ଭୁବନେଶ୍ବର : କେବଳ ଫନି ପ୍ରଭାବିତ ଅଞ୍ଚଳ ନୁହେଁ; ସାରା ରାଜ୍ୟରେ ବିଜୁଳି ସମସ୍ୟା ଉତ୍କଟ। ଗାଁ ଗହଳିରେ ସାମାନ୍ୟ ବର୍ଷା ହେଲେ ବିଜୁଳି ଯାଉଛି ଯେ ୨/୩ ଦିନ ଆସୁନି। ପଶ୍ଚିମ ଓଡ଼ିଶାରେ ପାୱାର୍ କଟ୍ ଲୋକଙ୍କୁ ଅଥୟ କରୁଛି। ମେଡିକାଲ ପରି ଏକ ଅତି ଗୁରୁତ୍ବପୂର୍ଣ୍ଣ ଜାଗାରେ ବି ୨୪ ଘଣ୍ଟିଆ ବିଜୁଳି ଯୋଗାଣ ହୋଇପାରୁନି।
ଆଜି ପ୍ରଶ୍ନକାଳରେ ଶକ୍ତି ବିଭାଗର ପାରିବାର ପଣିଆ ଉପରେ ପ୍ରଶ୍ନ ଲଗାଇ ଏମିତି ଆରୋପ ଗଦା କରିଦେଇଥିଲେ ଶାସକ ଓ ବିରୋଧୀ ଦଳର ବିଧାୟକମାନେ। ମନ୍ତ୍ରୀ ଉତ୍ତରରେ ବିଜୁଳି ସ୍ଥିତିର ଗୋଲାପି ଚିତ୍ର ଦେଖାଇବାକୁ ଚେଷ୍ଟା କରି କହିଥିଲେ, ‘ଯେତିକି ବିଜୁଳି ଆବଶ୍ୟକତା ରହିଛି ତାହା ଠାରୁ ଅଧିକ ବିଭିନ୍ନ ଉତ୍ସରୁ ମିଳୁଛି।’ ଏଥିରେ ସଭ୍ୟମାନେ ଆହୁରି ତାତି ଯାଇଥିଲେ। ପ୍ରଶ୍ନ କରିଥିଲେ, ଯଦି ବଳକା ବିଦ୍ୟୁତ ରହୁଛି, ତେବେ କାହିଁକି ୨୪ ଘଣ୍ଟା ବିଜୁଳି ଯୋଗାଣ ହୋଇପାରୁନି ?
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟରେ ବିଜୁଳି ଉତ୍ପାଦନ କେତେ ? ଶିଳ୍ପ ଓ ଘରୋଇ ବ୍ୟବହାର କେତେ ହେଉଛି ? ଅନ୍ୟ ରାଜ୍ୟକୁ କେତେ ବିକ୍ରି ହେଉଛି?
ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଉତ୍ତର ଦେଇଥିଲେ, ଗ୍ରିଡ୍କୋ ଓ ଅନ୍ୟ ବିତରଣ କମ୍ପାନିଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏବେ ବିଭିନ୍ନ ଉତ୍ସରୁ ରାଜ୍ୟକୁ ୨୭,୬୩୩ ମିଲିୟନ୍ ୟୁନିଟ୍ ବିଜୁଳି ମିଳୁଛି। ଶିଳ୍ପ କ୍ଷେତ୍ରରେ ୭୦୭୩ ମିଲିୟନ୍ ୟୁନିଟ୍ ଓ ଘରୋଇ କ୍ଷେତ୍ରରେ ୭୫୦୩ ମିଲିୟନ୍ ୟୁନିଟ୍ ବିଜୁଳି ବ୍ୟବହାର ହେଉଛି। ଅନ୍ୟ ରାଜ୍ୟକୁ ୧୬୭ ମିଲିୟନ୍ ୟୁନିଟ୍ ବିଜୁଳି ବିକ୍ରି ହେଉଛି। ପ୍ରଶ୍ନକର୍ତ୍ତା ଶ୍ରୀ ମିଶ୍ର ବିଜୁଳି ଉତ୍ପାଦନ ନେଇ ମନ୍ତ୍ରୀ ତଥ୍ୟ ଦେଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପୁଣି ପ୍ରଶ୍ନ କରିଥିଲେ, ଯଦି ସରକାରଙ୍କ ପାଖେର ବିଜୁଳି ବଳକା ରହୁଛି, ତେବେ ଗ୍ରାମାଞ୍ଚଳ ଓ ପଶ୍ଚିମ ଓଡ଼ିଶାରେ କାହିଁକି ପାୱାର୍ କଟ୍ େହଉଛି ? ସରକାର ଉପେଭାକ୍ତାମାନଙ୍କୁ ବିଜୁଳି ଯୋଗାଇ ପାରୁ ନାହାନ୍ତି। କିନ୍ତୁ ଅନ୍ୟ ରାଜ୍ୟକୁ ବିକୁଛନ୍ତି। ଏ ସରକାର ଜନମଙ୍ଗଳକାରୀ ସରକାର ନା ବ୍ୟବସାୟିକ କମ୍ପାନିରେ ପରିଣତ ହୋଇଗଲେଣି। ବଲାଙ୍ଗୀର ମେଡିକାଲ କଲେଜରେ ବିଜୁଳି ଯୋଗାଣରେ ବ୍ୟାଘାତ ହେଉଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ମନ୍ତ୍ରୀ କହିଥିଲେ, ବିତରଣ ଭିତ୍ତିଭୂମି ଅଭାବରୁ କିଛି ଜାଗାରେ ସାମୟିକ ବିଜୁଳି କାଟ ହେଉଛି। ଆଉ କିଛି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିଜୁଳି କାଟ ହେଉଛି। ତେବେ ଭିତ୍ତିଭୂମି ବିକାଶ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଚାଲୁ ରହିଛି। ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ। ବଲାଙ୍ଗୀର ସମେତ ଅନ୍ୟ ମେଡିକାଲ କଲେଜକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ନେଇ ପଦକ୍ଷେପ ନିଆଯିବ। ବାଲେଶ୍ବରର ଗ୍ରାମାଞ୍ଚଳରେ ବାରମ୍ବାର ବିଜୁଳି କାଟ ହେଉଥିବା ନେଇ ବିଜେପି ସଭ୍ୟ ମଦନ ମୋହନ ଦତ୍ତ ଅଭିଯୋଗ କରିଥିଲେ। ଶାସକ ସଭ୍ୟ ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ଏ ନେଇ ଅତିରିକ୍ତ ପ୍ରଶ୍ନ କରିଥିଲେ।
ଫନିରେ କ୍ଷତିଗ୍ରସ୍ତ ହୋଇଥିବା ବିଜୁଳି ଭିତ୍ତିଭୂମି ପ୍ରସଙ୍ଗରେ କଂଗ୍ରେସ ସଭ୍ୟ ସୁରେଶ ରାଉତରାୟଙ୍କ ଏକ ମୂଳ ପ୍ରଶ୍ନ ଉପରେ ମଧ୍ୟ ପ୍ରଶ୍ନକାଳରେ ଆଲୋଚନା ହୋଇଥିଲେ। ଫନିର ଦୁଇ ମାସ ପୂରିବାକୁ ବସିଥିଲେ ବହୁ ଅଞ୍ଚଳରେ ବିଜୁଳି ଆସି ନ ଥିବାରୁ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀ ରାଉତରାୟ କହିଥିଲେ, ବହୁ ଗାଁରେ ବିଜୁଳି ପହଞ୍ଚିନି। ତୁରନ୍ତ ବିଜୁଳି ସଂଯୋଗ ଦିଆଯାଉ। ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ କହିଥିଲେ, ଫନି ପ୍ରଭାବିତ ଅଞ୍ଚଳରେ ଖୁଣ୍ଟି ପକାଇ ତାର ଟାଣି ଦିଆଯାଉଛି। କଂକ୍ରିଟ୍ ଘେରା ଦିଆଯାଉ ନାହିଁ। କାଳବୈଶାଖୀରେ ଭାଙ୍ଗିଯାଉଛି। ଏହା ଆଗକୁ ବଡ଼ ବିପତ୍ତି ସୃଷ୍ଟି କରିପାରେ। ରଥଯାତ୍ରା ପୂର୍ବରୁ ଅନ୍ତତଃପକ୍ଷେ ପୁରୀ ସହର ଓ ଆଖପାଖ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ।
ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ, ଖୋର୍ଦ୍ଧାରେ ବିଜୁଳି ସଂଯୋଗ ହୋଇସାରିଛି। ଯଦି ଅଭିଯୋଗ ଆସେ, ତେବେ ତାହାର ଅନୁଧ୍ୟାନ କରାଯିବ। ରଥଯାତ୍ରା ପୂର୍ବରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ ବିଜୁଳି ସଂେଯାଗ ପାଇଁ ସବୁପ୍ରକାର ଉଦ୍ୟମ କରାଯିବ। ଖୁଣ୍ଟିଗୁଡ଼ିକୁ ମଜବୁତ୍ ଭାବେ ପୋତିବା ପାଇଁ ପଦକ୍ଷେପ ନିଆଯିବ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଭ୍ୟ ଦେବୀ ରଞ୍ଜନ ତ୍ରିପାଠୀ, ସୁକାନ୍ତ ନାୟକ ଓ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।