ବିକାଶ ନାଁରେ ଏବେ ଗଛକଟା ଚାଲିଛି। ବିକାଶ ତ’ ହେଉଛି, କିନ୍ତୁ ପରିବେଶର ଯେଉଁ କ୍ଷତି ଘଟୁଛି, ତାହା ପୂରଣ ହେଉନାହିଁ। ପ୍ରାୟ ୩୨ ବର୍ଷ ତଳୁ ପରିବେଶର ଏହି ଅଧୋଗତି ଦେଖି, ଗଛ ଲଗାଇବାର ନିଷ୍ପତ୍ତି ନେଇଥିଲେ ଅମରେଶ ନରେଶ ସାମନ୍ତ। ସେ ‘ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ ପରିଷଦ’ ଅନୁଷ୍ଠାନ ଗଠନ କରି ଜଗତସିଂହପୁରସ୍ଥିତ ନିଜ ଗାଁ ବିଶ୍ବାଳିରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ସେ ଧାଡ଼ିଧାଡ଼ି କରି ଗଛ ଲଗାଇବା ଆରମ୍ଭ କରିଥିଲେ। ୧୯୯୯ ମହାବାତ୍ୟାର ସ୍ଥିତିକୁ ଦେଖି ୨୦୦୧ ମସିହାରୁ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ସେ ବହୁ ସମୟରେ ସମ୍ମାନିତ ହେବା ସହ ୨୦୨୧ ମସିହାରେ ୭୫ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା ବି କରିଥିଲେ।
ଶ୍ରୀ ସାମନ୍ତ କହନ୍ତି, ‘‘ବିକଶିତ ସହରଗୁଡ଼ିକରେ ରାସ୍ତା ସଂପ୍ରସାରଣ ଓ କଳକାରଖାନା ସ୍ଥାପନ ନାମରେ ଲକ୍ଷାଧିକ ଗଛ କଟାଯାଉଛି। ଏହାର କୁପ୍ରଭାବ ଆମକୁ ହିଁ ଭୋଗିବାକୁ ପଡୁଛି। ଆମ ଗାଁ କୁଜଙ୍ଗର ବିଶ୍ବାଳି ଦେଇ ଜାତୀୟ ରାଜପଥ ଯାଇଛି। ଏହା ପାଖରେ ମହାନଦୀ ଓ ଏହା ପାର୍ଶ୍ବରେ ପାରାଦ୍ବୀପ ବନ୍ଦର। ଏଣୁ ପିଲାଦିନୁ ଆମେ ରାଜପଥ କଡ଼ ଓ ନଦୀପାର୍ଶ୍ବରେ ଧାଡ଼ି ଧାଡ଼ି କରି ଗଛ ଲଗାଉଥିଲୁ। ଆମେ ଲଗାଇଥିବା ଅନେକ ଗଛ ମହାବାତ୍ୟାରେ ଉଜୁଡ଼ିଗଲା। ଅବଶିଷ୍ଟ ଯାହା ରହିଯାଇଥିଲା, ରାସ୍ତା ସଂପ୍ରସାରଣରେ କାଟିଦିଆଗଲା। ଏହାପରେ ଆମେ ବ୍ୟାପକ ଭାବେ ଗଛ ଲଗାଇବା ଆରମ୍ଭ କରିଥିଲୁ। ଶିଶୁ, ଅଁଳା, ପିଜୁଳି, କରଞ୍ଜ, ଝାଉଁ ଓ ଆକାଶିଆ ଭଳି ବଡ଼ ବଡ଼ ଗଛ ପାରାଦ୍ବୀପ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳର ଅବ୍ୟବହୃତ ଜମିରେ ବହୁ ପରିମାଣର ଲଗାଇବା ଆରମ୍ଭ କରିଥିଲୁ। ଏହା ପଛରେ ଉଦ୍ଦେଶ୍ୟ ଥିଲା ଯେ ବାତ୍ୟା ବା କାଳବୈଶାଖୀରେ ଏସବୁ ସମ୍ପୂର୍ଣ୍ଣ ଉଜୁଡ଼ିଯିବ ନାହିଁ। କିଛି ଭାଙ୍ଗିଲେ, ଅନ୍ୟ କିଛି ରହିଯିବ।’’
ଏହାପରେ ୨୦୧୦ ମସିହାରୁ ସେ ମହାନଦୀ ମୁହାଣ ଓ ତତ୍ସଂଲଗ୍ନ ଅଞ୍ଚଳରେ ହେନ୍ତାଳ ଓ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି। ‘ଦାନା’ ବାତ୍ୟା ସମୟରେ ଏହିସବୁ ହେନ୍ତାଳ ବଣ ଉପକୂଳକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ନେଇଥିଲା। ଖାଲି ସେତିକି ନୁହେଁ, ଲୋକମାନଙ୍କୁ ପରିବେଶ ନେଇ ସଚେତନ କରିବା ପାଇଁ ୨ ଥର େସ ସାଇକେଲ୍ ଯାତ୍ରା ବି କରିଛନ୍ତି। ଗୋଟିଏ ଥର ପାରାଦ୍ବୀପରୁ ବ୍ରହ୍ମପୁର ୭ ଦିନ ପାଇଁ ସାଇକେଲ ଯାତ୍ରା କରି ବୃକ୍ଷରୋପଣର ଉପକାରିତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଚେଷ୍ଟା କରିଥିଲେ। ଦ୍ବିତୀୟ ଥର ଭୁବନେଶ୍ବରରୁ କେନ୍ଦୁଝର, ପାରାଦ୍ବୀପ ହୋଇ ଦୀଘା ଯାଏ ୧୮ଦିନିଆ ପରିବେଶ ସଚେତନତା ସାଇକେଲ ଯାତ୍ରା କରିଥିଲେ।
ଗତ ରବିବାର ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାକୁ ଶ୍ରୀ ସାମନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏଥିସହ ‘ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ ପରିଷଦ’ର ସଦସ୍ୟମାନଙ୍କ ଦ୍ବାରା ବହୁ ବର୍ଷ ଧରି ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲ ଓ ହେନ୍ତାଳ ବଣ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ଦୁଇ ଦୁଇ ଥର ‘ପ୍ରକୃତି ବନ୍ଧୁ’ ଓ ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି।