ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପୁରସ୍କାର ଲାଭ କରିଛନ୍ତି କୋରାପୁଟ ଜିଲ୍ଲାର ଶିକ୍ଷକ ତରୁଣ କୁମାର ଦାଶ। ଓଡ଼ିଶାରେ ଓ ଓଡ଼ିଶା ବାହାରେ ଶିକ୍ଷାଦାନ କରିଥିବା ତରୁଣ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ସର୍ବଦା ଗୁରୁତ୍ବ ଦେବା ସହ ଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ଭିତରେ ସମନ୍ବୟକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ପୁଣି ସ୍କୁଲପିଲାମାନଙ୍କୁ ନେଇ ସାତଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ‘ରବିବାର ସମ୍ବାଦ’ ପକ୍ଷରୁ ଏହି କୃତବିଦ୍ୟ ଶିକ୍ଷକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମହେନ୍ଦ୍ର ସାହୁ
ଡିଜିଟାଲ୍ ଯୁଗରେ ମୋବାଇଲ୍ ଫୋନ୍ ମାଧ୍ୟମରେ ବହୁତ ଅଜଣା କଥା ଜାଣି ହେଉଛି। ଆଜିକାଲି ଛୋଟ ପିଲାମାନେ ମୋବାଇଲ୍କୁ ବହୁତ ଗୁରୁତ୍ବ ଦେଉଛନ୍ତି। ଅଧିକ ସମୟ ଏହା ବ୍ୟବହାର କରିବା ନାନାଦି ସମସ୍ୟା ସୃଷ୍ଟି କରୁଛି। ଆପଣଙ୍କ ମତରେ ଏହାର ସମାଧାନ କ’ଣ?
ସମୟ ବଦଳିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଜିଟାଲ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। ସ୍କୁଲ୍ରୁ ସବୁ ଶିକ୍ଷା ମିଳିପାରୁ ନାହିଁ। ପିଲାମାନଙ୍କୁ ବାହାର ଶିକ୍ଷା ମଧ୍ୟ ଦରକାର। ଇଣ୍ଟର୍ନେଟ୍ରୁ ବହୁ କଥା ଶିଖିବାକୁ ମିଳୁଛି। ସମୟକୁ ଗୁରୁତ୍ବ ଦେବାକୁ ପଡ଼ିବ। ପିଲାବେଳେ ଆମେ ରାମାୟଣ ଧାରାବାହିକ ଓ ଅନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖୁଥିଲେ। ଏସବୁ ଦେଖିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏବେ ପିଲାମାନଙ୍କ ହାତରେ ମୋବାଇଲ୍ ରହିବା ଦ୍ବାରା ଅଙ୍କୁଶ ରହୁନାହିଁ। ତେଣୁ ଏଥିପାଇଁ ସମୟ ଧାର୍ଯ୍ୟ କରିବା ଦରକାର। ମୋବାଇଲ୍ରେ ଶିକ୍ଷା ସଂପର୍କିତ ବହୁତ ଭିଡିଓ ଆସୁଛି, ସେଥିରୁ ପିଲାମାନେ ବହୁତ ଶିକ୍ଷା ପାଇପାରୁଛନ୍ତି। ସେମାନେ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଦେଖିବା ଜରୁରି। ରେଡିଓ କାର୍ଯ୍ୟକ୍ରମ ଶୁଣିବା, ସିରିଏଲ ଓ ଚଳଚ୍ଚିତ୍ର ମଧ୍ୟ ଦେଖିବା ବି ଦରକାର। ମୋବାଇଲ୍ର ନିୟନ୍ତ୍ରିତ ବ୍ୟବହାର ପିଲାର ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।
ଆଦିବାସୀ ଅଧ୍ୟୁଷିତ ଦକ୍ଷିଣ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଆଉ କେଉଁ ପଦକ୍ଷେପ ନିଆଯାଇପାରିବ ବୋଲି ଆପଣ ଭାବୁଛନ୍ତି?
