ସୁନ୍ଦରଗଡ଼ରେ ହାତୀଙ୍କୁ ତତଲା ବର୍ଚ୍ଛା ଚେଙ୍କ : କାହା ଚାପରେ ଚୁପ୍ ବନ ବିଭାଗ

ମୁହଁ ଖୋଲୁନାହାନ୍ତି ମନ୍ତ୍ରୀ, ସଚିବ, ପିସିସିଏଫ୍‌
କୁଆଡ଼େ ଗଲା ଗଜଗାଡ଼ି, ସୋଲାର ଫେନ୍ସିଂ ଓ ଟ୍ରେଞ୍ଚ୍‌

ଭୁବନେଶ୍ୱର : ହାତୀ-ମଣିଷ ଲଢ଼େଇ ରୋକିବାକୁ ଗୋଟିଏ ପରେ ଗୋଟିଏ ବ୍ୟବସ୍ଥା କଲା ବନ ବିଭାଗ। ହାତୀଙ୍କୁ ଘଉଡ଼ାଇବାକୁ ଗଜଗାଡ଼ି ଆଣିଲେ। ସରକାରୀ ଜମି ସହ ଘରୋଇ ଜମିରେ ସୋଲାର ଫେନ୍ସିଂ ଓ ଟ୍ରେଞ୍ଚ୍‌ ଖୋଲିବାକୁ ନିଷ୍ପତ୍ତି ନେଲେ। ହାତୀ ଯେପରି ଜନବସତି ମୁହାଁ ନ ହୁଅନ୍ତି ସେଥିପ୍ରତି ବି ଗୁରୁତ୍ୱ ଦେଉଥିବା ବନ ବିଭାଗ ମନ୍ତ୍ରୀ, ସଚିବ କହି ବୁଲିଲେ। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଘନଘନ ବୈଠକ କରି ସମୀକ୍ଷା କଲେ। ନୀଳ ନକ୍ସା ବି ପ୍ରସ୍ତୁତ କଲେ। ତା’ପରେ ବି ହାତୀ-ମଣିଷ ଲଢ଼େଇ ରୋକାଯାଇପାରି ନାହିଁ କି ଜାତୀୟ ଐତିହ୍ୟ ପ୍ରାଣୀ ହାତୀକୁ ସୁରକ୍ଷା ଦିଆଯାଇ ପାରିନି। ପରିଣାମ ସ୍ୱରୂପ ଅମାନୁଷିକ ଭାବେ ହାତୀମାନଙ୍କୁ ନିର୍ଯାତନା ଦିଆଯାଉଥିବା ଗୋଟିଏ ପରେ ଗୋଟିଏ ଖବର ଲୋକଲୋଚନକୁ ଆସିବାରେ ଲାଗିଛି।

କେରଳରେ ହାତୀକୁ ଖାଦ୍ୟରେ ବାଣ ଭର୍ତ୍ତି କରି ଦିଆଯାଇ ହତ୍ୟା କରାଯାଇଥିବା ଖବର କିଛି ମାସ ତଳେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଆଉ ଏବେ ଓଡ଼ିଶାରେ ହାତୀଙ୍କୁ ଘଉଡ଼ାଇବା ଲାଗି ତତଲା ବର୍ଚ୍ଛା ଚେଙ୍କ ଦିଆଯାଉଥିବା ଖବର ପଦାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲାରେ ହାତୀଙ୍କୁ ଏଭଳି ଅମାନୁଷିକ ଭାବେ ନିର୍ଯାତନା ଦିଆଯାଉଥିବା ନେଇ ଅଗଷ୍ଟ ୩୧ରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି କାଣ୍ଡ ଘଟାଉ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉଠାଇଛନ୍ତି। ବନ ବିଭାଗ ବି ଆଉ ନିରବଦ୍ରଷ୍ଟା ନ ସାଜି ଜଙ୍ଗଲରେ ପେଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇବା ସହ ହାତୀଙ୍କୁ ଘଉଡ଼ାଇବା ଓ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ପୂର୍ବତନ ପିସିସିଏଫ୍‌ ବିଜୟକେତନ ପଟ୍ଟନାୟକଙ୍କ ମତରେ ଏଭଳି ଘଟଣା ପୂର୍ବରୁ କେବେ ଓଡ଼ିଶାରେ ଦେଖିବାକୁ ମିଳି ନ ଥିଲା। ହାତୀଙ୍କୁ ଘଉଡ଼ାଇବା ଲାଗି ଏଭଳି ଅମାନୁଷିକ କାର୍ଯ୍ୟ କରାଯାଇ ପାରିବ ନାହିଁ। ଏହା ଆଇନ ବିରୋଧୀ। ଏମିତି କି ହାତୀଙ୍କ ଉପରକୁ ବାଣ ଫୋପାଡିବା, ତୀର ମାରିବା, ନିଆଁ ହୁଳା ପକାଇବା ଉପରେ ବି ରୋକ ଲଗାଯାଇଛି। ତତଲା ବର୍ଚ୍ଛା ଚେଙ୍କ ଦିଆଯିବା ଦ୍ୱାରା ସେମାନଙ୍କ ଶରୀରରେ ଘା’ ହୋଇଯିବ। ସେମାନେ କଷ୍ଟ ଅନୁଭବ କରିବା ସହ ଖାଦ୍ୟପେୟ ବେଳେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କ ଜୀବନ ଯିବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।

