ଏନ୍‌କାଉଣ୍ଟର୍‌: ଦୀପୁ ସାହୁରୁ ହାଇଦର୍‌

ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ପି, ଏବେ ସିପି

ବର୍ତ୍ତମାନର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ୨୦୦୫ ବେଳକୁ ଥିଲେ କଟକ ଜିଲ୍ଲାର ଏସପି। ସେ ସମୟରେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ସଂଗ୍ରାମ ଓରଫ ଦୀପୁ ସାହୁକୁ ଏନକାଉଣ୍ଟର ହୋଇଥିଲା। ସେଥିରେ ତାର ପ୍ରାଣ ଯାଇଥିଲା। ଶ୍ରୀ ପ୍ରିୟଦର୍ଶୀଙ୍କ ନେତୃତ୍ବରେ ତତ୍କାଳୀନ ପୁରୀଘାଟ ଥାନା ଏସଆଇ ଦେବଦତ୍ତ କର ଏବଂ ଅନ୍ୟ ପୁଲିସ କର୍ମୀ ଦୀପୁର ଶଗଡ଼ିଆ ସାହି ଘରେ ଚଢ଼ଉ କରିଥିଲେ। ଛାତ ଉପରେ ଥାଇ ଦୀପୁ ଓ ଅନ୍ୟ ସହଯୋଗୀ ପୁଲିସ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳି ମାଡ଼ରେ ପୁଲିସ ଟିମ୍ ଅଳ୍ପକେ ବର୍ତ୍ତିଯାଇଥିଲା। ପୁଲିସର ପାଲଟା ଗୁଳି ମାଡ଼ରେ ଦୀପୁର ମୃତ୍ୟୁ ହୋଇଥିଲା। ପ୍ରାୟ ୩ ରାଉଣ୍ଡ ଗୁଳି ଦୀପୁର ଛାତିରେ ବାଜିଥିଲା। କୁହାଯାଏ ଦୀପୁ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରିକୁ ସେତେବେଳେ ନିଜ ନିୟନ୍ତ୍ରଣରେ ରଖିଥିଲା। ଏହି ଏନକାଉଣ୍ଟରର ଠିକ୍ ୧୬ ବର୍ଷ ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ ପୁଲିସ କମିସନର। ସଂଯୋଗ ବଶଃତ ତାଙ୍କ ସମୟରେ ହିଁ ହାଇଦରକୁ ଏନକାଉଣ୍ଟର କରାଯାଇଛି ଓ ପୁଲିସ ଗୁଳି ଖାଇ ହାଇଦରର ମୃତ୍ୟୁ ହୋଇଛି।

କଟକ ପୁଲିସର ଇତିହାସ ଅନୁଯାୟୀ ୧୯୯୨ରୁ ୨୦୧୧ ମଧ୍ୟରେ ୪ଟି ଏନ୍‌କାଉଣ୍ଟର ହେଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ୨୦୧୭ରେ ୬ଟି, ୨୦୧୮ରେ ୭ଟି, ୨୦୧୯ରେ ୨ଟି ଓ ୨୦୨୧ରେ ସେକ୍ ବାବୁ ଓରଫ ବରେନ୍ ବାବୁ ଓ ହାଇଦର ଏନକାଉଣ୍ଟରକୁ ମିଶାଇ ଦୁଇଟି ଏନକାଉଣ୍ଟର ହୋଇଥିଲା। ୧୯୯୨ ମସିହାରେ କାଳିଆ ଓରଫ ହୃଦୟ ବଲ୍ଲଭ ଦାସ, ୨୦୦୫ରେ ଦୀପୁ ସାହୁ, ୨୦୦୮ରେ ଗୁଗୁ ଓରଫ ଶିବାଶିଷ ଖୁଣ୍ଟିଆ, ୨୦୧୧ରେ ସୁଶିଲ ଧଳସାମନ୍ତଙ୍କୁ ଏନକାଉଣ୍ଟର ହୋଇଥିବା ବେଳେ କେବଳ ଦୀପୁର ଜୀବନ ଯାଇଥିଲା।

ସୋଲେମାନ୍‌ ହତ୍ୟାକାଣ୍ତରେ ନିର୍ଦ୍ଦୋଷ
ଗ୍ୟାଙ୍ଗଷ୍ଟର ସୋଲେମାନକୁ ୨୦୦୯ ଜୁଲାଇ ୩୧ ତାରିଖରେ ହତ୍ୟା କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଗରପୁର ଗାଁରୁ ୨୦ କିମି ଦୂର ରାଜ୍ୟ ରାଜପଥରେ ବୋଲେରୋରେ ଯାଉଥିବା ବେଳେ ସୋଲେମାନ୍‌କୁ ଅଙ୍ଗରକ୍ଷୀମାନେ ହିଁ ହତ୍ୟା କରିଥିଲେ। ବିରିଡ଼ି ଅଞ୍ଚଳରେ ଜଳସେଚନ ବିଭାଗର ୧ କୋଟି ୫୮ ଲକ୍ଷ ଟଙ୍କାର କାମ ସୁଲେମାନ୍‌ ହାତେଇଥିଲା। ଏହି କାମକୁ ନେଇ ହାଇଦର ସହିତ ବିବାଦ ଥିବା କୁହାଯାଉଛି। ୧୯୯୯ ମସିହାରୁ ହାଇଦର ସହିତ ମିଶିବା ଓ ପରେ ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ର କରି ଅଲଗା ହେବା ପରେ ଏଭଳି ହତ୍ୟାକାଣ୍ତ ଘଟିଥିଲା। ସୁଲେମାନକୁ ହତ୍ୟା ମାମଲାରେ ହାଇଦର‌୍‌ ଗିରଫ ହୋଇଥିଲା। କିନ୍ତୁ ଏହି ମାମଲାରେ ହାଇଦର‌୍‌ ଦୋଷମୁକ୍ତ ହୋଇଯାଇଥିଲା।

ଚୁନା ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ
୨୦୦୫ ମେ’ ୩୧ତାରିଖରେ ଭୁବନେଶ୍ବର ଷ୍ଟୁଆର୍ଟ ସ୍କୁଲ୍‌ ନିକଟରେ ଗ୍ୟାଙ୍ଗଷ୍ଟର‌ ସେକ୍‌ ସୁଲେମାନ୍‌ର ଭାଇ ସେକ୍‌ ଚୁନା ଓରଫ୍‌ ମାଲିକ ହନନ୍‌ଙ୍କୁ ହତ୍ୟା ଘଟଣାରେ ହାଇଦର‌୍‌ ସମେତ ଅନ୍ୟ ସାତ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଥିଲା। ତେବେ ପରବର୍ତୀ ସମୟରେ ସେ ପାରୋଲ୍‌ରେ ବାହାରକୁ ଆସିଥି‌ଲା। ଖଣି ମାଲିକ ରଶ୍ମିର˚ଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ହାଇଦର‌୍‌ର ସ˚ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ପକ୍ଷରୁ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର