ଜଙ୍ଗଲ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଓଡ଼ିଶାର ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବିଜୟକେତନ ପଟ୍ଟନାୟକଙ୍କର ନିଜ ପରିସରରେ ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କର ବହୁ ଗବେଷଣାମୂଳକ ପ୍ରବନ୍ଧ ଓ ପୁସ୍ତକ ତାଙ୍କୁ ଜାତୀୟଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇଛି। ସଂପ୍ରତି ଅବସର ଜୀବନ ବିତାଉଥିବା ଶ୍ରୀ ପଟ୍ଟନାୟକ ନିଜର କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାବଳି ଅବତାରଣା କରିବା ସହ ଓଡ଼ିଶାର ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ବନ୍ଧୀୟ ଅନେକ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତିଙ୍କ ସହ ଆଲୋଚନା କରିଛନ୍ତି।
ବଙ୍ଗଳା ଆଶାରେ ବନସେବା
‘‘ସ୍କୁଲ୍ରେ ପଢ଼ିବା ବେଳୁ ହିଁ ମୋର ଡିଏଫ୍ଓ ହେବାର ଲକ୍ଷ୍ୟ ଥିଲା। କାରଣ ଆମ ବିଦ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ଡିଏଫ୍ଓଙ୍କର ବିରାଟ ସରକାରୀ ବାସଭବନ ଥିଲା। ସେହି ବାସଭବନ ନିକଟରେ ଗୋଟିଏ ବଡ଼ ଫଳବଗିଚା ଥିଲା। ବ୍ରିଟିସ୍ ଡିଏଫ୍ଓ ଡର୍ଟସ୍ ୱାର୍ଥଙ୍କ ଅମଳର ସେ ବଗିଚାରେ ବିଭିନ୍ନ ପ୍ରକାର ଫଳଗଛ ଭରିରହିଥିଲା। ସ୍କୁଲ୍ ଛୁଟି ସମୟରେ ଆମେମାନେ ଲୁଚିଛପି ସେ ବଗିଚାରେ ପଶି ପିଜୁଳି, ବରକୋଳି, ଆମ୍ବ ଓ କାନ୍ଧିଆ ଆଦି ତୋଳିଆଣି ଖାଉଥିଲୁ। ବେଳେ ବେଳେ ମାଳୀ ଆମକୁ ଧରି ଗାଳିଗୁଲଜ କରୁଥିଲା। ସେହି ବିରାଟ ବାସଭବନ ଓ ବଗିଚା ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ତେଣୁ, ମୁଁ ଭାବିଲି ଯଦି ଡିଏଫ୍ଓ ହେବି ମୋତେ ମଧ୍ୟ ଏଭଳି ଘର ଓ ବଗିଚା ମିଳିବ।’’ ଭାରତୀୟ ବନ ସେବାକୁ ଆପଣାଇବାକୁ କାହିଁକି ଇଚ୍ଛା କଲେ ପ୍ରଶ୍ନରେ ଏଭଳି ଉତ୍ତର ଦିଅନ୍ତି ବିଜୟକେତନ ପଟ୍ଟନାୟକ।
କାହିଁଗଲା କୃଷ୍ଣସାର ପ୍ରକଳ୍ପ
