ଭର୍ଚୁଆଲ୍‌ ରିଅଲିଟି ଦ୍ବାରା ସ୍ବାଦର ଅନୁଭୂତିକୁ ଏକ ନୂଆ ରୂପ ପ୍ରଦାନ ପାଇଁ ଏକ ଯୁଗାନ୍ତକାରୀ ପ୍ରଯୁକ୍ତି ଆଗେଇ ଆସିଛି। ଅଭିନବ ‘ଇ-ଟେଷ୍ଟ୍‌’ ସେନ୍‌ସର୍‌ ଏବଂ ବେତାର ରାସାୟନିକ ବିତରକ ବ୍ୟବହାର କରି ଏକ ଇଣ୍ଟରଫେସ୍‌ ବିକଶିତ କରାଯାଇଛି, ଯାହା ଖାଦ୍ୟ ନଖାଇ ମଧ୍ୟ ତାହାର ସ୍ବାଦ ଅନୁଭବ ପ୍ରଦାନ କରିବ। 
‘ଭର୍ଚୁଆଲ୍‌ ରିଅଲିଟି’ ସେଟ୍‌ ଦୃଶ୍ୟଶ୍ରାବ୍ୟ ଯନ୍ତ୍ର ମାଧ୍ୟମରେ ଆମକୁ ଏକ ଡିଜିଟାଲ୍‌ ଦୁନିଆକୁ ନେଇ ସେଠାରେ ଉପସ୍ଥିତ ଥିବା ଭଳି ଭ୍ରମ ସୃଷ୍ଟି କରିଥାଏ। ଏବେ ସେହି ପରିକଳ୍ପନାକୁ ସ୍ବାଦ କ୍ଷେତ୍ରରେ ପ୍ରୟୋଗ କରାଯାଉଛି। ଏହି ପ୍ରଣାଳୀରେ ଖାଦ୍ୟପଦାର୍ଥର ଗୋଟିଏ ବି କ୍ୟାଲୋରି ସେବନ ନକରି ମିଠା, ଖଟା, ଲୁଣିଆ, ପିତା ଓ ଆମିଷ ଆଦି ଜିହ୍ବାର ପାଞ୍ଚଟି ପ୍ରାଥମିକ ସ୍ବାଦକୁ ସୃଷ୍ଟି କରାଯାଇପାରିବ। ଆମ ଜିହ୍ବା ଏହି ପାଞ୍ଚ ପ୍ରକାର ସ୍ବାଦକୁ ବାରିପାରୁଥିବା ବେଳେ ସ୍ବାଦ କେବଳ ପାଟିରେ ସୀମିତ ନୁହେଁ। ଖାଦ୍ୟର ଗନ୍ଧ, ସଂରଚନା ଓ ତାପମାତ୍ରା ମଧ୍ୟ ସ୍ବାଦ ସଂକ୍ରାନ୍ତ ଆମ ଧାରଣାରେ ଯୋଗଦାନ କରିଥାଏ। ‘ଇ-ଟେଷ୍ଟ’ ଜ୍ଞାନକୌଶଳ ଉପରୋକ୍ତ ସମସ୍ତ ଉପାଦାନକୁ ବ୍ୟବହାର କରି ଏବଂ ମସ୍ତିଷ୍କ ସ୍ବାଦ-ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକୁ ଉତ୍ତେଜିତ କରି ଖାଦ୍ୟ ଖାଇବାର ଅବିକଳ ଅନୁଭୂତି ପ୍ରଦାନ କରିଥାଏ। 

Advertisment

ଏହି ନୂତନ ଉଦ୍ଭାବନର ଅନେକ ଉପକାରିତା ରହିଛି। ରେସ୍ତୋଁରାରେ ଖାଦ୍ୟର ଡିଜିଟାଲ୍‌ ତାଲିକା ପ୍ରଦାନ କରାଯାଇପାରିବ, ଯେଉଁଠି ଗ୍ରାହକମାନେ କୌଣସି ବ୍ୟଞ୍ଜନ ବରାଦ କରିବା ପୂର୍ବରୁ ତାହାର ଡିଜିଟାଲ ସ୍ବାଦ ଚାଖିପାରିବେ। ସେହିପରି କୌଣସି ରୋଗୀକୁ ମନପସନ୍ଦର ଖାଦ୍ୟ ବାରଣ କରାଯାଇଥିଲେ, ସେ ତାହା ନଖାଇ ମଧ୍ୟ ତାହାର ସ୍ବାଦ ଅନୁଭବ କରିପାରିବେ। ଏହା ମଧୁମେହ ରୋଗୀ ଓ ଖାଦ୍ୟ ବିକାର ଭୋଗୁଥିବା ରୋଗୀଙ୍କ ପାଇଁ ବୈପ୍ଳବିକ ହୋଇପାରିବ। ଆମେ ଘରୁ ବାହାରକୁ ଗୋଡ଼ ନକାଢ଼ି ମଧ୍ୟ ବିଭିନ୍ନ ଦେଶ ଓ ସଂସ୍କୃତିର ଖାଦ୍ୟର ମଜା ନେଇପାରିବା। ଏପରି ଆଭାସୀ ସ୍ବାଦ ଆହରଣ ଦ୍ବାରା ଖାଦ୍ୟ ଅପଚୟ ଓ ପରିବେଶଗତ ପ୍ରଭାବ ହ୍ରାସ ହୋଇପାରିବ।