‘ରମ୍ଜାନ୍’ ମାସ ମୁସଲମାନ ସମ୍ପ୍ରଦାୟର ଏକ ପବିତ୍ର ମାସ। ଏହି ମାସ ସାରା ପୂର୍ଣ୍ଣ ଉପବାସ କରାଯାଏ। ଏହି ମାସରେ ପ୍ରତ୍ୟେକ ମୁସଲମାନ ଉପବାସ ରଖନ୍ତି, ଯାହାକୁ ‘ରୋଜା’ କୁହାଯାଏ।
ମାନ୍ୟତାନୁସାରେ ଆଲ୍ଲା ପବିତ୍ର ଗ୍ରନ୍ଥ ‘କୋରାନ୍’କୁ ପୃଥିବୀପୃଷ୍ଠରେ ଅବତୀର୍ଣ୍ଣ କରାଇଥିଲେ। ଆଲ୍ଲାଙ୍କୁ ଖୁସି କରିବାକୁ ଯାଇ ମୁସଲମାନ୍ମାନେ ପୂର୍ଣ୍ଣମାସ ଉପବାସ କରିଥା’ନ୍ତି। ସନ୍ଧ୍ୟାରେ ନମାଜ ପାଠ ପରେ ମୁସଲମାନ୍ମାନେ ଭୋଜନ ଗ୍ରହଣ କରନ୍ତି; ଏହାକୁ ‘ଇଫ୍ତାର’ କୁହାଯାଏ।
‘ରମ୍ଜାନ୍’ ମାସର ଅନ୍ତିମ ଦିବସରେ ଯେତେ ବେଳେ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି, ତାହାର ଠିକ୍ ଦିନକ ପରେ ପବିତ୍ର ‘ଇଦ୍’ ପର୍ବ ପାଳିତ ହୁଏ। ‘ଇଦ୍’ ଦିନ ସକାଳେ ସମସ୍ତେ ସ୍ନାନାଦି କର୍ମସାରି, ନୂତନ ବସ୍ତ୍ର ପରିଧାନ କରି, ଅତର ଲଗାଇ ଶୃଙ୍ଖଳିତ ଭାବେ ବିଶେଷ ପ୍ରାର୍ଥନା ସ୍ଥଳୀ (ଇଦ୍ ଘା) ଯାଇ ପ୍ରାର୍ଥନା କରିବା, ଧାର୍ମିକ ବିଧି। ନମାଜ୍ ପାଠର ସମାପ୍ତି ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଥା’ନ୍ତି। ମନରେ ଥିବା ଈର୍ଷା, ରାଗ-ରୋଷ, ଭେଦ-ଭାବକୁ ଭୁଲିଯା’ନ୍ତି।
ଇଦ୍ ପର୍ବ ପାଳନ ଅବସରରେ ଗରିବ, ଅସହାୟମାନଙ୍କୁ ଅର୍ଥଦାନ ଦିଆଯାଏ ଯାହାକୁ ଫିତ୍ରା କୁହାଯାଏ। ଇସ୍ଲାମ୍ ଧର୍ମରେ ଆଉ ଏକ ପ୍ରକାରର ଦାନ ଦିଆଯାଏ, ଯାହାକୁ ‘ଜକାତ୍’ କୁହାଯାଏ। ପ୍ରତ୍ୟେକ ମୁସଲମାନ ନିଜ କମାଇଥିବା ବା ଉପାର୍ଜନ କରିଥିବା ଅର୍ଥ ରାଶିରୁ ୨.୫% ଅର୍ଥ ଗରିବକୁ ଦାନ କରିବାର ପ୍ରଥା ପବିତ୍ର ଗ୍ରନ୍ଥ ‘କୋରାନ୍’ରେ ଉଲ୍ଲେଖ କରାଯାଇଛି। ଏହା ‘ଧାର୍ମିକ କର’ ବା ଜକାତ୍ ନାମରେ ଜଣାଶୁଣା। ‘ଇଦ୍’ ସମ୍ପର୍କ ଓ ଭାଇଚାରାର ପର୍ବ।