ଗଞ୍ଜାମେର କୃଷ୍ଣସାର ମୃଗଙ୍କ ସୁରକ୍ଷା ଲାଗି କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବେ ସ୍ଥାଣୁ ପାଲଟିଯାଇଥିବାରୁ ଦୁଃଖପ୍ରକାଶ କରନ୍ତି ବିଜୟକେତନ। ସେ କହନ୍ତି, ‘‘ମୁଁ ୱାର୍ଲଡ୍ୱାଇଡ୍ ଫଣ୍ଡ୍ ଫର୍ ନେଚର୍ ଅନୁଷ୍ଠାନର ଅବୈତନିକ ଅଧ୍ୟକ୍ଷ ଭାବେ ଓଡ଼ିଶା ଦାୟିତ୍ବ ନେଇଥିଲି। ସେତେବେଳେ ଫାଇଲିନ୍ ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବେତନଈ ଅଞ୍ଚଳସ୍ଥିତ ବିରଳ କୃଷ୍ଣସାର ମୃଗଙ୍କର ବାସସ୍ଥଳୀ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା। ଶିକାରୀଙ୍କର ପ୍ରାଦୁର୍ଭାବ ବଢ଼ିଥିଲା। କୃଷ୍ଣସାରଙ୍କ ସୁରକ୍ଷା ପାଇଁ ମୁଁ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥିଲି। ସେମାନଙ୍କ ସୁରକ୍ଷା ପାଇଁ ମୁଁ ସାମାଜିକ ଗୋଷ୍ଠୀ ସଂରକ୍ଷଣ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଇଥିଲି। ଯଦି ଏହି ମୃଗମାନେ କୌଣସି ବ୍ୟକ୍ତିର ଫସଲ ନଷ୍ଟ କରୁଥିଲେ, ତେବେ ଏହି ପ୍ରକଳ୍ପ ଜରିଆରେ କ୍ଷତିପୂରଣ ବାବଦକୁ କିଛି ଅର୍ଥ ଦିଆଯାଉଥିଲା। ଗଁାଗଣ୍ଡାର ପୁରୁଣାକାଳିଆ ଲୋେକ କୃଷ୍ଣସାରଙ୍କୁ ଲକ୍ଷ୍ମୀ ବିଚାରି ପୂଜା କରୁଥିଲେ। କିନ୍ତୁ ଫସଲ ନଷ୍ଟ କାରଣ ଏବଂ ଅନ୍ୟାନ୍ୟ ଲକ୍ଷ୍ୟନେଇ ଯୁବପିଢ଼ି କୃଷ୍ଣସାର ଶିକାର କରୁଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରୁ କୃଷ୍ଣସାରମାନେ ଯଥେଷ୍ଟ ସୁରକ୍ଷିତ ହେଲେ, କିନ୍ତୁ ଦୁଃଖ ଓ ଅବସୋସର କଥା ମୋ ପରେ ଏହି ପ୍ରକଳ୍ପ ଏକରକମ ସ୍ଥାଣୁ ପାଲଟିଗଲା।’’
ମଣିଷଖିଆ ବାଘବାଘୁଣୀ ଶିକାର
ଆଇଏଫ୍ଏସ୍ ତାଲିମ ଶେଷ ହେବାପରେ ଶ୍ରୀ ପଟ୍ଟନାୟକ ପ୍ରଥମେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଭାବେ କାର୍ଯ୍ୟରେ ଯୋଗଦେଲେ। ଏହାପରେ ସେ ରାୟଗଡ଼ାରେ ଡିଏଫ୍ଓ ଭାବେ ଅବସ୍ଥାପିତ ହେଲେ। ସେ ସମୟର ଗୋଟାଏ କୌତୂହଳପ୍ରଦ ଘଟଣାର ସ୍ମୃତିଚାରଣ କରନ୍ତି ବିଜୟକେତନ, ‘‘ମୁଁ ରାୟଗଡ଼ା ଡିଏଫ୍ଓ ଥିବାବେଳେ ଗୋଟିଏ ମଣିଷଖିଆ ମହାବଳ ବାଘ ଓ ବାଘୁଣୀ ମାତିଥିଲେ। ସେମାନଙ୍କୁ ଶିକାର କରିବା ପାଇଁ ତତ୍କାଳୀନ ରାଜ୍ୟ ସରକାର ଅନୁମତି ଦେଇ ସର୍ବସାଧାରଣରେ ଘୋଷଣା କରିଥିଲେ। ସେତେବେଳେ ରାୟଗଡ଼ାରେ ଅନେକ ବାଘ ଥିଲେ। କିନ୍ତୁ, ଏହି