ହାଇଦ୍ରାବାଦର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶିବରଞ୍ଜନୀ ସନ୍ତୋଷ ଏକ ବିପଜ୍ଜନକ ପାନୀୟ ନାମକରଣ ବିରୋଧରେ ଆଠ ବର୍ଷ ଧରି ଲଢ଼େଇ କରି ଶେଷରେ ଶିଶୁମାନଙ୍କ ସ୍ବାସ୍ଥ୍ୟ ସପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ଡାଇରିଆ ବା ତରଳ ଝାଡ଼ା ହେଲେ ଔଷଧ ଦୋକାନରୁ ‘ଓଆର୍ଏସ୍’ ନାମ ବହନ କରୁଥିବା ରଙ୍ଗୀନ ବୋତଲ ଓ ଟେଟ୍ରା ପ୍ୟାକେଟ୍ରେ ମିଳୁଥିବା ପାନୀୟ ଆଣି ପ୍ରାୟ ସମସ୍ତେ ପିଇଥିବେ। ଏଗୁଡ଼ିକ ଲୋକପ୍ରିୟ ହେବା ପଛରେ ସେଲିବ୍ରିଟିମାନଙ୍କ ପ୍ରଚାରର ପ୍ରମୁଖ ଭୂମିକା ରହିଛି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅନୁମୋଦିତ ଓଆର୍ଏସ୍ରେ ଯେତିକି ମାତ୍ରାର ଅତ୍ୟାବଶ୍ୟକ ଲବଣ ଓ ଅନ୍ୟାନ୍ୟ ସାମଗ୍ରୀ ରହିବା କଥା, ସେହି ପାନୀୟରେ ସେସବୁ ନଥାଏ ବୋଲି ଡାକ୍ତର ଶିବରଞ୍ଜନୀ ଲକ୍ଷ୍ୟ କରିଥିଲେ।
ଏହି ‘ଛଦ୍ମ ଓଆର୍ଏସ୍’ରେ ଲିଟର ପିଛା ୧୨୦ ଗ୍ରାମ ପରି ଉଚ୍ଚ ପରିମାଣର ଚିନି ଏବଂ ବିପଜ୍ଜନକ ଭାବେ କମ୍ ମାତ୍ରାର ଇଲୋକ୍ଟ୍ରୋଲାଇଟ୍ ରହିଥାଏ। ବିଶେଷକରି ଡିହାଇଡ୍ରେସନ୍ର ଶିକାର ଶିଶୁମାନେ ଏହାକୁ ପିଇବା କ୍ଷତିକାରକ ବୋଲି ଡାକ୍ତର ଶିବରଞ୍ଜନୀ ଜାଣିପାରିଥିଲେ। ତାଙ୍କୁ ଏ କଥାଟି ମର୍ମାହତ କଲା ଯେ ଓଆର୍ଏସ୍ ଦ୍ବାରା ସହଜରେ ଚିକିତ୍ସାଯୋଗ୍ୟ ଡାଇରିଆ ପରି ରୋଗରେ ପଡ଼ିଥିବା ଶିଶୁଙ୍କ ପିତାମାତା ଓଆର୍ଏସ୍ ଭାବି ଔଷଧ ଦୋକାନରୁ ଯେଉଁ ପାନୀୟ ଆଣୁଥିଲେ ତାହା ଶିଶୁର ଅବସ୍ଥାକୁ ଆହୁରି ଖରାପ କରିଦେଉଥିଲା। ଗୋଟିଏ ମଧୁର ପାନୀୟକୁ ଓଆର୍ଏସ୍ ନାମରେ କିପରି ବିକ୍ରି କରାଯାଉଛି ସେକଥା ତାଙ୍କୁ ଆଚମ୍ବିତ କରିଥିଲା। ତେଣୁ ସେ ୨୦୧୮ରେ ଅନ୍ଲାଇନ୍ରେ ଛଦ୍ମ ଓଆର୍ଏସ୍ ବିରୋଧରେ ଲଢ଼େଇ ଆରମ୍ଭ କରିଦେଇଥିଲେ।
ଏଥି ସହିତ ସେ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଡ୍ରୋଲ୍ ଅର୍ଗାନାଇଜେସନ, ଫୁଡ୍ ସେଫଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ ଅଥୋରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ନିକଟରେ ଆବେଦନ କରିଥିଲେ। ଦୀର୍ଘ ଓ ଜଟିଳ ଲଢ଼େଇ ପରେ ଅତିଷ୍ଠ ହୋଇ ସେ ୨୦୨୪ରେ ତେଲେଙ୍ଗାନା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଶେଷରେ ‘ଏଫ୍ଏସ୍ଏସ୍ଏଆଇ’ ଗତ ୧୪ ତାରିଖରେ ନିର୍ଦେଶ ଜାରି କରିଛି ଯେ ଖାଦ୍ୟ ଉତ୍ପାଦନକାରୀ କମ୍ପାନିମାନେ ତୁରନ୍ତ ସମସ୍ତ ଖାଦ୍ୟ ଓ ପାନୀୟ ଉତ୍ପାଦରେ ‘ଓଆର୍ଏସ୍’ ଲେଖିବା ବନ୍ଦ କରିବେ ଏବଂ ସେଗୁଡ଼ିକର ବିକ୍ରି ତୁରନ୍ତ ବନ୍ଦ କରିବେ। ଦୀର୍ଘ ସଂଘର୍ଷ ପରେ ମିଳିଥିବା ଏହି ବିଜୟର ଶ୍ରେୟ ନିଜେ ନ ନେଇ ଡାକ୍ତର ଶିବରଞ୍ଜନୀ ଏହାକୁ ପିତାମାତା ଓ ଲୋକଙ୍କ ବିଜୟ ବୋଲି କହିଛନ୍ତି। ତେବେ ଜନସ୍ବାସ୍ଥ୍ୟ ସପକ୍ଷରେ ତାଙ୍କର ଏହି ଦୀର୍ଘ ଲଢ଼େଇକୁ ଦେଶବାସୀ ଭୂରି ଭୂରି ପ୍ରଶଂସା କରୁଛନ୍ତି।