ଭାରତୀୟ ରାଜନୀତିରେ ଗଣତନ୍ତ୍ରର ମହାପର୍ବ ହେଉଛି ‘ନିର୍ବାଚନ’। ୧୮ ବର୍ଷରୁ ଊର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା ଭୋଟଦାନ କରିବାପାଇଁ ଯୋଗ୍ୟ। ବର୍ତ୍ତମାନ ଭାରତ ହେଉଛି ପୃଥିବୀର ସବୁଠୁ ଜନବହୁଳ ରାଷ୍ଟ୍ର। ଆମର ଜନସଂଖ୍ୟା ୧୪୪ କୋଟିରୁ ଅଧିକ। ଯେଉଁଥିରେ ମହିଳାମାନଙ୍କ ସଂଖ୍ୟା ୪୮.୪ ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା ୫୧.୬ ପ୍ରତିଶତ। ଏକଥା ଉଲ୍ଲେଖ କରିବାର କାରଣ, ଚଳିତବର୍ଷ ଅଷ୍ଟାଦଶ ଥର ପାଇଁ ନିର୍ବାଚନ ହେଉଛି। ଏଯାଏ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଅତି ନଗଣ୍ୟ ରହିଛି। ପଚାଶ ପ୍ରତିଶତ ତ ଦୂରର କଥା ୩୩ ପ୍ରତିଶତ ସଂରକ୍ଷଣ ବିଧେୟକ ଲାଗୁ ହୋଇପାରିଲା ନାହିଁ। ଯେଉଁ ମହିଳାମାନେ ବି ରାଜନୀତିକୁ ଆସୁଛନ୍ତି, ନିର୍ବାଚନ ଲଢୁଛନ୍ତି ସେମାନେ ପରିବାରବାଦକୁ ହିଁ ଆଗକୁ ନେଉଛନ୍ତି। ଏଣୁ ଭାରତୀୟ ରାଜନୀତିକ ଦଳମାନେ ଭୋଟ ହାତେଇବାକୁ ଯେଉଁ ସୁନେଲି ପ୍ରତିଶ୍ରୁତିମାନ ଦେଇ ଆସୁଛନ୍ତି ସେଗୁଡ଼ିକ ବାସ୍ତବରେ ମୂଲ୍ୟହୀନ ହୋଇପଡୁଛି। ମହିଳାମାନଙ୍କ ଉପଯୁକ୍ତ ଭାଗୀଦାରି ବିନା ମହିଳା ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ, ସାମାଜିକ ସୁରକ୍ଷା, ସଶକ୍ତୀକରଣ, ଯୋଜନାର ସଠିକ୍ ରୂପାୟନ, ତ୍ବରିତ ନ୍ୟାୟ ପ୍ରଦାନ ଇତ୍ୟାଦି ବିଡ଼ମ୍ବିତ ହୋଇପଡ଼ିଛି। ହଁ ଏକଥା ସତ, ମହିଳାମାନେ ବ୍ୟକ୍ତିଗତ ଭାବେ ଅନେକ ସଫଳତାର ଅଧିକାରିଣୀ ହୋଇପାରିଛନ୍ତି, କିନ୍ତୁ ରାଜ୍ୟ ବା ଦେଶରେ ସମୁଦାୟ ମହିଳା ବର୍ଗ ସାମଜିକ ବିକାଶ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ହୋଇପାରିନାହିଁ। ଚଳିତ ନିର୍ବାଚନରେ ନାରୀ ସୁରକ୍ଷା ଓ ନିରାପତ୍ତା ଭାରତରେ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏହି ପ୍ରସଙ୍ଗ ଆଧାରରେ ସମାଜର ବିଭିନ୍ନ ବର୍ଗର ମହିଳାଙ୍କ ପ୍ରତିକ୍ରିୟାକୁ ନେଇ ସୁଶ୍ରୀର ସ୍ବତନ୍ତ୍ର ଉପସ୍ଥାପନା...
ମୀରା ଦାସ, ଅବସରପ୍ରାପ୍ତ ଆଧ୍ୟାପିକା
ଭୋଟ୍ ହାତେଇବାକୁ ମା’ ଭଉଣୀମାନଙ୍କର ଅଧିକାରର ସୁରକ୍ଷା, ସେମାନଙ୍କର ସାମାଜିକ ନ୍ୟାୟ ଓ ଆର୍ଥିକ ନିରାପତ୍ତା ତଥା ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ପ୍ରଗତିର ଯେଉଁ ସ୍ଲୋଗାନ୍ ଓ ନାରା ଦିଆଯାଏ ନିର୍ବାଚନର ପରବର୍ତ୍ତୀ ସମୟରେ ପ୍ରତିଟି ରାଜନୈତିକ ଦଳ ଏହାଠାରୁ ଦୂରେଇ ଯିବାର ଦେଖିବାକୁ ମିଳେ। ଏପରିକି କାର୍ଯ୍ୟକ୍ଷେତ୍ରରେ ଯେତେବେଳେ ଜଣେ ନାରୀ ନିର୍ଯାତିତ ହୁଏ କିମ୍ବା ଯୌନ ଶୋଷଣର ଶିକାର ହୁଏ ସେତେବେଳେ ନ୍ୟାୟ ପାଇବାକୁ ଯାଇ ସେହି ନିରୀହା ଓ ଅବଳା କେବଳ ଅଧିକରୁ ଅଧିକ କଷ୍ଟ ପାଇଥାଏ। ଅନେକ କ୍ଷେତ୍ରରେ ରାଜନୈତିକ ଦଳର କେତେକ ନେତାମାନେ ମଧ୍ୟ ନାରୀ ନିର୍ଯାତନା ଦେବାର ପ୍ରମାଣ ରହିଛି କିନ୍ତୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ବରଂ ଅଧିକାଂଶ ସମୟରେ ତାକୁ ବଳପୂର୍ବକ ଚପାଇ ଦେବାର ପ୍ରମାଣ ରହିଛି। ତେଣୁ ରାଜନୈତିକ ଦଳ ଓ ସେମାନଙ୍କ ନେତାମାନେ ଦେଉଥିବା ନାରୀ ସୁରକ୍ଷା, ନିରାପତ୍ତା, ସଶକ୍ତୀକରଣ ଭଳି ଘୋଷଣା ମୋ ମତରେ ତୃଣମୂଳରେ ବାସ୍ତବରେ ପ୍ରତିଫଳିତ ହୋଇନଥାଏ। ଏଥିପାଇଁ ସମାଜର ପ୍ରତିଟି ବର୍ଗର ସଂଗ୍ରାମ ଜାରି ରହିଲେ ଏହାର ବାସ୍ତବ ଓ ସଫଳ ରୂପାୟନ ହୋଇପାରିବ ବୋଲି ମୁଁ ଭାବୁଛି। ଯଦି ଏହା ନହୁଏ ତେବେ ଏହା କେବଳ ଏକ ରାଜନୈତିକ ଭେଳିକି ହୋଇ ରହିଯିବ।
ରାଣୀ ସିଂ, ମହିଳା ଉଦ୍ୟୋଗୀ
ନାରୀ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ କେବଳ ନେତାଙ୍କ ନିର୍ବାଚନୀ ଫାଇଦା ପାଇବାକୁ ଏହା ଏକ ଘୋଷଣାନାମା। ସେହିପରି ବାଳିକା, କିଶୋରୀ, ଯୁବତୀ ଓ ନାରୀ ତଥା ବୃଦ୍ଧାମାନଙ୍କ ପାଇଁ ଲାଗୁହେଉଥିବା ବିଭିନ୍ନ କଲ୍ୟାଣକାରୀ ସରକାରୀ ଯୋଜନାର ପରିଚାଳନା ବାସ୍ତବତାଠାରୁ ବହୁ ଦୂରରେ ରହି ଆଜି ବି ଅପହଞ୍ଚ ହୋଇଛି। ରାସ୍ତାଘାଟରେ ଯିବା ଆସିବା ବେଳେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଏପରିକି ସୁନାଚେନ୍ ଝାମ୍ପି ନେବା ଭଳି ସାଧାରଣ ଅପରାଧରେ ବିଚରା ଝିଅ ବୋହୂମାନେ ଥାନାକୁ ଯାଇ ଏଫଆଇଆର୍ ଦେବାକୁ ଘଣ୍ଟା ଘଣ୍ଟା ପଡ଼ିରହିବା ଏବଂ ଶେଷରେ ପୁଲିସ ଅଧିକାରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନ ବାଣରେ ଘାଇଲା ହେବା ଘଟଣା ନାରୀ ସୁରକ୍ଷା ଓ ନିରାପତ୍ତାର ଅନ୍ଧାର ଦିଗକୁ ଆଜି ବି