ରାଞ୍ଚି: ମଙ୍ଗଳବାର ରାତିରେ ତମାଡ଼ ବ୍ଲକ୍ ଅନ୍ତର୍ଗତ ଜିଲିଙ୍ଗ୍ ସେରେଙ୍ଗ ଗାଁରେ ଥିବା ୨୦ ଫୁଟ୍ ଗଭୀର ଶୁଖିଲା କୂଅ ଭିତରକୁ ୩୫ଟିକିଆ ହାତୀ ପଲର ଗୋଟିଏ ପ୍ରାପ୍ତବୟସ୍କ ହାତୀ ଖସି ପଡ଼ିବାରୁ ତାକୁ ଉଦ୍ଧାର କରିବାକୁ ଅନ୍ୟ ହାତୀମାନେ ପାଖ ଜଳାଶୟରୁ ପାଣି ଆଣି ସେ କୂଅରେ ଭରିଥିବା କଥା ଗ୍ରାମବାସୀମାନେ କହୁଛନ୍ତି।
ବୁଧବାର ଭୋର୍ ୫ଟାରେ ଗ୍ରାମବାସୀମାନେ ଏକଥା ଜାଣି ବନ ଅଧିକାରୀଙ୍କୁ ଖବର ଦେଇଥିଲେ। କିନ୍ତୁ, ହାତୀମାନଙ୍କ ଉଦ୍ଧାର ଅଭିଯାନ ବିଫଳ ହେବାରୁ ବନ ବିଭାଗ ଗୋଟିଏ ଏସ୍କାଭେଟର୍ଦ୍ୱାରା ଦିନ ୧୨.୩୦ରେ ସେ ହାତୀଟିକୁ କୂଅରୁ ବାହାର କରିଥିଲେ।
ତମାଡ଼ ବନଖଣ୍ଡ ଅଧିକାରୀ ଅମରନାଥ ଭଗତ କହିଛନ୍ତି, ତିନି ଦିନ ହେବ ତମାଡ଼ ବନାଞ୍ଚଳରେ ଚରାବୁଲା କରୁଥିବା ୩୫ଟିକିଆ ହାତୀପଲ ଧାନ ଖୋଜି ଖୋଜି ମଙ୍ଗଳବାର ରାତିରେ ଜିଲିଙ୍ଗ୍ ସେରେଙ୍ଗ୍ ବଣରେ ପଶିଥିଲେ।
/sambad/media/post_attachments/wp-content/uploads/2020/12/elephant-5.jpg)
ଗାଁ ନିକଟରେ ଏକ ବିଲ ଅତିକ୍ରମ କରୁଥିବା ସମୟରେ ପଲର ପ୍ରାପ୍ତ ବୟସ୍କ ହାତୀଟିଏ ସେ କୂଅରେ ପଡ଼ିଯାଇଥିଲା। ଗ୍ରାମବାସୀମାନେ କହୁଛନ୍ତି, କୂଅଟି ପ୍ରାୟ ଶୁଖିଯାଇଥିଲା। ହାତୀଟିକୁ କୂଅରୁ ଉଦ୍ଧାର କରିବା ଲାଗି ଅନ୍ୟ ହାତୀମାନେ ଶୁଣ୍ଢରେ ପାଖ ଜଳାଶୟରୁ ପାଣି ଆଣି ସେ କୂଅରେ ଭରିଥିଲେ। କୂଅଟି ଖୁବ୍ ଗଭୀର ଥିବାରୁ ସେମାନେ ତାହାକୁ ଆଂଶିକଭାବେ ଜଳପୂର୍ଣ୍ଣ କରିବାରେ ସମର୍ଥ ହୋଇଥିଲେ। ସକାଳେ ଗ୍ରାମବାସୀମାନେ ଆସି ରୁଣ୍ଡ ହେବାରୁ ହାତୀମାନେ ବଣକୁ ଫେରିଯାଇଥିଲେ।
ପରେ ବନ ବିଭାଗ କର୍ମଚାରୀମାନେ ଏସ୍କାଭେଟର୍ ସହ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ କୂଅରୁ ବାହାର କରି ବଣରେ ଛାଡ଼ିଦେଇଥିଲେ।