ମାଛ ଓ ମାଂସ ପ୍ରତି ବିତୃଷ୍ଣ ଆମିଷାସୀମାନେ ପୁଷ୍ଟିସାରରେ ଭରପୂର ଥିବା ଅଣ୍ଡାରେ ହିଁ ସନ୍ତୋଷ ଲାଭ କରିଥା’ନ୍ତି। ଏମିତି ଦେଖିଲେ ଉଚ୍ଚ ଜୈବିକ ମୂଲ୍ୟ ସହିତ ଭିଟାମିନ୍ ବି, ଫୋଲେଟ୍, ଅପରିପୃକ୍ତ ଚର୍ବିଳାମ୍ଳ ଓ ପ୍ରମୁଖ ଖଣିଜସାର ପ୍ରଦାନ କରୁଥିବା ଅଣ୍ଡା ଏକ ଉଚ୍ଚ କୋଟୀର ପୁଷ୍ଟିକର ଖାଦ୍ୟ ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ। ବୟସ୍କମାନଙ୍କ ପାଇଁ ଏହା ପୁଷ୍ଟିସାରର ଏକ ଅପେକ୍ଷାକୃତ ଶସ୍ତା ଉତ୍ସ ଭାବରେ ବିବେଚିତ। ବିଶେଷ କରି ଯେଉଁମାନଙ୍କ ଠାରେ ବାର୍ଦ୍ଧକ୍ୟ ଶାରୀରିକ ଓ ଇନ୍ଦ୍ରିୟଗତ କାର୍ଯ୍ୟଦକ୍ଷତାକୁ ହ୍ରାସ କରିଥାଏ, ସେମାନଙ୍କ ପାଇଁ ଅଣ୍ଡା ଏକ ମହାର୍ଘ ମହୌଷଧି। ଅଣ୍ଡାର ଏପରି ଅସାଧାରଣ ଗୁଣ ଯୋଗୁଁ ତାହା ବିଶେଷ କରି ୟୁରୋପୀୟମାନଙ୍କର ଉତ୍ତମ ସାର୍ବଜନୀନ ସ୍ବାସ୍ଥ୍ୟ ଓ ଦୀର୍ଘ ଆୟୁଷର କାରଣ ପାଲଟିଛି। ତେବେ ପୋଷକତତ୍ତ୍ବ ଓ ହୃଦ୍ ସ୍ବାସ୍ଥ୍ୟରେ ଅଣ୍ଡା ଦୀର୍ଘ ଦିନ ଧରି ଏକ ବିବାଦୀୟ ପ୍ରସଙ୍ଗ ହୋଇ ଆସିଛି। ମାତ୍ର ଆଶ୍ବସ୍ତିର କଥା, ନିୟମିତ ଅଣ୍ଡା ଖାଇଲେ ହୃଦ୍ରୋଗ ସମ୍ବନ୍ଧୀୟ ମୃତ୍ୟୁ ଆଶଙ୍କା କମିପାରେ ବୋଲି ମୋନାସ ବିଶ୍ବବିଦ୍ୟାଳୟ ଅଧୀନ ସ୍କୁଲ୍ ଅଫ୍ ପବ୍ଳିକ୍ ହେଲ୍ଥ ଆଣ୍ଡ୍ ପ୍ରିଭେଣ୍ଟିଭ୍ ମେଡିନିନ୍ର ଗବେଷକମାନେ ଜାଣିବାକୁ ପାଇଛନ୍ତି।
ଅଣ୍ଡା ପୁଷ୍ଟିସାରର ଏକ ଶସ୍ତା ଉତ୍ସ। ଯେଉଁମାନେ ସପ୍ତାହକୁ ଏକରୁ ଛଅ ଥର ଅଣ୍ଡା ଖାଆନ୍ତି, ଆଦୌ ଅଣ୍ଡା ଖାଉନଥିବା ବୟସ୍କଙ୍କ ତୁଳନାରେ ସେମାନଙ୍କର ଯେକୌଣସି କାରଣରୁ ମୃତ୍ୟୁ ଆଶଙ୍କା ୧୫% କମ୍ ଏବଂ ହୃଦ୍ଘାତ ଜନିତ ମୃତ୍ୟୁ ଆଶଙ୍କା ୨୯% କମ୍
ଗବେଷକମାନେ ୭୦ ବର୍ଷ ବା ତଦୂର୍ଦ୍ଧ୍ବ ୮,୭୫୬ ଜଣ ବୟସ୍କଙ୍କ ସ୍ବାସ୍ଥ୍ୟକୁ ବିଶ୍ଳେଷଣ କରି ଏପରି ନିର୍ଯାସ ପାଇପାରିଛନ୍ତି। ଅନୁଧ୍ୟାନରେ ସାମିଲ ହୋଇଥିବା ବୟସ୍କ ଅଂଶଗ୍ରହଣକାରୀମାନେ ସପ୍ତାହକୁ କେତେ ଥର(କେବେ ନୁହେଁ ଅବା ମାସକୁ ଥରେ କି ଦି’ଥର ଅଥବା ସପ୍ତାହକୁ ଥରକରୁ ୬ ଥର ଭିତରେ କିମ୍ବା ପ୍ରତ୍ୟହ) ଅଣ୍ଡା ଖାଆନ୍ତି, ତାହା ସେମାନେ ରିପୋର୍ଟ କରିଥିଲେ। ସେଥିରୁ ଯେଉଁମାନେ ସପ୍ତାହକୁ ଥରକରୁ ଛଅ ଥର ଯାଏ ଅଣ୍ଡା ଖାଆନ୍ତି, ସେମାନଙ୍କର କ୍ବଚିତ୍ କିମ୍ବା ଆଦୌ ଅଣ୍ଡା ଖାଉନଥିବା ବୟସ୍କଙ୍କ ତୁଳନାରେ ଯେ କୌଣସି କାରଣରୁ ମୃତ୍ୟୁ ଆଶଙ୍କା ୧୫ ପ୍ରତିଶତ କମ୍ ଥାଏ ଏବଂ ହୃଦ୍ଘାତ ଜନିତ ମୃତ୍ୟୁ ଆଶଙ୍କା ୨୯ ପ୍ରତିଶତ ହ୍ରାସ ପାଇଥାଏ। ସେହିପରି ମଧ୍ୟମରୁ ଉଚ୍ଚମାନର ଖାଦ୍ୟ ଗ୍ରହଣ କରୁଥିବା ବୟସ୍କ ବ୍ୟକ୍ତିମାନଙ୍କର ହୃଦ୍ରୋଗରେ ମୃତ୍ୟୁ ଆଶଙ୍କା ଯଥାକ୍ରମେ ୩୩ ପ୍ରତିଶତ ଓ ୪୪ ପ୍ରତିଶତ କମ୍ ହୋଇଥାଏ। ଏଥିରୁ ଏହା ସ୍ପଷ୍ଟ ଅନୁମେୟ ଯେ, ଉଚ୍ଚମାନର ଖାଦ୍ୟ ସହିତ ଅଣ୍ଡା ସେବନ ଆପଣଙ୍କୁ ଦୀର୍ଘାୟୁ କରିପାରେ ଏବଂ ହୃଦ୍ରୋଗ ବିରୋଧରେ ଅତିରିକ୍ତ ଲାଭ ଦେଇପାରେ।