ଶିକ୍ଷାର ବିକାଶ ପାଇଁ ସରକାର ବହୁ ନୂଆ ନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ଯୁଗୋପଯୋଗୀ ନୀତି ପ୍ରଣୟନ ଦ୍ବାରା ଶିକ୍ଷାର ସଂପ୍ରସାରଣ ହୋଇପାରିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀମାନଙ୍କର ଭାଷାରେ ଶିକ୍ଷାଦାନକୁ ଗୁରୁତ୍ବ ଦିଆଯିବା ଦରକାର। କାରଣ ପିଲା ନିଜ ଭାଷାରେ ଶିକ୍ଷାକୁ ଅଧିକ ଭଲଭାବରେ ବୁଝିପାରିବ। ବିଦ୍ୟାଳୟ ଭିତ୍ତିଭୂମିକୁ ଦୃଢ଼ କରିବାକୁ ପଡ଼ିବ। ପିଲାମାନଙ୍କୁ ଆକର୍ଷିତ କରିବା ଭଳି ପଦକ୍ଷେପ ବି ଜରୁରି। ସେହିପରି ପାଠପଢ଼ାରେ ପିଲାଙ୍କ ଆଗ୍ରହ ବଢ଼ାଇବାକୁ ସରକାର ଓ ଶିକ୍ଷକଙ୍କୁ ନଜର ଦେବାକୁ ପଡ଼ିବ। ଏତଦ୍ବ୍ୟତୀତ ସମାଜର ବିଭିନ୍ନ ବର୍ଗ ଲୋକଙ୍କର ସ୍କୁଲ୍ ଶିକ୍ଷାର ଉନ୍ନତି ପାଇଁ ଯୋଗଦାନ ଦରକାର। ଏସବୁ ପଦକ୍ଷେପ ନିଆଯିବା ଦ୍ବାରା ଆଦିବାସୀ ଅଞ୍ଚଳରେ ଡ୍ରପ୍ଆଉଟ୍ ସଂଖ୍ୟା ହ୍ରାସ ପାଇବ ଓ ଶ୍ରେଣୀରେ ଉପସ୍ଥାନ ବଢ଼ିବ।
ଆପଣ ବିଭିନ୍ନ ରାଜ୍ୟରେ ଶିକ୍ଷକତା କରିଛନ୍ତି। କୋରାପୁଟରେ ୧୧ ବର୍ଷ ବିତାଇ ସାରିଛନ୍ତି। ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ କ’ଣ ପାର୍ଥକ୍ୟ ଦେଖୁଛନ୍ତି?
କହିବାକୁ ଗଲେ କୋରାପୁଟର ମାଟି, ପାଣି ଓ ପବନ ଅତି ନିଜର ଲାଗୁଛି। କେରଳର ଭାଷା ଭିନ୍ନ ଥିଲା। ଝାଡ଼ଖଣ୍ଡରେ ଗୋଟିଏ ମାସ ବିତାଇଛି। କୋରାପୁଟ ଆସିଲା ପରେ ଏଠାକାର ଭାଷା ଓ ସଂସ୍କୃତି ଉଚ୍ଚକୋଟୀର ମନେହୋଇଛି। ଆମର ଚାକିରି ଯେହେତୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ନୁହେଁ। ଆଗାମୀ ଦିନରେ ଏଠାରୁ ଯେବେ ବି ବଦଳି ହେବ, ସେହି ସମୟରେ ନିଶ୍ଚିତ ଭାବେ ଦୁଃଖ ଲାଗିବ। କୋରାପୁଟର ପରିବେଶକୁ ଅନେକ ଲୋକ ସୁଇଜର୍ଲାଣ୍ଡ୍ ସହିତ ତୁଳନା କରିଥାନ୍ତି। ଏଥିପାଇଁ ଲୋକେ ବାହାରୁ ଏଠାକୁ ବୁଲିବାକୁ ଆସିଥାନ୍ତି। ଏଥିରେ ବିଦେଶୀ ନାଗରିକ ମଧ୍ୟ ସାମିଲ ଥାଆନ୍ତି। ଏଠାକାର ପାଣି ଓ ପବନର ମଜା ନିଅନ୍ତି। କିନ୍ତୁ କୋରାପୁଟରେ ରହି ବି ଅନେକ ଚାକିରି ଜୀବନ ସ୍ଥାୟୀ ଭାବେ ବିତାଇବା ପାଇଁ ଚାହୁନାହାନ୍ତି। ଏହାର କାରଣ ଦୂର ରାସ୍ତା ହୋଇପାରେ। ପୋଷ୍ଟିଂ କେଉଁ ଦୁର୍ଗମ ଅଞ୍ଚଳରେ ପଡ଼ିଯିବାର ମଧ୍ୟ ଅନେକଙ୍କୁ ଭୟ ଲାଗିଥାଏ। ତେବେ ଯୋଗାଯୋଗ କ୍ଷେତ୍ରରେ କୋରାପୁଟ ଅନେକ ଉନ୍ନତି କରିସାରିଛି।
ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିଛନ୍ତି। ଏହାଦ୍ବାରା ଶିକ୍ଷା କ୍ଷେତ୍ରରେ କ’ଣ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି?
ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ଦ୍ବାରା ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବାର ଆଶା ଦେଖାଯାଉଛି। ଏହି ପରିବର୍ତ୍ତନ ଧୀରେଧୀରେ ହେବ। ଦକ୍ଷତା ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ୨୦୪୭ରେ ବିକଶିତ ଭାରତକୁ ଲକ୍ଷ୍ୟ ରଖି ଏହା କରାଯାଇଥିବାରୁ ଏହା ପିଲାଙ୍କ କାମରେ ଆସିବ ବୋଲି ଆଶା କରାଯାଉଛି। ଏହାଦ୍ବାରା ପିଲାମାନେ ସଂସ୍କାରଧର୍ମୀ ହୋଇପାରିବେ। ପିଲା ନିଜ ଭାଷାରେ ଶିକ୍ଷାଗ୍ରହଣ କରନ୍ତୁ। ସ୍କୁଲ୍ଦିନରେ ଆମେ ମାନସାଙ୍କ ପଢୁଥିଲେ। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଏହିଭଳି ଶିକ୍ଷାର ପୁନଃ ପ୍ରଚଳନ କରାଯାଇଛି, ଯାହା ଫାଉଣ୍ଡେସ୍ନାଲ୍ ଲିେଟରେସି ଆଣ୍ଡ୍ ନ୍ୟୁମେରେସି ନାମରେ ଜଣାଶୁଣା।
ରାଷ୍ଟ୍ରପତିଙ୍କ ଠାରୁ ‘ଜାତୀୟ ଶିକ୍ଷକ ସମ୍ମାନ’ ଆଣିବା ପାଇଁ ଯେତେବେଳେ ଆପଣଙ୍କ ନାମ ଘୋଷଣା କରାଗଲା, ସେହି ସମୟରେ ଆପଣ କ’ଣ ଅନୁଭବ କରିଥିେଲ?
