ଗତ ସପ୍ତାହରେ ଭାଟିକାନ୍ ସିଟିରେ ପ୍ରତ୍ନତାତ୍ତ୍ବିକ ଖନନ ବେଳେ ରୋମ୍ର ପ୍ରାଚୀନ ସମ୍ରାଟ ନିରୋଙ୍କ ରଙ୍ଗଶାଳାର ଭଗ୍ନାବଶେଷ ମିଳିଛି। ଏକ ମଧ୍ୟଯୁଗୀୟ ରାଜପ୍ରାସାଦର ଉଦ୍ୟାନର ଗଭୀର ଭୂଇଁ ତଳୁ ଏହାକୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ୫୪ ଖ୍ରୀ.ଅ.ରୁ ୬୮ ଖ୍ରୀ.ଅ. ଯାଏ ରୋମ୍ର ପଞ୍ଚମ ସମ୍ରାଟ ଥିବା ନିରୋ କ୍ଲୋଡିଅସ ସିଜର ଅଗଷ୍ଟସ ଜର୍ମାନିକସ୍ ଜଣେ କବି ଓ ଯୋଦ୍ଧା ଥିଲେ। ଅଭିନୟ କଳା ପ୍ରତି ତାଙ୍କର ପ୍ରଗାଢ଼ ରୁଚି ରହିଥିଲା। ନିରୋଙ୍କ ରଙ୍ଗଶାଳା ସମ୍ପର୍କରେ କେବଳ ପ୍ରାଚୀନ୍ ରୋମୀୟ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଥିବା ବେଳେ ଏଯାବତ୍ ତାହା ଆବିଷ୍କୃତ ହୋଇନଥିଲା।
ଖନନରୁ ମିଳିଥିବା ଏହି ରଙ୍ଗଶାଳାଟି ତାହାର ନିର୍ମାଣ ଶୈଳୀରୁ ଗ୍ରନ୍ଥମାନଙ୍କରେ ଅବିକଳ ବର୍ଣ୍ଣିତ ପ୍ରଥମ ଶତାବ୍ଦୀର ନିରୋଙ୍କ ରଙ୍ଗଶାଳା ପରି ହୋଇଥିବା ପ୍ରତ୍ନତତ୍ତ୍ବବିତ୍ମାନେ ଜାଣିବାକୁ ପାଇଛନ୍ତି। ସେଇଠି ନିରୋ ତାଙ୍କର କବିତା ଲେଖୁଥିଲେ ଏବଂ ତାହାକୁ ସଂଗୀତ ରୂପ ଦେଉଥିଲେ। ସେଠାରେ ନିରୋ ସିତାର ମଧ୍ୟ ବଜାଉଥିଲେ ବୋଲି ଅନୁମାନ କରାଯାଉଛି।
୨୦୨୦ ମସିହାରୁ ଏହି ଖନନ କାର୍ଯ୍ୟ ଚାଲିଥିବା ବେଳେ ସେଥିରୁ ମିଳିଥିବା ସାମଗ୍ରୀ ମଧ୍ୟରେ ଏକ ଅର୍ଦ୍ଧବୃତ୍ତାକାର ଦର୍ଶକ ଗ୍ୟାଲେରି ସମେତ ଅନେକ କଳାକୃତି ରହିଛି। ଏଥି ସହିତ ସାତଟି ବିରଳ ଅଳଙ୍କାର, ମଧ୍ୟଯୁଗୀୟ କାଚର ପାନପାତ୍ର, ରୋଷେଇ ହାଣ୍ଡି, ସିରାମିକ୍ ଖଣ୍ଡ, ମୁଦ୍ରା, ବାଦ୍ୟଯନ୍ତ୍ରର ଅଂଶ ଓ ହାଡ଼ ତିଆରି ପାନିଆଁ ଆଦି ମିଳିଛି। ସେଥି ମଧ୍ୟରେ ରହିଥିବା ବିଳାସ ସାମଗ୍ରୀ ଓ କଳାକୃତିରୁ ତାହା ନିରୋଙ୍କ ରଙ୍ଗଶାଳା ବୋଲି ପ୍ରତ୍ନତତ୍ତ୍ବବିତ୍ମାନେ ନିଶ୍ଚିତ ହୋଇଛନ୍ତି।