ଦୁଇ ବାଘଙ୍କ ମଣିଷଖିଆ ସ୍ବଭାବ ଚରମସୀମାରେ ପହଞ୍ଚିଥିଲା। ପ୍ରଥମେ ମହାବଳ ବାଘଟିକୁ ଶିକାର କରିବା ପାଇଁ ରଣେନ୍ଦ୍ର ପ୍ରତାପ ସିଂଦେଓ (କେ. ଭି. ସିଂଦେଓଙ୍କ ଭାଇ)ଙ୍କୁ ସ୍ବୀକୃତି ଦିଆଯାଇଥିଲା। ବହୁକଷ୍ଟରେ ସେ ବାଘଟିକୁ ଶିକାର କରି ଦିନେ ରାତି ପ୍ରାୟ ୧୨ଟା ପାଖାପାଖି ମୋ ବାସଭବନକୁ ନେଇଆସିଲେ। ମୁଁ ପଚାରିଲି, ‘କ’ଣ ହେଲା?’ ଅତି ସହଜ ଭାବେ ସେ ଉତ୍ତର ଦେଲେ, ‘ଆଜ୍ଞା, ବାଘଟିକୁ ମାରିଦେଇଛି।’ ମୁଁ ଦେଖିଲା ବେଳକୁ ତାଙ୍କ ଜିପ୍ ଉପରେ ଏକ ବିରାଟ ବାଘ ପଡ଼ିଛି।
ସଂକ୍ଷେପରେ ବିଜୟକେତନ
ଖୋର୍ଦ୍ଧାର ମୁକୁନ୍ଦପ୍ରସାଦରେ ଜନ୍ମିତ ବିଜୟକେତନ ପଟ୍ଟନାୟକ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍ରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ପ୍ରାଣନାଥ ମହାବିଦ୍ୟାଳୟରେ ଆଇ.ଏସ୍ସି. କରିଥିଲେ। ଏହାପରେ ସେ ଭୁବନେଶ୍ବରସ୍ଥିତ ବିଜେବି କଲେଜ୍ରୁ ପଦାର୍ଥବିଜ୍ଞାନରେ ସ୍ନାତକ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ସେ ୧୯୭୫ରେ ଭାରତୀୟ ବନସେବା (ଆଇଏଫ୍ଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଭାରତୀୟ ଜଙ୍ଗଲ ଓ ବନ୍ୟପ୍ରାଣୀ ପଦାଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ଏବଂ ୨୦୦୯ରେ ବିଜୟକେତନ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ନିଜ କାର୍ଯ୍ୟକାଳରେ ସେ ଜଙ୍ଗଲ, ବନ୍ୟପ୍ରାଣୀ, ପକ୍ଷୀ, ବୃକ୍ଷଲତା ତଥା ପରିବେଶ ଉପରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ତାଙ୍କର ‘ଅରଣ୍ୟ ଯାତ୍ରା’ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ତାଙ୍କରି ପ୍ରଚେଷ୍ଟାରେ ସହିଦନଗରସ୍ଥିତ ବନ୍ୟପ୍ରାଣୀ ମୁଖ୍ୟ କାର୍ଯ୍ୟାଳୟ ‘ପ୍ରକୃତି ଭବନ’ର ଶୁଭାରମ୍ଭ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀଙ୍କ ସହାୟତାରେ ଆରମ୍ଭ ହୋଇଥିଲା।
