ରାଜଧାନୀ ଭୁବନେଶ୍ବର କେବଳ ସ୍ମାର୍ଟ ସିଟି ହେବ ନାହିଁ, ଏକ ମହିଳାଭିତ୍ତିକ ସହର ମଧ୍ୟ ହେବ। ମହିଳାମାନେ ନିଜ ସମସ୍ୟାକୁ ସ୍ମାର୍ଟ ଭାବେ ପରିବେଷଣ କରିବେ। ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଅପରାଧୀଙ୍କୁ ଧରାଇବେ ଓ ନିଜେ ସୁରକ୍ଷିତ ରହିବେ। ମହିଳାଙ୍କ ସୁରକ୍ଷାକୁ ନେଇ ଏଭଳି କିଛି ସ୍ମାର୍ଟ ଯୋଜନା ପ୍ରସ୍ତୁତ କରିଥିଲା ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍)। ‘ସ୍ମାର୍ଟ କିଓସ୍କ’ ଲଗାଇବାର ପରିକଳ୍ପନା ହେଲା। ଏହି କିଓସ୍କ ସବୁ ଭୁବନେଶ୍ବର କମାଣ୍ଡ ସେଣ୍ଟର (ବିସିସି) ସହ ସଂଯୁକ୍ତ ହେବ। ମହିଳାମାନେ ଅସୁବିଧାରେ ପଡ଼ିଲେ, କିମ୍ବା ସହାୟତା ଲୋଡ଼ିଲେ ଏଥିରେ ଥିବା ଇମରଜେନ୍ସି କଲ୍ ବଟନ(ଇସିବି) କ୍ଲିକ୍ କରିବେ। ଏଥିରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ଆପେ ଆପେ କାର୍ଯ୍ୟକ୍ଷମ ହୋଇଯିବ। ଫଳରେ ସେଠାରେ ଘଟୁଥିବା ସମସ୍ତ ଦୃଶ୍ୟ ବିସିସିକୁ ତତ୍କ୍ଷଣାତ୍ ସ୍ଥାନାନ୍ତର ହୋଇଯିବ। ସେଠାରେ ଥିବା କର୍ମଚାରୀ ଏହାକୁ ରେକର୍ଡ କରିବା ସହ ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇବ। ଜିପିଏସ୍ ଆଧାରରେ ଏହି କିଓସ୍କର ଠିକଣା ମିଳିବା ପରେ ସେହି ଅଞ୍ଚଳରେ ଡ୍ୟୁଟି କରୁଥିବା ପିସିଆର ଭ୍ୟାନ୍ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିବ। ଏହାଦ୍ବାରା ରାସ୍ତାଘାଟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଅନ୍ୟାନ୍ୟ ଅପରାଧ ରୋକାଯାଇ ପାରିବ ବୋଲି ଆଶା କରାଗଲା। କିନ୍ତୁ ମେସିନ୍ ଅଛି ହେଲେ ଏହି ‘ଇମରଜେନ୍ସି ବଟନ୍’ କାର୍ଯ୍ୟକ୍ଷମ ହୋଇନାହିଁ। ମେସିନ୍ ଥାଇ ସେବା ଉପଲବ୍ଧ ନ ହେବା ଦୁର୍ଭାଗ୍ୟଜନକ।
ଗତ ୨୧ ତାରିଖରେ ବିଧାନସଭାରେ ସରକାର ଉପସ୍ଥାପନ କରିଥିବା ଶ୍ବେତପତ୍ରର ତଥ୍ୟ ଅନୁସାରେ ଗତ ଏକ ବର୍ଷ ୨ ମାସ ଭିତରେ କେବଳ ରାଜଧାନୀରେ ୧୨୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିସହ ମହିଳାମାନଙ୍କଠାରୁ ରାସ୍ତାଘାଟରେ ଛିନ୍ତାଇ ବଢ଼ିଥିବା ବେଳେ ଅସଦାଚରଣ ଓ ରୋଡ୍ ରୋମିଓଙ୍କ ପ୍ରାଦୁର୍ଭାବ ବି ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ବିଏସ୍ସିଏଲ୍ କରିଥିବା ଯୋଜନା ବେଶ୍ ଫଳପ୍ରଦ ହେବ ଓ ଏନେଇ ଅପରାଧୀମାନଙ୍କ ମଧ୍ୟରେ ଭୟ ଜାଗ୍ରତ ହେବ ବୋଲି ଆଶା