ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆମେ କୌଣସି ବାର୍ତ୍ତା ବା ସୂଚନା ପଠାଇଲା ବେଳେ ତାହାକୁ ଅଧିକ ରୋଚକ କରିବା ପାଇଁ କିଛି ସାଂକେତିକ ଚିତ୍ର ସେଥିରେ ଯୋଡ଼ି ଦେଇଥାଉ। ଜୀବଜନ୍ତୁ, ଫୁଲଫଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଓ ଘଟଣାବଳୀକୁ ବୁଝାଉଥିବା ଏହି ଲୋକପ୍ରିୟ ସଂକେତଗୁଡ଼ିକୁ ‘ଇମୋଜି’ ଭାଷା ବୋଲି କୁହାଯାଏ।

Advertisment

ଏହା ସମ୍ପ୍ରତି ବିଶ୍ବର ଦ୍ରୁତତମ କ୍ରମବର୍ଦ୍ଧିଷ୍ଣୁ ଭାଷା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ହଜାରରୁ ଅଧିକ ସଂଖ୍ୟକ ଚିତ୍ର ସଂକେତ ବିଶିଷ୍ଟ ଏହି ଭାଷାର ଚାହିଦା ଏତେ ଅଧିକ ଯେ କେବଳ ଫେସବୁକ୍‌ ମେସେଞ୍ଜର ପରି ସାମାଜିକ ଗଣମାଧ୍ୟମରେ ଦୈନିକ ପ୍ରାୟ ୫୦୦ କୋଟିରୁ ଅଧିକ ସଂଖ୍ୟକ ଇମୋଜି ସଂକେତ ପ୍ରେରିତ ହୋଇଥାଏ। ଅନ୍‌ଲାଇନ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ଏପରି କୌଣସି ନା କୌଣସି ଇମୋଜି ବ୍ୟବହାର କରିଥା’ନ୍ତି। ଏହାର ଉଦ୍ଭାବକ ହେଉଛନ୍ତି ଜାପାନୀ ଶିଳ୍ପୀ ଶିଗେଟାକା କୁରିଟା।

ପ୍ରଥମେ ପ୍ରଥମେ ଫୋନ୍‌ରେ କୌଣସି କ୍ଲିକ୍‌ କଲା ଭଳି ଚିତ୍ରକୁ ବୁଝାଇବା ପାଇଁ ଇମୋଜିର ବ୍ୟବହାର କରାଯାଉଥିଲା। ତେବେ ସମୟାନୁକ୍ରମେ କୌଣସି ପ୍ରତିକ୍ରିୟା ବା ମନୋଭାବକୁ ଉପସ୍ଥାପନା କରିବା ପାଇଁ ଏହି ଇମୋଜିର ସାହାଯ୍ୟ ନିଆଯାଇଥିଲା। ତେବେ ସବୁଠୁ ଅଜଣା କଥାଟି ହେଲା, ଏହା ଆବେଗ (ଇମୋସନ୍) ସହ ଜଡ଼ିତ ବୋଲି ତାହାର ନାମକରଣ ଏପରି ‘ଇମୋଜି’ ରହିଥିବା ଅନେକଙ୍କର ଧାରଣା। ମାତ୍ର ପ୍ରକୃତରେ ଏହି ଶବ୍ଦଟି ଦୁଇଟି ଜାପାନୀ ଶବ୍ଦରୁ ହିଁ ଏପରି ନାମିତ ହୋଇଛି। ଜାପାନୀ ଭାଷାରେ ‘ଇ’ର ମାନେ ଛବି ଓ ‘ମୋଜି’ର ଅର୍ଥ ସ୍ବରୂପ ବା ଚରିତ୍ର। ତେଣୁ କୌଣସି ଭାବକୁ ପ୍ରକାଶ କରିବା ପାଇଁ ଏହି ଛବିସ୍ବରୂପ ବା ଇମୋଜି ଆଜି ସବୁଠି ଉପଲବ୍‌ଧ।