ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଅନେକ ପ୍ରାଣୀ ଜାତିର ସଂଖ୍ୟାରେ ହ୍ରାସ ଘଟିଚାଲିଥିବା ବେଳେ ସଂରକ୍ଷଣ ପ୍ରୟାସ ଯୋଗୁଁ ଶହ ଶହ ଜାତିର ଜୀବ ବିଲୁପ୍ତ ହେବାରୁ ରକ୍ଷା ପାଇଯାଇଛନ୍ତି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଦୁରହାମ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ୬୭,୦୦୦ରୁ ଅଧିକ ପ୍ରାଣୀ ଜାତିର ତଥ୍ୟ ବିଶ୍ଳେଷଣ କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ‘ପ୍ଳସ ବାୟୋଲୋଜି’ରେ ପ୍ରକାଶିତ ସେମାନଙ୍କ ନିର୍ଯାସ ଅନୁଯାୟୀ, ସାରା ପୃଥିବୀରେ ସମ୍ପ୍ରତି ଜୈବ ବିବିଧତା ସଂକଟରେ କବଳିତ ହୋଇଥିବା ବେଳେ ଜାତି-ନିର୍ଦ୍ଦିଷ୍ଟ ସଂରକ୍ଷଣ ପଦକ୍ଷେପଗୁଡ଼ିକ ବିଲୁପ୍ତ ହେବାର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିଛି ଏହଂ ଅନେକ କ୍ଷେତ୍ରରେ ମଧ୍ୟ କୌଣସି ଜାତିର ସଂପୂର୍ଣ୍ଣ ବିଲୁପ୍ତୀକରଣକୁ ରୋକିପାରିଛି। ଉଦାହରଣ ସ୍ବରୂପ, ଏକଦା ବିଶ୍ବର ସବୁଠୁ ବିପଦଗ୍ରସ୍ତ ବିରାଡ଼ି ଭାବେ ପରିଚିତ ‘ଆଇବେରିଆନ୍ ଲିଙ୍କ୍ସ’ଙ୍କ ସଂଖ୍ୟା କେଇ ଶହରେ ସୀମିତ ଥିବା ବେଳେ ଏବେ ତାହା କେତେ ହଜାରକୁ ବୃଦ୍ଧି ପାଇଛି। ସେହିପରି ଏକ ଦୀର୍ଘମିଆଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ଦ୍ବାରା ନିଉଜିଲାଣ୍ଡର ଏକ ଗୁରୁତର ବିପନ୍ନ ରାତ୍ରିଚର ଉଡ଼ାଣଅକ୍ଷମ ଶୁଆ ‘କାକାପୋ’ ମଧ୍ୟ ବିଲୁପ୍ତିରୁ ବର୍ତ୍ତିଯାଇଛି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଶିକାର ଯୋଗୁଁ ବିଲୁପ୍ତ ହେବାକୁ ବସିଥିବା ୟୁରୋପୀୟ ଗୟଳ ମଧ୍ୟ ଏହାର ଉଦାହରଣ।
୧୯୮୦ ପରଠାରୁ ଲାଲ୍ ତାଲିକାରେ ଅନ୍ତର୍ଭୁକ୍ତ ଥିବା ୧,୨୨୦ ଜାତିର ଉଭୟଚର, ପକ୍ଷୀ ଓ ସ୍ତନ୍ୟପାୟୀଙ୍କ ମଧ୍ୟରୁ ୨୦୧ ଜାତିରେ ଉନ୍ନତି ଘଟିଛି। ଅପରପକ୍ଷେ, ୨୫ଟି ଜାତି ‘ସର୍ବନିମ୍ନ ବିପନ୍ନ’ରୁ ‘ସଂକଟାପନ୍ନ ଅବଲୁପ୍ତପ୍ରାୟ’ରେ ପରିଣତ ହୋଇଛନ୍ତି।
