ବ୍ୟାଙ୍କ୍‌ମାନେ ଋଣ ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣତଃ ଋଣ ଦେବାବେଳେ କିଛି ବନ୍ଧକ (କୋଲାଟେରାଲ୍‌ ସିକ୍ୟୁରିଟି) ରଖନ୍ତି। ମାତ୍ର ଆର୍ଥିକ ଭାବେ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣରେ କୌଣସି ବନ୍ଧକ ନ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶନାମା ରହିଛି। ଶିକ୍ଷାଋଣରେ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ପିତାମାତା ଓ ଅଭିଭାବକଙ୍କୁ ସହ-ଆବେଦନକାରୀ ଭାବରେ ନିଆଯାଇଥାଏ। ସାଧାରଣତଃ ସାଢ଼େ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବା ପାଇଁ କେବଳ ଗ୍ୟାରେଣ୍ଟି ଓ ତା’ଠାରୁ ଅଧିକ ଋଣ କ୍ଷେତ୍ରରେ ବନ୍ଧକ ଆବଶ୍ୟକ ହୋଇଥାଏ। ତେବେ ଆଜିକାଲି ଅନେକ ବ୍ୟାଙ୍କ ଆଇ.ଆଇ.ଟି., ଆଇ.ଆଇ.ଏମ୍. ଓ ଏନ୍.ଆଇ.ଟି. ଭଳି ଉଚ୍ଚ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଅଧିକ ପରିମାଣର ଋଣ ପାଇଁ ମଧ୍ୟ ବନ୍ଧକଛାଡ଼ କରୁଛନ୍ତି।

Advertisment

ମୁଖ୍ୟ ବ୍ୟାବସାୟିକ ବ୍ୟାଙ୍କ୍‌ଗୁଡ଼ିକ ଶିକ୍ଷାଋଣ ଉପରେ ପ୍ରାୟ ୯ରୁ ୧୪ ପ୍ରତିଶତ ସୁଧ ଧାର୍ଯ୍ୟ କରୁଛନ୍ତି। ଉଚ୍ଚ ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ/ ଶିକ୍ଷାନୁଷ୍ଠାନ ତଥା ଅତ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବ୍ୟାଙ୍କ୍‌ମାନେ ସୁଧ କୋହଳ କରିବାର ଦେଖାଯାଏ।

