ଓଡ଼ିଆ ଘରେ ରାତି ପାହିଲେ ଲୋଡ଼ାପଡ଼େ କଦଳୀ। ଦିଅଁଙ୍କ ଭୋଗରୁ ନେଇ ପିଲାଙ୍କ ଜଳଖିଆ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ପାଚିଲା କଦଳୀଟିଏ ଖୋଜାପଡ଼େ। ପ୍ରାୟ ଘରେ ଫଳଡ଼ାଲାରେ କିଛି ନ ଥିଲେ କଦଳୀ ଦି’ଟା ଥାଏ। ସଂପ୍ରତି ଗବେଷକମାନେ ସତର୍କବାଣୀ ଶୁଣାଇଛନ୍ତି କି ଆଗକୁ କଦଳୀ ଫସଲ ସଂକଟରେ ପଡ଼ିବାକୁ ଯାଉଛି। ଆସନ୍ତୁ ଜାଣିବା କାରଣ। ଦୁନିଆର ସବୁଠୁ ଲୋକପ୍ରିୟ ଫଳ ତଥା ଚତୁର୍ଥ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ-ଫସଲ ହେଉଛି କଦଳୀ। ଜଳବାୟୁ ପରିବର୍ତ୍ତନ ଯୋଗୁଁ କଦଳୀଚାଷ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଗୋଟାଏ ରିପୋର୍ଟରେ ‘କ୍ରିଷ୍ଟିୟାନ୍ ଏଡ୍’ ସାବଧାନ କରାଇ ଦେଇଛି।
ଦୁନିଆର ସବୁଠୁ ଅଧିକ ଖିଆଯାଉଥିବା ଫଳ ମଧ୍ୟରେ କଦଳୀ ଅନ୍ୟତମ। ହିସାବରୁ ଜଣାପଡ଼ିଛି ଯେ ୪୦୦ ନିୟୁତରୁ ଅଧିକ ଲୋକ ଦୈନିକ ଯେତେ କ୍ୟାଲୋରି ଆବଶ୍ୟକ କରନ୍ତି, ତା’ର ୧୫ରୁ ୨୭ ପ୍ରତିଶତ ପାଆନ୍ତି କଦଳୀରୁ। ଭାରତରେ ମଧ୍ୟ କଦଳୀର ଚାହିଦା କାହିଁରେ କ’ଣ! ଏକ ହିସାବ ଅନୁଯାୟୀ, ଭାରତରେ ବର୍ଷକୁ ପ୍ରାୟ ୨୬,୦୦୦ କିଲୋଟନ୍ ଓଜନର କଦଳୀ ଖିଆଯାଇଥାଏ। ଅନ୍ୟପକ୍ଷରେ ବିଶ୍ବ କଦଳୀ ଉତ୍ପାଦନର ୨୬ ପ୍ରତିଶତ ଭାରତରେ ବ୍ୟବହୃତ ହୁଏ। କଦଳୀ ପ୍ରଜାତି ମଧ୍ୟରୁ ସବୁଠୁ ଅଧିକ ରପ୍ତାନି ହେଉଥିବା ଏବଂ ବିଶ୍ବବ୍ୟାପୀ ଚାହିଦା ଥିବା କିସମ ହେଉଛି ‘କ୍ୟାଭେଣ୍ଡିସ୍’। କିନ୍ତୁ, ଗୁଣସୂତ୍ରଗତ ପରିବର୍ତ୍ତନ ନ ଘଟୁଥିବାରୁ ଏ କଦଳୀ ଆଜି ବିପନ୍ନମୁଖୀ। କ୍ୟାଭେଣ୍ଡିସ୍ କଦଳୀ ଗଛଗୁଡ଼ିକ କ୍ରମେ ରୁଗ୍ଣ ହୋଇପଡ଼ିବ ଏବଂ ଉତ୍ପାଦନ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୮୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲାଟିନ୍ ଆମେରିକା ବିଶେଷ ପ୍ରଭାବିତ ହେବ। ଫଳତଃ ସେଠାରେ ରପ୍ତାନି ନିମନ୍ତେ ଉପଯୁକ୍ତ କଦଳୀ ଉତ୍ପାଦନ ଅଞ୍ଚଳ ୬୦ ପ୍ରତିଶତ ହ୍ରାସ ପାଇବ। ୨୦୫୦ ସୁଦ୍ଧା ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ବି କଦଳୀ ଉତ୍ପାଦନ ହ୍ରାସ ପାଇବ। ସେଥିଯୋଗୁଁ କଲମ୍ବିଆ ଓ କୋଷ୍ଟାରିକା ଭଳି ରପ୍ତାନିକାରୀ ଦେଶମାନେ ବି ପ୍ରଭାବିତ ହେବେ। ଚାଷ ଅଭିବୃଦ୍ଧିରେ ବାଧା ଦେବା ସଙ୍ଗେ ସଙ୍ଗେ ଜଳବାୟୁ ପରିବର୍ତ୍ତନ କଦଳୀରେ ବିଭିନ୍ନ ପ୍ରକାର କବକଜନିତ ରୋଗ ବ୍ୟାପିବାରେ ସହାୟକ ହେବ। ‘ବ୍ଲାକ୍ ଲିଫ୍ ଫଙ୍ଗସ୍’ ଭଳି ରୋଗ କଦଳୀଗଛର ଆଲୋକ ସଂଶ୍ଳେଷଣ ସାମର୍ଥ୍ୟ ୮୦% କମାଇ ଦେଇପାରେ। ତା’ଛଡ଼ା ଅପ୍ରତ୍ୟାଶିତ ବର୍ଷା ଓ ବନ୍ୟାଜନିତ ଆର୍ଦ୍ର ପରିସ୍ଥିତିରେ ବି କଦଳୀଗଛ ତିଷ୍ଠିପାରିବ ନାହିଁ। ‘ପାନାମା ଡିଜିଜ୍’ ଅଥବା ‘ଫ୍ୟୁଜେରିୟମ୍ ଟ୍ରପିକାଲ୍ ରେସ୍ ଫୋର୍’ ନାମରେ ପରିଚିତ ଅନ୍ୟଏକ କବକଜନିତ ରୋଗ ଆଜିକାଲି ବିଶ୍ବର ଚାରିଆଡ଼େ ବ୍ୟାପୁଛି। ଏ ରୋଗ ମାଟି ଜରିଆରେ ବ୍ୟାପେ। ଥରେ ମାଟିରେ ରୋଗଟି ସଂକ୍ରମଣ ହୋଇଗଲେ ସେଥିରେ ଆଉ କ୍ୟାଭେଣ୍ଡିସ୍ କଦଳୀ ଚାଷ କରାଯାଇ ପାରିବନାହିଁ।
ରିପୋର୍ଟରେ ‘କ୍ରିଷ୍ଟିଆନ୍ ଏଡ୍’ ଗୁଏଟମାଲାର ଜଣେ କଦଳୀଚାଷୀଙ୍କ ବକ୍ତବ୍ୟ ବି ଉଦ୍ଧୃତ କରିଛି। ଅଉରେଲିଆ ନାମକ ଉକ୍ତ ଚାଷୀଙ୍କ ମତରେ, ‘‘କଦଳୀ ଫସଲ ଉଜୁଡ଼ିଯାଉଛି। ଗଛସବୁ ଭାଙ୍ଗି ମରିଯାଉଛି। ଆଗକୁ ଏମିତି ହେବ ବୋଲି ଅତୀତରେ ଭବିଷ୍ୟବାଣୀ କରାଯାଇଥିଲା। କିନ୍ତୁ, ତାହା ଅତି ଚଞ୍ଚଳ ଘଟିଲା। ଏହାର କାରଣ, ଆମେ ଆମ ଜନ୍ମମାଟି ଓ ଆମ ଜୈବବ୍ୟବସ୍ଥା ପ୍ରତି ଯତ୍ନବାନ୍ ନୋହୁଁ। ଏସବୁ ଆମ ପିଲା, ବିଶେଷକରି ନାତିନାତୁଣୀଙ୍କ ପାଇଁ ଅତିଶୟ ଚିନ୍ତାର ବିଷୟ। ଭବିଷ୍ୟତରେ ଏ ପରିସ୍ଥିତି ଉତ୍କଟ ହେଲେ କଦଳୀ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବ। ଏଇଟା କ’ଣ କମ୍ ବଡ଼ ସମସ୍ୟା!’’ କଦଳୀଚାଷୀମାନେ ଜଳବାୟୁ ସଙ୍କଟର କାରଣ ନୁହନ୍ତି। ସେମାନଙ୍କ ଜୀବିକା ରକ୍ଷାକରିବା ଲାଗି ଏହି ରିପୋର୍ଟରେ ବିଭିନ୍ନ ଦେଶର ସରକାରମାନଙ୍କୁ ଅନୁରୋଧ କରାଯାଇଛି କି, ସେମାନେ କଦଳୀକୁ ବିପନ୍ନ କରୁଥିବା ନିର୍ଗମନ ହ୍ରାସ କରନ୍ତୁ। ପରିବର୍ତ୍ତିତ ଅବସ୍ଥାରେ ଖାପଖୁଆଇବା ଲାଗି ବିକାଶଶୀଳ ଦେଶମାନଙ୍କୁ ଜଳବାୟୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଏହି ରିପୋର୍ଟରେ ଏବେ ଏବଂ ଆଗରୁ ବିପୁଳ ନିର୍ଗମନ କରି ଜଳବାୟୁ ସଙ୍କଟ ସୃଷ୍ଟିକରୁଥିବା ସମୃଦ୍ଧ ଦେଶମାନଙ୍କୁ କୁହାଯାଇଛି।