ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ। ଦେଶବାସୀଙ୍କୁ ଉତ୍ତମ ଶାସନ ଦେବା ସହିତ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ତାଙ୍କର ଭୂମିକା ଥିଲା ଅନନ୍ୟ। କ୍ଷମତା ବାହାରେ ଥାଇ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ତାଙ୍କର ଅସାଧାରଣ ସୁଖ୍ୟାତି ରହିଛି। ଭାରତ ଛାଡ଼ ଆନ୍ଦୋଳନରୁ ଆରମ୍ଭ କରି ତିନିଥର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ସୁବିସ୍ତତ କୃତିତ୍ୱ ଜନମାନସରେ ଚିରସ୍ମରଣୀୟ ହୋଇରହିବ।
ନୂଆଦିଲ୍ଲୀ : ଭାରତର ମହାନ ସନ୍ତାନ, କାଳଜୟୀ ରାଜନୀତିଜ୍ଞ ପୂର୍ବ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୩ ବର୍ଷ ବୟସରେ ପରଲୋକ ଘଟିଛି । ଗତ ୧୧ ଜୁନ୍ରୁ ଦିଲ୍ଲୀ ଏମ୍୍ସରେ ଭର୍ତ୍ତି ହୋଇଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟ ଗତକାଲି ଅଧିକ ଉଦ୍୍ବେଗଜନକ ହୋଇଉଠିଥିଲା ଏବଂ ତାଙ୍କୁ ‘ଜୀବନ ରକ୍ଷାକାରୀ ବ୍ୟବସ୍ଥା’ରେ ରଖାଯାଇଥିଲା। ସେ ଶ୍ୱାସ ନେଇପାରୁନଥିଲେ, କିଡ୍୍ନିରେ ସଂକ୍ରମଣ ଯୋଗୁଁ ମଧ୍ୟ ସ୍ଥିତି ଜଟିଳ ଥିଲା। ଏମ୍୍ସର ସୂଚନା ମୁତାବକ ବୁଧବାର ସକାଳେ ବାଜପେୟୀଙ୍କ ଶ୍ୱାସକ୍ରିୟା ସମସ୍ୟା ବଢ଼ିଯାଇଥିଲା। ଏହାପରେ ତାଙ୍କୁ କେତେକ ଜରୁରୀ ଔଷଧ ଦିଆଯାଇଥିଲା। ଆଜି ଅପରାହ୍ନ ୫ଟା ୫ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଜେପିର ଅନ୍ୟତମ ପ୍ରତିଷ୍ଠାତା ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ସେ ହେଉଛନ୍ତି ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏକି ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଛନ୍ତି। ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଛି । ବାଜପେୟୀ ଡିମେନ୍ସିଆ ନାମକ ଜଟିଳ ରୋଗ ସହିତ ଲଢ଼େଇ କରୁଥିଲେ ଏବଂ ୨୦୦୯ରୁ ହ୍ଵିଲ୍ ଚେୟାର ଆଶ୍ରା ନେବାକୁ ପଡ଼ିଥିଲା। ଦେଶବାସୀ ତାଙ୍କୁ ୨୦୧୫ ମେ ୨୭ ମାର୍ଚ୍ଚରେ ଶେଷଥର ପାଇଁ ଦେଖିଥିଲେ, ଯେତେବେଳେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭାରତ ମାତାଙ୍କର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଭାରତ ରତ୍ନରେ ସାମ୍ମାନିତ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ।
ଅଟଳ ବିହାରୀ ବାଜପେୟୀ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ପ୍ରାୟ ୧୫ ବର୍ଷ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ଲାଲକୃଷ୍ଣ ଆଡଭାନୀଙ୍କ ସହ ମିଶି ବାଜପେୟୀ ଦଳକୁ କ୍ଷମତାର ଶିଖରରେ ପହଞ୍ଚାଇବାରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀୟ ରାଜନୀତିରେ ଅଟଳ-ଆଡଭାନୀଙ୍କ ଯୋଡ଼ି ଇତିହାସ ସୃଷ୍ଟି କରିଥିଲା। ବାଜପେୟୀ ତାଙ୍କର ରାଜନୈତିକ ଜୀବନରେ ଏଭଳି ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ଦେଶର ପ୍ରଗତି ଏବଂ ତାଙ୍କର ନିଜର ରାଜନୈତିକ ଜୀବନରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ବାଜପେୟୀଙ୍କ ପରଲୋକରେ ଦେଶର ରାଜନୀତିରେ ଏକ ସ୍ୱର୍ଣ୍ଣିମ ଯୁଗର ପରିସମାପ୍ତି ଘଟିଛି। ବାଜପେୟୀ କ୍ଷମତାରେ ଥିବା ସମୟ ଏଭଳି ଥିଲା ଯେଉଁଠି ରାଜନୈତିକ ମତଭେଦ ଭୁଲି ସହମତିରେ ନିଷ୍ପତ୍ତି ନିଆଯାଇ ପାରୁଥିଲା। ସେ ଦୀର୍ଘ ଦିନ ଧରି ବିରୋଧୀ ଦଳ ନେତା ରହିଥିଲେ ଏବଂ ୩ ଥର ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ ବାଜପେୟୀ କ୍ଷମତାରେ ଥାଆନ୍ତୁ କି ନଥାନ୍ତୁ ତାଙ୍କ ଲୋକପ୍ରିୟତାରେ ଏହା କୌଣସି ଫରକ ପକାଉନଥିଲା। ଦଳ ଭିତରେ ବାଜପେୟୀଙ୍କ ଆଦର ଓ ସମ୍ମାନ ଯେଭଳି ଥିଲା ଅନ୍ୟ ଦଳ ଭିତରେ ମଧ୍ୟ ସେ ସେତିକି ଲୋକପ୍ରିୟ ଥିଲେ। ଆଜି ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।
ବିଚକ୍ଷଣ ବକ୍ତା ତଥା ସୁନାମଧନ୍ୟ କବି ଅଟଳ ବିହାରୀ ବାଜପେୟୀ ଦେଶର ସକ୍ରିୟ ରାଜନୀତିରେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ସକ୍ରିୟ ରହିଥିଲେ। ସେ ନିଜର ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପ୍ରଥମ ବିଜୟ ୧୯୫୭ରେ ପ୍ରାପ୍ତ ହୋଇଥିଲା। ସେବେଠାରୁ ୨୦୦୯ ପର୍ଯ୍ୟନ୍ତ ସେ ଲଗାତାର ସଂସଦୀୟ ରାଜନୀତିରେ ରହି ଆସିଛନ୍ତି। ୧୯୭୭ରେ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ଏବଂ ୧୯୯୬ରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ। ତେବେ ୧୯୯୮ରେ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ମଉକା ମିଳିଥିଲା ଏବଂ ତାଙ୍କ ସରକାର କେବଳ ୧୩ ମାସ ରହିଥିଲା। ଏହାପରେ ହୋଇଥିବା ଲୋକସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ବାଜପେୟୀ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ। ବାଜପେୟୀ ଲୋକସଭାକୁ ୧୦ ଥର ଏବଂ ରାଜ୍ୟସଭାକୁ ୨ ଥର ନିର୍ବାଚିତ ହୋଇଥିବା ବେଳେ କେବଳ ଲକ୍ଷ୍ନୌ ଲୋକସଭା ଆସନରୁ ସେ ୫ ଥର (୧୯୯୧, ୧୯୯୬, ୧୯୯୮, ୧୯୯୯, ଏବଂ ୨୦୦୪) ନିର୍ବାଚିତ ହୋଇଥିଲେ।
ଶେଷ ଯାତ୍ରା ଆଜି : ସ୍ମୃତି ସ୍ଥଳରେ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ : ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସି ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଶୋକ ପାଳନ ହେବ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ବାଜପେୟୀଙ୍କ ପାର୍ଥିବ ଶରୀରକୁ ତାଙ୍କର କୃଷ୍ଣା ମେନନ ମାର୍ଗ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ଶୁକ୍ରବାର ସକାଳ ୯ଟାରେ ମର ଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯିବ ଏବଂ ସେଠାରେ ଜନସାଧାରଣ ଅନ୍ତିମ ଦର୍ଶନ କରିପାରିବେ। ଆସନ୍ତାକାଲି ରାଜଧାନୀ ଦିଲ୍ଲୀର ସମସ୍ତ ବଜାର ବନ୍ଦ ରହିବ। ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ। ଅପରାହ୍ନ ୧:୩୦ରେ ଶେଷ ଯାତ୍ରା ବିଜେପି ମୁଖ୍ୟାଳୟରୁ ଆରମ୍ଭ ହେବ ଏବଂ ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର ହେବ। ରାଜଘାଟର ଶାନ୍ତିବନ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଏସ୍ପିଜି ମୁତୟନ କରାଯାଇଛି। ବାଜପେୟୀଙ୍କ ସମାଧି ପାଇଁ ୧.୫ ଏକର ଜମି ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଜନ୍ମ ଓ ଶିକ୍ଷା
୨୫ ଡିସେମ୍ବର ୧୯୨୪ରେ ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶର ଗୋଓ୍ଵାଲିଅରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜେଜେବାପାଙ୍କ ନାମ ଥିଲା ପଣ୍ଡିତ ଶ୍ୟାମ ଲାଲ ବାଜପେୟୀ। ସେ ଉତ୍ତର ପ୍ରଦେଶର ବଟେଶ୍ୱର ନାମକ ଗ୍ରାମରୁ ଗୋଓ୍ଵାଲିଅରର ମୋରିନାକୁ ଉଠି ଆସିଥିଲେ। ବାଜପେୟୀଙ୍କ ବାପାଙ୍କ ନାଁ ହେଉଛି କୃଷ୍ଣ ବିହାରୀ ବାଜପେୟୀ। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଏବଂ କବି ଥିଲେ। ଗୋଓ୍ଵାଲିଅରର ଗୋର୍ଖିଠାରେ ବାଜପେୟୀଙ୍କ ସ୍କୁଲ ଶିକ୍ଷା ଆରମ୍ଭ ହୋଇଥିଲା। ସେ ସେଠାକାର ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ା ଆରମ୍ଭ କରିଥିଲେ। ଏହାପରେ ଗୋଓ୍ଵାଲିଅରର ଭିକ୍ଟୋରିଆ କଲେଜ (ଏବେ ଲକ୍ଷ୍ମୀବାଈ କଲେଜ ନାମରେ ପରିଚିତ)ରେ ନାମ ଲେଖାଇବା ସହିତ ସେଠାରୁ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତ ବିଷୟ ଥାଇ ଡିଷ୍ଟିଙ୍କସନ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଏମ୍ଏ ପାସ୍ କରିଥିଲେ।
ସତ ହେଲା ନେହରୁଙ୍କ ଭବିଷ୍ୟବାଣୀ
ବାଜପେୟୀଙ୍କ ପ୍ରତ୍ୟକ୍ଷ ରାଜନୈତିକ ଜୀବନ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରୁ ହିଁ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ତାଙ୍କ ବଡ଼ ଭାଇ ପ୍ରେମ୍ଙ୍କ ସହିତ ୨୩ ଦିନ ପାଇଁ ଗିରଫ ହୋଇ ଜେଲ୍ ଯାଇଥିଲେ। ବ୍ରିଟିସ୍ ଶାସନ ବିରୋଧୀ ଆନ୍ଦୋଳନରେ ଆଗାମୀ ଦିନରେ ସାମିଲ ହେବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ସେ ଜେଲ୍ରୁ ମୁକୁଳିଥିଲେ।
୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଆରଏସ୍ଏସ୍କୁ ନିଷିଦ୍ଧ କରାଯାଇଥିଲା। ଏହାପରେ ୧୯୫୧ରେ ନୂଆକରି ଗଠନ ହୋଇଥିବା ହିନ୍ଦୁ ଦକ୍ଷିଣ ପନ୍ଥୀ ରାଜନୈତିକ ଦଳ ଭାରତୀୟ ଜନସଂଘ ପାଇଁ ବାଜପେୟୀ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କୁ ଦଳର ଉତ୍ତର ଭାରତ ଜାତୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା। ୧୯୫୭ ମସିହାରେ ଦ୍ୱିତୀୟ ଲୋକସଭାକୁ ସେ ବଳରାମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ଜଣେ ଓଜସ୍ୱିନୀ ବକ୍ତା ଥିଲେ। ତାଙ୍କ ଭାଷଣ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ବାଜପେୟୀ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ନେହରୁ ଭବିଷ୍ୟବାଣୀ କରିଥିଲେ। ତାହା ମଧ୍ୟ ସତ ହୋଇଥିଲା।
