ଭୁବନେଶ୍ବର: ପରିବେଶ ସୁରକ୍ଷା ପ୍ରୟାସକୁ ଏକ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ବାନ ଦେଇ ସମସ୍ତଙ୍କୁ ସେଥିରେ ସାମିଲ ହେବା ଏବଂ ତାହାକୁ ଘରେ ଘରେ ପହଞ୍ଚାଇବା ଲାଗି ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ‘ସମ୍ବାଦ’ ପକ୍ଷରୁ ଭୁବନେଶ୍ବରରେ ସୋମବାର ଆୟୋଜିତ ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତି କର୍ପୋରେଟ୍‌ ଜଗତରୁ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିବ। ତାଙ୍କ ପ୍ରୟାସରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହା ହେଉଛି ଏକ ଆରମ୍ଭ ମାତ୍ର। ପ୍ରଗତି ପାଇଁ ଏଭଳି ସବୁ ପ୍ରୟାସ କରାଯାଉଛି। କିନ୍ତୁ ପୃଥିବୀ କଥା ଚିନ୍ତା ନ କରି ପ୍ରଗତି କଥା ଚିନ୍ତା କରିପାରିବା ନାହିଁ ବୋଲି ସେ କହିଥିଲେ।

Advertisment

ପରିବେଶ ସୁରକ୍ଷା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ପ୍ରତିଟି ଘରେ ଜଣେ ଜଣେ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଲାଗି ‘ସମ୍ବାଦ’ ପକ୍ଷରୁ ହାତକୁ ନିଆଯାଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନ ଉପରେ ସେ ଆଲୋକପାତ କରିଥିଲେ। ଏକ ମିସନ୍‌ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହା ୧୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେହି ଅନୁସାରେ ଏହି କାର୍ଯ୍ୟକ୍ରମ ଆଗକୁ ବଢ଼ିବ, ଯେଉଁଥିରେ ସମସ୍ତଙ୍କୁ ଏହା ସହ ଯୋଡ଼ି ପରିବେଶ ସୁରକ୍ଷାକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଉଦ୍ୟମ କରାଯିବ। ପୁନଶ୍ଚ ପୃଥିବୀ ଅଭିଯାନରେ ‘ସମ୍ବାଦ’ରେ ୬୦ଟି ପୂରା ପୃଷ୍ଠାର ଖବର ପ୍ରକାଶ କରାଯାଇଥିଲା। କନକ ଟିଭିରେ ୩୦ ମିନିଟ୍‌ର ବୁଲେଟିନ୍ ୬୦ ଦିନ ପର୍ଯ୍ୟନ୍ତ ବାଜିଥିଲା। ଭୁ‌ବନେଶ୍ବରରେ ଏକ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ କନ୍‌କ୍ଲେଭ୍‌ ଆୟୋଜନ କରି ପରିବେଶ, ଜଳବାୟୁ ପରିବର୍ତ୍ତନ ଉପରେ ମାନସ ମନ୍ଥନ କରାଯାଇଥିଲା ବୋଲି ସେ କହିଥିଲେ। ବିଶ୍ବରେ ‘ସମ୍ବାଦ’ ଏଭଳି ଏକମାତ୍ର ଗଣମାଧ୍ୟମ ସଂସ୍ଥା ଯାହା ପରିବେଶ ପ୍ରତି ଏଭଳି ସମର୍ପିତ ହୋଇ କାର୍ଯ୍ୟ କରିବାରେ ପ୍ରଥମ ହୋଇଥିବା ବେଳେ ବିଶ୍ବ ସ୍ତରରେ ତାହାକୁ ପ୍ରଶଂସା କରାଯାଇଥିଲା ବୋଲି ସେ କହିଛନ୍ତି।

ପରିବେଶ ସୁରକ୍ଷା ସମ୍ପର୍କିତ ଆଲୋଚନା କିଭଳି ଗୋଟିଏ ସ୍ଥାନ ଭିତରେ ସୀମିତ ନରହି ବିଶ୍ବବ୍ୟାପୀ ଏକ ପ୍ରସଙ୍ଗରେ ପରିଣତ ହୋଇଛି, ତାହା ଉପରେ ଶ୍ରୀମତୀ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଚାରିଆଡ଼େ ପରିବେଶ ସୁରକ୍ଷାକୁ ନେଇ ଆଲୋଚନା ହେଉଛି। ବର୍ତ୍ତମାନ ସମୟର ସବୁଠୁ ବଡ଼ ଆଲୋଚନାର ପ୍ରସଙ୍ଗ ପ୍ରଗତି, ପୃଥିବୀ ଓ ପ୍ରକୃତି। ତେବେ ପରିବେଶ ସୁରକ୍ଷାକୁ ଏକ ସାମୂହିକ ପ୍ରୟାସରେ ପରିଣତ କରିବା ଲାଗି ଆହ୍ବାନ ଦେଇ ସେ କହିଥିଲେ ଯେ କୌଣସି କଥା ଏକୁଟିଆ କରିହେବ ନାହିଁ। ସମସ୍ତକୁ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ। ପୁନଶ୍ଚ ପୃଥିବୀ ଅଭିଯା‌ନରେ ସାମିଲ ହେବା ଲାଗି ସେ ଉପସ୍ଥିତ କର୍ପୋରେଟ୍ ଜଗତ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରତି ଘରେ ପରିବେଶ ଯୋଦ୍ଧା ତିଆରି କରିବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଯେଉଁମାନେ ପରିବେଶ ସମ୍ପର୍କରେ କିଛି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ସେମାନେ ଆମ ସହିତ ଯୋଡ଼ି ହୋଇପାରି‌ବେ। ଆମକୁ ଯୋଗାଯୋଗ କରିପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।