ବର୍ତ୍ତମାନ ଭାରତର ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ସଫଳତା ହାସଲ ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରୁଛନ୍ତି ତାହା ଅନେକ କ୍ଷେତ୍ରରେ ଭାରତୀୟ ସଂସ୍କୃତିର ପରିପନ୍ଥୀ ହୋଇଥିଲା ବେଳେ ସମାଜିକ ଏକତା ଓ ସଂହତିକୁ ପ୍ରତିହତ କରୁଛି। ଆଜି ରାଜନୈତିକ ଦୃଶ୍ୟପଟରେ ଯେଉଁ ଅସଙ୍ଗତି ଓ ବ୍ୟଭିଚାର ବ୍ୟାପକ ଭାବେ ପରିଦୃଷ୍ଟ ହେଉଛି ତାହାର ମୂଳଦୁଆ ଇଂରେଜମାନେ ଭାରତରେ ପକାଇଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ଆମେ ସେହି ବିଭେଦକାରୀ ନୀତି ବା କୌଶଳର ମୂ‌ଳୋତ୍ପାଟନ କରିବା ପରିବର୍ତ୍ତେ ତାହାକୁ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଅନୁସରଣ କରୁଛୁ। ସେହି କୌଶଳକୁ ପ୍ରୟୋଗ ମାଧ୍ୟମରେ ଇଂରେଜ ଶାସକମାନେ ଭାରତୀୟଙ୍କ ଏକତାକୁ ଭାଙ୍ଗିବା ପାଇଁ କରିଥିବା ଚକ୍ରାନ୍ତ କଥା କାହାକୁ ଅଜଣା ନାହିଁ, କିନ୍ତୁ ସେମାନଙ୍କର ଚକ୍ରାନ୍ତକୁ ସଫଳ କରିବାରେ ସ୍ୱାଧୀନତା ଆନ୍ଦୋଳନର ମଙ୍ଗ ଧରିଥିବା ଭାରତୀୟ ନେତୃବୃନ୍ଦଙ୍କର ଅବଦାନ ମଧ୍ୟ କିଛି କମ୍ ନ ଥିଲା। ଭାରତୀୟମାନଙ୍କୁ ବିଭାଜିତ କରି ସ୍ୱାଧୀନତା ପ୍ରାପ୍ତି ଉଦ୍ୟମକୁ ପରାହତ କରିବା ଉଦ୍ଦେଶ୍ୟରେ ଇଂରେଜମାନେ ୧୯୦୯ ମସିହାରୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରି ଦେଇଥିଲେ। ସଂସ୍କାର ଆଳରେ ଇଣ୍ଡିଆନ କାଉନ୍‌ସିଲ ଅଧିନିୟମ ମାଧ୍ୟମରେ ଦେଶରେ ମୁସଲମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ସୃଷ୍ଟି କରିଥିଲେ, ଯେଉଁଠି ମୁସଲମାନ ପ୍ରାର୍ଥୀ କେବଳ ମୁସଲମାନ ମତଦାତାଙ୍କ ଦ୍ୱାରା ନିର୍ବାଚିତ ହେବା ବ୍ୟବସ୍ଥା ଥିଲା। ଏହା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଥିଲା ଏବଂ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ସ୍ବାଧୀନତାର ପୂର୍ବବର୍ତ୍ତୀ ସମୟରେ ଚାରା ଅବସ୍ଥାରେ ମୁଣ୍ଡ ଟେକିଥିବା ସାଂପ୍ରଦାୟିତାର ମୂ‌ଳୋତ୍ପାଟନ ହେବା ପରିବର୍ତ୍ତେ ସ୍ୱାଧୀନତା ପରେ ତାହାର ବୃଦ୍ଧି ଓ ପ୍ରସାରକୁ ନିର୍ବାଚନରେ ଉପଯୋଗ କରିବାର ସୁଯୋଗକୁ ହାତଛଡ଼ା କରାଗଲା ନାହିଁ। ଆଜି ତାହା ଏକ ମହାଦ୍ରୁମରେ ପରିଣତ ହୋଇ ଉଭା ହୋଇଛି।

Advertisment