କାର୍ଗିଲ ଯୁଦ୍ଧ ବିଜୟ
ଜମ୍ମୁ କଶ୍ମୀରରେ ପାକିସ୍ତାନ ସେନା ଏବଂ ସନ୍ତ୍ରାସବାଦୀମାନେ ପଶିଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ୧୯୯୯ ଜୁନ୍ରେ ‘ଅପରେସନ ବିଜୟ’ ଆରମ୍ଭ ହୋଇଥିଲା। ପ୍ରାୟ ୩ ମାସ ଧରି ଏହି ଯୁଦ୍ଧ ହୋଇଥିଲା। ଭାରତର ପ୍ରାୟ ୫୦୦ ସୈନ୍ୟ ସହିଦ ହୋଇଥିଲେ। ତେବେ ପାକିସ୍ତାନର ପ୍ରାୟ ୪୦୦୦ ପର୍ଯ୍ୟନ୍ତ ସୈନ୍ୟ ଓ ସନ୍ତ୍ରାସବାଦୀଙ୍କୁ ଭାରତୀୟ ସୈନ୍ୟମାନେ ନିପାତ କରିଥିଲେ। ପ୍ରଧାନମନ୍ତ୍ରୀ ବାଜପେୟୀ ସେହି ସମୟରେ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କୁ ଏକ ଗୋପନ ଚିଠିରେ ଜଣାଇଥିଲେ, ‘ପାକିସ୍ତାନ ସେନା ଯଦି ଅନୁପ୍ରବେଶ ବନ୍ଦ ନକରେ, ତାହେଲେ ସେମାନଙ୍କୁ ଯେକୌଣସି ଉପାୟରେ ଭାରତ ଏହାର ମାଟିରୁ ତଡ଼ି ଦେବ।’ ତେବେ ଏହି ଯୁଦ୍ଧରେ ପାକିସ୍ତାନ ବିପୁଳ କ୍ଷତି ସହିବା ପରେ କଶ୍ମୀରରୁ ହଟି ଯାଇଥିଲା। କାର୍ଗିଲ ଯୁଦ୍ଧରେ ଭାରତର ବିଜୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିଥିଲା।
ପୋଖରାନ୍-୨ ଆଣବିକ ପରୀକ୍ଷା
୧୯୯୮ ମସିହା ମେ’ ମାସରେ ରାଜସ୍ଥାନର ପୋଖରାନ୍ଠାରେ ଆଣବିକ ବୋମାର ପରୀକ୍ଷଣ ହୋଇଥିଲା। ୧୯୭୪ରେ ପୋଖରାନ୍ଠାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରଥମ ଆଣବିକ ବୋମା ପରୀକ୍ଷଣ ହୋଇଥିବାବେଳେ ବାଜପେୟୀଙ୍କ ଅମଳରେ ଦେଶର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା। ବାଜପେୟୀ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ମାସକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶ ଭାରତର ଏହି ପରମାଣୁ ପରୀକ୍ଷାକୁ କଡ଼ା ସମାଲୋଚନା କରିଥିଲେ ମଧ୍ୟ ଦେଶରେ ବାଜପେୟୀଙ୍କ ସାହସିକତାକୁ ପ୍ରଶଂସା ମିଳିଥିଲା।
ଅନ୍ତିମ ଭାଷଣ
ନିଜ ଭାଷଣ ଦେବାର ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଅଟଳ ବିହାରୀ ବାଜପେୟୀ। ତାଙ୍କ ମୁହଁରୁ କେଇ ପଦ ଶବ୍ଦ ଶୁଣିବା ପାଇଁ ଦେଶବାସୀ ସବୁବେଳେ ଅପେକ୍ଷା କରି ରହୁଥିଲେ। ଯେତିକି କଥା କହୁଥିଲେ, ତାହା ଲୋକଙ୍କ ମନ ଜିଣିନେଉଥିଲା। ତେବେ ଏହି ମହାନାୟକ ୨୦୦୫ରେ ବିଜେପିର ରଜତ ଜୟନ୍ତୀରେ ଶେଷ ଭାଷଣ ଦେଇଥିଲେ। ଖୁବ୍ କମ୍ ସମୟ ପାଇଁ କହି ସେ ବିଦାୟ ନେଇଥିଲେ।
ଜାତିସଂଘରେ ହିନ୍ଦୀରେ ଭାଷଣ
ଜାତିସଂଘରେ ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ହିନ୍ଦୀ ଭାଷାକୁ ସେ ଏକ ନୂଆ ସୋପାନକୁ ନେଇଥିଲେ। ଏଭଳି କରି ଭାରତରେ ସେ ଅନେକ ଲୋକପ୍ରିୟତା ସାଉଁଟିଥିଲେ। ହିନ୍ଦୀ ଭାଷା ଓ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମ୍ମାନ ପାଇଁ ସେ ଏଭଳି ପଦକ୍ଷେପ ନେଇଥିଲେ।ପିତାଙ୍କ ସହ ଏକାଠି ଆଇନ ପଢ଼ିଥିଲେ
