ନୂଆଦିଲ୍ଳୀ: ୟୁନିୟନ ପବ୍ଲିକ ସର୍ଭିସ କମିସନ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାକୁ ଦେଶର ସବୁଠାରୁ କଠିନ ପରୀକ୍ଷା ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥାନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସଫଳତା ପାଆନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି କେ ଜୟଗନେଶ।
ଜୟଗନେଶ ବାରମ୍ବାର ବିଫଳତା ପରେ ମଧ୍ୟ ହାର ମାନି ନଥିଲେ। ସେ କ୍ରମାଗତ ୬ ଥର ୟୁପିଏସ୍ସି ସିଭିଲ ସର୍ଭିସ ପରୀକ୍ଷାରେ ବିଫଳ ହୋଇଥିଲେ ବି ତାଙ୍କର ମନୋବଳ ଭାଙ୍ଗି ଯାଇନଥିଲେ। କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ସପ୍ତମ ଥର ଚେଷ୍ଟା କରି ଆଇଏଏସ୍ ହେବାର ସ୍ୱପ୍ନ ପୂରଣ କରି ପାରିଛନ୍ତି।
ଜୟଗନେଶ ପ୍ରଥମେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ମନୋନୀତ ହୋଇଥିଲେ। କିନ୍ତୁ ତାଙ୍କର ସ୍ୱପ୍ନ ଥିଲା ଆଇଏଏସ୍ ହେବା। ଏହି କାରଣରୁ ସେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି ନକରି ଅଧ୍ୟୟନ ଜାରି ରଖିଥିଲେ। ଶେଷରେ, ସପ୍ତମ ପ୍ରୟାସରେ ସେ ଏହି ପରୀକ୍ଷାରେ ସଫଳତା ପାଇଲେ। ସପ୍ତମ ପ୍ରୟାସରେ, ସାରା ଦେଶରେ ୧୫୬ ତମ ରାଙ୍କ୍ରେ ରହି ଆଇଏଏସ୍ ଅଧିକାରୀ ହୋଇ ପାରିଛନ୍ତି ଜୟଗନେଶ।
କେ ଜୟଗନେଶ ନିଜ ଗାଁରେ ରହି ପ୍ରଥମ ତିନି ଥର ଚେଷ୍ଟା କରିଥିଲେ। ସେ ସମୟରେ ସଫଳ ହୋଇ ପାରିନଥିଲେ। ଏହା ପରେ ସେ ଗାଁ ଛାଡି ଚେନ୍ନାଇକୁ ଯାଇ ତାଙ୍କ ସ୍ୱପ୍ନକୁ ସାକାର କଲେ। ଚେନ୍ନାଇରେ ସେ ‘ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଏସ’ରେ ଆଡମିସନ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଚେନ୍ନାଇରେ ରହିବା ସମୟରେ ତାଙ୍କୁ ଟଙ୍କା ଦରକାର ଥିଲା। ସେ ଏହି ସହରର ଅନେକ ସ୍ଥାନରେ କାମ କରିଥିଲେ। ତାଙ୍କ ଖର୍ଚ୍ଚ ତୁଲେଇବା ପାଇଁ ସେ ଏକ ହୋଟେଲରେ ୱେଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ କିଛି ଦିନ ସିନେମା ହଲରେ ବି କାମ କରିଥିଲେ।