ରେଭ୍ରେଣ୍ଡ ମୋଜେସ୍ ମହାନ୍ତିଙ୍କର ପେସା ଶିକ୍ଷକତା କିନ୍ତୁ ନିଶା ଔଷଧୀୟ ବୃକ୍ଷ ରୋପଣ। ଉତ୍ତରକାଶୀରେ ଶିକ୍ଷକତା କରୁଥିବା ସମୟରେ ତାଙ୍କର ଔଷଧୀୟ ବୃକ୍ଷ ଲଗାଇବାର ଆଗ୍ରହ ଜନ୍ମ ନେଇଥିଲା। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷକତା ବୃତ୍ତିରେ ଥିବା ମୋଜେସ୍ ମହାନ୍ତି ଉତ୍ତରକାଶୀର ଯୋଶୀୟାରାରୁ ନେଇ କଟକ ସିଡିଏର ବିଭିନ୍ନ ପାର୍କ ଓ ବିଭିନ୍ନ ଖୋଲାସ୍ଥାନରେ ଔଷଧୀୟ ବୃକ୍ଷ ରୋପଣକୁ ନିଜ କର୍ମମୟ ଜୀବନର ଏକ ଅଂଶ ବୋଲି ବିଚାର କରି ଆସିଛନ୍ତି। ସଭିଁଙ୍କୁ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିବାକୁ ସେ ପରାମର୍ଶ ଦିଅନ୍ତି।
ବନୌଷଧୀ ବୃକ୍ଷ ଲଗାଇବା ଅଭିଯାନରେ ସେ ଜଙ୍ଗଲ ବିଭାଗର ପଦାଧିକାରୀ ଏବଂ ସ୍ଥାନୀୟ ପୁଲିସକୁ ମଧ୍ୟ ସାମିଲ କରିଛନ୍ତି। ତାଙ୍କ ମନରେ ଏ ଭାବନା କାହିଁକି ଆସିଲା ବୋଲି ପଚାରିବାରୁ ସେ କହନ୍ତି, ‘‘ଉତ୍ତରକାଶୀର ଏକ ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ମୁଁ ଅଧ୍ୟକ୍ଷ ଦାୟିତ୍ବରେ ଥିଲି। ବଣଜଙ୍ଗଲ ବୁଲିବା ମୋର ଏକ ଅଭ୍ୟାସ ପାଲଟିଗଲା। ସେହି ସମୟରେ ମୁଁ ଦେଖିଲି ସ୍ଥାନୀୟ ଲୋକମାନେ ନିଜ ଚିକିତ୍ସା ପାଇଁ ଘରୋଇ ବୈଦ୍ୟଙ୍କ ଚେରମୂଳି ଓ ବିଭିନ୍ନ ଔଷଧୀୟ ବୃକ୍ଷ ଉପରେ ଶତପ୍ରତିଶତ ନିର୍ଭରଶୀଳ। ସେଠାକାର ଲୋକମାନେ ସବୁବେଳେ ଔଷଧୀୟ ବୃକ୍ଷ ଲଗାଇବାକୁ ଆଗ୍ରହ କରିଥାନ୍ତି। ଏହା ପରିବେଶ ସୁରକ୍ଷା ସହିତ ସ୍ବାସ୍ଥ୍ୟ ସେବାର ଅମୂଲ୍ୟ ସଂପଦ ବୋଲି ମୁଁ ବୁଝିପାରିଥିଲି। ସେହି ଲୋକମାନଙ୍କ ସହିତ ମୁଁ ସାମିଲ ହୋଇଥିଲି ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳରେ ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲି। ୨୦୨୩ରେ କଟକର ନ୍ୟୁ-ଷ୍ଟିୱାର୍ଟ ସ୍କୁଲ୍ରେ ଅଧ୍ୟକ୍ଷ ଭାବେ ମୁଁ ଯୋଗ ଦେବା ପରେ ଜଣେ ବନ୍ଧୁଙ୍କ ସହିତ ସିଡିଏର ବିଭିନ୍ନ ପାର୍କରେ ଔଷଧୀୟ ବୃକ୍ଷ ରୋପଣ ଆରମ୍ଭ କରିଥିଲି। ପରେ ବିଦ୍ୟାଳୟ ସମେତ ଅନ୍ୟ କେତେକ ସ୍ଥାନରେ ଛାତ୍ରଛାତ୍ରୀ, ଅଭିଭାବକ, ଜଙ୍ଗଲ ଓ ପୁଲିସ ଅଧିକାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଜାରି ରଖିଲି।’’
ବର୍ତ୍ତମାନ ସୁଦ୍ଧା କେତେ ଔଷଧୀୟ ବୃକ୍ଷ ଲଗାଇଛନ୍ତି ପଚାରିବାରୁ ମୋଜେସ୍ କହନ୍ତି, ‘‘ଔଷଧୀୟ ବୃକ୍ଷ କେତେ ଲଗାଯାଇଛି, ସେହି ସଂଖ୍ୟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି କେତେ ସଂଖ୍ୟକ ଗଛକୁ ସଫଳତାର ସହିତ ବଞ୍ଚାଇ ରଖାଯାଇ ପାରିଛି। ବର୍ତ୍ତମାନ ସୁଦ୍ଧା ମୁଁ ପ୍ରାୟ ୪୭୧ଟି ଔଷଧୀୟ ବୃକ୍ଷକୁ ସଫଳତାର ସହିତ ବଞ୍ଚାଇ ସୁରକ୍ଷିତ ରଖିପାରିଛି। ରୁଦ୍ରାକ୍ଷ, ଗୁଡ଼ମାରି, ଡାଳଚିନି, ତେଜପତ୍ର, ଶୁଭରୁଖ, ଅଁଳା, ହରିଡ଼ା, ବାହାଡ଼ା, ଅର୍ଜୁନ, ମନ୍ଦୁକପରାନି ଓ ନିମ ଭଳି ଔଷଧୀୟ ବୃକ୍ଷ ଲଗାଇବା ଉପରେ ମୁଁ ଧ୍ୟାନ ଦେଇଥାଏ।’’ ଆଜିର ପ୍ରଦୂଷିତ ପରିବେଶକୁ ସୁରକ୍ଷା ଦେବାକୁ ତଥା ପ୍ରାକୃତିକ ଉପାୟରେ ଚିକିତ୍ସା ପାଇବାକୁ ହେଲେ ଆମକୁ ନିଜ ବାଡ଼ିବଗିଚାରେ ଏବଂ ଛାତ ଉପରେ ତଥା ଚାଷ ଜମିରେ ଏଭଳି ଔଷଧୀୟ ବୃକ୍ଷ ଓ ଗୁଳ୍ମଲତା ରୋପଣ କରିବାକୁ ପଡ଼ିବ।