କେତେ ସୁଧ ଦେବାକୁ ହୁଏ?
ସ୍ବାଧୀନ ଭାବରେ ସୁଧର ହାର ସ୍ଥିର କରିବା ପାଇଁ ବ୍ୟାଙ୍କ୍‌ମାନଙ୍କର ଅଧିକାର ରହିଛି। ଋଣ ପାଇଁ ମାନକ ସୁଧହାର (ବେଞ୍ଚମାର୍କ ଲେଣ୍ଡିଂ ରେଟ୍) ସହ ରିସ୍କ ପ୍ରିମିୟମ୍‌ ମିଶାଇ ଏହି ସୁଧହାର ସ୍ଥିର କରାଯାଇଥାଏ। ଆଜି ଦିନରେ ମୁଖ୍ୟ ବ୍ୟାବସାୟିକ ବ୍ୟାଙ୍କ୍‌ଗୁଡ଼ିକ ଶିକ୍ଷାଋଣ ଉପରେ ପ୍ରାୟ ୯ରୁ ୧୪ ପ୍ରତିଶତ ସୁଧ ଧାର୍ଯ୍ୟ କରୁଛନ୍ତି। ଉଚ୍ଚ ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ/ ଶିକ୍ଷାନୁଷ୍ଠାନ ତଥା ଅତ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବ୍ୟାଙ୍କ୍‌ମାନେ ସୁଧ କୋହଳ କରିବାର ଦେଖାଯାଏ। ସାଧାରଣତଃ ଋଣ ପରିଶୋଧ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସରଳ ସୁଧ ହିସାବ କରାଯାଇଥାଏ।
ଋଣର ପରିମାଣ କିପରି ହିସାବ କରାଯାଏ?
ଶିକ୍ଷା ଋଣର ପରିମାଣ ନିରୂପଣ କରିବା ପାଇଁ ବ୍ୟାଙ୍କ୍‌ମାନେ ଯେଉଁସବୁ ଖର୍ଚ୍ଚ ବିଚାରକୁ ନିଅନ୍ତି, ସେଗୁଡ଼ିକ ହେଲା- ପାଠ୍ୟକ୍ରମପାଇଁ ଟ୍ୟୁସନ୍‌ ଫିସ୍, ହଷ୍ଟେଲ ଫିସ୍, ବହି, କମ୍ପ୍ୟୁଟର ଓ ଲାବୋ‌ରେଟୋରି ଖର୍ଚ୍ଚ ଇତ୍ୟାଦି। ବିଲ୍‌ଡିଂ ଫଣ୍ଡ୍ ଜମା ବା କସନ୍ ମନି (ଅମାନତ) ଆଦି କଲେଜ ଟ୍ୟୁସନ୍‌ ଫିସ୍‌ର ଶତକଡ଼ା ଦଶ ଭାଗ ମଧ୍ୟରେ ଥିଲେ, ତାହା ମଧ୍ୟ ବିଚାରକୁ ନିଆଯାଇପାରେ। ଏହା ଛଡ଼ା ବିଦେଶରେ ପଢ଼ିବାକୁ ଯାଇଥିଲେ ଯାତ୍ରା ଖର୍ଚ୍ଚ ମଧ୍ୟ ହିସାବକୁ ନିଆଯାଏ। ମୋଟ ଆକଳନ କରାଯାଇଥିବା ଖର୍ଚ୍ଚରୁ ମାର୍ଜିନ୍‌ କାଟି ଋଣର ପରିମାଣ ସ୍ଥିର କରାଯାଏ। ଆଇ.ବି.ଏ ଦ୍ବାରା ପ୍ରସ୍ତୁତ ସ୍କିମ୍ ଅନୁସାରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ ପାଇଁ ମାର୍ଜିନ୍‌ ନିଆଯାଏ ନାହିଁ। ୪ ଲକ୍ଷରୁ ସାଢ଼େ ୭ ଲକ୍ଷ ଋଣ ପର୍ଯ୍ୟନ୍ତ ଦେଶ ଭିତରେ ଶିକ୍ଷା ପାଇଁ ୫ ପ୍ରତିଶତ ଓ ବିଦେଶରେ ଶିକ୍ଷା ପାଇଁ ୧୫ ପ୍ରତିଶତ ମାର୍ଜିନ ଧାର୍ଯ୍ୟ କରାଯାଇଛି। ଶିକ୍ଷାନୁଷ୍ଠାନରୁ ମିଳୁଥିବା ଶିକ୍ଷାବୃତ୍ତିକୁ ମାର୍ଜିନ୍‌ ହିସାବରେ ବିବେଚନା କରାଯାଇପାରିବ।
ଋଣ ପରିଶୋଧ
ସାଧାରଣତଃ ପାଠ୍ୟକ୍ରମ ଅବଧି ଶେଷ ହେବାର ୧ ବର୍ଷ ପରଠାରୁ ଋଣ ପରିଶୋଧ ଆରମ୍ଭ ହୋଇଥାଏ ଏବଂ ପରିଶୋଧ ଅବଧି ୧୫ ବର୍ଷ ପର୍ଯ୍ୟନ୍ତ ରହିଥାଏ।
ଆୟକର ରିହାତି
ଶିକ୍ଷାଋଣ ପାଇଁ ଦିଆଯାଉଥିବା ସୁଧ ଉପରେ ଆୟକର ରିହାତିର ବ୍ୟବସ୍ଥା ଅଛି।
ଆଜିକାଲି ବିଭିନ୍ନ ବ୍ୟାଙ୍କ୍‌ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାଋଣକୁ ସହଜ ଓ ସରଳ କରିବା ପାଇଁ ସର୍ତ୍ତରେ କିଛିକିଛି ପରିବର୍ତ୍ତନ କରୁଛନ୍ତି। ଏଣୁ ଋଣ ନେବା ପୂର୍ବରୁ ଏସବୁ ଯୋଜନାର ସର୍ତ୍ତଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବା ଜରୁରି।