ଦଶନ୍ଧି ଦଶନ୍ଧିର ନିରନ୍ତର ପୁନଃପ୍ରତ୍ୟାବର୍ତ୍ତନ ପ୍ରୟାସ ଯୋଗୁଁ ସମ୍ପ୍ରତି ପୂର୍ବ ୟୁରୋପର କିଛି ଅଂଶରେ ଗୟଳ ମୁକ୍ତ ଭାବରେ ବିଚରଣ କରୁଥିବା ଦେଖାଯାଇଛି। ସେହିପରି ଏକଦା ବାଣିଜ୍ୟିକ ତିମିଶିକାର ଯୋଗୁଁ ହମ୍ପବ୍ୟାକ୍ ଓ ନୀଳ ତିମିଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଥିବା ବେଳେ ତିମି ଶିକାର ଉପରେ ଆନ୍ତର୍ଜାତିକ ପ୍ରତିବନ୍ଧକ ଲଗାଇବା ପରେ ଏବେ ତାଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଏପରି ଲକ୍ଷ୍ୟନିର୍ଦ୍ଦିଷ୍ଟ ସଂରକ୍ଷଣ ପଦକ୍ଷେପଗୁଡ଼ିକ ମଧ୍ୟରେ ବାସସ୍ଥାନ ପରିଚାଳନା, ପୁନଃପ୍ରବର୍ତ୍ତନ, ଆଇନଗତ ସୁରକ୍ଷା ଏବଂ ପ୍ରଜନନ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ। ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ବିଶ୍ବବ୍ୟାପୀ ସଂଖ୍ୟା ବଢୁଥିବା ୯୬୯ ଜାତି ମଧ୍ୟରୁ ୭୮.୩ ପ୍ରତିଶତ ଜାତି ଉପରେ ସଂରକ୍ଷଣ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ସେହିପରି ୧୯୮୦ ପରଠାରୁ ଲାଲ୍ ତାଲିକା(ରେଡ୍ ଫ୍ଲାଗ୍) ବର୍ଗରେ ଉନ୍ନତି ଆସିଥିବା ୨୮୮ ଜାତି ମଧ୍ୟରୁ ୯୯.୩ ପ୍ରତିଶତ ଜାତି ସଂରକ୍ଷଣ ପ୍ରୟାସରୁ ଉପକୃତ ହୋଇଛନ୍ତି। ବିଶେଷ କରି ନିଉଜିଲାଣ୍ଡ, ମରିସସ୍, ସିସିଲି, ଚାଥାମ୍ ଦ୍ବୀପ, ଗୁଆଡେଲୁପ୍ ଓ ବୋର୍ଣ୍ଣିଓ ଭଳି ସ୍ଥାନରେ ସର୍ବାଧିକ ଜାତିର ଉନ୍ନତି ଘଟିଛି। ସେହିପରି ପୂର୍ବ ଆମେରିକା, କୋଷ୍ଟାରିକା, ପୂର୍ବ ଅଷ୍ଟ୍ରେଲିଆ, ଦକ୍ଷିଣ ଭାରତ ଓ ବ୍ରାଜିଲର ଆଟଲାଣ୍ଟିକ ଜଙ୍ଗଲରେ ମଧ୍ୟ କିଛି ପରିମାଣର ଉନ୍ନତି ପରିଲକ୍ଷିତ ହୋଇଛି। ୧୯୮୦ ପରଠାରୁ ଲାଲ୍ ତାଲିକାରେ ଅନ୍ତର୍ଭୁକ୍ତ ଥିବା ୧,୨୨୦ ଜାତିର ଉଭୟଚର, ପକ୍ଷୀ ଓ ସ୍ତନ୍ୟପାୟୀଙ୍କ ମଧ୍ୟରୁ ୨୦୧ ଜାତିରେ ଉନ୍ନତି ଘଟିଛି। ଅପରପକ୍ଷେ, ୨୫ଟି ଜାତି ‘ସର୍ବନିମ୍ନ ବିପନ୍ନ’ରୁ ‘ସଂକଟାପନ୍ନ ଅବଲୁପ୍ତପ୍ରାୟ’ରେ ପରିଣତ ହୋଇଛନ୍ତି। ନିବାସ ନଷ୍ଟ, ଶିକାର, ମାଛଧରା ଏବଂ ପ୍ରଦୂଷଣ ଯୋଗୁଁ ବିଭିନ୍ନ ଜାତି ବିପନ୍ନ ହେବାର ଆଶଙ୍କା ଅଧିକ ରହିଥିଲା ବେଳେ ଜଳବାୟୁ ପରିବର୍ତ୍ତନ, ରୋଗ ଏବଂ ଆକ୍ରମଣାତ୍ମକ ଜାତି ମଧ୍ୟ ଏହି ଅବନତିଶୀଳ ସ୍ଥିତିକୁ ଆହୁରି ସଙ୍ଗିନ କରୁଛି।