ରାଷ୍ଟ୍ରପତିଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧିତ କଲେ ବିଶିଷ୍ଟ ବ୍ୟକ୍ତିବିଶେଷ

ଭୁବନେଶ୍ବର : ସନ୍ଧ୍ୟାରେ ରାଜଭବନ ପରିସରରେ ଆୟୋଜିତ ହୋଇଥିଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘ବୋଇତ’ର କାରୁକାର୍ଯ୍ୟ ସମ୍ବଳିତ କଳାକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କର କାରୁକାର୍ଯ୍ୟ ସମ୍ବଳିତ କଳାକୃତି ଦେଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଟାଇବ୍ରାଲ୍‌ ଡ୍ୟାନ୍ସ କ୍ରାଫ୍ଟ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧରନ୍‌ ମହାପ୍ରଭୁ ଜଗନ୍ନାଥଙ୍କ କାରୁକାର୍ଯ୍ୟ ସମ୍ବଳିତ କଳାକୃତି ପ୍ରଦାନ କରିଥିଲେ। ସେହିପରି ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୌରା ପେଣ୍ଟିଂ, ବିଏମ୍‌ସି ମେୟର ସୁଲୋଚନା ଦାସ ପାରମ୍ପରିକ ସିଲ୍‌କ ଉତ୍ତରୀୟ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ବଲପୁରୀ ବସ୍ତ୍ର, ସୁନ୍ଦରଗଡ଼ର ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମୟୂରଭଞ୍ଜର ମହିଳା ମାଣ୍ଡିଆ ଚାଷୀ ସୁବାସୋ ମହନ୍ତ ମାଣ୍ଡିଆ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ସହ ମଞ୍ଚରେ କଥାବାର୍ତା ହୋଇଥିଲେ।

ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ ପୁସ୍ତକ ଦେଇ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ମାଲକାନଗିରିର ମହିଳା ଉଦ୍ୟୋଗୀ ପୂର୍ଣ୍ଣିମା କିଞ୍ଜାୟୀ କୋଟପାଡ଼ ସାଲ୍‌, ପଦ୍ମବିଭୂଷଣ ସୁଦର୍ଶନ ସାହୁ ପ୍ରସ୍ତର କାରୁକାର୍ଯ୍ୟ ସମ୍ବଳିତ ଏକ କଳାକୃତି, ସ୍କିଲ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ପ୍ରବୀଣ କୁମାର ଗିରି କୋଣାର୍କ କାରୁକାର୍ଯ୍ୟ ସମ୍ପର୍କିତ ପ୍ରତିକୃତି, କ୍ରୀଡ଼ାବିତ୍‌ ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଭାରତୀୟ ହକି ଦଳର ଟି-ସାର୍ଟ ଏବଂ ଏକ ହକି ଷ୍ଟିକ୍‌ ଓ ବଲ୍‌ ଥିବା ପ୍ରତିକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡାକ୍ତର ଅଶୋକ କୁମାର ମହାପାତ୍ର ଉତ୍ତରୀୟ ଦେଇଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଉତ୍ତରୀୟ, ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର ନିଜ ଦ୍ବାରା ପ୍ରସ୍ତୁତ ବାନ୍ଧକଳା, ପଦ୍ମଶ୍ରୀ ଅରୁଣା ମହାନ୍ତି ତାଳପତ୍ର ଚିତ୍ର, ପୁରସ୍କାରପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ପଟ୍ଟଚିତ୍ର, ପ୍ରେମଲତା ବାରିକ ସମ୍ବଲପୁର ଉତ୍ତରୀୟ ଦେଇ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର