଇପାରିଛି ଏବଂ ଆସନ୍ତା ଦଶନ୍ଧି ସୁଦ୍ଧା ଦେଶର ପ୍ରାୟ ସମସ୍ତ ଶିଶୁ ସ୍କୁଲ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। ଫଳସ୍ବରୂପ, ଆମର ଭବିଷ୍ୟତ ନାଗରିକମାନେ ପ୍ରାୟତଃ ଉନ୍ମୁକ୍ତମନା, ଉଦାରପନ୍ଥୀ ଏବଂ ସହନଶୀଳ ମାନସିକତାର ହେବେ ଏବଂ ଧ୍ରୁବୀକରଣ ସ୍ବତଃ ଦୁର୍ବଳ ହୋଇଯିବ। ତେବେ ଆମ ଶିଶୁମାନଙ୍କ ମଧ୍ୟରୁ କିୟଦଂଶ ଧାର୍ମିକ ଶିକ୍ଷାନୁଷ୍ଠାନମାନଙ୍କରେ ଆବଦ୍ଧ ହୋଇ ସାଧାରଣ ଶିକ୍ଷାଲାଭରୁ ବଞ୍ଚିତ ହେବା ଦ୍ବାରା ଧ୍ରୁବୀକରଣର ଭୂତାଣୁ ବଞ୍ଚିରହିବ ଏବଂ ସୁଯୋଗ ପାଇଲେ ତା’ର ଭୟଙ୍କର କାରନାମା ଦେଖାଇବ। ଏଥିପାଇଁ ଦାୟୀ କିଏ ଏବଂ ଏହାର ପ୍ରତିକାର କ’ଣ?
୭. ଆମ ସମ୍ବିଧାନର ନୂତନ ଧାରା ୨୧ (କ) ଅନୁସାରେ ୬ରୁ ୧୪ ବୟସର ଶିଶୁମାନଙ୍କର ଶିକ୍ଷାଲାଭ କରିବା େଗାଟିଏ ମୌଳିକ ଅଧିକାର ଏବଂ ସେମାନେ ଶିକ୍ଷା ପାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ରାଷ୍ଟ୍ରର ଦାୟିତ୍ବ। ଦୁର୍ଭାଗ୍ୟର ବିଷୟ, ସରକାର ଶିଶୁମାନଙ୍କର ଏହି ମୌଳିକ ଅଧିକାରର ରୂପାୟନ ପାଇଁ ଯେଉଁ ଶିକ୍ଷା ଅଧିକାର ଆଇନ ପ୍ରଣୟନ କଲେ ସେଥିରେ ସବୁ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଗଲା ନାହିଁ। ୨୦୧୨ରେ ଗୋଟିଏ ସଂଶୋଧନ ଆଣି ଏହି ଆଇନର ପ୍ରାବଧାନଗୁଡ଼ିକ ମଦ୍ରାସା, େବୖଦିକ ପାଠଶାଳା ଏବଂ ମୁଖ୍ୟତଃ ଧାର୍ମିକ ଶିକ୍ଷାଦାନ କରୁଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ଲାଗିବ ନାହିଁ ବୋଲି ବ୍ୟବସ୍ଥା କରାଗଲା। ଅର୍ଥାତ୍ ଆମର ଆଇନ ପ୍ରଣୟନକର୍ତ୍ତାମାନେ ବିଶ୍ବାସ କରନ୍ତି ଯେ ଦେଶର ଗୋଟିଏ ବର୍ଗର ଶିଶୁ- ଯେଉଁମାନଙ୍କୁ ତାଙ୍କର ପରିବାର ମଦ୍ରାସା ବା ବୈଦିକ ପାଠଶାଳା (ସଂସ୍କୃତ ଟୋଲ) ବା ଅନ୍ୟ କୌଣସି ଧାର୍ମିକ ଶିକ୍ଷାନୁଷ୍ଠାନକୁ ପଠାଇବେ- ସେପରି ଶିଶୁଙ୍କର ଜାତୀୟ ସ୍କୁଲ ପାଠ୍ୟକ୍ରମ ରୂପରେଖ(NCFSE) ଅନୁଯାୟୀ ନିର୍ଦ୍ଧାରିତ ପ୍ରକାରର ଏବଂ ମାନର ଶିକ୍ଷା ପାଇବାର ଅଧିକାର ନାହିଁ। ଏହା ସମ୍ବିଧାନ ସମ୍ମତ କି? ଅନେକ କହିବେ ଯେ ସମ୍ବିଧାନର ଧାରା ୩୦ (୧) ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କୁ ତାଙ୍କ ପସନ୍ଦ ଅନୁଯାୟୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ପରିଚାଳନା କରିବାର ମୌଳିକ ଅଧିକାର ଦେଇଥିବାରୁ, ସେମାନେ ଏହି ଶିଶୁମାନଙ୍କୁ ଧାର୍ମିକ ଶିକ୍ଷା ବା ଶାସ୍ତ୍ରୀୟଭାଷା ଶିକ୍ଷା ଦେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ସେପରି ‘ଶିକ୍ଷା’ କ’ଣ ଶିକ୍ଷା ଅଧିକାର ଆଇନରେ ବର୍ଣ୍ଣିତ ‘ଶିକ୍ଷା’? ଶିକ୍ଷା ଅଧିକାର ଆଇନର ‘ଉଦ୍ଦେଶ୍ୟ ଏବଂ କାରଣ କଥନ’ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ଗୋଟିଏ ନ୍ୟାୟ ଏବଂ ମାନବିକତା ଭିତ୍ତିକ ସମାଜ ଗଠନ କେବଳ ‘ସମସ୍ତଙ୍କୁ’ ଅନ୍ତର୍ଭୁକ୍ତିକାରକ ସାଧାରଣ ଶିକ୍ଷା ଯୋଗାଇ ଦେବା ଦ୍ବାରା ହିଁ ସମ୍ଭବ ହେବ- ଏହି ବିଶ୍ବାସ ଦେଇ ହିଁ ଆଇନଟି ପ୍ରଣୟନ କରାଯାଉଛି। ଏହି ବିଶ୍ବାସ କ’ଣ ଶିଶୁମାନଙ୍କର ଗୋଟିଏ ବେଶ୍ ବଡ଼ ଅଂଶକୁ ବାଦ୍ ଦେଇ କେବଳ ଅନ୍ୟମାନଙ୍କ ସୁଶିକ୍ଷା ଉପରେ ଆଧାରିତ? ଏ ପ୍ରକାର ବ୍ୟବସ୍ଥା କ’ଣ ଅନ୍ତର୍ଭୁକ୍ତିକାରକ? ନା ବାସ୍ତବରେ ଏହା ବିଭାଜନବାଦୀ ମାନସିକତାର ପରିଚାୟକ?
୮) ଆମର ପକ୍ଷ ମଦ୍ରାସା, ବୈଦିକ ପାଠଶାଳା, ସଂସ୍କୃତ ଟୋଲ ବା ଅନ୍ୟ ଧାର୍ମିକ ଶିକ୍ଷାନୁଷ୍ଠାନ ବିରୋଧରେ ନୁହେଁ। ସେପରି ଶିକ୍ଷାନୁଷ୍ଠାନମାନଙ୍କ ଦ୍ବାରା ସମାଜର ଗୋଟିଏ ଅତ୍ୟାବଶ୍ୟକ ଚାହିଦା ପୂରଣ ହୋଇଥାଏ ଏବଂ ଆମ ଦେଶର ବିବିଧତାମୟ ସଂସ୍କୃତି ସମୃଦ୍ଧ ହୋଇଥାଏ। ତେବେ ଆମର ଦୃଢ଼ ମତ ହେଲା ଯେ ସେପରି ଧାର୍ମିକ ଏବଂ ଶାସ୍ତ୍ରୀୟ ଶିକ୍ଷା ପିଲାମାନେ ୧୪ ବର୍ଷ ବୟସ ପରେ ହିଁ ପାଇବାର ବ୍ୟବସ୍ଥା କରାଯାଉ। ସଂଖ୍ୟାଲଘୁ ସମ୍ପ୍ରଦାୟମାେନ ଚାହିଁଲେ ୬ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ନୂତନ ଶିକ୍ଷାନୀତି କଳ୍ପିତ ଆଦ୍ୟ ଶୈଶବ ଶିକ୍ଷା ପାଇଁ ମଧ୍ୟ ଅନୁଷ୍ଠାନମାନ ଖୋଲିପାରିବେ। କିନ୍ତୁ ୬ରୁ ୧୪ ବର୍ଷ ବୟସର ପିଲାମାନେ ସାଧାରଣ ସ୍କୁଲମାନଙ୍କରେ ସରକାରଙ୍କ ଦ୍ବାରା ପ୍ରାଧିକୃତ ଶିକ୍ଷା ପରିଷଦ ମାନଙ୍କ ଦ୍ବାରା NGFSE ଅନୁଯାୟୀ ନିର୍ଦ୍ଧାରିତ ସାଧାରଣ ଶିକ୍ଷା ପାଠ୍ୟକ୍ରମ ହିଁ ପଢ଼ିବେ; ଯାହା ସମ୍ବିଧାନ ଅନୁସାରେ ମାଗଣା କିନ୍ତୁ ବାଧ୍ୟତାମୂଳକ ହେବ।