ଓଡ଼ିଶା ବନ୍ୟପ୍ରାଣୀ ସମିତିର ସମ୍ପାଦକ ବିଶ୍ୱଜିତ ମହାନ୍ତିଙ୍କ କହିବାନୁଯାୟୀ ଓଡ଼ିଶାରେ ଏଭଳି ଘଟଣା ପ୍ରଥମ। ପଶ୍ଚିମବଙ୍ଗରେ ହାତୀଙ୍କୁ ଘଉଡ଼ାଇବା ଲାଗି ଏଭଳି ତତଲା ବର୍ଚ୍ଛା ଚେଙ୍କ ଦିଆଯାଏ। ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ। ୪ ବର୍ଷରେ ୮୦ ହାତୀଙ୍କୁ ଚେଙ୍କ ଦିଆଯିବା କଥା ବିଶ୍ୱାସ କରି ହେଉନି। ଏଭଳି ଭାବେ ହାତୀଙ୍କୁ ଘଉଡ଼ାଇବା ଉପରେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି। ଆଗରୁ ଅନୁଗୁଳ ଜିଲ୍ଲାରେ ହାତୀଙ୍କ ଉପରକୁ ବାଣ ମରାଯାଉଥିଲା। ଯାହାକୁ ଆମେ ବିରୋଧ କରିବା ପରେ ବନ୍ଦ ହୋଇଗଲା। ଏଭଳି ଅମାନୁଷିକ କାର୍ଯ୍ୟ ନେଇ ପିସିସିଏଫ୍‌ଙ୍କୁ ଚିଠି ଲେଖିବୁ।

ହାତୀଙ୍କୁ ଏଭଳି ଅମାନୁଷିକ ନିର୍ଯାତନା ଦିଆଯାଉଥିବା ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ଅନ୍ୟପକ୍ଷରେ ହାତୀ ମୃତ୍ୟୁରେ ଓଡ଼ିଶା ଆଗରେ ରହିଛି। କେବଳ ୨୦୧୮-୧୯ରେ ଓଡ଼ିଶାରେ ୯୧ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୩୬ଟିର ଅସ୍ୱାଭାବିକ ଓ ୨୭ ହାତୀ ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲା। ୨୦୧୭-୧୮ରେ ଦେଶରେ ମୋଟ ୧୦୫ଟି ହାତୀ ଅପ୍ରାକୃତିକ ଘଟଣାରେ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର କେବଳ ୭୪ଟି ରହିଥିଲେ। ହାତୀ-ମଣିଷ ଲଢ଼େଇ ବି ଓଡ଼ିଶାରେ ଶୀର୍ଷରେ ରହିଛି। ୨୦୧୮-୧୯ରେ ୯୧ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୯୨ଜଣଙ୍କ ପ୍ରାଣ ଯାଇଛି। ବିଦ୍ୟୁତ୍‌ ଆଘାତରେ ୨୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୨ଟି ହାତୀ ଝୁଲନ୍ତା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଅବଶିଷ୍ଟ ହାତୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୮୦୦ରୁ ଅଧିକ ହାତୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅପ୍ରାକୃତିକ ଭାବେ ମୃତ୍ୟୁ ଘଟିଛି। ହାତୀ-ମଣିଷ ଲଢ଼େଇ ରୋକିବାକୁ ସରକାରୀ ଜମି ପରିବର୍ତ୍ତେ ଘରୋଇ ଜମିରେ ଟ୍ରେଞ୍ଚ୍ ଖୋଳିବା, ସେଠାରେ ସୋଲାର ଫେନ୍ସିଂ କରିବା, ସମ୍ପୃକ୍ତ ଜମି ମାଲିକଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ହାତୀଙ୍କୁ ଘଉଡ଼ାଇବା ଲାଗି ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ‘ଗଜଗାଡ଼ି’ ଅଣାଯାଇଛି। ଯେଉଁଥିରେ ସାଇରନ୍‌, ଟ୍ରାଙ୍କୁଲାଇଜର, କ୍ରେନ୍‌ ଭଳି ବିଭିନ୍ନ ସରଞ୍ଜାମ ରହିଛି। ଗାଡ଼ି ଉପରେ ବସି ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ା‌ ଯାଇପାରିବ। ଏତେ ସବୁ ପରେ ବି କିଛି କାମ ଦେଉନି।

ସମ୍ବନ୍ଧିତ ଖବର