ଫାଲଗୁନ କୃଷ୍ଣ ଏକାଦଶୀ ‘ପଙ୍କୋଦ୍ଧାର ଏକାଦଶୀ’ ଭାବରେ ପ୍ରସିଦ୍ଧ। ଏହିଦିନ ଶ୍ରୀକ୍ଷେତ୍ରର ପରିସୀମା ମଧ୍ୟରେ ଅବସ୍ଥିତ ଶ୍ରୀଲୋକନାଥଙ୍କ ପୀଠରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୁଏ। ଷଷ୍ଠୀ ତତ୍ପୁରୁଷରେ, ଲୋକଙ୍କର ନାଥ ହେଉଛନ୍ତି ଲୋକନାଥ। ଏହା ବୁଝାଏ ଜଗତ୍ପତି ପରମେଶ୍ୱରଙ୍କୁ। ଏହା ମଧ୍ୟ ଶିବ ବା ମହାଦେବ ଏବଂ ବ୍ରହ୍ମା ଓ ବିଷ୍ଣୁଙ୍କର ନାମ। ‘ଶ୍ରୀବିଷ୍ଣୁସହସ୍ରନାମ’ରେ ‘ଲୋକନାଥ’ ନାମ ଅଛି। ସେଥିରେ ଭଗବାନ ବିଷ୍ଣୁଙ୍କୁ ‘ଲୋକବନ୍ଧୁ’ ଓ ‘ଲୋକନାଥ’ କୁହାଯାଇଛି। ଶ୍ରୀକ୍ଷେତ୍ରରେ ପୂଜିତ ମହାଦେବ ମଧ୍ୟ ‘ଲୋକନାଥ’ ନାମରେ ସୁପ୍ରସିଦ୍ଧ। ବୈଶାଖ ମାସର ସରନ୍ତି ସୋମବାର ଏବଂ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀର ଶିବରାତ୍ରି ଏହି ପୀଠର ପ୍ରସିଦ୍ଧ ଉତ୍ସବ।
ଶ୍ରୀକ୍ଷେତ୍ରର ଶ୍ରୀଲୋକନାଥ ‘ଅନାଦି ଶିବଲିଙ୍ଗ’ ଭାବରେ ଆଖ୍ୟାୟିତ। ଏହି ‘ପାତାଳଫୁଟା’ ଶିବଲିଙ୍ଗ ଭୂପତ୍ତନଠାରୁ ଅନେକ ନିମ୍ନରେ ଅଧିଷ୍ଠିତ। ଏଣୁ ସାରା ବର୍ଷ ତାହାଙ୍କୁ ଯେଉଁସବୁ ଫୁଲ, ବେଲପତ୍ର ଆଦି ଲାଗିହୁଏ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ତାଙ୍କର ଯେଉଁସବୁ ଘର୍ଷଣ ଆଦି କରାଯାଏ, ତାହା ସେଠାରେ ଜମି ରହି ପଙ୍କ ପାଲଟି ଯାଇଥାଏ। ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀର ଶିବରାତ୍ରି ଏହି ପୀଠର ବଡ଼ଯାତ୍ରା। ଏଣୁ ତାହା ପୂର୍ବରୁ, ଏକାଦଶୀ ଦିନ, ସେହି ସବୁ ପଙ୍କକୁ ସେଠାରୁ ଉଝୁଳା ଯାଏ। ଏଣୁ ଫାଲଗୁନ କୃଷ୍ଣ ଏକାଦଶୀ ‘ପଙ୍କୋଦ୍ଧାର’ ଏକାଦଶୀ ଭାବରେ ପ୍ରସିଦ୍ଧ। ଏହି ଗୋଟିଏ ଦିନ ହିଁ ଶିବଭକ୍ତମାନେ ଶ୍ରୀକ୍ଷେତ୍ରର ଏହି ସୁପ୍ରାଚୀନ ଅନାଦି ଶିବଲିଙ୍ଗଙ୍କର ଦର୍ଶନ ପାଇବାର ସୌଭାଗ୍ୟ ଲାଭ କରି ଥାଆନ୍ତି। ଏଣୁ ଏହି ଦିନଟି ଶ୍ରୀଲୋକନାଥଙ୍କର ଏକ ବିଶେଷ ଉତ୍ସବ ରୂପେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଥାଏ।