ଏସିନେମା ସମ୍ପର୍କରେ ଦୁଇଟି କଥା ଜାଣିବା ଗୁରୁତ୍ବପୂର୍ଣ୍ଣ- ୨୦୧୯ର ‘କେଶରୀ’ ଚଳଚ୍ଚିତ୍ର କାହାଣୀ ସହିତ ଏହାର କୌଣସି ସମ୍ପର୍କ ନାହିଁ; ଦ୍ବିତୀୟ, ଚଳଚ୍ଚିତ୍ର ଆରମ୍ଭରୁ ‘ଏହା ବାସ୍ତବ ଇତିହାସ ଦ୍ବାରା ଅନୁପ୍ରାଣିତ ହୋଇଥିଲେ ହେଁ ସଂପୂର୍ଣ୍ଣ କାଳ୍ପନିକ’ ବୋଲି ଉଲ୍ଲେଖ କରାଯାଇଛି, ଯାହା ଉପରେ ସହଜରେ ଧ୍ୟାନ ପଡ଼େ ନାହିଁ। କିଛି ବର୍ଷ ହେଲା ଐତିହାସିକ ସିନେମା ନାମରେ ଇତିହାସକୁ ମୋଡ଼ିମକଚି ପ୍ରଦର୍ଶନ କରାଯାଉଥିବାରୁ, ଉକ୍ତ ସନ୍ଦର୍ଭ ମନେ ରଖି ‘କେଶରୀ ୨’ ଭଳି ସିନେମା ଦେଖିବା ଗୁରୁତ୍ବପୂର୍ଣ୍ଣ।
ଭାରତୀୟଙ୍କ ଉପରେ ବ୍ରିଟିସ ଅତ୍ୟାଚାରର ସବୁଠାରୁ କଳଙ୍କିତ ଘଟଣା ଭାବେ ୧୯୧୯ ଏପ୍ରିଲ ୧୩ ଜାଲିଆଁଵାଲାବାଗ ଗଣହତ୍ୟା ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଚଳଚ୍ଚିତ୍ର ଆରମ୍ଭରେ ଜେନେରାଲ ଡାୟର୍ର ଆଦେଶରେ ନିରୀହ ଲୋକଙ୍କ ଉପରେ ଅତର୍କିତ ଗୁଳିମାଡ଼ର ଅତ୍ୟନ୍ତ ଲୋମହର୍ଷଣକାରୀ ଦୃଶ୍ୟ ରହିଛି। ସହସ୍ରାଧିକ ଭାରତୀୟଙ୍କ ହତ୍ୟା ଯେମିତି ଯଥେଷ୍ଟ ନ ଥିଲା, ନିର୍ଦେଶକ ପାଦେ ଆଗକୁ ଯାଇ ଗୁଳିମାଡ଼ରେ ଲୋକମାନଙ୍କ ଗୋଡ଼ ଦୁଇଖଣ୍ଡ ହୋଇଯାଇଥିବାର ଦେଖାଇଛନ୍ତି! ଏଭଳି ରକ୍ତପାତର ଦୃଶ୍ୟ ଯୋଗୁଁ ସେନସର ବୋର୍ଡ ଏହି ଚଳଚ୍ଚିତ୍ରକୁ ‘ଏ’ ସାର୍ଟିଫିକେଟ୍ ଦେଇଥିବେ ବୋଲି ଭାବୁଥିଲେ ମନେପକାଇବା ଆବଶ୍ୟକ ଯେ ସମାନ ଘଟଣାର ଦୃଶ୍ୟ ଥିବା ‘ସର୍ଦାର ଉଧାମ’ ସିନେମାକୁ ‘ୟୁଏ’ ସାର୍ଟିଫିକେଟ୍ ମିିଳିଥିଲା। କେଶରୀ ୨କୁ ‘ଏ’ ସାର୍ଟିଫିକେଟ୍ ମିଳିବାର ବାସ୍ତବ କାରଣ ହେଲା ଚଳଚ୍ଚିତ୍ର ଶେଷ ଆଡ଼କୁ ଏକ ଅପ୍ରତ୍ୟାଶିତ (ଇତିହାସ ଦୃଷ୍ଟିରୁ ଅସତ୍ୟ) ଦୃଶ୍ୟରେ ଜାତୀୟତାବାଦୀ ଓକିଲ ତଥା ନାୟକ ଶଙ୍କରନ୍ ନାୟର (ଅକ୍ଷୟ କୁମାର) ଇଂରେଜ ବିଚାରପତିଙ୍କୁ ଏକ ଅଶ୍ରାବ୍ୟ ଶବ୍ଦ କହି ଗାଳି ଦେଇଛନ୍ତି।
ଶଙ୍କରନ୍ ଜଣେ କେରଳୀ ହୋଇଥିବାରୁ ଅକ୍ଷୟ କୁମାର ତାଙ୍କ ଚରିତ୍ରରେ ଅଭିନୟ କରିବା ସ୍ବାଭାବିକ ଲାଗି ନ ଥାଏ, ଯଦିଓ ଅକ୍ଷୟ ଉକ୍ତ ଚରିତ୍ରକୁ ପ୍ରାଣପଣେ ନ୍ୟାୟ ଦେଇଛନ୍ତି। ଅକ୍ଷୟଙ୍କ ସହ ଜଡ଼ିତ ଧରାବନ୍ଧା ‘ଅପରାଜେୟ ନାୟକ’ର ଧାରା ଏହି ସିନେମାରେ ବି ଅବ୍ୟାହତ ରହିଛି। ସିନେମାର ସଂଳାପ ଚମତ୍କାର ହୋଇଥିଲେ ହେଁ ଏହାର ଚିତ୍ରନାଟ୍ୟ ସେତେ ଭଲ ନୁହେଁ। ଉଦାହରଣ ସ୍ବରୂପ ଶଙ୍କରନ୍ ଜଣେ କଂଗ୍ରେସ ନେତା ଥିଲେ ବୋଲି ସିନେମାରେ ଉଲ୍ଲେଖ ସୁଦ୍ଧା ନାହିଁ। ସେ ଇଂରେଜ ସମର୍ଥକରୁ ଦେଶପ୍ରେମୀ ପାଲଟିବାର ପ୍ରକ୍ରିୟା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ନାହିଁ। ନବାଗତା ଓକିଲ ଦିଲ୍ରୀତ୍ ଗିଲ୍ ଭାବେ ଅନନ୍ୟା ପାଣ୍ଡେ ଭଲ ଅଭିନୟ କରିଛନ୍ତି, କିନ୍ତୁ କାହାଣୀରେ ତାଙ୍କ ଚରିତ୍ରର ବିଶେଷ ଭୂମିକା ନାହିଁ।
ନାୟକର ପ୍ରତିପକ୍ଷ ଭାବେ ଆର୍. ମାଧବନ୍ଙ୍କ ଅଭିନୟ ନିଖୁଣ ସ୍ତରର। ବିଭିନ୍ନ ଇଂରେଜ ଚରିତ୍ରରେ ଦେଖାଦେଇଥିବା ଅଭିନେତାମାନଙ୍କ ପ୍ରଦର୍ଶନ ସ୍ମରଣୀୟ ବୋଲି କହିହେବ ନାହିଁ।
ଏହି ସିନେମା ପ୍ରଥମାର୍ଦ୍ଧରେ ଗଣମାଧ୍ୟମ ଓ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ସରକାରୀ କଟକଣା, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ପୁଲିସର ଦମନ, ଅଧିକାରୀଙ୍କୁ ରକ୍ଷା କରିବା ଲାଗି ଅନୁସରଣ କରାଯାଉଥିବା ଆଇନଗତ କୁଚକ୍ର ଆଦି ବିଷୟ ବର୍ତ୍ତମାନର ପରିସ୍ଥିତି ସହ ସାମଞ୍ଜସ୍ୟକୁ ଆପଣା ଛାଏଁ ମନେ ପକାଇଦିଏ। କିନ୍ତୁ ଏ ସିନେମା ସେସବୁ ସାହସିକ ପ୍ରସଙ୍ଗକୁ ଅନୁସରଣ ନକରି ଦର୍ଶକଙ୍କ ମନରେ ଉଗ୍ର ଦେଶପ୍ରେମ ଜନ୍ମାଇବା ଦିଗରେ ଅଗ୍ରସର ହୋଇଛି, ଯାହା ସମାନ ଘଟଣାକୁ ନେଇ ନିର୍ମିତ ‘ସର୍ଦ୍ଦାର ଉଧାମ’ ପ୍ରତି ଶ୍ରଦ୍ଧାକୁ ଆହୁରି ଗଭୀର କରିଦିଏ। ସବୁ ଖୁଣ ସତ୍ତ୍ବେ ଭଲ ସଂଳାପ ଓ ଅଭିନୟ ଯୋଗୁଁ ‘କେଶରୀ ୨’ ଦ୍ବିତୀୟାର୍ଦ୍ଧରେ ଦର୍ଶକଙ୍କୁ ମନକୁ ସଂପୂର୍ଣ୍ଣ ରୂପେ ଆଚ୍ଛନ୍ନ, ଆହ୍ଲାଦିତ ଓ ଶେଷ ଆଡ଼କୁ କ୍ରୋଧାନ୍ବିତ କରିବା ସୁନିଶ୍ଚିତ।