ଆମ କିଶୋର ବାବୁ ଏବେ ଦେବତା

ଭବାନୀ ଶଙ୍କର ତ୍ରିପାଠୀ

କେବେ ଛାତ ଉପର ବାଲକୋନୀରେ, କେବେ ଡାଇନିଂ ହଲ, କେବେ ରାସ୍ତା ମଝିରେ, ଆଉ କେବେ ଖଟିରେ ଥଟ୍ଟା, ମଜ୍ଜା ଚାଲିଥିବା ସମୟରେ ମନ ଭିତରେ କିଛି ଶବ୍ଦ ଓ ବିଚାର ଜମାଟ ବାନ୍ଧେ। ମାତ୍ର ପାଞ୍ଚ ଇଞ୍ଚ ଜାଗାରେ ଗୋଟିଏ ଚିତ୍ର ଅଙ୍କାଯାଏ, ଆଉ ତା’ ତଳେ ଅଳ୍ପକିଛି ଶବ୍ଦର ଏକପଦି କବିତାଟିଏ। ଏହା ପ୍ରତ୍ୟହ ପ୍ରକାଶ ପାଏ, ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରଥମ ପୃଷ୍ଠାର ଗୋଟିଏ କୋଣରେ। ଶିରୋନାମା ଥାଏ ‘କିଶୋର କଟାକ୍ଷ’।

କିଶୋର ରଥଙ୍କର ଏତିକି ବ୍ୟଙ୍ଗାତ୍ମକ କଥାରେ ଅନେକ ନିଷ୍ଠୁର ସତ୍ୟ ଇତିହାସରେ ଚିରକାଳ ପାଇଁ ଅମର ରହିଯାଇଛି। ତାଙ୍କ କାର୍ଟୁନରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ପ୍ରଶାସକ ପର୍ଯ୍ୟନ୍ତ, ପ୍ରଭାବଶାଳୀ ନେତୃତ୍ୱର ଅପାରଗତା ଏବଂ ନିନ୍ଦନୀୟ କାର୍ଯ୍ୟ ସମାଜ ସାମ୍ନାରେ ପ୍ରତିଫଳିତ ହୋଇଛି, ଠିକ୍ ଦର୍ପଣ ପରି। କେବେ ଲକ୍ଷ ଲକ୍ଷ ପାଠକଙ୍କ ମୁହଁରେ ଏହା ହସ ଫୁଟାଇବାର ମାଧ୍ୟମ ପାଲଟିଛି ତ ଆଉ କେବେ ସମାଜକୁ ବିଗାଡ଼ି ଦେଉଥିବା ବଡ଼ପଣ୍ଡାମାନଙ୍କୁ ନିଜକୁ ସଜାଡ଼ିନେବା ଲାଗି ସତର୍କ କରିଛି। କେବଳ ସେତିକି ନୁହେଁ, ଜଣେ ସାମ୍ବାଦିକ, ସାହିତ୍ୟିକ ଏବଂ ସୃଜନଶୀଳ ବ୍ୟକ୍ତି କିଭଳି ନିଜର କୃତିରେ ସମାଜରେ ଝଡ଼ ସୃଷ୍ଟି କରିପାରେ, ପରିବର୍ତ୍ତନର ସାମର୍ଥ୍ୟ ରଖେ; ତାହା କାଳ କାଳ ପାଇଁ ଉଦାହରଣ ଭାବେ ରହିଯାଇଛି।

ପାଖାପାଖି ତିନି ଦଶନ୍ଧିରୁ ଅଧିକ କାଳ ନିଜର କଟାକ୍ଷ ଜରିଆରେ ଓଡ଼ିଶାର ପ୍ରଖ୍ୟାତ କାର୍ଟୁନିଷ୍ଟ କିେଶାର ରଥ ସାଧାରଣ ବ୍ୟକ୍ତିଙ୍କ ମନ ହରଣ କରିନେଇଛନ୍ତି। ଓଡ଼ିଶାରେ ହଜାର ହଜାର ନିରବ ପାଠକ ତାଙ୍କ କଟାକ୍ଷର ଏକପଦି ଗୀତକୁ ମୁଖସ୍ତ କରିଛନ୍ତି। ଆହୁରି ସରଳ ଭାବେ କହିଲେ, କିଶୋର ବାବୁ ରାଜ୍ୟର ସାହିତ୍ୟ ଜଗତରେ ଏକପଦି କବିତାର ଗୋଟିଏ ଧାରା ଚିରକାଳ ପାଇଁ ଛାଡ଼ିଯାଇଛନ୍ତି। ଏହାକୁ ଅନ୍ୟମାନେ କିଭଳି ଅନୁକରଣ ଓ ଅନୁସରଣ କରୁଛନ୍ତି, ତାହା ତାଙ୍କ ଅବର୍ତ୍ତମାନରେ ସାମ୍ନାକୁ ଆସିଛି।
କିଶୋର ବାବୁଙ୍କ ଅକାଳ ବିୟୋଗରେ ସାମାଜିକ ଗଣମାଧ୍ୟମ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଛି, ତାହା ଅଦ୍ଭୂତପୂର୍ବ। ସଂପ୍ରତି ଓଡ଼ିଶାରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସାଧାରଣ ନାଗରିକଟିଏ ଚିରାଚରିଚ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଉଥିବା ପରିଲକ୍ଷିତ ହୁଏ। ଠିକ୍ ସେତିକି ବେଳେ କିଏ ଗୀତରେ, କିଏ ମେଞ୍ଚା ମେଞ୍ଚା ଲେଖାରେ, କିଏ ଚିତ୍ରରେ ଆଉ କିଏ ବାଲୁକାରେ ଆଙ୍କି ମନେପକାଇଛନ୍ତି, ଝୁରୁଛନ୍ତି କିଶୋର ବାବୁଙ୍କୁ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