କରାଗଲା। କିନ୍ତୁ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏ ପର୍ଯ୍ୟନ୍ତ ନା ଇମରଜେନ୍ସି ବଟନ୍ ଲାଗିଲା ନା ଭୁବନେଶ୍ବରର ମହିଳାମାନେ ଏହି ସେବାର ସୁବିଧା ପାଇଲେ। କିନ୍ତୁ ମେସିନ୍ ଥାଇ ସୁଦ୍ଧା ଏ ସେବା ଉପଲବ୍ଧ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନଙ୍କ କହିବା କଥା, ରାଜଧାନୀରେ ଅପରାଧ ନିୟନ୍ତ୍ରଣ କମିସନରେଟ୍ ପୁଲିସ୍ ପାଇଁ ଏବେ ମୁଖ୍ୟ ଆହ୍ବାନ ପାଲଟିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଅପରାଧ ଘଟୁଛି। ଏହି ସେବା ଉଭୟ ପୁଲିସ ଓ ଜନସାଧାରଣଙ୍କୁ ବହୁମାତ୍ରାରେ ସାହାଯ୍ୟ କରିପାରନ୍ତା। କିନ୍ତୁ ମେସିନ୍ ଥାଇ ସେବା ଉପଲବ୍ଧ ନ ହେବା ଆଶ୍ଚର୍ଯ୍ୟର ବିଷୟ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ଉନ୍ନତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ସେବା ଯୋଗାଇବା ପାଇଁ ‘ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ’ ଅଧୀନରେ ୨୦୨୦ ମସିହା ସୁଦ୍ଧା ୭୫ଟି କିଓସ୍କ (୫୦ଟି ଇନ୍ଡୋର୍ ଓ ୨୫ଟି ଆଉଟଡୋର୍) କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏହାର ଦେଢ଼ ବର୍ଷ ପରେ ଅର୍ଥାତ୍ ୨୦୨୧ ଶେଷ ଆଡ଼କୁ ୬୨ଟି କାର୍ଯ୍ୟକ୍ଷମ ହେଲା। ଉଦ୍ବେଗର ବିଷୟ ହେଲା ହାତଗଣତି କେତୋଟିକୁ ଛାଡ଼ି ଦେଲେ ଏହି ସବୁ କିଓସ୍କରେ ବାକି ସେବାଗୁଡ଼ିକ ମିଳିପାରୁନାହିଁ।
ଉଲ୍ଲେଖଯୋଗ୍ୟ, ଆଉଟ୍ଡୋର୍ରେ ଲାଗିଥିବା ୨୫ଟି କିଓସ୍କ ମଧ୍ୟରୁ ଏବେ ୧୮ଟି ଠିକ୍ ଭାବେ କାର୍ଯ୍ୟ କରୁଥିଲା। କିନ୍ତୁ ଏଥିରେ ବି ‘ଇମରଜେନ୍ସି ବଟନ୍’ ନଥିଲା। ସେଗୁଡ଼ିକ ଇନ୍ଫୋସିଟି, କିଟ୍ ଛକ ବିଗ୍ବଜାର ପାଖ, କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ ଛକ, ଏମ୍ସ ଛକ, ଆର୍ବିଆଇ, ବିଏମ୍ସି ଅଫିସ୍, ଆଚର୍ଯ୍ୟବିହାର, ମଧୁସୂଦନ ପାର୍କ, ଆଇଜି ପାର୍କ, ତନିସ୍କ ସାମ୍ନା ଗ୍ରିନ୍ ମାର୍କେଟ୍, ବୁଦ୍ଧ ପାର୍କ, ଆଇଡି ମାର୍କେଟ୍, ପୋଖରୀପୁଟ୍ ରିଲାଏନ୍ସ ଫ୍ରେସ୍, ରାମମନ୍ଦିର ପାଖ, ବାଣୀବିହାର ପାଖ, ରୁଚିକା ମାର୍କେଟ୍ରେ ରହିଛି। ତେବେ ଏହା ମଧ୍ୟରୁ ବି ଅନେକ ଅଚଳ ଅବସ୍ଥାକୁ ଚାଲିଗଲେଣି। ବୁଦ୍ଧ ପାର୍କ, ଆଇଡି ମାର୍କେଟ, ବାଣୀବିହାର, ରାମ ମନ୍ଦିର ଓ ଆଇଜି ପାର୍କ ଆଦି ସ୍ଥାନରେ ସ୍ମାର୍ଟ କିଓସ୍କ ସବୁ ଅଚଳ ଅବସ୍ଥାକୁ ପଳାଇଲାଣି।