ସ୍ୱାଧୀନ ଭାରତରେ ଗଣତନ୍ତ୍ରର ମୂଳ ଧର୍ମକୁ ଉପେକ୍ଷା କରାଯାଇ କିଛି ଅଣହିନ୍ଦୁଙ୍କୁ ସଂଖ୍ୟାଲଘୁ ଆଖ୍ୟା ଦେଇ ସ୍ୱତନ୍ତ୍ର ସୁଯୋଗ ଦିଆଗଲା। ଏହା ମଧ୍ୟ ଇଂରେଜ ସରକାରଙ୍କ ଇଙ୍ଗିତରେ ଆରମ୍ଭ ହୋଇଥିଲା। ଇଂରେଜ ଶାସନ କାଳରେ ଇଂରେଜ ସୈନିକ ଓ କର୍ମଚାରୀମାନେ ଭାରତୀୟ ମହିଳାଙ୍କୁ ବିବାହ କରିଥିବା ଫଳରେ ସେମାନଙ୍କ ଠାରୁ ଜନ୍ମିତ ପିଲାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସାମାଜିକ ଶ୍ରେଣୀ ଗଢ଼ି ଉଠିଥିଲା। ଯାହାକୁ ଆଙ୍ଗ୍ଲୋ ଇଣ୍ଡିଆନ ବୋଲି କୁହାଯାଉଥିଲା। ସେମାନେ ଇଂରେଜ ସରକାରଙ୍କର ଅନୁକମ୍ପା ଲାଭ କରି ଶାସନ କ୍ଷେତ୍ରରେ କ୍ଷମତା ଓ ସୁଯୋଗ ଉପଭୋଗ କରୁଥିଲେ ଏବଂ ନିଜକୁ ଇଂରେଜ ସଂପ୍ରଦାୟର ବୋଲି ଧରି ନେଇ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରିନଥିଲେ। ତେଣୁ ଇଂରେଜମାନେ ଭାରତ ଛାଡ଼ିବା ପୂର୍ବରୁ ସେହି ଲୋକମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ୟମ କରିଥିଲେ। ସ୍ୱାଧୀନ ଭାରତରେ ସେମାନଙ୍କୁ ବାସନ୍ଦ କରିବା କିମ୍ବା ପାତରଅନ୍ତର ବ୍ୟବହାରର ଶିକାର ହେବା ଆଶଙ୍କା କରି ଇଂରେଜ ଶାସକମାନେ ଗଲା ପୂର୍ବରୁ ସେମାନଙ୍କ ପାଇଁ ଆଇନର ରକ୍ଷା କବଚ ସୃଷ୍ଟି କରିବା ପାଇଁ ଭାରତୀୟ ନେତାମାନଙ୍କୁ ରାଜି କରାଇଥିଲେ। ଫଳରେ ସଂବିଧାନ ପ୍ରଣୟନ ସମୟରେ ନାଗରିକମାନଙ୍କ ମଧ୍ୟରୁ ଯେ କୌଣସି ଗୋଷ୍ଠୀ ବା ଶ୍ରେଣୀକୁ ତାଙ୍କର ସ୍ୱତନ୍ତ୍ର ଭାଷା, ଲିପି ଓ ସଂସ୍କୃତିକୁ ସୁରକ୍ଷିତ କରି ରଖିବାର ମୌଳିକ ଅଧିକାର ପ୍ରଦାନ କରାଗଲା (ଅନୁଚ୍ଛେଦ ୨୯)। ସେହିଭଳି ଭିନ୍ନ ଧର୍ମ, ଜାତି, ବର୍ଣ୍ଣ, ଭାଷା କିମ୍ବା ଏଥି ମଧ୍ୟରୁ ଯେ କୌଣସି ଗୋଟିଏକୁ କାରଣ ରୂପେ ଗ୍ରହଣ କରି ସଂପୃକ୍ତ ଗୋଷ୍ଠୀର ପିଲାମାନଙ୍କୁ ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା କ୍ଷେତ୍ରରେ କୌଣସି ଭେଦଭାବ ହେବ ନାହିଁ ବୋଲି ଅନୁଚ୍ଛେଦ ୨୯ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଗଲା। ଅନୁଚ୍ଛେଦ ୩୦ରେ ଏହି ଗୋଷ୍ଠୀଙ୍କୁ ନିଜର ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଅଧିକାର ଦିଆଗଲା। ଭାରତର ସାଂସ୍କୃତିକ ବିବିଧତାର ସୁରକ୍ଷା ଓ ବିକାଶ ପାଇଁ ଏଭଳି ମୌଳିକ ଅଧିକାରର ଆବଶ୍ୟକତା ଥିଲା ବୋଲି କୁହାଗଲା, କିନ୍ତୁ କେଉଁ ପୃଷ୍ଠଭୂମିରେ ସଂବିଧାନରେ ଏହି ବ୍ୟବସ୍ଥା ହେଲା ତାହା କାହାକୁ ଅଛପା ନାହିଁ। ସଂବିଧାନ ପ୍ରଣେତାମାନଙ୍କର ଉଦ୍ଦେଶ୍ୟ ମହତ ହୋଇଥାଇପାରେ, କିନ୍ତୁ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ସତ୍ତ୍ୱେ (ଅନୁଚ୍ଛେଦ ୧୪) ଏଭଳି ସ୍ୱତନ୍ତ୍ର ଅଧିକାର କିଛି ଲୋକଙ୍କୁ ଦେବା ଫଳରେ ସମାଜରେ ଯେଉଁ ବିଭେଦ ସୃଷ୍ଟି ହେଲା, ସେ କଥା ବୋଧହୁଏ ସେମାନେ ଚିନ୍ତା କରିନଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଅନୁଚ୍ଛେଦ ୨୯ ଓ ୩୦ରେ ‘ସଂଖ୍ୟାଲଘୁ’ ଶବ୍ଦ ବ୍ୟବହାର ହୋଇନଥିଲା ବେଳେ ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ସରକାର ଜାତୀୟ ସଂଖ୍ୟାଲଘୁ କମିସନ ଆକ୍ଟ ପ୍ରଣୟନ କରି ଅଣହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ସଂଖ୍ୟାଲଘୁ ଆଖ୍ୟା ଦେଇ ଅନୁଚ୍ଛେଦ ୨୯ ଓ ୩୦ ରେ ସନ୍ନିବେଶିତ ଅଧିକାରଗୁଡ଼ିକୁ ଉପଭୋଗ କରିବାର ସୁଯୋଗ ଦେଲେ। ଭୋଟ ରାଜନୀତିରେ ସଂଖ୍ୟାଲଘୁ ତୁଷ୍ଟୀକରଣ ଆଜି ଏକ ପ୍ରମୁଖ ଅସ୍ତ୍ର ରୂପେ ବ୍ୟବହୃତ ହେଉଛି। ଧର୍ମ ଭିତ୍ତିରେ ସମାଜକୁ ବିଭାଜିତ କଲାପରେ ବ୍ରିଟିସ ସରକାର ହିନ୍ଦୁଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ମଧ୍ୟ ଭୁଲିନଥିଲେ। ୧୯୩୨ ମସିହାରେ ଇଂଲାଣ୍ଡ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାମସେ ମାକ୍ ଡୋନାଲ୍‌ଡ ଦଳିତଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରସ୍ତାବ ଦେଲେ। ଆମ୍ବେଦକର ଏହି ପ୍ରସ୍ତାବକୁ ସମର୍ଥନ କଲାବେଳେ ଗାନ୍ଧୀ ବିରୋଧ କଲେ। ହିନ୍ଦୁମାନଙ୍କୁ ଭାଗ ଭାଗ କରିବାକୁ ଗାନ୍ଧୀ ଚାହୁଁନଥିଲେ। ଆମ୍ବେଦକର ଓ ଗାନ୍ଧୀଙ୍କ ମଧ୍ୟରେ ବୁଝାମଣା ହୋଇ ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀ ପରିବର୍ତ୍ତେ ଦଳିତଙ୍କ ପାଇଁ ସାଧାରଣ ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରୁ କିଛି ନିର୍ବାଚନମଣ୍ଡଳୀ ସଂରକ୍ଷିତ କରିବା ପାଇଁ ରାଜିନାମା ସ୍ବାକ୍ଷରିତ ହେଲା ଏବଂ ତାହା ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ୧୯୩୫ରେ ଅନ୍ତର୍ଭୁକ୍ତ ହେଲା। ସେହି ସଂରକ୍ଷିତ ଆସନଗୁଡ଼ିକରେ କେବଳ ଦଳିତ ପ୍ରାର୍ଥୀ ପ୍ରତିଯୋଗିତା କରିବାକୁ ଥିବା ବେଳେ ସବୁ ବର୍ଗର ଲୋକେ ନିର୍ବାଚନରେ ଭୋଟ ଦେଇପାରିବା ବ୍ୟବସ୍ଥା ରହିଲା, ଯାହାକି ଏବେ ମଧ୍ୟ ଅନୁସୃତ ହେଉଛି। ସ୍ୱାଧୀନ ଭାରତର ସଂବିଧାନ ପ୍ରଣୟନ ସମୟରେ ମଧ୍ୟ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରଖାଗଲା। ଧର୍ମ ଓ ଜାତି ଭିତ୍ତିରେ ସମାଜକୁ ଭାଗ ଭାଗ କରି ଶାସନ କରିବା ଇଂରେଜୀ କୌଶଳକୁ ଆମେ ବିନା ଦ୍ୱିଧାରେ ଗ୍ରହଣ କରିଥିଲୁ, ଯାହା କି ଆଜି ଭୟଙ୍କର ରୂପ ଧାରଣ କଲାଣି। 

