ଦିନକୁ ଦିନ ସମୁଦ୍ର ଉଗ୍ର ହେବାକୁ ଲାଗିଛି। ସମୁଦ୍ରର ଉଗ୍ର ସ୍ବଭାବ ସାମୁଦ୍ରିକ ଉଦ୍ଭିଦ ଓ ପ୍ରାଣୀଙ୍କୁ ସଙ୍କଟରେ ପକାଇଛି। ପ୍ରକୃତିର ଏହି ବିକଟ ରୂପ କେବଳ ମଣିଷର ଅତ୍ୟଧିକ ଶୋଷଣ ଯୋଗୁଁ ହିଁ ଦେଖିବାକୁ ମିଳିଛି। ଏଣୁ ସମୁଦ୍ର ଓ ସାମୁଦ୍ରିକ ଜୈବମଣ୍ଡଳର ସୁରକ୍ଷା ଏବେ ମଣିଷକୁ ହିଁ କରିବାକୁ ପଡ଼ିବ। ଦେଶ ବିଦେଶର ବିଭିନ୍ନ ସଂସ୍ଥା ଏ ଦିଗରେ କାର୍ଯ୍ୟରତ। ପରିବେଶ ସଂରକ୍ଷିକା ସାଧ୍ବୀ ସିନ୍ଦୂରା ମଧ୍ୟ ୨୦୧୬ ମସିହାରୁ ନିରନ୍ତର ଏ ଦିଗରେ କାର୍ଯ୍ୟରତ।

Advertisment

ସମୁଦ୍ର ବିଜ୍ଞନ ଓ ସମୁଦ୍ର ଜୈବିକ ପର୍ଯ୍ୟାବରଣରେ ସ୍ନାତକୋତ୍ତର ସାରି ସାଧ୍ବୀ ପ୍ରଥମେ ‘ବେଙ୍ଗାଲୁରୁର ବାକ୍ସିନ୍ ଫାଉଣ୍ଡେସନ’ ଅଧୀନରେ ଗଞ୍ଜାମ ଜିଲ୍ଲାରେ କଇଁଛ ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ‘ସ୍ନେକ୍ ହେଲ୍‌ପଲାଇନ୍’ରେ ଯୋଗ ଦେଇ ସାପମାନଙ୍କ ଉଦ୍ଧାର, ଉଦ୍ଧାର ପଦ୍ଧତି ଓ ସୁରକ୍ଷିତ ଥଇଥାନ ଦିଗରେ କାର୍ଯ୍ୟ କରିଥିଲେ। ସାପମାନଙ୍କ ଉପରେ ଅଧିକରୁ ଅଧିକ ଗବେଷଣା ମଧ୍ୟ କରିଥିଲେ। ପରେ ସେ ‘ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା’ରେ ଜଣେ ଗବେଷିକା ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିରେ ସେ କୋରାଲ୍ ରିଫ୍ ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଥିଲେ। ଗଲ୍‌ଫ ଅଫ୍ କଛରେ ହୋଇଥିବା କୋରାଲ୍ ରିଫ୍ ସଂରକ୍ଷଣ ପ୍ରକଳ୍ପରେ ମଧ୍ୟ ସେ କାର୍ଯ୍ୟ କରିବା ସହ ଜୈବ ବିବିଧତା ଉପରେ ଗଭୀରତମ ଅଧ୍ୟୟନ କରିଥିଲେ। ସେ ‘ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଣ୍ଡିଆ’ର ସାର୍କ ସଂରକ୍ଷଣ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହିଭଳି ଭାବେ ବିଭିନ୍ନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକରି ସେ ବିଭିନ୍ନ ବନ୍ୟପ୍ରାଣୀ, ସାମୁଦ୍ରିକ ଜୀବ ଓ ସରୀସୃପଙ୍କ ଜୀବନଧାରା ବିଷୟରେ ଅବଗତ ହେବା ସହ ସେମାନଙ୍କ ସଂରକ୍ଷଣରେ ଅନୁସୃତ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିଥିଲେ।

ସଂପ୍ରତି ସେ ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଣ୍ଡିଆର ରାଜ୍ୟ ସଂଯୋଜିକା ଭାବେ କାର୍ଯ୍ୟ କରିବା ସହ ଗଞ୍ଜାମ ଋଷିକୁଲ୍ୟା ନଦୀରେ କଇଁଛ ସଂରକ୍ଷଣ, କେନ୍ଦ୍ରାପଡ଼ାରେ ହେନ୍ତାଳ ବନ ପୁନଃବିନ୍ୟାସ ଆଦି ଦିଗରେ କାର୍ଯ୍ୟରତ। ଋଷିକୁଲ୍ୟା ନଦୀରେ ଚାଲିଥିବା କଇଁଛ ସଂରକ୍ଷଣ ପ୍ରକଳ୍ପରେ ସେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ନେଇ କାର୍ଯ୍ୟ କରିଥାନ୍ତି। ଏ ସମ୍ପର୍କରେ ସାଧ୍ବୀ କହନ୍ତି, ‘‘ନଦୀକୂଳରେ ରହୁଥିବା ସଂପ୍ରଦାୟ ହିଁ କଇଁଛ ସଂରକ୍ଷଣ ଦିଗରେ ଅଧିକ କାର୍ଯ୍ୟ କରିପାରିବେ। ଆମେ ବାହାରୁ ଯାଇ ସେମାନଙ୍କୁ ସଚେତନ କରିପାରିବା, ବିଜ୍ଞାନସମ୍ମତ ଜ୍ଞାନ ବାଣ୍ଟିପାରିବା ତଥା ତାଙ୍କଠାରୁ ପାରମ୍ପରିକ ଜ୍ଞାନ ହାସଲ କରିପାରିବା; କିନ୍ତୁ ଅସଲ ସଂରକ୍ଷଣ ନଦୀ ନିକଟସ୍ଥ ସଂପ୍ରଦାୟ ହିଁ କରିଥା’ନ୍ତି।’’