ସେହିପରି ତତ୍କାଳୀନ ହାଇକୋର୍ଟ ବିଚାରପତି, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଗୁମ୍ମା ନିକଟରେ ଲୋକଅଦାଲତ କରୁଥିଲେ। ଅପରାହ୍ଣ ବେଳକୁ ତତ୍କାଳୀନ ଉପଜିଲ୍ଲାପାଳ (ଏସ୍ଡିଓ)ଙ୍କ ନଜର ପଡ଼ିଲା ଘାଟିତଳେ ଲୁଚିବସିଥିବା ବାଘୁଣୀ ଉପରେ। ସେ ସଙ୍ଗେ ସଙ୍ଗେ ମୋତେ ଏକଥା ଜଣାଇଲେ। ରାଜ୍ୟ ସରକାର ମଧ୍ୟ ବାଘୁଣୀ ଶିକାର ପାଇଁ ଘୋଷଣା ଏବଂ ଶିକାରୀ ଚୟନ କରିସାରିଥିଲେ। ଆନ୍ଧ୍ରପ୍ରଦେଶର ତତ୍କାଳୀନ ଅତିରିକ୍ତ ଶାସନ ସଚିବ ପ୍ରଥମେ ଏହି ବାଘୁଣୀ ଶିକାର କରିବା ପାଇଁ ଆସିଥିଲେ। ପ୍ରାୟ ଦୁଇମାସ ଚେଷ୍ଟାକରି ବି ସେ ବାଘୁଣୀ ଶିକାର ନକରି ଫେରିଯାଇଥିଲେ। ଏହାପରେ ଚୟନ ହୋଇଥିବା ମାଡ୍ରାସ୍ (ଚେନ୍ନାଇ)ର ଜଣେ ନାମୀ ଶିକାରୀ କୃଷ୍ଣମୂର୍ତ୍ତି ଗୁମ୍ମା ଜଙ୍ଗଲରେ ଡେରା ପକାଇଥିଲେ। ତୁରନ୍ତ ଗାଡ଼ି ପଠାଇ ତାଙ୍କୁ ଜଙ୍ଗଲରୁ ଅଣାଗଲା। ମୁହଁସଞ୍ଜରେ ସେ ବାଘୁଣୀକୁ ଶିକାରକଲେ। ଏହି ଘଟଣା ଦୁଇଟି ମନେପଡ଼ିଲେ ଆଜି ବି ମୋତେ ଦୁଃଖଲାଗେ।’’
କେବେ ହେବ ନୂଆ ହାତୀ ପ୍ରକଳ୍ପ?
ଉଚ୍ଚ ପଦପଦବିରେ ଥିଲେ ବି ଅନେକ ସମୟରେ ଇଚ୍ଛାନୁସାରେ କାର୍ଯ୍ୟ କରିହୁଏ ନାହିଁ। ବିଭିନ୍ନସ୍ତରରେ ବାଧାବିଘ୍ନ ଆସେ। ଭଲ କାମଟିଏ କରି ନପାରିବାର ଦୁଃଖ ଓ ଅବସୋସ ରହିଯାଏ। ଓଡ଼ିଶାରେ ବାଘ ଓ ହାତୀ ପ୍ରକଳ୍ପ ଏବଂ ସଂରକ୍ଷିତ ଜଙ୍ଗଲ ସୃଷ୍ଟି ହୋଇ ନପାରିବା ନେଇ ବିଜୟକେତନ କହନ୍ତି, ‘‘ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଇଲ୍ଡଲାଇଫ୍ ସାଇନ୍ସର ପ୍ରଫେସର୍ ସୁକୁମାରନ୍ ଏକଦା ୧୪ଟି ହାତୀ କରିଡର୍ ଚିହ୍ନଟ କରିଥିଲେ। ଏହି ପ୍ରସଙ୍ଗ ବାରମ୍ବାର ଅବଗତ କରିବା ସତ୍ତ୍ବେ ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ଉକ୍ତ ହାତୀ କରିଡର୍କୁ ବିଜ୍ଞପ୍ତି ଜରିଆରେ ସ୍ବୀକୃତି ଦେଲେନାହିଁ। କ୍ରମେ ସେ ଅଞ୍ଚଳରେ ଖଣିଖାଦନ, ରେଳ ଲାଇନ୍, ରାସ୍ତାଘାଟ, କେନାଲ୍ ଭଳି ବିଭିନ୍ନ କାର୍ଯ୍ୟ ଯୋଗୁଁ ଜଙ୍ଗଲ ଧ୍ବଂସ ହେଲା। ଫଳରେ ହାତୀ-ମଣିଷ ସଂଘର୍ଷ ବଢ଼ିଚାଲିଲା। ଏବେ ସେ କରିଡର୍ ଧ୍ବଂସ ହୋଇଯାଇଛି। ତେଣୁ ହାତୀମାନଙ୍କର ନୂତନ ଗମନାଗମନ ପଥ ଚିହ୍ନଟ କରି ଯଥାଶୀଘ୍ର ନୂଆ କରିଡର୍ ଘୋଷଣା ଲାଗି ଗୁରୁତ୍ବଦେବା ଦରକାର।’’