ଦର୍ଶାଉଛି। ନିର୍ବାଚନ ଆସିଲେ କିମ୍ବା ରାଜନୈତିକ ମଞ୍ଚରେ ଏହା କେବଳ ନାମକୁମାତ୍ର ଏକ ଘୋଷଣା। ନାରୀ ସୁରକ୍ଷା ଓ ନିରାପତ୍ତା ପାଇଁ କୌଣସି ରାଜନୈତିକ ଦଳର ଆନ୍ତରିକତା ନଥାଏ ବରଂ ନାରୀ ହିଂସା ଓ ଅପରାଧକୁ ନେଇ କ୍ଷମତାରେ ଥିବା ରାଜନୈତିକ ଦଳ ଓ ବିରୋଧୀ ଦଳଙ୍କ ମଧ୍ୟରେ ଏହାକୁ ନେଇ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ହୋଇ ରାଜନୀତି କରିବାକୁ ଭଲ ପ୍ରସଙ୍ଗ ମିଳିଥାଏ।
ଶୈବାଳିନୀ ଲେଙ୍କା, ଆଇନଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ନାରୀ ସୁରକ୍ଷା ଓ ନିରାପତ୍ତାର ଘୋଷଣା କେବେଳ ନାମକୁ ମାତ୍ର ଏକ ରାଜିନୀତିକ ଇସ୍ତାହାର ମଧ୍ୟରେ ସୀମିତ। ନାରୀ ସୁରକ୍ଷା ଓ ନିରାପତ୍ତାକୁ ନେଇ ନିର୍ବାଚନର ଇସ୍ତାହାରରେ ରାଜନୈତିକ ଦଳ ପ୍ରତିଶ୍ରୁତି ଦେବା କିମ୍ବା ନଦେବା ମୋ ମତରେ ଏହା ଆଦୌ କୌଣସି ଗୁରୁତ୍ୱ ରଖିନଥାଏ। ଏହାର ଏକମାତ୍ର କାରଣ ହେଉଛି ଏଭଳି ପ୍ରତିଶ୍ରୁତି ଦେଇ ରାଜନୈତିକ ଦଳମାନେ ସମାଜର ତୃଣମୂଳସ୍ତରରେ ଏହାକୁ କାର୍ଯ୍ୟକାରୀ କରିନଥାନ୍ତି ଏବଂ ଏହାକୁ ଦୃଢ଼ଭାବେ ପରିଚାଳନା କରିବା ପାଇଁ ଆନ୍ତରିକତା ଦେଖାଇନଥାନ୍ତି। ବିଡ଼ମ୍ବନାର ବିଷୟ ଆପଣ ଦେଖନ୍ତୁ ରାଜନୈତିକ ଦଳମାନେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କଥା କେବେଠୁ କହିଲେଣି? ଚଳିତ ନିର୍ବାଚନରେ କେତେ ରାଜନୈତିକ ଦଳ ଏହାକୁ ଲାଗୁ କରିଛନ୍ତି? କେହି ଗୋଟିଏ ଦଳ ଏହାକୁ ଲାଗୁ କରିନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା କେତେବର୍ଷ ଲାଗିଗଲାଣି ଏହାକୁ କାର୍ଯ୍ୟକାରୀ କରିବାକୁ ଏବଂ ଏହି ବିଲ୍ଟିକୁ ଲୋକସଭାରେ ପାସ୍ କରିବାକୁ ଯେଉଁ ଟଣାଓଟରା ଚାଲିଥିଲା ସେଥିରୁ ସ୍ପଷ୍ଟ ହେଉଛି ନାରୀ ସୁରକ୍ଷା, ନିରାପତ୍ତା ଓ ପ୍ରଗତିର ବାସ୍ତବତାକୁ ନେଇ ରାଜନୈତିକ ଦଳମାନେ କେତେ ତତ୍ପର ଓ ଯତ୍ନବାନ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ତାଙ୍କର ଜଣେ ମହିଳା ସାଂସଦଙ୍କୁ ତାଙ୍କରି ବ୍ୟକ୍ତିଗତ ସଚିବଙ୍କ ଅସଭ୍ୟ ଆଚରଣ ହିଁ ପ୍ରମାଣ କରୁଛି ନାରୀ ସୁରକ୍ଷା ଓ ନିରାପତ୍ତାର ଘୋଷଣା। ଓଡ଼ିଶା ସମେତ ସବୁ ରାଜ୍ୟରେ ଏଭଳି ଅନେକ ଉଦାହରଣ ରହିଛି। ମହିଳାକୁ ଯଥାଶୀଘ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତ୍ୱରିତ ନ୍ୟାୟ ଦେବାର ଆଇନଗତ ବ୍ୟବସ୍ଥା ପରିଚାଳିତ ନ ହୋଇଛି ମୋ ମତରେ ନାରୀ ସୁରକ୍ଷା ଓ ନିରାପତ୍ତା ଘୋଷଣା ଏକ ପ୍ରହସନ ହୋଇ ରହିଯିବ।
ପୁଷ୍ପା ସାମଲ, ବୁଦ୍ଧିଜୀବୀ
ମୋ ମତରେ ଆଜି ବି ନାରୀ ସୁରକ୍ଷା ଓ ନିରାପତ୍ତା କେବଳ ଏକ ଘୋଷଣା ଏବଂ ଏହାର ସଫଳତା କେଉଁଠାରେ ଦେଖିବାକୁ ମିଳିନାହିଁ। ନାରୀ ସୁରକ୍ଷା ଓ ନିରାପତ୍ତାର ତମ୍ବିତୋଫାନ କରୁଥିବା ରାଜନୈତିକ ଦଳମାନେ ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଯେତେବେଳେ ନାରୀଟିଏ ସାମାଜିକ ହିଂସା ଓ ଅପରାଧର ଶିକାର ହୁଏ, ଯଦି ଅପରାଧୀ କୌଣସି ରାଜନୈତକ ଦଳ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସମ୍ପର୍କ ରହିଥାଏ ତେବେ ସେହି ଅପରାଧକୁ ବଳପୂର୍ବକ କଳେ ବଳେ କୌଶଳେ ଚପାଇଦେବାକୁ ଚେଷ୍ଟା କରାଯାଏ। ସବୁଥିରେ ବିଫଳ ହେଲେ ତାକୁ ସମାଜରେ ଓ ଆଇନକାନୁନର ଗୋଲକଧନ୍ଦାରେ ଛନ୍ଦି ଦେଇ ଏଭଳି ନିରାଶ କରାଯାଏ ଯେ ବିଚରା ମହିଳା ଜଣକ ଅଧିକ ନିର୍ଯାତିତା ହୋଇ ଚୁପ୍ ହୋଇଯା’ନ୍ତି। ଏପରିକି ରାଜନୈତିକ ଦଳରେ କାର୍ଯ୍ୟ କରୁଥିବା ମହିଳାମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଏଡ଼ାଇ ଦିଅନ୍ତି। ଏଭଳି ଅନେକ ଦୃଷ୍ଟାନ୍ତ ମୁଁ ନିଜେ ଦେଖିଛି। ବିଭିନ୍ନ କାରଣରୁ ସମାଜରେ ଅସୁରକ୍ଷିତ ହୋଇପଡୁଥିବା ଆମ ମା’ ଭଉଣୀମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବାକୁ ମଧ୍ୟ ବହୁତ କମ ବ୍ୟକ୍ତିବିଶେଷ ଆଗଭର ହୁଅନ୍ତି।
ବିନ୍ଦ୍ୟା ମହାପାତ୍ର, ଗୃହିଣୀ
ଆଜିର ଦିନରେ ସର୍ବାଧିକ ମହିଳା ସାମାଜିକସ୍ତରରେ ବିଭିନ୍ନ କାରଣରୁ ନିର୍ଯାତିତ ହେଉଛନ୍ତି। ଶିକ୍ଷାନୁଷ୍ଠାନରୁ ପରିବାର ଓ କର୍ମକ୍ଷେତ୍ରରେ ସବୁଠାରେ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠୁଛି। କେବଳ ହିଂସା ଓ ଅପରାଧ ମହିଳାମାନଙ୍କୁ ଅସୁରକ୍ଷିତ କରିଦେଉନାହିଁ ବରଂ ସେମାନଙ୍କର ଆର୍ଥିକ ସୁରକ୍ଷା ଓ ନିରାପତ୍ତା ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ମହିଳା ଓ ପୁରୁଷ ଶ୍ରମିକଙ୍କ ମଧ୍ୟରେ ରହିଥିବା ଦୈନିକ ମଜୁରୀର ପ୍ରଭେଦ ଦେଖନ୍ତୁ? ଯେଉଁଭଳି ଭାବରେ ଆକାଶଛୁଆଁ ଦରଦାମ ବୃଦ୍ଧି ଘଟୁଛି ସାଧାରଣ ଗୃହିଣୀ ତଥା ସ୍ୱଳ୍ପ ରୋଜଗାର କରୁଥିବା ମହିଳା କିପରି ଚଳିବେ? ଏହିପରି ସବୁକ୍ଷେତ୍ରରେ ମହିଳାମାନେ ଅସୁରକ୍ଷିତ ଏବଂ ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ବିଷୟରେ ସମସ୍ତେ ଭାବିବା ଦରକାର।