ଦେଶର ଏହି ସ୍ଥାନରେ ଅଛି ହାତୀଙ୍କ ପାଇଁ ଏକମାତ୍ର ଡାକ୍ତରଖାନା

ମଥୁରା: ଆମର ସ୍ୱାସ୍ଥ୍ୟ ଖରାପ ହେଲେ ଯେଭଳି ଆମେ ହସ୍ପିଟାଲ ଯାଉଛେ, ସେହିପରି ଆପଣ କେବେ ଭାବିଛନ୍ତି କି ଜଙ୍ଗଲରେ ରହୁଥିବା ହାତୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ହସ୍ପିଟାଲ ଅଛି କି ? ଆଜି ଆମେ ଆପଣଙ୍କୁ ଏମିତି ଏକ ହସ୍ପିଟାଲ ବାବଦରେ କହିବୁ, ଯାହାକି ଭାରତରେ ରହିଛି | ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ରହିଛି |

ଉତ୍ତରପ୍ରଦେଶ ମଥୁରା-ଆଗ୍ରା ମଧ୍ୟରେ ଥିବା ଚୁରମୁରା ଗ୍ରାମରେ ଦେଶର ପ୍ରଥମ ହାତୀ ଡାକ୍ତରଖାନା ରହିଛି | ବିଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ୱାଇଲ୍ଡ ଲାଇଫ୍ ଏସଓଏସ ନାମକ ଏନଜିଓ ବନ ବିଭାଗ ସହ ମିଶି ଏହି ଡାକ୍ତରଖାନାର ନିର୍ମାଣ କରିଛି । ହାତୀଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ମେଡିକାଲରେ ଏକ୍ସ-ରେ, ଅଲଟ୍ରାସୋନୋଗ୍ରାଫି ସହ ପାଥୋଲୋଜି ଲ୍ୟାବ ମଧ୍ୟ ରହିଛି |

କେବଳ ସେତିକି ନୁହେଁ ବରଂ ଗୁରୁତର ଅବସ୍ଥାରେ ଦେଶର କୌଣସି ସ୍ଥାନରୁ ଉଦ୍ଧାର ହୋଇଥିବା ହାତୀଙ୍କର ଏଠାରେ ଅସ୍ତ୍ରୋପଚାର ମଧ୍ୟ କରାଯାଉଛି | ୨୦୧୮ ମସିହାରେ ପାଖାପାଖି ୧୨ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ଡାକ୍ତରଖାନାରେ ହାତୀମାନଙ୍କ ପାଇଁ ଡିଜିଟାଲ୍ ଏକ୍ସ-ରେ ମେସିନ୍, ଡେଣ୍ଟାଲ୍ ଏକ୍ସ-ରେ ମେସିନ୍, ଅଲଟ୍ରାସୋନୋଗ୍ରାଫି, ହାଇଡ୍ରୋଥେରାପି, ଲେଜର ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଛି |

ସମ୍ବନ୍ଧିତ ଖବର