‘‘ସେହିପରି ୨୦୦୮-୦୯ରେ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ହାତୀ ପ୍ରକଳ୍ପ ବୈଠକରେ ତତ୍କାଳୀନ ହସ୍ତୀ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶାର ବ୍ରାହ୍ମଣୀ-ବୈତରଣୀ ଓ ଦକ୍ଷିଣ ଓଡ଼ିଶା ରିଜର୍ଭ ଅଞ୍ଚଳରେ ଦୁଇଟି ନୂଆ ହାତୀ ପ୍ରକଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିଥିବା କଥା କହିଥିଲେ। କିନ୍ତୁ ତତ୍କାଳୀନ ରାଜ୍ୟ ସରକାରଙ୍କ ସଚିବ ସିଧାସଳଖ କହିଲେ, ଆମର ଆଉ ନୂଆ ପ୍ରକଳ୍ପ ଦରକାର ନାହିଁ। ମୋର ମନେହୁଏ, ହାତୀ ପ୍ରକଳ୍ପ ହୋଇଗଲେ ଜନସାଧାରଣଙ୍କ ବିକାଶ କାର୍ଯ୍ୟରେ ବାଧା ଉପୁଜିବ ବୋଲି ରାଜସ୍ବ ବିଭାଗର ବରିଷ୍ଠ ପଦାଧିକାରୀମାନେ ଭାବନ୍ତି। ତେଣୁ ସେମାନେ ଏଥିପ୍ରତି ବିଶେଷ ଆଗ୍ରହ ଦେଖାନ୍ତିନାହିଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେକ୍ସନ୍-୪ ଅଧୀନରେ ସ୍ବୀକୃତି ମିଳିଥିଲେ ବି ଓଡ଼ିଶାରେ ନୂତନ ସଂରକ୍ଷିତ ଜଙ୍ଗଲ ଘୋଷଣା ହୋଇପାରୁ ନାହିଁ।’’
ବାଘଙ୍କ କଥା ବି ସେମିତି
‘‘୨୦୦୮ରେ ବାଘ ଆବାସସ୍ଥଳୀ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସହଯୋଗ ମିଳିଥିଲା। ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳକୁ ଅଧିକ ପରିବ୍ୟାପ୍ତ କରାଯିବାକୁ ଅଗ୍ରାଧିକାର ଦିଆଗଲା। ସବୁ ରାଜ୍ୟରେ ଏହି ଅଞ୍ଚଳ ବୃଦ୍ଧି ପାଇଲା। କିନ୍ତୁ, ଓଡ଼ିଶାରେ ହୋଇପାରିଲା ନାହିଁ। ମୋ ସମୟରେ ସୁନାବେଢ଼ା ଟାଇଗର୍ ପ୍ରୋଜେକ୍ଟ ଘୋଷଣା ପାଇଁ ମୁଁ ଅନେକଥର ତତ୍କାଳୀନ ସରକାରଙ୍କୁ ଅନୁରୋଧ କରିଥିଲି। କିନ୍ତୁ, ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇ ନ ଥିଲା। ବ୍ୟାଘ୍ର ପ୍ରକଳ୍ପ ପାଇଁ ଡେବ୍ରିଗଡ଼ ଜଙ୍ଗଲ ଅତ୍ୟନ୍ତ ଉପଯୋଗୀ। ଏହାକୁ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ଭାବେ ଘୋଷଣା କରିବା ଜରୁରି। ଏ ଦିଗରେ ମଧ୍ୟ ତତ୍କାଳୀନ ସରକାର ବିଶେଷ ପଦକ୍ଷେପ ଗ୍ରହଣ କଲେନାହିଁ। ମୁଁ ଭାବୁଛି ବର୍ତ୍ତମାନର ବିଜେପି ସରକାର ଏସବୁ ଦିଗ ପ୍ରତି ଧ୍ୟାନଦେଇ ଯଥାଶୀଘ୍ର ପଦକ୍ଷେପ ନେବା ଜରୁରି।’’