କିଶୋର ବାବୁଙ୍କ ପ୍ରତି ସାଧାରଣ ପାଠକର ଥିବା ଭଲପାଇବା ମୋତେ ଆଜି ତାଙ୍କ ସହକର୍ମୀ ଭାବେ ଆଶ୍ବସ୍ତ କରୁଛି ଯେ ଜଣେ ସାମ୍ବାଦିକଙ୍କ ଉପରେ ଓଡ଼ିଶାବାସୀ କେତେ ବିଶ୍ବାସ ରଖୁଛନ୍ତି, କେତେ ଭରସା କରୁଛନ୍ତି।

ଅନେକ ବ୍ୟକ୍ତି ବଞ୍ଚିଥିବା ବେଳେ ମରନ୍ତି, କେହି କେହି ମୃତ୍ୟୁ ପରେ ବଞ୍ଚନ୍ତି। ଦ୍ବିତୀୟ କଥାଟି କିଶୋର ବାବୁଙ୍କ ପାଇଁ ଉଦ୍ଦିଷ୍ଟ।

ନିଜର ‘କଟାକ୍ଷ’ ଜରିଆରେ ସର୍ବଦା ସତ୍ୟର ମାର୍ଗରେ ଯିବା ପାଇଁ ପ୍ରବର୍ତ୍ତାଉଥିବା କିଶୋର ବାବୁଙ୍କୁ ମହାପ୍ରଭୁ ଅକାଳରେ ହେଲେ ବି ଧର୍ମ ମାସ କାର୍ତ୍ତିକରେ କୋଳେଇ ନେଇଛନ୍ତି। ଏହା ଜରିଆରେ ମହାପ୍ରଭୁ ସଙ୍କେତ ଦେଇଛନ୍ତି- ସତ୍ୟ ହିଁ ଧର୍ମ।

ହେଲେ କିଶୋର ବାବୁ ଆଉ ସଶରୀରେ ସଂସାରକୁ ଫେରିବେନି, ଏକଥା ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର। କାରଣ ଏମିତି କିଛି ନିଆରା ମୁହୂର୍ତ୍ତ ଆମେ ଏକାଠି ବିତାଇଛୁ, ସଭାମଞ୍ଚରେ କଟାଇଛୁ ଓ କଟାକ୍ଷ ପ୍ରସ୍ତୁତ କରିବା ପୂର୍ବରୁ ଚିତ୍ର ଚରିତ୍ର ନିର୍ଣ୍ଣୟ କରିବା ବେଳେ ସମାଜରୁ ସାଉଁଟିଛୁ, ଯାହା କେବେ ଭୁଲିବାର ନୁହେଁ।
ଆଜି କିଶୋର ବାବୁଙ୍କ ଦ୍ବାଦଶାହ ଅବସରରେ ଯେବେ ମନକୁ ମୁଁ ସାନ୍ତ୍ବନା ଦେବାକୁ ଚାହୁଁଛି, ତାଙ୍କର ଅଗଣିତ ପାଠକଙ୍କୁ ଧୈର୍ଯ୍ୟ ଧରିବା ଲାଗି ନିବେଦନ କରୁଛି, େସବେ ମନକୁ ଆସୁଛି-

ଏ ସଂସାର ଏମିତି ଯେ ଏଠାରେ ସ୍ୱୟଂ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ଶ୍ରୀଜଗନ୍ନାଥ ମାନବୀୟ ଆଚରଣ ପ୍ରଦର୍ଶନ କରିବା ବେଳେ ମୃତ୍ୟୁ ଯେ ଅନିବାର୍ଯ୍ୟ ତାହାର ସଙ୍କେତ ଦେବାକୁ ଭୁଲିନାହାନ୍ତି। ସବୁର ସ୍ରଷ୍ଟା ହୋଇ ମଧ୍ୟ ସେ ସୃଷ୍ଟି ତ୍ୟାଗ କରିବାର ବାସ୍ତବତା ସଂପର୍କରେ ଆମକୁ ବାରମ୍ୱାର ସୂଚାଇଛନ୍ତି। ଭଗବତ୍ ଗୀତାରେ ସ୍ୱୟଂ ସେ ମୃତ୍ୟୁକୁ ଅମୃତତୁଲ୍ୟ ବୋଲି ପ୍ରତିପାଦିତ କରିବାକୁ ଯାଇ କହିଛନ୍ତି, ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ। ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଉଲ୍ଲେଖ କରିଛନ୍ତି, ମର୍ତ୍ତ୍ୟମଣ୍ଡଳେ ଦେହ ବହି। ଦେବତା ହୋଇଲେ ମରଇ।

ମୃତ୍ୟୁ ସଂପର୍କିତ ଏହି ନିରାଟ ସତ୍ୟ ସଂପର୍କରେ ମଣିଷକୁ ବାରମ୍ୱାର ଚେତାଇ ଦିଆଯାଇଛି। ମୃତ୍ୟୁ ପରର ଜୀବନ ‘ଦେବତାତୁଲ୍ୟ’ ଏକଥା ଆମେ ବିଶ୍ବାସ କରିଥାନ୍ତି ଓ ପ୍ରତ୍ୟହ ସ୍ମରଣ କରନ୍ତି। ସୁତରାଂ ଆମ କିଶୋର ବାବୁ ଏବେ ଦେବତା।

ଉପ-ମହାପ୍ରବନ୍ଧକ (ବାର୍ତ୍ତା), ‘ସମ୍ବାଦ’
ମୋ- ୯୯୩୭୪୭୪୨୭୪

ସମ୍ବନ୍ଧିତ ଖବର