ଗତ ଜାନୁଆରି ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଥିଲା ଭାରତୀୟ ହସ୍ତତନ୍ତ ବା ହାତବୁଣା ଶାଢ଼ିର ପ୍ରର୍ଦଶନୀ। କାଶ୍ମୀରର କାଶିଦା ଶାଢ଼ିରୁ ନେଇ କେରଳର କାସାଭୁ, ଓଡ଼ିଶାର ସମ୍ବଲପୁରୀ, ବୋମ୍‌କାଇ, ଛତିଶଗଡ଼ର କୋଷା ସିଲ୍‌କ, ଝାଡ଼ଖଣ୍ଡର କୁଚାଇ ସିଲ୍‌କ, ବିହାରର ଭାଗଲପୁରୀ ଟସର, ରାଜସ୍ଥାନର ଲହେରିିଆ କୋଟା, ଗୁଜରାଟର ବାନ୍ଧନି, ଘଟଚୋଲା, ତାମିଲନାଡୁର କାଞ୍ଜିଭରମ୍‌ ତଥା ମଦୁରାଇର ସୁତା ପାଟ, ଆନ୍ଧ୍ରପ୍ରଦେଶର ଭେଙ୍କଟଗିରୀ, ଉତ୍ତରପ୍ରଦେଶର ବନାରସୀ ଚନ୍ଦେରି ଓ ହିମାଚଳ ପ୍ରଦେଶର ପଟ୍ଟୁ ସମେତ ତେଲେଙ୍ଗାନାର ପୋଚମ୍‌ପଲ୍ଲୀ, ଇକତ୍‌ ଡିଜାଇନ୍‌ର ପ୍ରାୟ ୧୯୦୦ ପ୍ରକାରର ଶାଢ଼ି ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଭାରତର ନାରୀଶକ୍ତି ତଥା ଲକ୍ଷାଧିକ ହସ୍ତତନ୍ତ ବୁଣାକାରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଥିଲା। ଏହାର ନାଁ ରଖାଯାଇଥିଲା ‘ଅନନ୍ତ ସୂତ୍ର: ଦି ଏଣ୍ଡ୍‌ଲେସ୍‌ ଥ୍ରେଡ୍‌’। ପ୍ରଦର୍ଶନୀରେ ଭାଗ ନେଇଥିବା ସମସ୍ତ ଶାଢ଼ିରେ ‘କ୍ୟୁଆର୍‌ କୋଡ୍‌’ ରହିଥିଲା ଏବଂ ଏହାକୁ ସ୍କାନ୍‌ କଲେ ଶାଢ଼ି ସଂପର୍କରେ ସମସ୍ତ ସୂଚନା ଓ ତଥ୍ୟ ମିଳିପାରିବ। କର୍ତ୍ତବ୍ୟପଥ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ବୁଣାକାରମାନେ ଭାଗ ନେଇଥିଲେ ବୋଲି ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ସରାଭାଇ କୁହନ୍ତି। ଏହି ପ୍ରଦର୍ଶନୀ ଦେଖିବା ପରେ ଭୁବନେଶ୍ବର ବାସିନ୍ଦା ରାଣୀ ସିଂ କହନ୍ତି, ‘‘ଏହି ଶାଢ଼ି ବୁଣିବାର ସୁକ୍ଷ୍ମ କଳା ଅତ୍ୟନ୍ତ ଚମତ୍କାର ଓ ନିଖୁଣ। ପ୍ରଦର୍ଶିତ ସମସ୍ତ ଶାଢ଼ିରେ ଭାରତୀୟ ପାରମ୍ପରିକ ହସ୍ତକଳା ଓ ଲୋକକଳା ସହିତ ଆଧୁନିକତାର ସ୍ପର୍ଶକୁ ଅତି ଜୀବନ୍ତ ଭାବେ ସବୁ ଶାଢ଼ି ଉପରେ ବୁଣାଯିବାର କାରୁକାର୍ଯ୍ୟ ‌ଦେଖିବାକୁ ମିଳିଥିଲା। ଏହିସବୁ ଶାଢ଼ିର ରଙ୍ଗ ଓ ବୁଣିବା ଶୈଳୀ ଯେତିକି ସୁନ୍ଦର ‌ସେତିକି ରୋମାଞ୍ଚକର। ନିଜ ଆଖିରେ ନ ଦେଖିଲେ ଜ‌ଣେ କେହି ସହଜରେ ଭାରତୀୟ ହସ୍ତତନ୍ତର ଅପୂର୍ବ କଳାକୌଶଳ ଓ ବୁଣାକାର ହାତର ଚାତୁରୀକୁ ବିଶ୍ବାସ କରିପାରିବ ନାହିଁ। ଶାଢ଼ି ପ୍ରତି ରୁଚି ରଖୁଥିବା ପ୍ରତ୍ୟେକ ଶାଢ଼ିପ୍ରେମୀ, ହସ୍ତତନ୍ତ ଶିଳ୍ପୀ, ବ୍ୟବସାୟୀ ତଥା ମହିଳାମାନଙ୍କ ପାଇଁ ‘ଅନନ୍ତ ସୂତ୍ର: ଦି ଏଣ୍ଡ୍‌ଲେସ୍‌ ଥ୍ରେଡ୍‌’ ଏକ ଅନନ୍ୟ ପ୍ରଦର୍ଶନୀ। ବାସ୍ତବରେ ଏହା ବୁଣିବା କଳାର ଅସୀମ ସୂତ୍ର’’।
ବିଭୂତି ପତି