ହେ ସଂଗ୍ରାମୀ ବିଦାୟ!

ଇଏ ଗୁଣ୍ଡା ସରକାର…, ଗୁଣ୍ଡାମି ସାଙ୍ଗେ ଭାଣ୍ଡାମି ତାଙ୍କ ନିତ୍ୟ କାରବାର.., ଇଏ ଗୁଣ୍ଡା ସରକାର…।

ହାତରେ ଥିଲା ଖଣ୍ଡେ ଡାଙ୍ଗରେ ଉଡ଼ୁଥିବା ଫରଫର ଜାତୀୟ ପତାକା ଏବଂ ମୁହଁରେ ଥିଲା ଏଇ ତେଜୀୟାନ କବିତା। ସେଇ ଛୋଟବେଳୁ ହିଁ ‌ଦେଶପ୍ରେମରେ ପଡ଼ିଯାଇଥିଲେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ। ସେତେବେଳେ ବୟସ ତାଙ୍କୁ ୧୮ କି ୧୯ ହେବ। ଟୋକା ବୟସ। ନିମାପଡ଼ା ହାଇସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢ଼ୁଥାନ୍ତି। ଗାନ୍ଧୀଙ୍କ ଡାକରାରେ ସେ ପାଠ ଛାଡ଼ି ସଂଗ୍ରାମରେ ସାମିଲ୍‌ ହୋଇଥିଲେ। ସାରା ଜୀବନ ଥିଲେ ଗାନ୍ଧୀ ଓ ଦେଶ ମାତୃକାର ପୂଜାରୀ। ଯୋଉ ମଞ୍ଚକୁ ଉଠୁଥିଲେ କହୁଥିଲେ, ମହାତ୍ମା ଗାନ୍ଧୀ କି ଜୟ…, ଭାରତ ମାତା କି ଜୟ…

ସ୍କୁଲ୍‌ରେ ଶିକ୍ଷକଙ୍କ ଗାନ୍ଧୀକଥାରୁ ପଡ଼ିଥିଲା ପ୍ରଭାବ
ଭବାନୀ ଯେତେବେଳେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ, ଶିକ୍ଷକମାନେ ସ୍କୁଲ୍‌ରେ ଗାନ୍ଧିଜୀଙ୍କ ବାର୍ତା ବୁଝାଉଥାଆନ୍ତି। ସ୍କୁଲ୍‌ରେ ଗାନ୍ଧିଜୀଙ୍କ କଥା ଶୁଣିବା ପରେ ଗାନ୍ଧିଜୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଭବାନୀ। ଗାନ୍ଧିଜୀଙ୍କ ଡାକରାରେ ନିମାପଡ଼ା, ବିଷ୍ଣୁପୁର, ହଂସପଡ଼ା, ଗଡ଼ଅଣ୍ଢିଆ, ଚରଣପଦା ଗାଁରୁ ଅନେକ ପିଲା ପଦ୍ମଚରଣ ସାମନ୍ତସିଂହାରଙ୍କ ଅଧୀନରେ ନିମାପଡ଼ା ଥାନା ଦଖଲ କରି ପତାକା ଉଡ଼ାଇବାକୁ ବାହାରିପଡ଼ିଲେ। ପୂର୍ବରୁ ସ୍କୁଲ୍‌ ସାର୍‌ଙ୍କଠୁ ଶୁଣିଥିବା ଗାନ୍ଧୀଙ୍କ କଥା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ବି ସେଇ ଆନ୍ଦୋଳନାରେ ସାମିଲ୍ ହୋଇଥିଲି। ହେଲେ ପୁଲିସ୍‌ର ଗୁଳିରେ ଉଚ୍ଛବ ମଳିକ ଟଳିପଡ଼ିବା ଦେଖି ଯିଏ ଜୁଆଡ଼େ ଛତ୍ରଭଙ୍ଗ ଦେଲେ। ଶେଷରେ ତାଙ୍କ ଭଳି କେତେଜଣ ପିଲାଙ୍କୁ ନିମାପଡ଼ା ଥାନା ପୁଲିସ୍ ଗିରଫ କରି ଜେଲ୍‌ରେ ପୂରାଇ ଦେଲା।

ଅଗଷ୍ଟ ୧୪ରେ ରାତିଯାକ ସଂକୀର୍ତନ କରି ଡେଇଁଥିଲେ
ଅଗଷ୍ଟ ୧୫ରେ ସ୍ୱାଧୀନତା ମିଳିବା ଆଭାସ ଆଗରୁ ମିଳିସାରିଥିଲା। ତେଣୁ ଅଗଷ୍ଟ ୧୪ ରାତିରୁ ନିମାପଡ଼ାରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଆଭାସ ପାଇବା ପରେ ସଂକୀର୍ତନରେ ତାଙ୍କ ଗାଁ ଉଚ୍ଛୁଳିଥିଲା। ସ୍ବାଧୀନତା ପ୍ରାପ୍ତିର ଖବର ପ୍ରଚାର ହେବା ପରେ ସେ ବି ରାତିଯାକ ସଂକୀର୍ତନ କରି ଡେଇଁଥିଲେ। ଏକ ସାକ୍ଷାତକାରରେ ଭବାନୀ କହିଥିଲେ, ୧୯୪୭ ଅଗଷ୍ଟ ୧୪ ରାତି ୧୨ଟା ପରେ ଆମ ପତାକା ଉଡ଼ିଲା। ସେଦିନ ଆଉ ରାତିରେ ଶୋଇ ପାରିଲୁନି। ସକାଳ ହେଉହେଉ ସଂକୀର୍ତନ ଦଳ ଧରି ଗାଁ ଗାଁ ବୁଲିଲୁ। ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନରେ.. ଏବଂ ଜାତୀୟ ପତାକା ଫରଫର, ଉଡ଼ିବ ସ୍ୱରାଜ୍ୟେ ଘରଘର.. ଭଳି ଗୀତ ଗାଇ ଗାଁ ପରିକ୍ରମା କରିଥିଲୁ ବୋଲି ସେ କହିଥିଲେ।