ନିଜ ପିତା/ମାତାଙ୍କ ସହ ଗୋଟିଏ ଅନୁଷ୍ଠାନରେ ଗୋଟିଏ ବିଷୟରେ ଅଧ୍ୟୟନ କରିବା ଅଳ୍ପ କେତେଜଣଙ୍କ ଭାଗ୍ୟରେ ମିଳିଥାଇପାରେ। ତେବେ ବାଜପେୟୀ ଏହି ସୁଯୋଗ ପାଇଥିଲେ। କାନପୁରର ଡିଏଭି କଲେଜରେ ସେ ନିଜ ପିତା କୃଷ୍ଣ ବିହାରୀ ବାଜପେୟୀଙ୍କ ସହିତ ଆଇନରେ ଡିଗ୍ରୀ କରିଥିଲେ। ଏମିତି କି ଉଭୟ ଏକାଠି ଗୋଟିଏ ହଷ୍ଟେଲ୍ରେ ରହି ପାଠ ପଢ଼ିଥିଲେ। ଆଇନରେ ପାଠ ପଢ଼ିବା ପାଇଁ ବାଜପେୟୀ ନାମାଙ୍କନ କରୁଥିବା ସମୟରେ ତାଙ୍କ ପିତା ମଧ୍ୟ ଆଇନ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ।୪ ଭିନ୍ନ ରାଜ୍ୟରୁ ସାଂସଦ ନିର୍ବାଚିତ
ବାଜପେୟୀଙ୍କ ଲୋକପ୍ରିୟତା ଦେଶରେ ବେଶ୍ ବଢ଼ିଯାଇଥିଲା। ଏହା ତାଙ୍କ ଦଳୀୟ ନେତାମାନେ ହୃଦୟଙ୍ଗମ କରିବା ପରେ ତାଙ୍କୁ ୪ଟି ଭିନ୍ନ ରାଜ୍ୟରୁ ନିର୍ବାଚନ ଲଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଯଦିଓ ସେ ପ୍ରଥମରୁ ଏଥିପାଇଁ ରାଜି ହୋଇନଥିଲେ, କିନ୍ତୁ ଦଳର ଚାପରେ ସେ ଉତ୍ତର ପ୍ରଦେଶ, ଗୁଜରାଟ, ଦିଲ୍ଲୀ ଓ ମଧ୍ୟ ପ୍ରଦେଶର ୪ଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଏହି ୪ଟି ଆସନରେ ସେ ବିଜୟୀ ହୋଇ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଥିଲେ।ଭୀଷ୍ମ ପିତାମହ କହିଥିଲେ ମନମୋହନ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାରେ ଭାରତ-ଆମେରିକା ଆଣବିକ ଚୁକ୍ତି ପାଇଁ ଦଳଗୁଡ଼ିକର ସମର୍ଥନ ହାସଲ ପରିପ୍ରେକ୍ଷୀରେ ଏକ ବକ୍ତବ୍ୟ ରଖିଥିଲେ। ଏହି ସମୟରେ ବାଜପେୟୀଙ୍କୁ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ ବୋଲି ମନମୋହନ ଅଭିହିତ କରିଥିଲେ।ପୋଷ୍ୟ କନ୍ୟା ନମିତା
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିବାହ କରିନଥିଲେ। କିନ୍ତୁ ତାଙ୍କର ନମିତା ନାମ୍ନୀ ଜଣେ ଝିଅ ଥିଲେ। ସେ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିଥିଲେ। ବିଏନ୍ କୌଲ୍ ଏବଂ ରାଜକୁମାରୀ କୌଲ୍ଙ୍କ ଝିଅ ଥିଲେ ନମିତା।ଜନ୍ମଦିନକୁ ‘ଗୁଡ୍ ଗଭର୍ନାନ୍ସ ଡେ’ ଭାବେ ଘୋଷଣା
ଦେଶରେ ଏମିତି କିଛି ବିରଳ ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କର ଜନ୍ମଦିନକୁ କିଛି ନିର୍ଦ୍ଦିଷ୍ଟ ଦିବସ ଭାବେ ପାଳନ କରାଯାଉଛି। ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫କୁ ଦେଶରେ ‘ଗୁଡ୍ ଗଭର୍ନାନ୍ସ ଡେ’ ଭାବେ ପାଳନ କରାଯାଉଛି।ଦିଲ୍ଲୀ-ଲାହୋର୍ ବସ୍ ସେବା
୧୯୯୯ ଫେବ୍ରୁଆରିରେ ଦିଲ୍ଲୀ-ଲାହୋର୍ ବସ୍ ସେବା ବାଜପେୟୀ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ଥିଲା। କଶ୍ମୀର ବିବାଦର ସମାଧାନ ପାଇଁ ପାକିସ୍ତାନକୁ ଶାନ୍ତିର ବାର୍ତ୍ତା ନେଇ ବାଜପେୟୀ ଯାତ୍ରା କରିଥିଲେ।