ବର୍ଷ ସାରା ରାସ୍ତାରେ ରାତି କାଟିଲେ ଶିକ୍ଷକ। ହକ୍ ପାଇଁ ଲାଠି ମାଡ଼ ଖାଇଲେ। ମାଟ୍ରିକ୍, ସିବିଏସ୍ଇ, ବିପିୟୁଟି ପରୀକ୍ଷା ପରିଚାଳନାରେ ହେଲା ବିଭ୍ରାଟ। କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ ତ କେଉଁଠି ଫଳ ପ୍ରକାଶନରେ ବିଳମ୍ବ। ପୁଣି ପ୍ରାଥମିକ ଓ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଲାନି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ଯାତନାର ଅଭିଯୋଗ ଅନୁଷ୍ଠାନର ସୁନାମରେ ଅଞ୍ଚ ଆଣିଲା। ଲଗାତର ଛାତ୍ର ଅଶାନ୍ତି କ୍ୟାମ୍ପସ୍ର ପରିବେଶକୁ ନଷ୍ଟ କଲା। ଏତିକିରେ ବିବାଦ ସରିଲାନି। ସର୍ବୋଚ୍ଚ ସ୍ତରକୁ ଛୁଇଁଲା ବିବାଦ। ତିନି କୁଳପତିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲା ରାଜଭବନ। ପୁଣି ରାଜଭବନ ଅଧିକାରୀଙ୍କୁ ବିବାଦରେ ଛନ୍ଦିଲେ କୁଳପତି। ଜାଲ୍ ସାର୍ଟିଫିକେଟ୍ ରୢାକେଟ୍, ନକଲି ପରୀକ୍ଷାର୍ଥୀ, ମଧ୍ୟାହ୍ନଭୋଜନରୁ ପୋକ ବାହାରିବା ଆଦି ଘଟଣା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ପଦାରେ ପକାଇଲା। ଏସବୁ ଭିତରେ ଆଶ୍ବାସନା ଦେଲା ଦୁଇଟି ମେଡିକାଲ କଲେଜରେ ନାମଲେଖା...ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ... ପୂର୍ଣ୍ଣାଙ୍ଗ ଆଇଆଇଟିର ଲୋକାର୍ପଣ...।
ଉପସ୍ଥାପନା: କେଶବ ପାଣି, ଅଳଙ୍କରଣ: ରବି
ଗୁରୁ ଗର୍ଜନ
ହକ୍ ପାଇଁ ବର୍ଷ ସାରା ବ୍ଲକରୁ ରାଜଧାନୀ ପର୍ଯ୍ୟନ୍ତ ରାସ୍ତାରେ ଗର୍ଜିଥିଲେ ଗୁରୁ। ଯୋଗ୍ୟ ବିବେଚିତ ଦିନଠାରୁ ଚାକିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ ସହିତ ପୂର୍ଣ୍ଣଅନୁଦାନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଡାକରାରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ବାରମ୍ବାର ରାସ୍ତାକୁ ଓହ୍ଲାଇଥିଲେ। ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ ସମୟରେ ସହଯୋଗ କରି ନଥିଲେ। ସେପ୍ଟେମ୍ବର ମାସରେ ୪୨ ଦିନ ଧରି ଲୋୟର ପିଏମ୍ଜିରେ ବସିଥିଲେ। ଏମାନଙ୍କ ବ୍ୟତୀତ ବିଶ୍ବବିଦ୍ୟାଳୟ ଶିକ୍ଷକ, ପ୍ରାଥମିକ ଶିକ୍ଷକ, ଏସ୍ସି/ଏସ୍ଟି ଶିକ୍ଷକ, କଳା ଶିକ୍ଷକ, ଚୁକ୍ତିଭିତ୍ତିକ ଶିକ୍ଷକ, ଶିକ୍ଷା ସହାୟକ, ଅଙ୍ଗନବାଡ଼ି ଦିଦି ଭିନ୍ନ ଭିନ୍ନ ଦାବି ନେଇ ରାସ୍ତାରେ ଆନ୍ଦୋଳନ କରିଥିଲେ।
ଶ୍ରେଷ୍ଠ ଶହେରେ ନିରାଶ
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଏନ୍ଆଇଆରଏଫ୍ ପକ୍ଷରୁ ପ୍ରକାଶିତ ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଏଥର ବି ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା। କେବଳ ଓୟୁଏଟିକୁ ଛାଡ଼ି ଦେଲେ ଆଉ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ କୌଣସି ବର୍ଗରେ ଶ୍ରେଷ୍ଠ ଶହେରେ ସ୍ଥାନ ହାସଲ କରିପାରି ନ ଥିଲେ। ନାକ୍ ‘ଏ+’ ଗ୍ରେଡ୍ ଓ କେନ୍ଦ୍ର ସରକାରଙ୍କ କାଟାଗୋରି-୧ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଲଜ୍ଜ୍ୟାକର ସ୍ଥିତି ଉଚ୍ଚଶିକ୍ଷାର ମାନକୁ ନେଇ ପ୍ରଶ୍ନ ଉଠାଇଥିଲା। ସେହିପରି ‘ଇଣ୍ତିଆ ଟୁଡେ’ର ଆଇନ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍ରେ କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଥିଲା। ଟାଇମ୍ସ ଶ୍ରେଷ୍ଠ ବିଶ୍ବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍ରେ ଦେଶର ୪୯ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାରୁ ଆଇଆଇଟି, ଏନ୍ଆଇଟି ଓ କିଟ୍ ସ୍ଥାନ ପାଇଥିଲେ।
ପରୀକ୍ଷା ବିଭ୍ରାଟ
ପରୀକ୍ଷା ବିଭ୍ରାଟର ବର୍ଷ ଥିଲା ୨୦୧୮। ମାଟ୍ରିକ୍ରୁ ଆରମ୍ଭ କରି ଯୁକ୍ତ୨, ଯୁକ୍ତ୩, ସିବିଏସ୍ଇ, ଇଞ୍ଜିନିୟରିଂ ପ୍ରଭୃତି ପାଠ୍ୟକ୍ରମର ପରୀକ୍ଷାକୁ ବାରମ୍ବାର ବାତିଲ୍ କରିବାକୁ ପଡ଼ିଛି। ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ବାହାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଯୁକ୍ତ୨ ପରୀକ୍ଷା ଚାଲିଥିବା ବେଳେ ପୁରୀ ଜିଲ୍ଲା କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସିବିଏସ୍ଇ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅବଶ୍ୟ ପରେ ଓଡ଼ିଶାର ଛାତ୍ରଛାତ୍ରୀ ଏଥିରୁ ବର୍ତ୍ତି ଯାଇଥିଲେ। ବିପିୟୁଏଟି ଅଧୀନ କଲେଜଗୁଡ଼ିକର ପରୀକ୍ଷା ବାରମ୍ବାର ବାତିଲ୍ ହୋଇଥିଲା।