୯. ଆମର ଦୃଢ଼ ମତ ଯେ ସମ୍ବିଧାନର ଧାରା ୨୧ (କ)ରେ ୬ରୁ ୧୪ ବର୍ଷ ବୟସର ଶିଶୁମାନଙ୍କୁ ଯେଉଁ ମୌଳିକ ଅଧିକାର ଦିଆଯାଇଛି ତାହା ଦେଶର ପ୍ରତ୍ୟେକ ଶିଶୁ ପାଇଁ ପ୍ରଯୁଜ୍ୟ ଏବଂ ଧାରା ୫୧ (କ)ର ଉପଧାରା (ଟ) ଅନୁଯାୟୀ ପ୍ରତ୍ୟେକ ପିତାମାତା ବା ଅଭିଭାବକଙ୍କର ତାଙ୍କର ଶିଶୁକୁ ଯେଉଁ ଶିକ୍ଷାପାଇଁ ସୁଯୋଗ ଯୋଗାଇ ଦେବାର ଦାୟିତ୍ବ ରହିଛି, ସେ ଶିକ୍ଷା ହେଲା ସାଧାରଣ ସ୍କୁଲମାନଙ୍କରେ ଦିଆଯାଉଥିବା େମୗଳିକ ସାଧାରଣ ଶିକ୍ଷା। ସେହିପରି, ଏହି ଶିକ୍ଷା ପ୍ରତ୍ୟେକ ଶିଶୁ ପାଇଁ ବାଧ୍ୟତାମୂଳକ ଏବଂ ମାଗଣାରେ ଉପଲବ୍ଧ ହେବା ପାଇଁ ସମ୍ବିଧାନରେ ଯେଉଁ ପ୍ରାବଧାନ ରହିଛି ଏହାକୁ ନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ବ।
୧୦. ଧର୍ମାନ୍ଧ ଅଭିଭାବକମାନେ ଧର୍ମଯାଜକମାନଙ୍କ ଦ୍ବାରା ପ୍ରଭାବିତ ହୋଇ ବା ଆର୍ଥିକ ପ୍ରଲୋଭନ ପାଇ ସେମାନଙ୍କର ଶିଶୁମାନଙ୍କ ପ୍ରତି ତାଙ୍କର ସାମ୍ବିଧାନିକ ଦାୟିତ୍ବରେ ଅବହେଳା କରିବେ। ସରକାରମାନେ ରାଜନୈତିକ ଫାଇଦା ପାଇଁ ବିଭିନ୍ନ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ପ୍ରୀତ କରିବାକୁ ଚେଷ୍ଟା କରିବେ ଏବଂ ତାଙ୍କର ଦାୟିତ୍ବ ପାଳନ କରିବେ ନାହିଁ। ଏଣୁ ଆମର ଏକମାତ୍ର ଭରସା ଦେଶର ସର୍ବୋଚ୍ଚ ନ୍ୟାୟାଳୟ, େଯହେତୁ ନାଗରିକମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ ଏବଂ ଏଥିପାଇଁ ସେମାନେ ଶପଥବଦ୍ଧ। ଅନେକ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ଚିଠିପତ୍ର ବା ପ୍ରକାଶିତ ସମ୍ବାଦ ଆଧାରରେ ନିଜ ପକ୍ଷରୁ ମୌଳିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ କରିଥାନ୍ତି। ନିଜର ସାମ୍ବିଧାନିକ ଅଧିକାର ବିଷୟରେ ଅଜ୍ଞ ଏବଂ ନିଜ ଅଧିକାରର ସୁରକ୍ଷା ପାଇଁ ଅସମର୍ଥ ଏହି ଅସହାୟ ଶିଶୁମାନଙ୍କୁ ନ୍ୟାୟଦେବା କ’ଣ ସର୍ବୋଚ୍ଚ ନ୍ୟାୟାଳୟରୁ ଆଶା କରାଯାଇ ପାରିବ ନାହିଁ?