ମହାକାଶ ଯାତ୍ରାରେ ଯିବା ଲାଗି ମହାକାଶଚାରୀମାନେ ବୈଷୟିକ ତାଲିମ ନେବା ସହ ପୃଥିବୀ ବାହାର ପରିବେଶ ସହ ଖାପ ଖୁଆଇ ଚଳିବା ପାଇଁ ମଧ୍ୟ କୃତ୍ରିମ ଭାବରେ ଅନୁରୂପ ପରିବେଶର ଆବଶ୍ୟକ ଅନୁଭୂତି ହାସଲ କରିଥା’ନ୍ତି। ଏସବୁ ପ୍ରସ୍ତୁତି ସତ୍ତ୍ବେ ମହାକାଶଚାରୀଙ୍କୁ ସୀମିତ ସମୟ ପାଇଁ ମହାକାଶକୁ ପଠାଯାଇଥାଏ। ମାତ୍ର କୌଣସି କାରଣରୁ ଅନ୍ତରୀକ୍ଷରେ ନିର୍ଦ୍ଧାରିତ ଅବଧି ଠାରୁ ଅଧିକ କାଳ ବିତାଇବାକୁ ପଡ଼ିଲେ ସେମାନଙ୍କ ଉପରେ କି ପ୍ରକାର ମାନସିକ ତଥା ଶାରୀରିକ ପ୍ରଭାବ ପଡ଼ିଥାଏ, ତାହାର ସାକ୍ଷୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ଵିଲିୟମ୍‌ସ।

Advertisment

ଅଭିଜ୍ଞ ସୁନିତା ଗତ ଜୁନ୍‌ ୫ ତାରିଖରେ ସାଥୀ ମହାକାଶଚାରୀ ବ୍ୟାରି ଵିଲମୋର୍‌ଙ୍କ ସହ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ତେବେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲାବେଳେ ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେମାନେ ଅନନ୍ୟୋପାୟ ହୋଇ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଅଟକି ରହିଯାଇଛନ୍ତି। ଏପରି ଯୋଜନା ବହିର୍ଭୂତ ମହାକାଶ ରହଣିର କୁପ୍ରଭାବ ସୁନିତାଙ୍କ ଉପରେ ପଡ଼ିଛି। ଉଲ୍ଲେଖଯୋଗ୍ୟ, ମହାକାଶର ମାଧ୍ୟାକର୍ଷଣ ରହିତ ପରିବେଶରେ ରହଣି ପାଇଁ ମନୁଷ୍ୟ ଶରୀର ଆଦୌ ସହନଶୀଳ ନୁହେଁ। ସେଠାରେ ମାଧ୍ୟାକର୍ଷଣ ବଳର ଅନୁପସ୍ଥିତି ଯୋଗୁଁ ଶରୀରର ତରଳ ପଦାର୍ଥ ସବୁ ଉପର ଆଡ଼କୁ ଢଳି ଯାଇଥା’ନ୍ତି। ବୃକ୍‌କ ଠିକ୍‌ରେ କାମ ନ କରି ପାରି କିଡ୍‌ନି ଷ୍ଟୋନ୍‌ ହେବାର ଆଶଙ୍କା ରହିଛି। ସେହିପରି ମାଧ୍ୟାକର୍ଷଣବିହୀନ ପରିବେଶ ମାଂସପେଶୀ ଓ ଅସ୍ଥିସମୂହକୁ ଦୁର୍ବଳ କରିଦେଇ ଧୀରେ ଧୀରେ ସେସବୁକୁ ଭଙ୍ଗୁରଶୀଳ କରିଦେଇଥାଏ। ତେବେ ଦୀର୍ଘ କାଳ ମହାକାଶ ରହଣିର ସର୍ବାଧିକ ପ୍ରଭାବ ମସ୍ତିଷ୍କର ତରଳ ପଦାର୍ଥ ଉପରେ ପଡ଼ିଥାଏ ଯାହା ଯୋଗୁଁ ଦୃଷ୍ଟିଶକ୍ତି ସମସ୍ୟା, ନିୟମିତ ମୁଣ୍ଡବିନ୍ଧା ହୁଏ। ସେହିପରି ହୃତ୍‌ପିଣ୍ଡରେ ରକ୍ତ ସଂଚାଳନରେ ମଧ୍ୟ ସମସ୍ୟା ହୋଇଥାଏ।

ଏଥି ସହିତ ମହାକାଶଚାରୀଙ୍କୁ ବିଭିନ୍ନ ପ୍ରକାର ମହାଜାଗତିକ ବିକିରଣର ସାମନା କରିବାକୁ ପଡ଼ିଥାଏ, ଯାହା କର୍କଟ ସୃଷ୍ଟିର କାରଣ ସାଜିଥାଏ। ସେହିପରି ମହାକାଶରେ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇପଡ଼େ, ଫଳରେ ମହାକାଶଚାରୀମାନେ ଅତି ସହଜରେ ବିଭିନ୍ନ ରୋଗର ଶିକାର ହୋଇଥା’ନ୍ତି। ଏତଦ୍‌ବ୍ୟତୀତ ଏକାନ୍ତବାସ ଓ ନିଃସଙ୍ଗବୋଧତା ସେମାନଙ୍କ ମନରେ ଅବସାଦ, ଉତ୍କଣ୍ଠା ଓ ଦୁଶ୍ଚିନ୍ତା ଆଦି ସୃଷ୍ଟି କରିଥାଏ। ଉଭୟ ସୁନିତା ଓ ବ୍ୟାରିଙ୍କୁ ଏଭଳି ବିପଦର ଆଶଙ୍କା ରହିଛି। ତେବେ ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ଲାଗି ‘ନାସା’ ଉଦ୍ୟମ କରୁଛି। ତଥାପି ଆସନ୍ତା ଫେବ୍ରୁଆରି ପୂର୍ବରୁ ସେମାନେ ଫେରି ଆସିବାର ସମ୍ଭାବନା ନାହିଁ।