୧୦ ବର୍ଷ ବୟସରେ ପଞ୍ଚମ ଜର୍ଜଙ୍କ ବଦଳରେ ଗାନ୍ଧୀ ବନ୍ଦନା କରିଥିଲେ
୧୯୩୨ ମସିହା ବେଳକୁ ଅସହଯୋଗ ଆନ୍ଦୋଳନ ଚାଲିଥାଏ। ଏହି ସମୟରେ ଏହି ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଲଣ୍ଡନର ରାଜା ଥିବା ପଞ୍ଚମ ଜର୍ଜଙ୍କ ଗୁଣ କୀର୍ତନ କରାଯାଉଥିଲା। ସ୍କୁଲ୍‌ମାନଙ୍କରେ ସେତେବେଳେ ପଞ୍ଚମ ଜର୍ଜଙ୍କୁ ନେଇ ଜାତୀୟ ଦିବସ ପାଳନ ହେଉଥିଲା। ସ୍କୁଲ୍‌ରେ ଶିକ୍ଷକମାନେ ପଞ୍ଚମ ଜଜ୍‌ କି ଜୟ ବୋଲି ଉଚ୍ଚାରଣ କରୁଥିଲେ। ଛାତ୍ରମାନେ ପାଳି ଧରୁଥିଲେ। ମାତ୍ର ଏ ସମୟରେ ଭବାନୀ କହୁଥିଲେ ମହାତ୍ମା ଗାନ୍ଧୀ କି ଜୟ। ଏହା ଶୁଣି ତାଙ୍କ ଶିକ୍ଷକ ତାଙ୍କୁ ନେଇ ମିଠେଇ ବଦଳରେ କନିଅର ଡାଙ୍ଗରେ ବହୁତ ପିଟିଥିଲେ।

ବିଜୁ ବାବୁଙ୍କ ସହ କଟକ ଜେଲ୍‌ରେ ଭଲି ବଲ୍‌ ଖେଳୁଥିଲେ
ଭବାନୀ ଚରଣ ପଟ୍ଟନାୟକ ଜଣେ ସଚ୍ଚୋଟ ସ୍ବାଧୀନତା ସଂଗ୍ରାମୀ ଥି‌ଲେ। ୩ଦିନ ତଳେ ସେ ୯୯ ବର୍ଷ ବୟସରେ ପଦାର୍ପଣ କରିଥିଲେ। ସେ ଶତାୟୁ ହୁଅନ୍ତୁ ବୋଲି ଆମେ ସବୁବେଳେ ପ୍ରାର୍ଥନା କରୁଥିଲେ ସୁଦ୍ଧା ସେ ଆଜି ଆମକୁ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ‌ହୋଇଛି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ସ୍ବାଧୀନତା ସଂଗ୍ରାମ ସମୟରେ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ବିଜୁ ବାବୁଙ୍କ ସହ କଟକ ଜେଲ୍‌ରେ ରହିଥିଲେ। ଏହି ସମୟରେ ଉଭୟ ମିଶି ଭଲି ବଲ୍‌ ଖେଳୁଥିବା କଥା ଭବାନୀ ଭାଇ ଆମକୁ କହୁଥିଲେ। ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡ଼ିଶା ରାଜନୀତିରେ ତାଙ୍କର ସକ୍ରିୟ ଯୋଗଦାନ ଥିଲା। ସେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥି‌ଲେ। ବିଜୁ ବାବୁଙ୍କ ହାତଗଢ଼ା ‘କଳିଙ୍ଗ ଫାଉ‌େଣ୍ଡସନ୍‌ ଟ୍ରଷ୍ଟ୍‌’ର ସେ ଅଧ୍ୟକ୍ଷ ଥିଲେ। ଏଥିସହ ବହୁ ଗାନ୍ଧୀ ପ୍ରତିଷ୍ଠାନ ସହ ସେ ଜଡ଼ିତ ଥିଲେ। ତାଙ୍କ ପରଲୋକରେ ଗାନ୍ଧୀ ଆଦର୍ଶର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ଅତନୁ ସବ୍ୟସାଚ୍ଚୀ, ବିଧାୟକ

ସମ୍ବନ୍ଧିତ ଖବର