ଆମ ଦେଶର କର୍ମଚାରୀମାନେ ନିଜ ସଂସ୍ଥା ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ କ’ଣ ଆଶା କରନ୍ତି ଜାଣିବା ପାଇଁ ନିକଟରେ ‘ଇନ୍‌ଡିଡ୍‌’ ନିଯୁକ୍ତି ୱେବ୍‌ସାଇଟ୍‌ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ଏହା ଅନୁଯାୟୀ,୬୩% କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଠାରୁ ସ୍ବୀକୃତି ଓ ପ୍ରଶଂସା ଆଶା କରନ୍ତି। ଏଥିରେ ୬୨% କର୍ମଚାରୀ ପ୍ରକାଶ କରିଛନ୍ତି ଯେ ଟିମ୍‌ ଦ୍ବାରା ତାଙ୍କ ଉଦ୍ୟମକୁ ପ୍ରଶଂସା କରାଗଲେ ସେମାନଙ୍କୁ ଖୁସି ଲାଗିଥାଏ ଏବଂ ୫୮% କର୍ମଚାରୀଙ୍କ ଅନୁସାରେ ସହକର୍ମୀମାନେ ସେମାନଙ୍କ ମତ ଓ ବିଚାରକୁ ସ୍ବାଗତ କରିବା ସେମାନଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ୬୪% କର୍ମଚାରୀଙ୍କ ଅନୁସାରେ ସେମାନଙ୍କ କମ୍ପାନି ସୃଜନଶୀଳ ଚିନ୍ତନକୁ ପ୍ରୋତ୍ସାହିତ କରିଥାଏ, ଯାହା ସଂସ୍ଥା ସହିତ ସେମାନଙ୍କ ବନ୍ଧନକୁ ଶକ୍ତିଶାଳୀ କରେ। ସେହିପରି ୬୧% କର୍ମଚାରୀ କହିଛନ୍ତି ଯେ ସେମାନଙ୍କୁ ଖୋଲାଖୋଲି ବିଚାର ପ୍ରକାଶ କରିବାର ସ୍ବାଧୀନତା ମିଳିଥାଏ। ଏଥିରୁ ସ୍ପଷ୍ଟ ଯେ ମୁକ୍ତ ପରିବେଶ ଓ ସୃଜନଶୀଳତାକୁ ଗୁରୁତ୍ବ ମିଳୁଥିବା କାର୍ଯ୍ୟସ୍ଥଳୀରେ କର୍ମଚାରୀଙ୍କ ଆତ୍ମସନ୍ତୋଷ ବୃଦ୍ଧି ପାଏ ଏବଂ ଚାପ ପରିଚାଳନାରେ ସହାୟକ ହୋଇଥାଏ। 

Advertisment

ସାରା ଦେଶର ବିଭିନ୍ନ ସଂସ୍ଥାରେ କାମ କରୁଥିବା ୩,୦୦୫ ଜଣଙ୍କ ସାକ୍ଷାତ୍‌କାର ଭିତ୍ତିରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଉପର ସ୍ତରର ଅଧିକାରୀଙ୍କ ଭାଗ ୩୦% ହୋଇଥିବା ବେଳେ ୭୦% ହେଉଛନ୍ତି କର୍ମଚାରୀ। ‘ଇନ୍‌ଡିଡ୍‌ ଇଣ୍ଡିଆ’ର ସେଲ୍‌ସ ମୁଖ୍ୟ ଶଶି କୁମାରଙ୍କ ଅନୁସାରେ, ‘ସ୍ବୀକୃତି ଓ ସୁରକ୍ଷିତ ତଥା ମୁକ୍ତ ପରିବେଶ ଏକ ସମୃଦ୍ଧିଶାଳୀ ସଂସ୍ଥାର କେନ୍ଦ୍ରରେ ରହିଥାଏ। କର୍ମଚାରୀମାନେ ଚାହାନ୍ତି ଯେ ସେମାନଙ୍କ କଥା ଶୁଣାଯାଉ ଏବଂ ସେମାନଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉ। ଯେଉଁ କମ୍ପାନି ସ୍ବୀକୃତି ଓ ଅନ୍ତର୍ଭୁକ୍ତୀକରଣକୁ ନିଜ କାର୍ଯ୍ୟ ସଂସ୍କୃତିରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଅନ୍ତି ସେଗୁଡ଼ିକ ଉତ୍ସର୍ଗୀକୃତ ମାନବ ସମ୍ବଳକୁ ଆକର୍ଷିତ, ଧାରଣ ଓ ଉତ୍ସାହିତ କରିବାରେ ଅଧିକ ସକ୍ଷମ ହୁଅନ୍ତି। ଏସବୁକୁ ଗୁରୁତ୍ବ ଦେବା କେବଳ କର୍ମଚାରୀଙ୍କ ସୁସ୍ଥିତି ପାଇଁ ଲାଭଦାୟକ ନୁହେଁ, ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଲାଭଦାୟକ।’