ଖୁସି ଲାଗିବା ତ ନିଶ୍ଚିତ। ରାଷ୍ଟ୍ରପତିଙ୍କ ଦ୍ବାରା ଶିକ୍ଷକ ପୁରସ୍କାର ପାଇବା ପୂର୍ବରୁ ଅନେକଗୁଡ଼ିଏ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ଏହି ପୁରସ୍କାର ପାଇଁ ଗତ ଜୁନ୍ ମାସରେ ଆବେଦନ କରିଥିଲି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମୋର ନାମକୁ ମଂଜୁରୀ ଦିଆଯାଇ ସୁପାରିସ ପାଇଁ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା। ଜୁଲାଇ ମାସ ୩୧ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପେନାଲ୍ କମିଟି ଏକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋର ସାକ୍ଷାତ୍କାର ନେଇଥିଲେ। ଏହି ସାକ୍ଷାତ୍କାରରେ ଦେଶର ୨୫ଟି ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଶିକ୍ଷକମାନେ ଯୋଗଦେଇଥିଲେ। ଶେଷରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୫ଜଣ ଶିକ୍ଷକଙ୍କ ନାମ ଶିକ୍ଷା ମନ୍ତ୍ରାଳୟକୁ ଅନୁମୋଦନ ପାଇଁ ପଠାଇଥିଲା। ଶିକ୍ଷା ମନ୍ତ୍ରାଳୟ ଅଗଷ୍ଟ ୧୧ରେ ଆଉଏକ ଭିଡିଓ ସାକ୍ଷାତ୍କାର ନେଇଥିଲା। ମୋ ବ୍ୟତୀତ ଅନ୍ୟ ୪ଟି କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଥିଲୁ। ଏହି ୫ଜଣଙ୍କ ମଧ୍ୟରୁ ମୋତେ ଚୟନ କରାଯାଇଥିଲା। ଚଳିତବର୍ଷ ଦେଶର ୪୫ଜଣ ବିଦ୍ୟାଳୟ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦିଆଯାଇଥିଲା। ସେହିପରି ଉଚ୍ଚଶିକ୍ଷା ପାଇଁ ୨୧ ଜଣ ଓ ଦକ୍ଷତାମୂଳକ ଶିକ୍ଷା ପାଇଁ ୧୫ଜଣଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ।
ପିଲାଙ୍କୁ ଗଢ଼ିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା କିଭଳି ହେବା ଉଚିତ?
ଅଭିଭାବକମାନେ ପିଲାମାନଙ୍କୁ ଗଢ଼ିବା ପାଇଁ ପରିବାରରେ ସଂସ୍କାର ଦେଉଛନ୍ତି। ପିଲାମାନେ ଭଲ ମଣିଷ ହେବେ ବୋଲି ସେମାନେ ଦିନରାତି ଉଦ୍ୟମ କରୁଛନ୍ତି। ଶିକ୍ଷକମାନେ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ମାର୍ଗଦର୍ଶନ କରି ଯୁଗପୋଯୋଗୀ କରୁଛନ୍ତି। ତେଣୁ ଉଭୟ ଅଭିଭାବକ ଓ ଶିକ୍ଷକ ଉତ୍ତମ ସମନ୍ବୟ ରଖି କାମ କଲେ ପିଲା ଆଗକୁ ବଢ଼ିବେ।
ପିଲାଙ୍କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଆପଣ ଜାତୀୟସ୍ତରେ ସ୍ବୀକୃତି ପାଇଛନ୍ତି?
