ଦୀର୍ଘ ୧୪ ଘଣ୍ଟାର ଅପରେସନ୍ ପରେ ୫୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲା ହାତୀ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ତାମିଲନାଡୁର ଧର୍ମପୁରୀ ନିକଟସ୍ଥ ୫୦ ଫୁଟ୍‌ର ଏକ ଖୋଲା କୂଅରେ ପଡ଼ି ଯାଇଥିବା ଏକ ୮ ବର୍ଷର ହାତୀକୁ ଦୀର୍ଘ ୧୪ ଘଣ୍ଟାର ଅପରେସନ୍‌ ପରେ ଜଙ୍ଗଲ ଅଧିକାରୀମାନେ ଉଦ୍ଧାର କରିଛନ୍ତି।

ହାତୀଟି ଗୁରୁବାର ଦିନ ପଞ୍ଚମପାଲୀ ନିକଟ ୟେଲୁଗୁଣ୍ଡୁର ଗାଁରେ ଥିବା କୂଅରେ ଖସିପଡିଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ କୂଅରେ ହାତୀଟିକୁ ପଡ଼ିଥିବାର ଦେଖିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଜଙ୍ଗଲ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ହାତୀଟି ଦୀର୍ଘ ୧୪ ଘଣ୍ଟା ଧରି କୂଅରେ ପଡ଼ିରହିବା ପରେ ତାକୁ ଉଦ୍ଧାର କରାଯାଇଛି।

ହାତୀଟିକୁ ଏକ ଦଉଡ଼ିରେ ବାନ୍ଧି କ୍ରେନ୍‌ ସାହାଯ୍ୟରେ ଉଦ୍ଧାର କରାଯାଇଥିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାରତୀୟ ବନ ସେବା ଅଧିକାରୀ ପରଭିନ୍‌ କାସୱାନ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍‌ରେ ଭିଡିଓଟିକୁ ସେୟାର କରିଛନ୍ତି। ସେ ଭିଡିଓଟି ସେୟାର କରି ଲେଖିଛନ୍ତି, ‘ଗତକାଲି ତାମିଲନାଡୁର ଧର୍ମପୁରୀରୁ ଏକ ମହିଳା ହାତୀକୁ ଉଦ୍ଧାର କରାଯାଇଛି। ଯିଏକି ଏକ ଖୋଲା କୂଅରେ ପଡ଼ି ଯାଇଥିଲା। ଖାଦ୍ୟ ଯୋଗାଇବା ସହିତ ଘଣ୍ଟା ଘଣ୍ଟା ଧରି ଅପରେସନ୍ କରିବା ପରେ ହାତୀକୁ ବନ୍ୟ ଦଳ ଉଦ୍ଧାର କରିଛି। କୂଅଟି ୫୦ ଫୁଟ୍‌ର ଥିଲା। ନିଜର ଇଚ୍ଛା ଶକ୍ତି ପାଇଁ ଶ୍ରେୟ ହାତୀକୁ ବି ଯାଉଛି।’

ସମ୍ବନ୍ଧିତ ଖବର