ବେଙ୍ଗାଲୁରୁର ହାଇସ୍କୁଲ ଛାତ୍ରୀ ମାନ୍ୟା ଗଣପତି ସହରବାସୀଙ୍କୁ ସ୍ବଚ୍ଛ ପ୍ରଶ୍ବାସ ଦେବା ଲାଗି ଚଳାଇଥିବା ଅଭିଯାନ ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି। ଦଶନ୍ଧି ଦଶନ୍ଧି ଧରି ଆଜମା ସହ ଯୁଝୁଥିବା ନିଜ ଜେଜେମା’ଙ୍କର ସମସ୍ୟାକୁ ଅଙ୍ଗେ ନିଭାଇଲା ବେଳେ ସେ ଏହା ପଛରେ ସହରର ସବୁଜିମା ମଧ୍ୟରେ ଛପି ରହିଥିବା ନିର୍ବାକ୍ ଅପରାଧୀ ‘ପାର୍ଥେନିଅମ୍’ ଉଦ୍ଭିଦ ଯେ ଦାୟୀ, ତାହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ‘ପାନ୍ଥେନିଅମ୍’ ଏପରି ଏକ ବିଷାକ୍ତ ଉଦ୍ଭିଦ ଯାହା ଆଲର୍ଜି ସୃଷ୍ଟି କରୁଥିବା ଏକ ସ୍ବତନ୍ତ୍ର ଧରଣର ସଂକ୍ରାମକ ପଦାର୍ଥ ବାୟୁମଣ୍ଡଳକୁ ଛାଡ଼ିଥାଏ, ଯଦ୍ଦ୍ବାରା ଆଜ୍ମା, ବ୍ରୋଙ୍କାଇଟିସ୍ ଓ ଅନ୍ୟାନ୍ୟ ଦୀର୍ଘକାଳୀନ ଫୁସ୍ଫୁସ୍ଜନିତ ରୋଗ ପ୍ରୋତ୍ସାହିତ ହୋଇଥାଏ। ତେବେ ଏହା ଜେଜେମା’ଙ୍କ ସ୍ବାସ୍ଥ୍ୟ ସଂକଟର କାରଣ ବୋଲି ମାନ୍ୟା ଜାଣିଲା ପରେ ସବୁଦିନ ପାଇଁ ଏହି ସମସ୍ୟାର ମୂଳୋତ୍ପାଟନ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଆଗେଇ ଆସିଥିଲେ।
ମାନ୍ୟା ୨୦୨୧ ମସିହାରେ ‘ଦି ଅନୁଗ୍ରହ ପ୍ରୋଜେକ୍ଟ’ ନାମକ ଏକ ଛାତ୍ର-ନେତୃତ୍ବାଧୀନ ଅଣଲାଭକାରୀ ସଂଗଠନ ସ୍ଥାପନ କରିଥିଲେ, ଯାହା ବର୍ଜ୍ୟବସ୍ତୁ ପରିଚାଳନା ଓ ଭିତ୍ତିଭୂମି ବିକାଶ ଇତ୍ୟାଦି ଉପରେ ଧ୍ୟାନ ଦେଉଛି। ତେବେ ଏହି ସଂଗଠନ ସମ୍ପ୍ରତି ସହରରେ ଗେଣ୍ଡୁ ପରି ଦେଶୀ ଗଛ ବୁଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଉଲ୍ଲେଖନୀୟ ଯେ ଗେଣ୍ଡୁ ଗଛ ପାର୍ଥେନିଅମ୍ ଉଦ୍ଭିଦର ବିସ୍ତାରକୁ ରୋକିଥାଏ। ଏଥି ସହିତ ଏହା ମାଟିକୁ ଉର୍ବର କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ନିରାପଦ ପ୍ରଶ୍ବାସ ନେବାରେ ସହାୟକ ହେଉଛି। ମାନ୍ୟାଙ୍କ କହିବାନୁଯାୟୀ, ତାଙ୍କର ଏହି ଅଭିଯାନ ମାତ୍ର ୮ ମାସ ଭିତରେ ଶ୍ବାସକ୍ରିୟା ସମସ୍ୟାର ୮୮ ପ୍ରତିଶତ ହ୍ରାସ ଘଟିଲାଣି। ଏହି ସଚେତନ କିଶୋରୀ ଜଣକ ନିକଟ ଅତୀତରେ ମିଳିତ ଜାତିସଂଘର ୧ଏମ୍୧ବି ଆକ୍ଟିଭେଟ୍ ଇମ୍ପାକ୍ଟ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖିଥିଲେ। ସେଥିରେ ସେ ଲୁକ୍କାୟିତ ଜନସ୍ବାସ୍ଥ୍ୟ ସଂକଟର ମୁକାବିଲା ପାଇଁ ଅଧିକ ସଚେତନତା, େଗାଷ୍ଠୀ ପରିଚାଳିତ ସମାଧାନ ଓ ଅନାବନା ତୃଣ ଆଦିର ବାଧ୍ୟତାମୂଳକ ଅପସାରଣ ଭଳି ନୀତି ପାଇଁ ଆହ୍ବାନ କରିଥିଲେ।