ସଂରକ୍ଷଣ ବ୍ୟବସ୍ଥାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା ଯେତେବେଳେ ମଣ୍ଡଳ କମିସନଙ୍କ ସୁପାରିସ ଭିତ୍ତିରେ ପଛୁଆ ଜାତିଗୁଡ଼ିକ ପାଇଁ ସରକାରୀ ନିଯୁକ୍ତିରେ ଶତକଡ଼ା ୨୭ ଭାଗ ସ୍ଥାନ ସଂରକ୍ଷଣ କରାଗଲା। ୧୯୯୦ ମସିହାରେ ମଣ୍ଡଳ କମିସନଙ୍କ ସୁପାରିସକୁ ବିଶ୍ବନାଥ ପ୍ରତାପ ସିଂହଙ୍କ ସରକାର କାର୍ଯ୍ୟକାରୀ କରି ସରକାରୀ ଚାକିରିରେ ଶତକଡ଼ା ୨୭ ଭାଗ ସ୍ଥାନ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରଖିଲେ। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଜାତିର ଲୋକମାନଙ୍କୁ ଏହି ସୁବିଧା ମିଳିଲା। ଏହା ଏକ ସଂପୂର୍ଣ୍ଣ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା, ଯାହା ବିଭାଜିତ ସମାଜକୁ ଆହୁରି ବିଭାଜିତ କଲା। ଯେଉଁ ଜାତି ଏଥିରେ ସାମିଲ ହୋଇପାରିଲା ନାହିଁ ସେ ଜାତିର ପଛୁଆ ବର୍ଗର ଲୋକ ଏହି ସୁବିଧାରୁ ବଞ୍ଚିତ ହେଲେ। ଏହାକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ମାମଲା ହେଲା। ସୁପ୍ରିମ୍ କୋର୍ଟ ଶତକଡ଼ା ୨୭ ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖି ସେଥିରେ ପଛୁଆ ଜାତି ମଧ୍ୟରେ ଥିବା ସ୍ବଚ୍ଛଳ ବ୍ୟକ୍ତିମାନଙ୍କୁ (କ୍ରିମି ଲେୟର) ସେହି ସୁବିଧାରୁ ବଞ୍ଚିତ କରିବାକୁ ଆଦେଶ ଦେଲେ। ଏହା ପରେ ପଛୁଆ ଜାତିରେ ସାମିଲ ହେବା ପାଇଁ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ଜାତିର ଲୋକେ ଆନ୍ଦୋଳନ କଲେ। ହରିୟାନା, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ଏହାକୁ ନେଇ ସଂଗଠିତ ହିଂସାକାଣ୍ଡରେ ବହୁତ ଲୋକଙ୍କ ପ୍ରାଣହାନି ହେଲା। ବର୍ତ୍ତମାନ ରାଜ୍ୟମାନଙ୍କରେ ଓ.ବି.ସି. କମିସନ ଗଠନ କରାଯାଇ ପଛୁଆବର୍ଗ ତାଲିକାରୁ ବାଦ ପଡ଼ିଥିବା ଜାତିଗୁଡ଼ିକର ସେହି ବର୍ଗରେ ସାମିଲ ହେବାପାଇଁ ଦାବିର ବିଚାର ଚାଲିଛି। ୨୦୧୨ ମସିହାରେ ମନମୋହନ ସିଂହଙ୍କ ସରକାର ପଛୁଆବର୍ଗ ମଧ୍ୟରେ ମୁସଲମାନଙ୍କ ପାଇଁ ଏକ ସବ୍-କାଟାଗୋରି ବା ଉପ-ବର୍ଗ ସୃଷ୍ଟି କରି ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଭିତରେ ଶତକଡ଼ା ୪.୫ ଭାଗ ସଂରକ୍ଷଣ କରିବାକୁ ଉଦ୍ୟମ କରିଥିଲେ।