ହଁ, ସ୍କୁଲପିଲାମାନଙ୍କୁ ନେଇ ଏ ପର୍ଯ୍ୟନ୍ତ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି। ଏଥିରୁ ୩ଟିକୁ ଜାତୀୟ ପୁରସ୍କାର ମିଳିଛି। ୨୦୨୨ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ସଡ଼କ’ ନିର୍ମାଣ କରିଥିଲି। ଏହାକୁ ଜାତୀୟ ପୁରସ୍କାର ମିଳିଥିଲା। ଏହି ଚଳଚ୍ଚିତ୍ରଟି ସଡ଼କ ସୁରକ୍ଷା ନିୟମ ଉପରେ ଆଧାରିତ ଥିଲା। ଏହି ଫିଲ୍ମରେ ଅଭିନୟ କରିଥିବା ପିଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ। ଟ୍ରଫି ଓ ପ୍ରମାଣପତ୍ର ସହ ନଗଦ ୨୫ ହଜାର ଟଙ୍କା ପୁରସ୍କାର ମିଳିଥିଲା। ଯେଉଁ ପିଲା ଏହି ପୁରସ୍କାର ପାଇଥିଲା, ଏହାକୁ ସେ ସ୍କୁଲ୍କୁ ପ୍ରଦାନ କରିଥିଲା। ଆମ ଛାତ୍ର ଆୟୁଷ ଦାଶ ସବୁ ଫିଲ୍ମର ସୁଟିଂ ଓ ଏଡିଟିଂ କରିଛନ୍ତି। ଅନ୍ୟ ଦୁଇଟି ଚଳଚ୍ଚିତ୍ର ହେଲା ୨୦୨୪ରେ ‘ଦାଦାଜୀ କା ଥେଲା’। ଏହା ପ୍ଲାଷ୍ଟିକ୍ ଉପରେ କେନ୍ଦ୍ରୀତ ଥିଲା। ୨୦୨୫ରେ ଇନ୍କ୍ଲୁସିଭ୍ ଶିକ୍ଷା ନେଇ ‘ପହିୟା କୁର୍ସି’ ସଚେତନଧର୍ମୀ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।
ପିଲାମାନଙ୍କ ପାଇଁ ଆଉ କିଛି ବାର୍ତ୍ତା ଦେବେ କି?
ଶିଶୁ କେବଳ ସ୍କୁଲ୍ରେ ପାଠ ପଢ଼ି ଆଗକୁ ବଢ଼ିପାରିବ ନାହିଁ। ଶିଶୁର ସାମଗ୍ରିକ ବିକାଶ ପାଇଁ ସମାଜର ମଧ୍ୟ ଗୁରୁଦାୟିତ୍ବ ଅଛି। ଶିଶୁକୁ ସେମିତି ଗଢ଼ିବା, ଯାହାଦ୍ବାରା ସେ ଆଗାମୀ ଦିନରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସକ୍ଷମ ହୋଇପାରିବ।
ତରୁଣଙ୍କ ଶିକ୍ଷକ ଜୀବନ
୨୦୦୬ରେ ଶିକ୍ଷା ସହାୟକ ଭାବେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ବତାଗଡ଼ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ ତରୁଣ କୁମାର ଦାଶ। ପରେ ସେ ଏଠାରେ ପ୍ରଧାନଶିକ୍ଷକ ଦାୟିତ୍ବ ନେଇ ୨୦୦୯ ଜାନୁଆରି ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେହିବର୍ଷ ଜାନୁଆରିରେ କେରଳର ପାଥନାମଥିଟା ଜିଲ୍ଲା ଆଡୁରସ୍ଥିତ ସିଫ୍ଟ-୨ କେନ୍ଦ୍ରୀୟ ବିଦ୍ୟାଳୟରେ ଅବସ୍ଥାପିତ ହୋଇ ନୂଆ କ୍ୟାରିୟର ଆରମ୍ଭ କରିଥିଲେ। ସେଠାରୁ ୨୦୧୨ ମେ ମାସରେ ଗଞ୍ଜାମ ଜିଲ୍ଲା ଭଂଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ବଦଳି ହୋଇଥିଲେ। ଏଠି ଦୁଇବର୍ଷର ଚାକିରି ପରେ ୨୦୧୪ ଜୁଲାଇରେ ଝାଡ଼ଖଣ୍ଡର ଗଡ଼ବାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ ତାଙ୍କୁ ବଦଳି କରାଯାଇଥିଲା। ମାତ୍ର ଏକ ମାସ ପରେ ସେ ପୁଣି ଓଡ଼ିଶାକୁ ଫେରି ଆସିଥିଲେ ଏବଂ କୋରାପୁଟରେ ତାଙ୍କୁ ନିଯୁକ୍ତି ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/sfhfshhfsxvbvvbx-2025-11-02-00-45-04.jpg)