ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିରୋଧୀ ଦଳରେ ଥିଲା ବେଳେ ଉପନିର୍ବାଚନରେ ବିଜେପିର ପ୍ରଦର୍ଶନ ଆଶାନୁରୂପକ ନଥିଲା। ଏପରିକି ନିଜ ଆସନକୁ ବି ହାତଛଡ଼ା କରିଥିଲା। ଶାସନକୁ ଆସିଲା ପରେ ପ୍ରଥମ ଥର ପାଇଁ ଦଳ ନୂଆପଡ଼ାରେ ଉପନିର୍ବାଚନକୁ ସାମ୍ନା କରିବ। ଜିତିଗଲେ, ସରକାରଙ୍କ ପ୍ରତି ଏକ ସକାରାତ୍ମକ ହାୱା ସୃଷ୍ଟି ହେବ। ହାରିଗଲେ, ସରକାର ଅପଦସ୍ଥ ହେବେ। ଶାସନରେ ଥିଲା ବେଳେ ସବୁ ଉପନିର୍ବାଚନରେ ବିଜେଡିର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ନିଜ ଆସନ ବଜାୟ ରଖୁଥିଲା, ବିଜେପି ଠାରୁ ଛଡ଼ାଇ ଆଣିବାର ଉଦାହରଣ ବି ସୃଷ୍ଟି କରିଥିଲା। ବିରୋଧୀ ଦଳକୁ ଆସିଲା ପରେ ନୂଆପଡ଼ା ଉପନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ। ନିଜ ଆସନ ହୋଇଥିଲେ ବି ଏଥର ବାଟ ସହଜ ନୁହେଁ। ଯଦି ସଫଳତା ମିଳିଲା, ତେବେ ବିଜେଡି ଓ ଏହାର ମୁଖିଆଙ୍କ ପ୍ରତି ଏବେ ବି ଜନସମର୍ଥନ ରହିଛି ବୋଲି ବାର୍ତ୍ତା ଯିବ। ଆଉ ହାତଛଡ଼ା ହୋଇଗଲେ, ଦଳର ଆଭ୍ୟନ୍ତରୀଣ ରାଜନୀତି ଅଧିକ ଗଡ଼ବଡ଼ ହୋଇପାରେ।
ନିକଟ ଅତୀତରେ ହୋଇଥିବା ସବୁ ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଖରାପ ଥିଲା। ରାଜ୍ୟରେ ବିଜେପି ଶାସନକୁ ଆସିଲା ପରେ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି ବୋଲି ଧାରଣା ସୃଷ୍ଟି ହୋଇଛି। ଗତ କିଛି ମାସ ହେଲା ବିରୋଧୀ ଦଳ ଭାବେ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ରହିଛି। ତେବେ ଭୋଟ ରାଜନୀତିରେ ଓଡ଼ିଶାରେ କଂଗ୍ରେସ କେତେ ଆଗକୁ ମାଡ଼ୁଛି, ତାହା ଜଣାପଡ଼ିଯିବ।
ଏମିତି ଏକ ରାଜନୈତିକ ପରିସ୍ଥିତିରେ ୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶା ପ୍ରଥମ ଉପନିର୍ବାଚନକୁ ସାମ୍ନା କରିବାକୁ ଯାଉଛି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେଉଛି। ଯଦିଓ ତାରିଖ ଘୋଷଣା ହୋଇ ନାହିଁ, ତେବେ ଏହାକୁ ନେଇ ରାଜନୈତିକ ଛକାପଞ୍ଝା ଜୋର୍ଦାର ହୋଇଗଲାଣି। ରାଜଧାନୀରେ ତିନି ଦଳ ଏକାଧିକ ବୈଠକ କରି ଗୁପ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି। ନୂଆପଡ଼ାରେ ଲଢ଼େଇ ହେବ ସତ, କିନ୍ତୁ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମିରେ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ଚୟନ ହିଁ ତିନି ଦଳ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏଠାରୁ ଚାରି ଥର ବିଜେଡି ଟିକେଟ୍ରେ ଜିତି ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ଗତ ନିର୍ବାଚନରେ ତାଙ୍କର ବିଜୟ ବ୍ୟବଧାନ ଥିଲା ୧୧ ହଜାରରୁ ଅଧିକ। ଶ୍ରୀ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ କିମ୍ବା ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି। ତେବେ ତାଙ୍କ ପତ୍ନୀ ନିଜଆଡ଼ୁ ସେପରି ଆଗ୍ରହ ଦେଖାଇ ନାହାନ୍ତି। ତେଣୁ ଜୟ ହିଁ ବିଜେଡି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। କିନ୍ତୁ ତାଙ୍କ ପତ୍ନୀଙ୍କୁ ବୁଝାଇ ପ୍ରାର୍ଥୀ କରିବାକୁ ବିଜେଡିର କିଛି ନେତା ମତ ଦେଇଛନ୍ତି। ଏଦିଗରେ ମଧ୍ୟ କସରତ ଚାଲିଛି। ପରିବାର ସଦସ୍ୟଙ୍କ ବାହାରେ ପ୍ରାର୍ଥୀ ଦେବା ବିଜେଡି ପକ୍ଷେ ସମ୍ଭବ ହେବ ନାହିଁ କି ସେ ଦିଗରେ ଚିନ୍ତା କରିବା ସ୍ଥିତିରେ ବି ଦଳ ନାହିଁ।
ପ୍ରାର୍ଥା ଚୟନକୁ ନେଇ ଛକାପଞ୍ଝା
ରାଜଧାନୀରେ ତୁହାକୁ ତୁହା ବୈଠକ
ଫଳାଫଳ ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇବ
ପ୍ରାର୍ଥୀ ଚୟନ ନେଇ ବିଜେପି ଅଧିକ ଅକଳରେ ପଡ଼ିଯାଇଛି। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ୫ଟି ନିର୍ବାଚନରେ ଏଠାରେ ବସନ୍ତ ପଣ୍ଡା ହିଁ ଦଳରୁ ପ୍ରାର୍ଥୀ ହେଉଥିଲେ। ୨୦୦୦ ଓ ୨୦୧୪ରେ ସେ ବିଜୟୀ ହୋଇଥିଲେ। ୨୦୧୯ରେ ଶ୍ରୀ ପଣ୍ଡା ସାଂସଦ ପ୍ରାର୍ଥୀ ହେଲା ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା। ୨୦୨୪ରେ ଶ୍ରୀ ପଣ୍ଡା ନିଜେ ପ୍ରାର୍ଥୀ ନହୋଇ ପୁଅ ଅଭିନନ୍ଦନଙ୍କୁ ବିଜେପି ଟିକେଟ୍ ଦେବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ଏଥର ଅଭିନନ୍ଦନଙ୍କୁ ପୁନର୍ବାର ପ୍ରାର୍ଥୀ କରାଇବାକୁ ବସନ୍ତ ଚାହୁଛନ୍ତି। କିନ୍ତୁ ଦଳର ଶୀର୍ଷ ସ୍ତରରେ ଏ ନେଇ ସବୁଜ ସଙ୍କେତ ମିଳିପାରୁ ନାହିଁ। ବିଜେପି ଏବେ ଶାସନରେ ଥିବାରୁ ଦଳରେ ଆଶାୟୀ ସଂଖ୍ୟା ବି ବଢ଼ିଯାଇଛି। ସବୁଠାରୁ ରୋଚକ ବିଷୟ ହେଲା, ସ୍ବର୍ଗତ ଢୋଲକିଆଙ୍କ ପରିବାର ସହ ବି ବିଜେପିର କିଛି ନେତା ଯୋଗାଯୋଗରେ ଅଛନ୍ତି। ତାଙ୍କ ପୁଅ କିମ୍ବା ପତ୍ନୀଙ୍କୁ ବିଜେପିକୁ ଆଣି ଟିକେଟ୍ ଦେବା ପାଇଁ ଆଲୋଚନା ଜାରି ରହିଛି। କିନ୍ତୁ ସେ ଦିଗରେ କୌଣସି ସ୍ପଷ୍ଟ ସଙ୍କେତ ଆସି ନାହିଁ। ଯଦି ଏହି ଯୋଜନାରେ ଦଳ ସଫଳ ହୁଏ, ତେବେ ବସନ୍ତ କିମ୍ବା ତାଙ୍କ ପୁଅଙ୍କୁ କିପରି ଦଳ ସନ୍ତୁଷ୍ଟ କରିବ, ତାହା ବି ଗୁରୁତ୍ବପୂର୍ଣ୍ଣ।
