ୟର୍କ: ଇଂଲଣ୍ଡର ଏକ ଦମ୍ପତି ଅବିକଳ ସମାନ ଦେଖାଯାଉଥିବା ତିନୋଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟର ୯ ସପ୍ତାହ ପୂର୍ବରୁ ସେମାନେ ଜନ୍ମ ହୋଇ ପଡ଼ିଛନ୍ତି। ତେଣୁ ସେମାନଙ୍କୁ ହସ୍ପିଟାଲର ସ୍ପେସାଲ କେୟାର ବେବି ୟୁନିଟ୍‌ (ଏସ୍‌ସିବିୟୁ)ରେ ୬ ସପ୍ତାହ ରହିବାକୁ ପଡ଼ିଥିଲା।
ଖବର ଅନୁସାରେ, ମାର୍ଚ୍ଚ ୩୧ରେ ୟର୍କସ୍ଥିତ ହସ୍ପିଟାଲରେ ଜନ୍ମ ହୋଇଥିବା ତିନି ଯାଆଁଳା ଝିଅଙ୍କ ନାଁ ଦିଆଯାଇଛି ହାର୍ପର-ଗ୍ବେନ, ମାର୍ଭେଲା ଓ ଏଭାଲିନ। ସେମାନଙ୍କ ମାତାପିତା- ଜେନି କାସ୍ପର ଓ ଜେମ୍ସ କାସ୍ପର କହିଛନ୍ତି, ତାଙ୍କୁ ସବୁକିଛି ସ୍ବପ୍ନ ଭଳି ଲାଗୁଛି। ଏ ତିନି ଯାଆଁଳା ଝିଅଙ୍କ ଛଡ଼ା ତାଙ୍କର ଆଉ ଦୁଇଟି ବଡ଼ ଝିଅ ବି ଅଛନ୍ତି। ସେମାନଙ୍କ ନାଁ ଡାନିକା ଓ ଗାବ୍ରିଏଲା। ଅବିକଳ ଏକାପରି ଦେଖାଯାଉଥିବା ଏ ତିନି କୁନି ଛୁଆଙ୍କୁ ଗୋଟିଏ ମାଆ କେମିତି ସମ୍ଭାଳିବେ ତାହା ହିଁ ତାଙ୍କର ଚିନ୍ତାର କାରଣ ହୋଇଛି ବୋଲି କହି ଭାବପ୍ରବଣତାରେ କାନ୍ଦି ପକାଇଥିଲେ ଜେମ୍ସ କାସ୍ପର। ତେବେ ଯାହା ତାଙ୍କ ପାଇଁ ଅଦ୍ବିତୀୟ, ତାହା ହେଉଛି ଏ ଛୁଆ ତିନୋଟି ପ୍ରାକୃତିକ ଭାବରେ ଗର୍ଭରେ ରହିଥିଲେ ଏବଂ ସମାନ ଫୁଲ (ପ୍ଲାସେଣ୍ଟା) ପରସ୍ପର ସହ ଭାଗ କରିଥିଲେ, ଯାହା ୨୦୦ ନିୟୁତରେ ଗୋଟିଏ କ୍ଷେତ୍ରରେ ଘଟିଥାଏ। ସେମାନେ ବି ନିରାପଦରେ ଜନ୍ମ ହୋଇଛନ୍ତି ଏବଂ ସୁସ୍ଥ-ସବଳ ଭାବରେ ଘରକୁ ଫେରିଛନ୍ତି। ଏ ତିନି ଛୁଆଙ୍କ ଯୋଗୁ ଭାଗ୍ୟରେ ପରିବର୍ତ୍ତନ ହେବ ଭାବି କାସ୍ପର ଦମ୍ପତି ଖୁସି ହୋଇଛନ୍ତି।

Advertisment