ମେରୁଦଣ୍ଡ ରୋଗୀଙ୍କ ପାଇଁ ବରଦାନ ଏଣ୍ଡୋସ୍କୋପି ସ୍ପାଇନ୍ ଅସ୍ତ୍ରୋପଚାର

ସ୍ପାଇନ୍ ବା ମେରୁଦଣ୍ଡ ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା। ଅଧିକାଂଶ ରୋଗ ଫିଜିଓଥେରାପି ବା ଔଷଧ ଦ୍ବାରା ଭଲ ହୋଇଥାଏ। ତଥାପି କେତେକାଂଶରେ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥାଏ। କିନ୍ତୁ ମେରୁଦଣ୍ଡ ଅସ୍ତ୍ରୋପଚାର (ସ୍ପାଇନାଲ୍ ଅପରେସନ୍‌) ପାଇଁ ଲୋକଙ୍କ ମନରେ ଭୟ ରହିଥାଏ। ଯାହାଫଳରେ ଅସ୍ତ୍ରୋପଚାର ପାଇଁ ରୋଗୀ ସହଜରେ ରାଜି ହୋଇ ନଥାନ୍ତି। ତେଣୁ ରୋଗୀଙ୍କୁ କଷ୍ଟ ସହିବାକୁ ପଡ଼ିଥାଏ ଏବଂ ରୋଗର ତୀବ୍ରତା ବଢ଼ି ତାଙ୍କୁ ଅଚଳ ବା ପାରାଲାଇଜ୍‌ଡ କରିବାର ଆଶଙ୍କା ଥାଏ। ମାତ୍ର ବର୍ତ୍ତମାନର ବିଜ୍ଞାନ ଯୁଗରେ ଭୟ କରିବାର ବିଶେଷ ଆବଶ୍ୟକତା ନାହିଁ।
ଚିକିତ୍ସା କ୍ଷେତ୍ରରେ ବିଶେଷକରି ମେରୁଦଣ୍ଡ ଅସ୍ତ୍ରୋପଚାର ପଦ୍ଧତିରେ ଯଥେଷ୍ଟ ଅଗ୍ରଗତି ଘଟିଛି। ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରି ଏହାର ଏକ ଉଦାହରଣ। ଏହି ପଦ୍ଧତିରେ ଏଣ୍ଡୋସ୍କୋପ୍ ଏବଂ କ୍ୟାମେରା ବ୍ୟବହୃତ ହୋଇଥାଏ। ଏଣ୍ଡୋସ୍କୋପ୍ ଏପରି ଏକ ଯନ୍ତ୍ର ଯାହାକୁ ଚର୍ମରେ ଏକ ଛିଦ୍ର ବା ହୋଲ୍ କରି ମେରୁଦଣ୍ଡ ପାଖକୁ ନିଆଯାଇଥାଏ। ଏହି ଏଣ୍ଡୋସ୍କୋପ୍ ସହିତ କ୍ୟାମେରା ଏବଂ ଲାଇଟ୍ ଲାଗିଥାଏ। ଏହି କ୍ୟାମେରା ଜରିଆରେ ମେରୁଦଣ୍ଡ ଭିତରର ଦୃଶ୍ୟକୁ ବାହାରେ ଥିବା ଟିଭି ସ୍କ୍ରିନ୍‌ରେ ଦେଖିହୁଏ। କ୍ୟାମେରାରେ ଥିବା ଲେନ୍‌ସ ଭିତରର ଦୃଶ୍ୟକୁ ବାହାରେ ଥିବା ଟିଭି ସ୍କ୍ରିନ୍‌ରେ ବଡ଼ ଆକାରରେ ଦେଖାଇଥାଏ, ଯାହା ଫଳରେ ମେରୁଦଣ୍ଡ ଭିତରେ ଥିବା ଛୋଟ ଆକାରର ସୂକ୍ଷ୍ମ ଜିନିଷକୁ ଚିହ୍ନିବା ଏବଂ ସେଥିରେ ଅସ୍ତ୍ରୋପଚାର କରିବା ସହଜ ହୋଇଥାଏ। ଏକ ଛିଦ୍ର ବା ହୋଲ୍ ଦ୍ବାରା ଅପରେସନ୍ ହେଉଥିବାରୁ ଚର୍ମ କାଟିବାର ଆବଶ୍ୟକତା ରହି ନଥାଏ। ତେଣୁ ଅସ୍ତ୍ରୋପଚାର ସମୟରେ ରକ୍ତକ୍ଷୟ ହୁଏ ନାହିଁ। ଅସ୍ତ୍ରୋପଚାର ପରେ ରୋଗୀକୁ ହସ୍ପିଟାଲ୍‌ରେ କମ୍ ଦିନ ରହିବାକୁ ପଡ଼ିଥାଏ। ତା’ପରେ ରୋଗୀ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥାଏ।
ସ୍ପାଇନାଲ୍ ଏଣ୍ଡୋସ୍କୋପିର ସବୁଠୁ ବଡ଼ ଲାଭ ହେଉଛି ଯେ ଏଥିରେ ସ୍ପାଇନାଲ୍ ଆକୃତି, ଯେପରିକି ସ୍ନାୟୁ ସ୍ପାଇନାଲ୍ କଡ୍‌ ଆଦି ଖୁବ୍ ବଡ଼ ଆକାରରେ ଦେଖାଯାଇଥାଏ। ତେଣୁ ଅସ୍ତ୍ରୋପଚାର ସମୟରେ ସ୍ନାୟୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ନଥାଏ। ଏଣୁ ଏଣ୍ଡୋସ୍କୋପ୍ ସ୍ପାଇନାଲ୍ ରୋଗୀଙ୍କ ପାଇଁ କେବଳ ଏକ ଆଶ୍ବାସନା ନୁହେଁ, ବରଦାନ ମଧ୍ୟ। ଏଥିରେ ରୋଗୀଙ୍କୁ ଅସ୍ତ୍ରୋପଚାର ଜନିତ କଷ୍ଟ ହୁଏ ନାହିଁ କି ବେଶି ଦିନ ହସ୍ପିଟାଲ୍‌ରେ ରହିବାକୁ ପଡ଼େ ନାହିଁ ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତାର ମଧ୍ୟ ଆଶଙ୍କା ନଥାଏ।
– ଡାକ୍ତର ଆନନ୍ଦ କୁମାର ବେହେରା
ଏମ୍‌.ଏସ୍ ଅର୍ଥୋପେଡିକ୍ ଏଫ୍‌.ଏନ୍‌.ବି ସ୍ପାଇନ୍
କନ୍‌ସଲ୍‌ଟାଣ୍ଟ୍‌ ଅର୍ଥୋପେଡିକ୍ ଆଣ୍ଡ୍ ସ୍ପାଇନ୍
ଆମ୍ରି ହସ୍ପିଟାଲ୍, ଭୁବନେଶ୍ବର (ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜନ)
ମୋ: ୮୧୪୪୩୧୯୧୩୩

ସମ୍ବନ୍ଧିତ ଖବର