କଂଗ୍ରେସରୁ ଘାସିରାମ ମାଝୀଙ୍କ ପ୍ରାର୍ଥିତ୍ବ ନେଇ ଆଲୋଚନା ଚାଲିଛି। ୨୦୧୪ ଓ ୨୦୧୯ରେ ଘାସିରାମ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଯଦିଓ ଜିତିପାରି ନଥିଲେ, ତେବେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଉଥିଲେ। ୨୦୨୪ରେ ସେ ପ୍ରମୁଖ ଦାବିଦାର ଥିଲେ ବି ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଏଠାରୁ ନିଜେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ଥିଲା, ମାତ୍ର ୧୫ ହଜାର ଭୋଟରେ ସେ ସୀମିତ ରହିଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ହିଁ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଘାସିରାମଙ୍କ ପ୍ରାର୍ଥିତ୍ବକୁ ସିଧାସଳଖ ସମର୍ଥନ କରିସାରିଛନ୍ତି। କିନ୍ତୁ ଦଳର ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏଁ ନିଆଯାଇ ନାହିଁ। ଘାସିରାମଙ୍କୁ ନେଇ ଜିଲ୍ଲାରେ ଆଦିବାସୀ ସଂଘ ମଧ୍ୟରେ ବିବାଦ ହୋଇଥିବାରୁ ଏହାକୁ କିପରି ସମାଧାନ କରାଯିବ, ତାହା ଉପରେ ବି ସବୁ ଦଳର ନଜର ରହିଛି। ତିନି ଦଳର ପ୍ରଚାରର ମଙ୍ଗ କିଏ ଧରିବ, ତାହା ବେଶ୍ ଗୁରୁତ୍ବ ବହନ କରୁଛି। ସ୍ବର୍ଗତ ଢୋଲକିଆଙ୍କ ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ନୂଆପଡ଼ା ଉପନିର୍ବାଚନକୁ ବିଜେପି ଗୁରୁତ୍ବର ସହ ନେବ, ତାହା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ହିଁ ସୂଚାଇ ଦେଇଥିଲା। ବିଜେପିର ଉପର ମହଲରେ ବି ଏ ଦିଗରେ ରଣନୀତି କରାଯାଉଛି। ବିଜେଡି ଏକ ଟିମ୍ ଗଠନ କରି ନୂଆପଡ଼ା ଉପନିର୍ବାଚନକୁ ପରିଚାଳନା କରିବାକୁ ଯୋଜନା କରିଛି। କ୍ଷମତାରେ ଥିଲା ବେଳେ ଦଳର ସବୁ ବିଧାୟକ ଓ ଛାମୁଆ ନେତାମାନେ ପଞ୍ଚାୟତରେ ଡେରା ପକାଇ ନିର୍ବାଚନ ପରିଚାଳନା କରୁଥିବା ଦେଖିବାକୁ ମିଳୁଥିଲା। ଏବେ ସେହି ରଣନୀତି ବିଜେଡି କରିବ ନା ଏଥିରେ କିଛି ପରିବର୍ତ୍ତନ କରିବ, ତାହା ସ୍ପଷ୍ଟ ହୋଇନି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ପ୍ରଚାର କରିବାର ସମ୍ଭାବନା ଆପାତତଃ ନାହିଁ। ସେହିପରି କଂଗ୍ରେସର ପ୍ରଚାର ମଙ୍ଗ ନିଜେ ପିସିସି ସଭାପତି ଧରିବାର ସମ୍ଭାବନା ରହିଛି। ଏଥିପାଇଁ ବଡ଼ ପ୍ରସ୍ତୁତି ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି।