ବିଭିନ୍ନ ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନଙ୍କରେ ତାପ ଶକ୍ତିରୁ କିପରି ବିଜୁଳି ଶକ୍ତିକୁ ରୂପାନ୍ତରିତ ହୋଇଥାଏ, ତାହା ଆମେ ଜାଣିଛନ୍ତି। ତେବେ ହିମାଚଳ ପ୍ରଦେଶ ସ୍ଥିତ ମଣ୍ଡି ଆଇଆଇଟିର ଗବେଷକମାନେ ଏକ ବିଶେଷ ଧରଣର ସାମଗ୍ରୀ ବିକଶିତ କରିଛନ୍ତି ଯାହା ସୌରସେଲ ପରି ତାପକୁ ଦକ୍ଷତାର ସହ ବିଦ୍ୟୁତ୍‌ରେ ରୂପାନ୍ତରିତ କରିପାରିବ। ସମ୍ପ୍ରତି ସୌରଶକ୍ତି ଉପରେ ଗୁରୁତ୍ବାରୋପ କରାଯାଉଥିବା ବେଳେ ଏଭଳି ବିକଳ୍ପ ଶକ୍ତି ଗୁରୁତ୍ବ ବହନ କରୁଛି। ତେବେ ଏଥିରେ ସନ୍ନିହିତ ପ୍ରକ୍ରିୟା ସୌରଶକ୍ତି ଠାରୁ ସଂପୂର୍ଣ୍ଣ ଭିନ୍ନ।

Advertisment

ଏହି ପ୍ରକ୍ରିୟାରେ ତାପଜ କେନ୍ଦ୍ର ପରି ବିଶାଳକାୟ ଯନ୍ତ୍ରପାତି କି ସୂର୍ଯ୍ୟ ପରି ବିଶାଳ ଉତ୍ତପ୍ତ ବସ୍ତୁର ଆବଶ୍ୟକତା ନାହିଁ। ଅପରପକ୍ଷେ, ତାପଜ କେନ୍ଦ୍ରମାନଙ୍କରେ ବହୁ ପରିମାଣର ଶକ୍ତି ନଷ୍ଟ ହେଉଛି ଯାହା ବାୟୁମଣ୍ଡଳ ଦ୍ବାରା ଶୋଷି ହୋଇ ତାପମାତ୍ରାକୁ ବଢ଼ାଉଛି। ମାତ୍ର ଏହି ଗବେଷକମାନଙ୍କ ନୂତନ ପଦାର୍ଥ ମନୁଷ୍ୟ ଶରୀରର ତାପକୁ ଶୋଷି ନେଇ ବିଦ୍ୟୁତ୍‌ ଶକ୍ତିରେ ରୂପାନ୍ତରିତ କରିପାରୁଛି ଯାହା ସଂଖ୍ୟାଧିକ ଇଲେକ୍ଟ୍ରୋନିକ ଉପକରଣକୁ ଚାର୍ଜ କରିପାରିବ। ଉକ୍ତ ତାପ-ବିଦ୍ୟୁତ୍‌ ମଡ୍ୟୁଲ୍‌କୁ ମୋବାଇଲ୍‌ ଫୋନ୍‌, ଲାପଟପ୍‌ ଓ କାଲକୁଲେଟର ପରି ଉପକରଣରେ ଖଞ୍ଜିଦେଲେ ତାହା ଆପେ ଆପେ ଚାର୍ଜ କରିଚାଲିବ। ମୋବାଇଲ୍‌ ଫୋନ୍‌କୁ ହାତରେ ଧରୁ ଧରୁ କି ଲାପଟପ୍‌କୁ କୋଳରେ ରଖୁ ରଖୁ ତାହା ଆପେ ଚାର୍ଜ ହୋଇ ଚାଲିବ। କେବଳ ମନୁଷ୍ୟ ଶରୀରର ତାପ କାହିଁକି, ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଦ୍ବାରା ବିକିରିତ ହେଉଥିବା ତାପ ଶକ୍ତିକୁ ମଧ୍ୟ ଉକ୍ତ ମଡ୍ୟୁଲ୍‌ ବିଦ୍ୟୁତ୍‌ରେ ରୂପାନ୍ତରିତ କରିପାରିବ।